Unknown

 

 

 

 

 

 

 

 

 

 

 

ଶାସ୍ତି ସୃଷ୍ଟି ସମୀକ୍ଷା

ଦେବେନ୍ଦ୍ର ମହାନ୍ତି

 

ପଦେ କହିଥାଏ,

 

ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କର ସୃଷ୍ଟି ସୌନ୍ଦର୍ଯ୍ୟର କେତୋଟି ଦିଗପ୍ରତି ଆକୃଷ୍ଟ ହୋଇ ତାଙ୍କର ସମଗ୍ର ସୃଷ୍ଟି ବିଷୟରେ ଏକ ପୂର୍ଣ୍ଣାଙ୍ଗ ସମାଲୋଚନା ଗ୍ରନ୍ଥ ରଚନା କରିବାର ପରିକଳ୍ପନା କରିବା ସମୟରେ ପ୍ରକାଶକ ବନ୍ଧୁ ସହଦେବ ପ୍ରଧାନ ‘‘ଶାସ୍ତି’’ ଉପରେ ଖଣ୍ଡିଏ ଆଲୋଚନା ବହି ଲେଖିବାପାଇଁ ଅନୁରୋଧ କଲେ । ତାଙ୍କରି ଅନୁରୋଧରୁ ଜନ୍ମ ନେଇଛି ‘‘ଶାସ୍ତି’’ ଉପନ୍ୟାସର ସ୍ରଷ୍ଟା ଓ ସୃଷ୍ଟି ।’’ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା ଦୃଷ୍ଟିରୁ ଏହାର ସୃଷ୍ଟି ହୋଇଥିବାରୁ କାହ୍ନୁଚରଣଙ୍କ ବିଷୟରେ ପର୍ଯ୍ୟାପ୍ତ ଆଲୋଚନା ଏଥିରେ ସମ୍ଭବ ହୋଇନାହିଁ । ଉପନ୍ୟାସ ସାହିତ୍ୟର ଅଗ୍ରଗତିରେ ଓଡ଼ିଆ ସାହିତ୍ୟ ଯେ ପଡ଼ୋଶୀ ପ୍ରାନ୍ତୀୟ ସାହିତ୍ୟମାନଙ୍କ ତୁଳନାରେ ପଛରେ ପଡ଼ିଯାଇ ନାହିଁ ଏ କଥାର ପ୍ରମାଣ ଦେଇଛନ୍ତି ଆମର ସ୍ୱନାମଧନ୍ୟ ଔପନ୍ୟାସିକଗଣ । ସେମାନଙ୍କର ଅମୂଲ୍ୟଦାନର ଯଥାଯଥ ଆଲୋଚନା ଆଜି ଯେ ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି ଏକଥା ଆମର ସମାଲୋଚକମାନେ ହୃଦୟଙ୍ଗମ କରିବା ଆବଶ୍ୟକ ।

 

ଓଡ଼ିଆ ସାହିତ୍ୟ ଜଗତରେ ମୋର କେତେକ ଔପନ୍ୟାସିକ ବନ୍ଧୁ ବହୁବାର ଆକ୍ଷେପ କରି କହିଛନ୍ତି ଯେ ଆଜିର ସମାଲୋଚକମାନେ କେବଳ ସ୍ୱର୍ଗତ ସାହିତ୍ୟିକମାନଙ୍କର ସୃଷ୍ଟି ସମ୍ପଦକୁ ସମାଲୋଚନା କରିବାରେ ତତ୍ପର । ଯେଉଁମାନେ ବର୍ତ୍ତମାନ ଲେଖନୀ ଚାଳନା କରି ଉପନ୍ୟାସ ସାହିତ୍ୟକୁ ସମୃଦ୍ଧିପଥରେ ଅଗ୍ରସର ହେବାଲାଗି ଉପାଦାନ ଯୋଗାଉଅଛନ୍ତି ସେମାନଙ୍କର କୃତିର ଯଥାର୍ଥ ଆଲୋଚନା ସମାଲୋଚନା ନହେଲେ ଓଡ଼ିଆ ଉପନ୍ୟାସ ସାହିତ୍ୟର ଅଗ୍ରଗତି ତ୍ୱରାନ୍ୱିତ ହୋଇ ପାରିବ ନାହିଁ । ଏଭଳି ଏକ ମତର ସତ୍ୟତା ନିଶ୍ଚିତ ଭାବରେ ଅଛି । ମାତ୍ର ଏଥିପାଇଁ ଯେ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ସାହିତ୍ୟରେ ଉଦ୍ୟମର ଅଭାବ ରହିଛି, ତାହା ନୁହେଁ । ଏ ଉଦ୍ୟମ ବର୍ତ୍ତମାନ ଧୀର ମନ୍ଥର ହେଲେହେଁ ନିକଟ ଭବିଷ୍ୟତରେ ଏହା ଯେ ତ୍ୱରାନ୍ୱିତ ହେବ, ଏଥିରେ ଆଶାନ୍ୱିତ ହେବା ଅବାସ୍ତବ ନୁହେଁ ।

 

‘‘ଶାସ୍ତି’’ ଉପନ୍ୟାସକୁ ଯେଉଁ ଦୃଷ୍ଟିକୋଣରେ ମୁଁ ଦେଖିଛି, ତାହାର କେତୋଟି ମାତ୍ର ଦିଗ ଏହି ସମାଲୋଚନା ଗ୍ରନ୍ଥରେ ସୀମିତ ପରିସରରେ ପ୍ରକାଶ ପାଇଛି । ସମାଲୋଚନା ସାହିତ୍ୟରେ ସାହିତ୍ୟକୃତିର ଯଥାଯଥ ବିଚାରହିଁ ସମାଲୋଚକର ସବୁଠାରୁ ବଡ଼ ଦାୟିତ୍ୱ । ଏହି ଦାୟିତ୍ୱକୁ ତୁଲାଇବାରେ ମୁଁ କେତେଦୂର ସମର୍ଥ ହୋଇଅଛି ତାହା ଏ ଦେଶର ପାଠକ ପାଠିକାମାନେ ଅନୁଭବ କରିପାରିବେ ।

 

ଆଗାମୀ କାଲିର ନାଗରିକ, ଯେଉଁମାନେ ଆଜି ପାଠ୍ୟ ପୁସ୍ତକ ଭିତରୁ ଖୋଜି ବସିଛନ୍ତି ସାରଳା, ଦୀନକୃଷ୍ଣ, ଅଭିମନ୍ୟୁ, ରାଧାନାଥ, ଫକୀର ମୋହନ, ଗୋପୀନାଥ, କାହ୍ନୁ ଚରଣ, ସୁରେନ୍ଦ୍ର ପ୍ରମୁଖ ସ୍ରଷ୍ଟାମାନଙ୍କର ସୃଷ୍ଟିସମ୍ପଦର ଯଥାର୍ଥ ରୂପ ସେଇମାନଙ୍କ ହାତକୁ ଆଜି ‘‘ଶାସ୍ତିର ସ୍ରଷ୍ଟା ଓ ସୃଷ୍ଟି’’ ବଢ଼ାଇ ଦେବାବେଳେ ଆଶା କରୁଛି, ସେମାନଙ୍କ ଖୋଜାଲୋଡ଼ା ଜୀବନରେ ଏହା କେତେକ ପରିମାଣରେ ସହାୟକ ହେବ ।

 

ଦୁନିଆଁର ବଡ଼ଦାଣ୍ଡରେ ସମୟର ରଥଚକ ଗଡ଼ିଚାଲିଛି—ବେଶୀବାଟ ଆଗେଇ ଯିବା ପୂର୍ବରୁ ଏ ଦେଶର ପାଠକ ପାଠିକାଙ୍କ ହାତକୁ ‘‘ଔପନ୍ୟାସିକ କାହ୍ନୁଚରଣ’’ ବଢ଼ାଇ ଦେବାର ଆଶା ପୋଷଣ କରି ରହିଲି ।

 

ଧୂଆଁ ପତ୍ରିଆ ଗଳି, ବାଖରାବାଦ, କଟକ

ବିନୀତ

ତା ୧୯-୨-୬୮

ଲେଖକ

 

ସୂଚୀପତ୍ର

 

୧.

ଓଡ଼ିଆ ଉପନ୍ୟାସର ବିକାଶଧାରା

୨.

ଓଡ଼ିଆ ଉପନ୍ୟାସର ପ୍ରତିଷ୍ଠା

୩.

ସ୍ରଷ୍ଟା କାହ୍ନୁଚରଣ

୪.

ସ୍ରଷ୍ଟା ଓ ସୃଷ୍ଟି ସମ୍ପଦ

୫.

ସୃଷ୍ଟିର ବର୍ଣ୍ଣ-ବୈଚିତ୍ର୍ୟ

୬.

ଶାସ୍ତିର ପରିକଳ୍ପନାରେ ସମୟର ପ୍ରାଣ ସ୍ପନ୍ଦନ

୭.

ଶାସ୍ତିର କଥାବସ୍ତୁ

୮.

ଶାସ୍ତିରେ ଚରିତ୍ର ଚିତ୍ରଣ

୯.

ଶାସ୍ତିରେ ସମାଜ ଚିତ୍ର

୧୦.

ଶାସ୍ତିରେ ଲେଖକଙ୍କର ସଂସ୍କାର ପ୍ରୟାସ

୧୧.

ଶାସ୍ତିରେ ପ୍ରେମଚିତ୍ର

୧୨.

ଶାସ୍ତିରେ ବର୍ଣ୍ଣନା ବିଳାସ

୧୩.

ଶାସ୍ତି-ଏକ ସୁଚିନ୍ତିତ ନାମକରଣ

୧୪.

ଶାସ୍ତି ଓଡ଼ିଆ ଉପନ୍ୟାସ ଜଗତରେ ଏକ ଅବିସ୍ମରଣୀୟ ସୃଷ୍ଟି

☆☆☆

 

ଓଡ଼ିଆ ଉପନ୍ୟାସର ବିକାଶଧାରା

 

ଓଡ଼ିଆ ଉପନ୍ୟାସର ବିକାଶଧାରା ବିଷୟ ଆଲୋଚନା କରିବାକୁ ଯିବା ପୂର୍ବରୁ ଆମକୁ ମନେ ରଖିବାକୁ ହେବ ଯେ ଓଡ଼ିଆ ଉପନ୍ୟାସର ସୃଷ୍ଟି ଆଧୁନିକ କାଳରେ ହୋଇଅଛି । ଉପନ୍ୟାସ, ସାହିତ୍ୟ ରାଜ୍ୟରେ ଏକ ଅର୍ବାଚୀନ ଅତିଥି । ଏହି ଅତିଥି ନିତାନ୍ତ ଅର୍ବାଚୀନ ହେଲେହେଁ ସାହିତ୍ୟ ରାଜ୍ୟରେ ଏପରି ଏକ ସ୍ଥାନ ସେ ଅଧିକାର କରି ବସିଛି ଯେ ତା ତୁଳନାରେ ଅନ୍ୟମାନେ ହୀନପ୍ରଭ ହୋଇପଡ଼ିଛନ୍ତି । କବିତା ଓ କାବ୍ୟ ସାହିତ୍ୟିକ ପ୍ରଚେଷ୍ଟାର ଆଦ୍ୟ ପରିଣାମ ହେଲେହେଁ ତାହା ଆଜି ଆମ ସାହିତ୍ୟ ରାଜ୍ୟରେ ଗଳ୍ପ ଏବଂ ଉପନ୍ୟାସର ପ୍ରତିପତ୍ତି ସମ୍ମୁଖରେ ନିତାନ୍ତ ଦୁର୍ବଳ । ଉପନ୍ୟାସ ଆଜି ସାହିତ୍ୟ ରାଜ୍ୟର ସବୁଠାରୁ ଲୋକପ୍ରିୟ ବିଭାବ ।

 

ପାଠକ ମନରେ ଆନନ୍ଦଭାବ ଜନ୍ମାଇବା ଉପନ୍ୟାସର ମୌଳିକ ଲକ୍ଷ୍ୟ । ମନୁଷ୍ୟ ଯେତେବେଳେ ତାର କୌଣସି ସାଙ୍ଗସାଥୀ ସହିତ ବସି କଥାଭାଷା କରେ ସେତେବେଳେ ସେ ହୁଏତ ତହିଁରୁ ଆନନ୍ଦ ପାଇଥାଏ । ମାତ୍ର ଯେତେବେଳେ ତାର କୌଣସି ସାଙ୍ଗସାଥୀ ପାଖରେ ନଥାନ୍ତି ସେତେବେଳେ ସେ କି ଉପାୟରେ ଆନନ୍ଦ ଉପଲବ୍‌ଧ କରିପାରିବ ? ସେତେବେଳେ ସେ ଉପନ୍ୟାସକୁ ତାର ସାଥୀରୂପେ ଗ୍ରହଣ କରିନେଇ ତାହାରିଠାରୁ ଆନନ୍ଦ ପାଇପାରେ । ଏହି ଆନନ୍ଦ ଦାନ କରିବାର ଉଦ୍ଦେଶ୍ୟ ନେଇ ଆଧୁନିକ ସାହିତ୍ୟ-ରାଜ୍ୟକୁ ଉପନ୍ୟାସ ଏକ ଆଗନ୍ତୁକ ଭାବରେ ଆସି ନିଜର ପ୍ରତିପତ୍ତି ବିସ୍ତାର କରିସାରିଅଛି । ଏହି ଆନନ୍ଦଦାନ ଉପନ୍ୟାସ ସାହିତ୍ୟର ମୌଳିକ ଲକ୍ଷ୍ୟ ହେଲେହେଁ ସମୟ କ୍ରମେ ବିଶ୍ୱସାହିତ୍ୟରେ ନାନା ପ୍ରକାର ମତବାଦର ଅଭ୍ୟୁଦୟ ଫଳରେ ଉପନ୍ୟାସ ସାହିତ୍ୟର ଲକ୍ଷ୍ୟ ଏକାଧିକ ଭାବରେ ପରିଦୃଷ୍ଟ ହୋଇଥାଏ ।

 

ଉପନ୍ୟାସରେ ଆମରି ନିତିଦିନିଆ ଜୀବନକୁ କେନ୍ଦ୍ର କରି ଆମରି ଚାରିପାଖରେ ଥିବା ସମାଜରେ ଘଟିଯାଉଥିବା ଘଟଣାଗୁଡ଼ିକ ପ୍ରକାଶ ପାଇଥାଏ । ଉପନ୍ୟାସରେ ବର୍ଣ୍ଣିତ ଘଟଣା ମଣିଷ ସମାଜର ପ୍ରକୃତ ଘଟଣା । ମାତ୍ର ତହିଁରେ ଥିବା ଚରିତ୍ରଗୁଡ଼ିକ ଭିନ୍ନ ହୋଇପାରନ୍ତି । ଉପନ୍ୟାସ ମୁଖ୍ୟତଃ ଗୋଟିଏ ଶକ୍ତିଶାଳୀ ଗଳ୍ପ ଉପରେ ଆଧାରିତ । ଗଳ୍ପଟି ଯେତିକି ନୂତନତ୍ୱର ଆଭାସ ଦେଇଥାଏ ଉପନ୍ୟାସଟି ସେତିକି ହୃଦୟଗ୍ରାହୀ ହୋଇଥାଏ । କେଉଁ ଉପନ୍ୟାସରେ ଘଟଣା ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ ତ ଅନ୍ୟ କେଉଁ ଉପନ୍ୟାସରେ ଚରିତ୍ର ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । ମାତ୍ର ସ୍ଥୂଳଭାବରେ ଦେଖିଲେ, ଘଟଣା ବା ଗଳ୍ପାଂଶରେ ପ୍ରାଧାନ୍ୟହିଁ ଉପନ୍ୟାସକୁ ପ୍ରାଧାନ୍ୟ ଦେଇଥାଏ । ଲେଖକଙ୍କର ବଳିଷ୍ଠ ଭାଷା, ବର୍ଣ୍ଣନାଶୈଳୀ, ଉପସ୍ଥାପନରୀତି, ସଂସ୍କାର ପ୍ରୟାସ, ଚରିତ୍ରଚିତ୍ରଣ ପ୍ରଭୃତି ଯେତେ ଉଚ୍ଚଶ୍ରେଣୀର ହେଉନା କାହିଁକି ଯଦି ଉପନ୍ୟାସର ଗଳ୍ପାଂଶ ବା କଥାବସ୍ତୁ ଶକ୍ତିଶାଳୀ ନହୁଏ ତାହାହେଲେ ଉପନ୍ୟାସଟି ଆଦୌ ଲୋକପ୍ରିୟ ହୋଇପାରିବ ନାହିଁ-। ଉପନ୍ୟାସ ଭଳି କ୍ଷୁଦ୍ରଗଳ୍ପ ମଧ୍ୟ ପାଠକର ଚିତ୍ତକୁ ଏହିପରି ଭାବରେ ଆନନ୍ଦଦାନ କରିବାକୁ ସମର୍ଥ ହୋଇଥାଏ । ଆଧୁନିକ କାଳରେ ମନୁଷ୍ୟ ଏପରି କର୍ମବ୍ୟସ୍ତ ଜୀବନ ଯାପନ କରୁଅଛି ଯେ ଏବଂ ତାର ଜୀବନ ଏପରି ସମସ୍ୟାବହୁଳ ହୋଇପଡ଼ିଅଛି ଯେ ସେ ପ୍ରତ୍ୟେକ କ୍ଷେତ୍ରରେ ଆଉ ଦୀର୍ଘସମୟ ଧରି ଧୈର୍ଯ୍ୟ ରଖି ପାରୁନାହିଁ । ଦୀର୍ଘ ସମୟ ପରିବର୍ତ୍ତେ ସେ ଅଳ୍ପ ସମୟ ମଧ୍ୟରେ ଯେ କୌଣସି କାର୍ଯ୍ୟକୁ ସମାଧାନ କରିବା ପାଇଁ ତତ୍ପର ହୋଇ ପଡ଼ିଅଛି । ତେଣୁ ଆନନ୍ଦ ପାଇବା କ୍ଷେତ୍ରରେ ମଧ୍ୟ ମନୁଷ୍ୟ ଆଧୁନିକ ଜଗତରେ ଏହି ରୀତି ଗ୍ରହଣ କରିନେବା ନିତାନ୍ତ ସ୍ୱାଭାବିକ-। ଦିନ ଦିନ ଧରି ଗୋଟିଏ ବୃହଦାକାର ଉପନ୍ୟାସକୁ ପାଠକରି ଶେଷ କରିବାର ଧୈର୍ଯ୍ୟ ଆଜି ଜଞ୍ଜାଳଗ୍ରସ୍ତ ସମାଜର ମନୁଷ୍ୟର ନାହିଁ । ସେଥିପାଇଁ ସେ ଅନେକ ସମୟରେ ଉପନ୍ୟାସ ପରିବର୍ତ୍ତେ କ୍ଷୁଦ୍ରଗଳ୍ପକୁ ଗ୍ରହଣ କରି ନେଉଅଛି । ଏକାକୀ କୌଣସି ଦୀର୍ଘପଥ ରେଲଗାଡ଼ିରେ ହେଉ ବା ମୋଟର ଗାଡ଼ିରେ ହେଉ ଯାତ୍ରା କରିବା ସମୟରେ ଯାତ୍ରାକୁ ମନୋରମ କରିବା ପାଇଁ ବା ଯାତ୍ରା ଜନିତ କ୍ଳାନ୍ତିକୁ ଲାଘବ କରିବାପାଇଁ ସେ ଆଜି ସାଥିରେ ନେଇଯାଉଅଛି ଖଣ୍ଡିଏ ଉପନ୍ୟାସ ବା ଗଳ୍ପ ପୁସ୍ତକ । ସେ ଯାହା ହେଉନା କାହିଁକି, ଉପନ୍ୟାସ ବା ଗଳ୍ପ ଆଜି ଆଧୁନିକ ମାନବର ଏକ ଅନ୍ତରଙ୍ଗ ସାଥୀରେ ପରିଣତ ହୋଇଅଛି ।

 

ଉପନ୍ୟାସର ଲୋକପ୍ରିୟତା ମୂଳରେ ଉପନ୍ୟାସର ଶକ୍ତିଶାଳୀ ଗଳ୍ପ ଉପାଦାନହିଁ ରହିଅଛି । ମନୁଷ୍ୟର ମାନସିକ ପ୍ରକ୍ରିୟା ସବୁବେଳେ ଗଳ୍ପ-ଉପାଦାନକୁ ଅତ୍ୟନ୍ତ ଆଦରର ସହିତ ଗ୍ରହଣ କରିଥାଏ । ମନୁଷ୍ୟର ଜୀବନ ଉପରେ ମଧ୍ୟ ଗଳ୍ପ-ଉପାଦାନର ପ୍ରଭାବ କମ୍ ନୁହେଁ । ତେଣୁ ଗଳ୍ପ କହିବା ଓ ଶୁଣିବା ହେଉଛି ମନୁଷ୍ୟ ସମାଜର ଏକ ଆଦିମ ପ୍ରବୃତ୍ତି । ସଭ୍ୟତାର ଆଲୋକ ଯେତେବେଳେ ମଣିଷ ଜାତି ଦେଖି ନଥିଲା ସେତେବେଳେ ବଣ ଜଙ୍ଗଲର ପ୍ରାକୃତିକ ସମ୍ପଦ ଘେରା ବେଷ୍ଟନୀ ମଧ୍ୟରେ ସେ ଥିଲା ମୁକ୍ତପ୍ରାଣ । ଜୀବନ ହୁଏତ ସେତେବେଳେ ତା ନିକଟରେ ଏତେ ଜଟିଳ ନଥିଲା । ସେ ଥିଲା ପ୍ରକୃତିର କୋଳରେ ଶାନ୍ତ ସରଳ କାନ୍ତ କୋମଳ ଶିଶୁ । ମାନବ ସମାଜର ଏଇ ଅନ୍ଧକାର ଯୁଗର କଥା ଆଜିବି ସଭ୍ୟ ଶିକ୍ଷିତ ମାନବ କଳ୍ପନା କରିପାରେ । ସେ ଦିନର ମଣିଷ ସମାଜରେ କାହାଣୀ କହିବା ଓ ଶୁଣିବାର ପ୍ରଥା ଯେ ନ ଥିଲା ଏକଥା କୁହାଯାଇ ପାରିବ ନାହିଁ । କେତେ ସନ୍ଧ୍ୟା ସକାଳରେ ପରିଣତ ହୋଇଥିବ, କେତେ ଆଖିରେ ରାତିସାରା ପଲକ ପଡ଼ି ନଥିବ, ଗୋଟିଏ ଗୋଟିଏ କାହାଣୀର ପରିସମାପ୍ତି ପାଇଁ ଦିନସାରା କର୍ମବ୍ୟସ୍ତ ମାନବ ସନ୍ଧ୍ୟାର ଅନ୍ଧକାରରେ ଯେତେବେଳେ କ୍ଳାନ୍ତି ଅପନୋଦନ କରିବା ପାଇଁ ଦଳ ଦଳ ହୋଇ ଅତୀତର ସେ କେଉଁ ଅଜଣା ରୀତିରେ ଏକତ୍ରିତ ହେଉଥିଲେ ସେତେବଳେ ସେମାନେ କଣ ବା ଉପଭୋଗ କରିଥିବେ ? କିଏ ହୁଏତ ଗୀତ ଗାଇ ଗାଇ ନାଚି ଯାଇଥିବ, ଆଉ ତାହାର ସେଇ ନ ଚକୁ ଉପଭୋଗ କରିଥିବେ ଅନ୍ୟମାନେ । ଏହିପରି ଏକ ସନ୍ଧ୍ୟାରେ ଯେ ଗଳ୍ପ ପ୍ରଥମ ଥର ପାଇଁ ଆତ୍ମପ୍ରକାଶ କରିଥିଲା ସେ କଥାକୁ ସହଜରେ ଅନୁମାନ କରିନିଆଯାଇପାରେ । ସ୍ୱନାମଧନ୍ୟ ଲେଖକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଉପନ୍ୟାସ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଲେଖିଛନ୍ତି, ‘‘ସୁଦୂର ପ୍ରସ୍ତରଯୁଗର ସେହି ବିଲୀନ ସନ୍ଧ୍ୟା, ସେ ଆଜି ବିସୃତ । ଅଗ୍ନିର ଉଦ୍ଭାବନ ପରେ ମଣିଷ ଗଢ଼ିଛି ନୂଆ ସମାଜ- ପ୍ରଥମ ସମାଜ । ସାରା ଦିନର ଶିକାର ଓ ସଂଗ୍ରାମ ପରେ କ୍ଳାନ୍ତ ଅବସନ୍ନ ଶରୀରକୁ ଆନନ୍ଦ ଦେବାପାଇଁ ନାଚି ଉଠୁଛି ଇଭ୍- ତାଳ ଦେଇଛି ଆଦମ୍ । ଏହି ନାଚ ପରେ ଇଭର ଆସିଛି ଆହୁରି କ୍ଳାନ୍ତି । ସେହି କ୍ଳାନ୍ତି ଦୂର କରିବା ପାଇଁ ଇଭ୍ ପଚାରିଛି ଆଦମ୍‌କୁ କହିବାପାଇଁ ଗପ’’ । ଗପର ଧାରା ବହୁ ସୁଦୂର ଅତୀତରୁ ବହି ଆସିଛି । ସମୟର ଆବର୍ତ୍ତନ ଏହାକୁ କେତେବେଳେ କେଉଁ ରୂପ ପ୍ରଦାନ କରିଛି ତାହା ଭିନ୍ନ କଥା । ଆଈମାର କାହାଣୀପେଡ଼ି ଏବେ ମଧ୍ୟ ନାତି ନାତୁଣୀଙ୍କ ପାଇଁ ଉନ୍ମୁକ୍ତ ।

 

ବିଶ୍ୱ ସାହିତ୍ୟରେ ଉପନ୍ୟାସର ଅଭ୍ୟୁଦୟ ବିଷୟରେ କୌଣସି ସ୍ଥିରନିଶ୍ଚିତ ମତ ଗ୍ରହଣ କରିବା ସମ୍ଭବପର ନୁହେଁ । ବିଶ୍ୱର କେଉଁ ଭାଷାରେ ବା ସାହିତ୍ୟରେ ପ୍ରଥମ ଉପନ୍ୟାସ ରଚିତ ହୋଇଥିଲା ସେକଥା ଏବେ ମଧ୍ୟ ସ୍ପଷ୍ଟ ଭାବରେ ପ୍ରକାଶ ପାଇନାହିଁ । ତେଣୁ ଇଂରାଜୀ ସାହିତ୍ୟକୁ ଆଲୋଚନାର ପରିସର ମଧ୍ୟକୁ ଟାଣି ଆଣି ତହିଁରୁ ଉପନ୍ୟାସ ସାହିତ୍ୟ ବିଷୟରେ ସମ୍ୟକ୍ ଧାରଣା କରାଯାଇ ପାରେ । ଇଂରେଜୀ ସାହିତ୍ୟରେ ଉପନ୍ୟାସର ଅଭ୍ୟୁଦୟ ଘଟିଛି ଅଷ୍ଟାଦଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧରେ । ଅଷ୍ଟାଦଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ କରି ଊନ୍ନବିଂଶ ଶତାଦ୍ଦୀର ପ୍ରଥମଭାଗ ପର୍ଯ୍ୟନ୍ତ ଇଂରେଜୀ ଉପନ୍ୟାସ ସାହିତ୍ୟ ଉଲ୍ଲେଖଯୋଗ୍ୟ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରି ନଥିଲା । ଊନ୍ନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ସ୍କଟ୍‌ଙ୍କର ଅଭ୍ୟୁଦୟ ଫଳରେ ଇଂରେଜୀ ଉପନ୍ୟାସ ସାହିତ୍ୟ ନିଜକୁ ପ୍ରତିଷ୍ଠିତ କରିପାରିଲା । ଏହି ସମୟଠାରୁ ଇଂରେଜୀ ଉପନ୍ୟାସ ସାହିତ୍ୟ ଶୁଦ୍ଧ ଓ ଉନ୍ନତ ସାହିତ୍ୟ ଭାବରେ ବିବେଚିତ ହେଲା ।

 

ବିଶ୍ୱସାହିତ୍ୟରେ, ଉପନ୍ୟାସର ଇତିହାସରେ ଊନବିଂଶ ଶତାଦ୍ଦୀ ଓ ବିଂଶ ଶତାଦ୍ଦୀର ପ୍ରଥମଭାଗକୁ ସାହିତ୍ୟ- ସମୀକ୍ଷକମାନେ ଏକ ସୁବର୍ଣ୍ଣଯୁଗ ରୂପରେ ଗ୍ରହଣ କରିଅଛନ୍ତି । ବହୁ ଶକ୍ତିଶାଳୀ ଔପନ୍ୟାସିକଙ୍କର ଚଳଚଞ୍ଚଳ ଲେଖନୀ ଏହିଯୁଗରେ ସୃଷ୍ଟି କରିଅଛି ବହୁ ଅମର ଉପନ୍ୟାସ । ଏହି ଉପନ୍ୟାସମାନଙ୍କରେ ବିଶ୍ୱମାନବର ଯଥାର୍ଥ ମାନବିକତାର ପରିପ୍ରକାଶ ଘଟିଅଛି-। ସମାଜ ଯେତେବଳେ ବିଶୃଙ୍ଖଳ ସେତେବେଳେ ଏ ଯୁଗର ଔପନ୍ୟାସିକ ସମାଜକୁ ଆଲୋକ ବର୍ତ୍ତିକା ଧାରଣ କରି ପ୍ରକୃଷ୍ଟ ପଥ ପ୍ରଦର୍ଶନ କରିଅଛନ୍ତି । ସମାଜର ବାସ୍ତବ ଚିତ୍ର ଯେପରି ଭାବରେ ଏ ଯୁଗର ଉପନ୍ୟାସର ବର୍ଣ୍ଣିତ ତାହା ବିଶେଷ ଭାବରେ ଲକ୍ଷ୍ୟ କରିବାର କଥା-। ସମାଜକୁ ପତନୋନ୍ମୁଖ ଅବସ୍ଥାରୁ ରକ୍ଷା କରିବା ପାଇଁ ଏଯୁଗର ଔପନ୍ୟାସିକ ସୁସ୍ଥିର ନିର୍ଦ୍ଦେଶ ଦେବାପାଇଁ ସାମର୍ଥ୍ୟ ପ୍ରକାଶ କରିଅଛନ୍ତି । ଏହି ଯୁଗରେ ମାର୍କିନ୍ ସାହିତ୍ୟରେ ମାର୍କଟୁଏନ୍, ହେନେରୀ ଜେମ୍‌ସ, ସୋଭିଏଟ୍ ସାହିତ୍ୟରେ ଟୁର୍ଗେନିଭ, ଡଷ୍ଟୟେଭସ୍କି, ଚେକ୍‌ଭ, ଇଭାନ୍ ବୁନିନ୍, ଜର୍ମାନୀ ସାହିତ୍ୟରେ ଟମାସମ୍ୟାନ୍, ଜେକବ୍ ଭାସରମ୍ୟାନ୍ ଓ ଫରାସୀ ସାହିତ୍ୟରେ ରୋମାରୋଲା, ମାର୍ଶଲ ପ୍ରଉଷ୍ଟ ପ୍ରଭୃତି ଔପନ୍ୟାସିକଗଣ ନିଜ ନିଜ ଉପନ୍ୟାସମାନଙ୍କରେ ବଳିଷ୍ଠ ଚିନ୍ତା ଧାରା ଓ ବଳିଷ୍ଠ କଥାବସ୍ତୁର ପ୍ରକାଶକରି ବିଶ୍ୱସାହିତ୍ୟର ସମୃଦ୍ଧି ସଂପାଦନ କରିଅଛନ୍ତି । ଉପନ୍ୟାସ ସୃଷ୍ଟିର ଏହି ସ୍ୱର୍ଣ୍ଣଯୁଗରେ ଭାରତୀୟ ସାହିତ୍ୟରେ ମଧ୍ୟ ଉପନ୍ୟାସ ଏକ ବଳିଷ୍ଠ ରୂପରେଖ ଗ୍ରହଣ କରିଥିଲା-। ଓଡ଼ିଆ ସାହିତ୍ୟରେ ଫକରୀମୋହନ, ବଙ୍ଗଳା ସାହିତ୍ୟରେ ବଙ୍କିମଚନ୍ଦ୍ର, ଉର୍ଦ୍ଦୁ ସାହିତ୍ୟରେ ଅବ୍‌ଦୁଲ ହାଲିମ ଖରାର ଓ ହିନ୍ଦୀ ସାହିତ୍ୟରେ ପ୍ରେମଚନ୍ଦ୍ ପ୍ରଭୃତି ବହୁ ଖ୍ୟାତନାମା ଔପନ୍ୟାସିକ ନିଜ ନିଜର ଉପନ୍ୟାସ ରଚନା କରି ଭାରତୀୟ ସାହିତ୍ୟକୁ ସମୃଦ୍ଧ କରି ଅଛନ୍ତି ।

 

ଓଡ଼ିଆ ସାହିତ୍ୟରେ ପ୍ରଥମ ଉପନ୍ୟାସ ରୂପେ ଉମେଶଚନ୍ଦ୍ର ସରକାରଙ୍କର ପଦ୍ମମାଳୀକୁହିଁ ଗ୍ରହଣ କରାଯାଇଅଛି । ମାତ୍ର ଓଡ଼ିଆ ଉପନ୍ୟାସ ସୃଷ୍ଟିର ଆଦ୍ୟକାଳରେ ପ୍ରତିଯୋଗିତା କରି ତିନିଗୋଟି ଉପନ୍ୟାସ ଆମ ଆଗରେ ଦେଖାଦିଅନ୍ତି । ସେଗୁଡ଼ିକ ହେଲେ (୧) ଉମେଶଚନ୍ଦ୍ର ସରକାରଙ୍କର ପଦ୍ମମାଳୀ, (୨) ଗୋପାଳ ବଲ୍ଲଭ ଦାସଙ୍କର ଭୀମ ଭୂୟାଁ ଓ (୩) ରାମଶଙ୍କର ରାୟଙ୍କର ବିବସିନୀ । ପଦ୍ମମାଳୀ ପ୍ରକାଶକାଳ ୧୮୮୮ ସାଲ । ଏହା ପୂର୍ବରୁ କୌଣସି ଓଡ଼ିଆ ଉପନ୍ୟାସ ରଚିତ ହେବାର ପ୍ରମାଣ ନାହିଁ । ମାତ୍ର ରାମଶଙ୍କର ରାୟ ପଦ୍ମମାଳୀକୁ ପ୍ରଥମ ଓଡ଼ିଆ ଉପନ୍ୟାସ ରୂପେ ଗ୍ରହଣ ନକରି ନିଜକୁ ପ୍ରଥମ ଓଡ଼ିଆ ଔପନ୍ୟାସିକ ଭାବରେ ପରିଚିତ କରାଇବାର ପ୍ରଚେଷ୍ଟା କରିଅଛନ୍ତି । ରାମଶଙ୍କର ଗ୍ରନ୍ଥାବଳୀର ମୁଖବନ୍ଧରେ ସେ ଲେଖିଛନ୍ତି ଯେ ସେ କଲେଜଛାତ୍ର ଥିବା ସମୟରେ ‘‘ଉତ୍କଳ ମଧୁପ’’ରେ ଧାରାବାହିକ ଭାବରେ ‘‘ସୌଦାମିନୀ’’ ନାମକ ଉପନ୍ୟାସ ଲେଖିଥିଲେ । ଉତ୍କଳମଧୁପ ଘଟଣାଚକ୍ରରେ ପଡ଼ି ବନ୍ଦ ହୋଇଗଲା । ତେଣୁ ସୌଦାମିନୀ ଉପନ୍ୟାସ ପୂର୍ଣ୍ଣ ପ୍ରକାଶିତ ହେବାପୂର୍ବରୁ ଅସମାପ୍ତ ଉପନ୍ୟାସ ରୂପେ ମଧ୍ୟ ତିଷ୍ଠି ନପାରି ବିଲୁପ୍ତ ହୋଇଗଲା । ରାମଶଙ୍କରଙ୍କର ପ୍ରଥମ ଓଡ଼ିଆ ଔପନ୍ୟାସିକ ଗୌରବ ଲାଭ କରିବା ଇଚ୍ଛା କେବଳ ଏତିକିରେ ପର୍ଯ୍ୟବସିତ ନହୋଇ ଅଧିକ ଅଗ୍ରସର ହୋଇଅଛି । ତା ପରେ ସେ ‘‘ବିବସିନୀ’’ ଉପନ୍ୟାସ ଧାରାବାହିକ ଭାବରେ ‘‘ଉତ୍କଳପ୍ରଭା’’ ପତ୍ରିକାରେ ଲେଖିଥିଲେ । ତାଙ୍କର ଏହି ଦ୍ୱିତୀୟ ପ୍ରଚେଷ୍ଟା ସଫଳ ହୋଇଅଛି । ତାଙ୍କର ତୃତୀୟ ପ୍ରଚେଷ୍ଟା ହେଉଛି ‘‘ଉନ୍ମାଦିନୀ’’ ଉପନ୍ୟାସ । ଏହାକୁ ସେ ଧାରାବାହିକ ଭାବରେ ‘‘ଇନ୍ଦ୍ରଧନୁ’’ରେ ପ୍ରକାଶ କରୁଥିଲେ । ତାଙ୍କର ପ୍ରଥମ ପ୍ରଚେଷ୍ଟା ପରି ‘‘ଇନ୍ଦ୍ରଧନୁ’’ରେ ଅସ୍ତ ସହିତ ‘‘ଉନ୍ମାଦିନୀ’’ ବିଲୁପ୍ତ ହେଲା । ତେଣୁ ଓଡ଼ିଆ ସାହିତ୍ୟକ୍ଷେତ୍ରରେ ନିଜକୁ ପ୍ରଥମ ଔପନ୍ୟାସିକ ରୂପେ ପରିଚିତ କରାଇବାକୁ ଯାଇ ରାମଶଙ୍କର ତାଙ୍କ ଗ୍ରନ୍ଥାବଳୀରେ ‘‘ବିବାସିନୀ’’କୁ ପ୍ରଥମ ଓଡ଼ିଆ ଉପନ୍ୟାସ ବୋଲି ମତ ପ୍ରକାଶ କରିଅଛନ୍ତି । ରାମଶଙ୍କରଙ୍କର ଏହିମତର କୌଣସି ଯାଥାର୍ଥ୍ୟ ଅଛି ବୋଲି ମନେହୁଏ ନାହିଁ ।

 

ଓଡ଼ିଆ ଉପନ୍ୟାସ ଜଗତରେ ରାମଶଙ୍କରଙ୍କର ‘‘ସୌଦାମିନୀ’’ ଉପନ୍ୟାସକୁ ପ୍ରଥମ ଉପନ୍ୟାସ ରୂପେ ଅନେକ ସମୟରେ କେତେକ ଆଲୋକ ଗ୍ରହଣ କରିଥାଆନ୍ତି । ମାତ୍ର ଏହି ମତକୁ କେବେହେଲେ ଯଥାର୍ଥରେ ଗ୍ରହଣ କରାଯାଇ ନପାରେ । ଏଥିପାଇଁ ଆମ ଆଖି ଆଗରେ ଦୁଇଗୋଟି ଯୁକ୍ତି ଉପସ୍ଥିତ ହୋଇଥାଏ- (୧) ସୌଦାମିନୀ ଅସଂପୂର୍ଣ୍ଣ, (୨) ସୌଦାମିନୀ ବିଲୁପ୍ତ । ପ୍ରଥମ ଯୁକ୍ତିକୁ ଖଣ୍ଡନ କରିବାକୁ ଯାଇ ଆଲୋଚକମାନେ ମତ ଦେଇଥାଆନ୍ତି ଯେ, ‘‘ମହାଯାତ୍ରା’’ ଅସଂପୂର୍ଣ୍ଣ ହେଲେହେଁ ତାହା ଓଡ଼ିଆ ସାହିତ୍ୟରେ ଏକ ମହାକାବ୍ୟର ଗୌରବ ପାଇଅଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ‘‘କଣାମାମୁଁ’’ ଉପନ୍ୟାସ ଅସଂପୂର୍ଣ୍ଣ ହେଲେହେଁ ତହା ମଧ୍ୟ ଓଡ଼ିଆ ସାହିତ୍ୟରେ ଏକ ଉପନ୍ୟାସର ସ୍ୱୀକୃତି ପାଇଅଛି । ଏହି ଦୃଷ୍ଟିରୁ ‘‘ସୌଦାମିନୀ’’ ଅସଂପୂର୍ଣ୍ଣ ହେଲେହେଁ ତାହା ଏକ ଉପନ୍ୟାସ ଭାବରେ ସ୍ୱୀକୃତି ପାଇବାର କଥା । ପ୍ରଥମ ଯୁକ୍ତିଟି ନିର୍ବିବାଦରେ ଗ୍ରହଣ କରାଯାଇ ପାରନ୍ତା ଯେବେ ‘‘ମହାଯାତ୍ରା’’ ଓ ‘‘କଣାମାମୁଁ’’ ପରି ଅସଂପୂର୍ଣ୍ଣ ‘‘ସୌଦାମିନୀ’’ ରାମଶଙ୍କର ଗ୍ରନ୍ଥାବଳୀର କଳେବର ମଣ୍ଡନ କରିଥାଆନ୍ତା । ପ୍ରଥମ ଯୁକ୍ତିର ଆଲୋଚନା ଶେଷରେ ପହୁଞ୍ଚିଲେ ଦ୍ୱିତୀୟ ଯୁକ୍ତିର ଆଲୋଚନା ବଳେ ବେଳେ ହୋଇଯାଏ । ଯାହା ଆଜି ଆମ ଆଖି ଆଗରେ ନାହିଁ, ଯାହାକୁ ଦେଖିବା ଆଜି ଏକାନ୍ତ ଅସମ୍ଭବ ତାହାକୁ ଆଲୋଚନାର ପରିସର ମଧ୍ୟକୁ ଟାଣି ଆଣି ଏପରି ଏକ ଜଟିଳ ସିଦ୍ଧାନ୍ତରେ ଉପନୀତ ହେବା ଯେ କେତେଦୂର ପ୍ରମାଦପୂର୍ଣ୍ଣ ତାହା ସହଜରେ ଅନୁମାନ କରିନିଆଯାଇ ପାରେ ।

 

ରାମଶଙ୍କର ରାୟ ‘‘ବିବାସିନୀ’’ ଉପନ୍ୟାସକୁ ପ୍ରଥମ ଓଡ଼ିଆ ଉପନ୍ୟାସ ରୂପେ ମତ ପ୍ରକାଶ କରିବାରେ କୌଣସି ନୂତନତ୍ୱ ନାହିଁ । ୧୮୮୦ ସାଲରେ ରଚିତ ଓ ଅଭିନୀତ ‘‘କାଞ୍ଚକାବେରୀ’’ ନାଟକକୁ ପ୍ରଥମ ଓଡ଼ିଆ ନାଟକ ରୂପେ ପ୍ରତିପାଦନ କରିବାକୁ ସେ ଯେଉଁ ପ୍ରଚେଷ୍ଟା କରିଅଛନ୍ତି ଏହି ପ୍ରଚେଷ୍ଟା ଠିକ୍ ତାହାର ଅନୁରୂପ । ୧୮୭୭ ସାଲରେ ପ୍ରକାଶିତ ‘‘ବାବାଜୀ’’ ନାଟକକୁ ଅସ୍ୱୀକାର କରି ସେ ଯେପରି ୧୮୮୦ ସାଲରେ ପ୍ରକାଶିତ ‘‘କାଞ୍ଚକାବେରୀ’’ ନାଟକକୁ ପ୍ରଥମ ଓଡ଼ିଆ ନାଟକ ବୋଲି ଘୋଷଣା କରିଅଛନ୍ତି ଏଠାରେ ସେହିପରି ୧୮୮୮ ସାଲରେ ପ୍ରକାଶିତ ‘‘ପଦ୍ମମାଳୀକୁ’’ ଅସ୍ୱୀକାର କରି ୧୮୯୧ ସାଲରେ ପ୍ରକାଶିତ ‘‘ବିବାସିନୀ’’କୁ ସେ ପ୍ରଥମ ଓଡ଼ିଆ ଉପନ୍ୟାସ ଭାବରେ ଘୋଷଣା କରିଅଛନ୍ତି । ରାମଶଙ୍କରଙ୍କର ଘୋଷଣାଟି ଏଠାରେ ଉଦ୍ଧାର କରାଯାଇ ପାରେ । ସେ ଲେଖିଅଛନ୍ତି, ‘‘ନାଟକ ରଚନାରେ ଶ୍ରମକରୁଥିବା ସମୟରେ ଉତ୍କଳପ୍ରଭା ନାମକ ମାସିକ ପତ୍ରର ଚାଳକମାନଙ୍କ ଦ୍ୱାରା ଅନୁରୁଦ୍ଧ ହୋଇ ମୁଁ ବିବାସିନୀ ଉପନ୍ୟାସ ଲେଖିଲି ଏବଂ ସୌଭାଗ୍ୟକ୍ରମେ ତାହା ଶେଷପର୍ଯ୍ୟନ୍ତ ପ୍ରକାଶିତ ହେବା କାଳକୁ ପତ୍ରିକାଟି ବଞ୍ଚିଥିଲା । ଇନ୍ଦ୍ରଧନୁ ନାମକୁ ମାସିକ ପତ୍ରିକାର ପରିଚାଳକମାନେ ଅନୁରୋଧ କରିବାରୁ ମୁଁ ‘‘ଉନ୍ମାଦିନୀ’’ ନାମରେ ଉପନ୍ୟାସ ଲେଖିବାକୁ ଆରମ୍ଭ କଲି । ତାହା କିୟଦଂଶ ଲେଖାହୋଇ ପ୍ରକାଶିତ ହେଲା ପରେ ପତ୍ରିକାଟି ବିଲୟପ୍ରାପ୍ତ ହେବାରୁ ଉପନ୍ୟାସଟି ଅପୂର୍ଣ୍ଣ ରହିଗଲା । ବିବାସିନୀ ଓଡ଼ିଶାର ପ୍ରଥମ ଉପନ୍ୟାସ- ତାହା ସୁପରିଚିତ ଏବଂ କଲିକତାଠାରୁ ମାନ୍ଦ୍ରାଜ ପର୍ଯ୍ୟନ୍ତ ବିଦ୍ୟାଳୟାଦିର ପାଠ୍ୟପୁସ୍ତକ ରୂପେ ନିର୍ବାଚିତ ହୋଇଅଛି । ମୋର କାଞ୍ଚିକାବେରୀ ଓ ଅନ୍ୟାନ୍ୟ କେତେଖଣ୍ଡ ନାଟକ ମଧ୍ୟ ପାଠ୍ୟପୁସ୍ତକ ରୂପେ ନିର୍ବାଚିତ ହୋଇଥିବାରୁ ମୁଁ ଲେଖନୀ ଧରିବା ସାର୍ଥକ ବୋଲି ବିବେଚନା କରିଅଛି ।’’ (ରାମଶଙ୍କର ଗ୍ରନ୍ଥାବଳୀ ଭୂମିକା, ପୃ ।/)

 

ସୌଦାମିନି ଉପନ୍ୟାସ ବିଷୟରେ ରାମଶଙ୍କର ରାୟ ଆଉ ଗୋଟିଏ ମତ ମଧ୍ୟ ପ୍ରକାଶ କରିଅଛନ୍ତି । ତାହା ହେଉଛି, ‘‘ମୁଁ ‘‘ଉତ୍କଳମଧୂପ’’ ନାମକ ମାସିକ ପତ୍ର ବାହାର କଲାବେଳେ ‘‘ସୌଦାମିନୀ ନାମକ ଉପନ୍ୟାସ ଲେଖୁଥିଲି । ସେ ଉପନ୍ୟାସ ଶେଷ ହେବା ପୂର୍ବେ ଦେଶର ସ୍ୱାଭାବିକ ଗତିରେ ଗ୍ରାହକମାନେ ମୂଲ୍ୟ ନ ଦେବାରୁ କାଗଜ ଖଣ୍ଡିକ ବନ୍ଦ ହୋଇଗଲା । ମୁଁ କ୍ଷୁବ୍‌ଧ ହୋଇ ରହିଲି- ସେହି ଉପନ୍ୟାସର ହସ୍ତଲିପି ମୁଁ ତତ୍‌କାଳୀନ ଶିକ୍ଷା ବିଭାଗର ଡିପୋଟି ଇନ୍‌ସ୍‌ପେକ୍‌ଟର ଉମାଚରଣ ବାବୁଙ୍କୁ ଦେଖାଇଥିଲି । ସେ ତାହା ପଢ଼ି ତହିଁର ବିସ୍ତର ପ୍ରଶଂସା କଲେ । ମାତ୍ର ଉପନ୍ୟାସ ବିଦ୍ୟାଳୟର ପାଠ୍ୟପୁସ୍ତକର ଅନୁପଯୁକ୍ତ ବୋଲି ମତ ଦେବାରୁ ମୁଁ କ୍ଷାନ୍ତ ହୋଇ ରହିଲି ।’’ (ମୁକୁର ନବମଭାଗ- ୧୦ମ ସଂଖ୍ୟାରେ ପ୍ରକାଶିତ ରାମଶଙ୍କରଙ୍କ ଅଭିଭାଷଣ)

 

ସୌଦାମିନୀ ଉପନ୍ୟାସ ସେ ସମୟରେ ବିଦ୍ୟାଳୟର ପାଠ୍ୟପୁସ୍ତକ ହୋଇପାରିବ ନାହିଁ ବୋଲି ରାମଶଙ୍କର ତାହାକୁ ଆଉ ପ୍ରକାଶ କରିବାକୁ ଉଦ୍ୟମ କଲେ ନାହିଁ । ପ୍ରକୃତ ପକ୍ଷରେ ସୌଦାମିନୀର ଯେ ଏକ ଉପନ୍ୟାସର ଯୋଗ୍ୟତା ନଥିଲା ସେଥିପାଇଁ ରାମଶଙ୍କର ତାହାକୁ ପ୍ରକାଶ କରିବାକୁ ଆଉ ମନ ବଳାଇ ନଥିଲେ ଏବଂ ଏପରିକି, ତାହାକୁ ତାଙ୍କର ଉପନ୍ୟାସ ଭାବରେ ଗ୍ରନ୍ଥାବଳୀରେ ମଧ୍ୟ ସ୍ଥାନ ଦେଲେ ନାହିଁ । ମାତ୍ର ବିବାସିନୀ କଥା ଏଠାରେ ସ୍ୱତନ୍ତ୍ର । ପଦୃମାଳୀ ପ୍ରକାଶ ପାଇବାର ତିନିବର୍ଷ ପରେ ବିବାସିନୀ ପତ୍ରିକାରେ ପ୍ରକାଶ ପାଇଲା । ଅଥଚ ତାହାକୁ ରାମଶଙ୍କର ପ୍ରଥମ ଓଡ଼ିଆ ଉପନ୍ୟାସ ରୂପେ ଘୋଷଣା କଲେ । ରାମଶଙ୍କର ଏପରି କାହିଁକି କଲେ ସେ ବିଷୟରେ ଦୁଇଗୋଟି ଯୁକ୍ତି ଉପସ୍ଥାପନ କରାଯାଇପାରେ- (୧) ରାମଶଙ୍କରଙ୍କୁ ପଦ୍ମମାଳୀ ଉପନ୍ୟାସ ପ୍ରକାଶ ପାଇବା କଥା ଅବିଦିତ ଥିଲା, (୨) ରାମଶଙ୍କର ପଦ୍ମମାଳୀକୁ ଉପନ୍ୟାସ ରୂପେ ସ୍ୱୀକାର କରିବାକୁ ଉଚିତ ମନେ କରି ନ ଥିଲେ । ପ୍ରଥମଟିର ସପକ୍ଷଯୁକ୍ତି କେବେହେଲେ ସ୍ପୃହଣୀୟ ନୁହେଁ । ରାମଶଙ୍କର ସେ ସମୟରେ ଯେପରି ଭାବରେ ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ ସେଥିରେ ତାଙ୍କ ଜ୍ଞାତସାରରୁ ପଦ୍ମମାଳୀର ପ୍ରକାଶ ଭଳି ଏକ ବିଶିଷ୍ଟ ସମ୍ବାଦ ଦୂରେଇଯିବା ସମ୍ଭବପର ନୁହେଁ । ମନେ ହୁଏ, ସେ ପଦ୍ମମାଳୀ ଉପନ୍ୟାସ ରଚିତ ହେବା କଥା ଜାଣି ମଧ୍ୟ ତାକୁ ଉପନ୍ୟାସ ରୂପେ ସ୍ୱୀକାର କରି ନାହାନ୍ତି; ଯେପରିକି ‘‘ବାବାଜୀ’’ ନାଟକର ସବୁପ୍ରକାର ନାଟକୀୟ ମୂଲ୍ୟ ଥାଇ ସୁଦ୍ଧା ତାହା ରାମଶଙ୍କରଙ୍କ ଦୃଷ୍ଟିରେ ଏକ ନାଟକ ରୂପେ ପତିଭାତ ହୋଇ ନ ଥିଲା । ବିବାସିନୀ ଉପନ୍ୟାସ ପଦ୍ମମାଳୀ ଉପନ୍ୟାସ ଅପେକ୍ଷା କୌଣସି ଗୁଣରେ ଯେ ଉତ୍‌କୃଷ୍ଟତର ନୁହେଁ ଏକଥା ଯେ କୌଣସି ପାଠକ ଅନୁଭବ କରିପାରିବେ । ପଦ୍ମମାଳୀର କଥାବସ୍ତୁ ଯେପରି ଗୋଟିଏ ଐତିହାସିକ ଘଟଣାକୁ କେନ୍ଦ୍ରକରି ଗଢ଼ି ଉଠିଛି ଏବଂ ସେହି ଐତିହାସିକ ଘଟଣା ପଛରେ ଗୋଟିଏ ପ୍ରେମମୂଳକ କାହାଣୀ ଯେପରି ସଂଯୋଜିତ ହୋଇଅଛି ବିବାସିନୀ ଉପନ୍ୟାସଟି ପ୍ରାୟ ସେହି ଧରଣର । ମାତ୍ର ବିବାସିନୀ ଉପନ୍ୟାସର ଏପରି କିଛି ଅତିରିକ୍ତ ଯୋଗ୍ୟତା ନାହିଁ ଯାହା ଫଳରେ କି ତାହା ତୁଳନାରେ ପଦ୍ମମାଳୀକୁ ଉପନ୍ୟାସର ଆସନରୁ ବଞ୍ଚିତ କରାଯିବ । ଏହି ସମସ୍ତ ଦୃଷ୍ଟି କୋଣରୁ ବିଚାର କରି ଦେଖିଲେ ସ୍ପଷ୍ଟଭାବରେ ପଦ୍ମମାଳୀକୁ ପ୍ରଥମ ଓଡ଼ିଆ ଉପନ୍ୟାସ ରୂପେ ଗ୍ରହଣ କରିବାର କଥା ଏବଂ ଆଧୁନିକ ସମାଲୋଚକମାନେ ତାହାହିଁ କରିଅଛନ୍ତି ।

 

୧୯୦୮ ସାଲରେ ଗୋପାଳବଲ୍ଲଭ ଦାସଙ୍କର ଭୀମାଭୂୟାଁ ଉପନ୍ୟାସ ପ୍ରକାଶ ପାଇଥିଲା । ପଦ୍ମମାଳୀ ଓ ବିବାସିନୀ ଉପନ୍ୟାସ ଦ୍ୱୟ ପ୍ରକାଶ ପାଇବା ପରେ ୧୮୯୭-୯୮ ସାଲରେ ଫକୀର ମୋହନଙ୍କର ଛ ମାଣ ଆଠଗୁଣ୍ଠ ଉପନ୍ୟାସ ପ୍ରକାଶ ପାଇଥିଲା । ଏହା ଉତ୍କଳ ସାହିତ୍ୟରେ ପ୍ରଥମେ ପ୍ରକାଶ ପାଇଥିଲା । ତାପରେ ୧୯୦୮ ସାଲରେ ଭୀମାଭୂୟାଁର ଆତ୍ମପ୍ରକାଶ ଓଡ଼ିଶା ଉପନ୍ୟାସ ସାହିତ୍ୟର ଅଗ୍ରଗତିର ସୂଚନା ପ୍ରଦାନ କରିଥିଲା । ଭୀମାଭୂୟାଁ ପ୍ରକାଶ ପାଇବା ସମୟକୁ ଓଡ଼ିଆ ଉପନ୍ୟାସ ସାହିତ୍ୟ ସୌଧର ଭିତ୍ତିପ୍ରସ୍ତର ପଡ଼ିସାରିଥିଲା । ଗୋପାଳ ବଲ୍ଲଭ ସେହି ଭିତ୍ତିପ୍ରସ୍ତର ଉପରେ ଯେଉଁ ସାହିତ୍ୟ ସୌଧ ନିର୍ମାଣ କରିବାର ପ୍ରୟାସ କରିଥିଲେ ସେ ପ୍ରୟାସ ତାଙ୍କର ବିଶେଷ ଫଳପ୍ରଦ ହୋଇ ପାରି ନଥିଲା କହିଲେ ଅସମୀଚୀନ ହେବ ନାହିଁ । ଭୂୟାଁ ଜାତିର ସରଳ ନିଷ୍ପାପ ଜୀବନ କିପରି ରାଜଛତ୍ର ତଳେ ନିଷ୍ପେଷିତ ହେଉଥିଲା ତାହାକୁ ମୁଖ୍ୟଭାବରେ ଲେଖକ ପ୍ରକାଶ କରିବାର ଚେଷ୍ଟା କରିଥିଲେ । ଭୀମାଭୂୟାଁ ଉପନ୍ୟାସ ଏକ ସଫଳ ଉପନ୍ୟାସ ରୂପେ ନିଜର ମହତ୍ତ୍ୱ ପ୍ରତିଷ୍ଠିତ କରିବାକୁ ଅସମର୍ଥ ହେଲେହେଁ ଆଗାମୀ ଯୁଗପାଇଁ ସେ ସମୟରେ ତାହା ଏକ ସ୍ପଷ୍ଟ ସଙ୍କେତ ପ୍ରଦାନ କରିଥିଲା । ପରବର୍ତ୍ତୀକାଳରେ ପରଜା ଓ କନ୍ଧ ଜାତିର ଜୀବନଯାତ୍ରା ପ୍ରଣାଳୀକୁ ନେଇ ଗୋପୀନାଥ ମହାନ୍ତି ଯେତେବେଳେ ପରଜା ଓ ଅମୃତରସନ୍ତାନ ଉପନ୍ୟାସଦ୍ୱୟ ରଚନା କଲେ ସେତେବେଳେ ସେ ଯେ ଗୋପାଳ ବଲ୍ଲଭଙ୍କର ପ୍ରଦର୍ଶିତ ପଥର ସଙ୍କେତ ଗ୍ରହଣ କରିନାହାନ୍ତି ଏକଥା କୁହାଯାଇ ପାରିବ ନାହିଁ । ଭୀମାଭୂୟାଁ ଉପନ୍ୟାସ ଭୀମା ଓ ଜେମାଙ୍କ ମଧ୍ୟରେ ଦେଖା ଦେଇଥିବା ପ୍ରେମର ଚିତ୍ର ସାଧାରଣ ପ୍ରେମର ଚିତ୍ରଠାରୁ ପୃଥକ । ଏହି ପ୍ରେମ ବହିର୍ଜଗତର ପ୍ରେମ ନୁହେଁ, ଅନ୍ତର୍ଜଗତର ପ୍ରେମ । ଆଦିବାସୀ ଜୀବନକୁ ଅବଲମ୍ବନ କରି ଉପନ୍ୟାସ ରଚନା କରିବା ରୀତି କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ଭୀମାଭୂୟାଁହିଁ ପ୍ରଥମେ ପ୍ରଦର୍ଶନ କରିଅଛି । ଏହି ଦୃଷ୍ଟିରୁ ଭୀମାଭୂୟାଁ ଉପନ୍ୟାସର ସୃଷ୍ଟି ପରିକଳ୍ପନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟ ସୃଷ୍ଟିର ଆଦିକାଳରେ ଯେଉଁ ତିନିଗୋଟି ଉପନ୍ୟାସ ଆମର ଦୃଷ୍ଟିପଥାରୂଢ଼ ହୋଇଥାନ୍ତି ସେଗୁଡ଼ିକ ଯେ ଏକାବେଳକେ ପ୍ରମାଦଶୂନ୍ୟ ଏକଥା କହିହେବ ନାହିଁ । ବର୍ଣ୍ଣନାରୀତି, ଚରିତ୍ର ଚିତ୍ରଣ, ଭାଷାଶୈଳୀ ପ୍ରଭୁତି ବିଚାର କଲେ ଏହି ତିନିଗୋଟି ଉପନ୍ୟାସରେ ବହୁ ପ୍ରମାଦ ପରିଲକ୍ଷିତ ହୋଇଥାଏ । ମାତ୍ର ଏ ପ୍ରମାଦଗୁଡ଼ିକୁ ବିଶେଷ ଭାବରେ ଦୋଷଦୁଷ୍ଟ ବୋଲି କୁହାଯାଇନପାରେ । କାରଣ, ଯେକୌଣସି ପଦାର୍ଥ ସୃଷ୍ଟିର ଆଦ୍ୟ ଅବସ୍ଥାରେ ସଂପୂର୍ଣ୍ଣ ନିର୍ଦ୍ଦୋଷ ରହି ନପାରେ । ସେହି ଦୃଷ୍ଟିରୁ ଓଡ଼ିଆ ଉପନ୍ୟାସ ଯେ ଦୋଷଶୂନ୍ୟ ଭାବରେ ପ୍ରଥମରୁ ସୃଷ୍ଟି ହୋଇଅଛି ଏକଥା କିଏ କହିପାରିବ ?

 

ଓଡ଼ିଆ ସାହିତ୍ୟରେ ମଧ୍ୟଯୁଗର ଅବସାନ ପରେ ପରେ ଆଧୁନିକ ଯୁଗର ଅଭ୍ୟୁଦୟ ହୋଇଅଛି । ମଧ୍ୟଯୁଗର ଓଡ଼ିଆ କାବ୍ୟ ସାହିତ୍ୟ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜ୍ଜନ କରି ଊନବିଂଶ ଶତାଦ୍ଦୀର ଦ୍ୱିତୀୟଭାଗ ପର୍ଯ୍ୟନ୍ତ ନିଜର ଅପ୍ରତିହତ ପ୍ରଭାବ ବିସ୍ତାର କରିଥିଲା । ମାତ୍ର ଊନବିଂଶ ଶତାଦ୍ଦୀର ଦ୍ୱିତୀୟଭାଗରେ ଏ ପ୍ରଭାବ ମଉଳି ପଡ଼ିଲା । ଓଡ଼ିଶାରେ ଆଧୁନିକ ସାହିତ୍ୟର ଅଭ୍ୟୁଦୟ ଘଟେ ୧୮୭୧ ସାଲରୁ । ଏହି ସମୟରୁ ବିଶିଷ୍ଟ କବି ଓ ଲେଖକମାନେ ସେମାନଙ୍କର ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଲାଗିପଡ଼ିଥିଲେ । ୧୮୭୧ ସାଲରୁ ଆଧୁନିକ ଓଡ଼ିଆ ସାହିତ୍ୟ ଆତ୍ମପ୍ରକାଶ କରିବା ପରଠାରୁ ସାହିତ୍ୟର ନୂତନ ନୂତନ ବିଭାବଗୁଡ଼ିକର ସୃଷ୍ଟି ସମ୍ଭବ ହୋଇଅଛି । ପ୍ରଥମ ଓଡ଼ିଆ ଉପନ୍ୟାସ ପଦ୍ମମାଳୀର ଜନ୍ମ ୧୮୮୮ ସାଲ, ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପ ରେବତୀର ଜନ୍ମ ୧୮୯୮ ସାଲ ପ୍ରଥମ ଓଡ଼ିଆ ନାଟକ ବାବାଜୀର ଜନ୍ମ ୧୮୭୭ ସାଲ, ଓଡ଼ିଆ ପ୍ରବନ୍ଧ ବିବେକୀର ଜନ୍ମ ୧୮୭୩ ସାଲ । ଏହି ସମୟରେ ଓଡ଼ିଆ ସାହିତ୍ୟ ଯେପରି ଆଧୁନିକତାର ବାୟୁମଣ୍ଡଳ ସୃଷ୍ଟି କଲା ତାହାର ପରବର୍ତ୍ତୀ କାଳରେ ସେହି ଆଧୁନିକତାର ପ୍ରଭାବରେ ଓଡ଼ିଆ ସାହିତ୍ୟ ଗତିମୁଖର ହୋଇ ଅତ୍ୟାଧୁନିକ କାଳରେ ପ୍ରବେଶ କରିଅଛି ।

☆☆☆

 

ଓଡ଼ିଆ ଉପନ୍ୟାସର ପ୍ରତିଷ୍ଠା

 

ଓଡ଼ିଆ ଉପନ୍ୟାସର ଆଦିମକାଳରେ ଯେଉଁ ତିନିଗୋଟି ଉପନ୍ୟାସ ସୃଷ୍ଟି ହୋଇ ଓଡ଼ିଆ ଉପନ୍ୟାସର ଅଗ୍ରଗତିର ସୂଚନା ପ୍ରକାଶ କରିଥିଲେ ସେଗୁଡ଼ିକ ବିଷୟରେ ବିଶେଷ କିଛି ଆଲୋଚନା କରିବାର ଅବକାଶ ଏଠାରେ ନାହିଁ । କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ଏହି ତିନିଗୋଟି ଉପନ୍ୟାସ ଓଡ଼ିଆ ସାହିତ୍ୟର ସମୃଦ୍ଧିରେ ବିଶେଷ ସହାୟକ ହୋଇଅଛନ୍ତି । ଯେ କୌଣସି ଦେଶରେ ସାହିତ୍ୟର ସମୃଦ୍ଧିରୂପ ଗୋଟିଏ ଦିନରେ ବା ଗୋଟିଏ ମାସରେ ସମ୍ଭବ ହୋଇପାରିନାହିଁ । ଏଥିପାଇଁ ବହୁ ଲେଖକଙ୍କୁ ବହୁ ଆୟାସର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେହିପରି ଆଜିର ଓଡ଼ିଆ ଉପନ୍ୟାସର ସମୃଦ୍ଧରୂପ ଦେଖି ସନ୍ତୋଷ ପ୍ରକାଶ କରିବା ସମୟରେ ଆମକୁ ଅତୀତ ପ୍ରତି ଦୃଷ୍ଟି ଦେବାକୁ ହେବ । ଅତୀତର ସେହି ପ୍ରଥମ ପ୍ରଚେଷ୍ଟା କ୍ରମେ ଅଗ୍ରଗତି କରି ଆଜିର ପରିଣାମ ଆଣି ଦେଇଅଛି । ଏହି ପରିଣାମ ସେଦିନର ସେହି ମନୀଷୀମାନଂକର ଦାନ ଉପରେ ଆଧାରିତ ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ ପ୍ରଥମ ତିନିଗୋଟି ଉପନ୍ୟାସ ଐତିହାସିକ କଥାବସ୍ତୁକୁ ସଂପୂର୍ଣ୍ଣ ଭାବରେ ଗ୍ରହଣ କରି ନଥିଲେହେଁ ଉପନ୍ୟାସଗୁଡ଼ିକର କଥାବସ୍ତୁ ଆଂଶିକ ଭାବରେ ଐତିହାସିକ ମନେହୁଏ । ପଦ୍ମମାଳୀର କଥାବସ୍ତୁ ଐତିହାସିକ ଘଟଣାକୁ ଆଶ୍ରୟ କରିଅଛି । ବିବାସିନୀର କଥାବସ୍ତୁ ଐତିହାସିକ ବାୟୁମଣ୍ଡଳରେ ସୃଷ୍ଟି ଏବଂ ଭୀମାଭୂୟାଁର କଥାବସ୍ତୁ ଲେଖକଙ୍କର କଳ୍ପନାର ବସ୍ତୁ ହେଲେହେଁ ତହିଁରେ ଐତିହାସିକ ବାୟୁମଣ୍ଡଳର ଛାପ ରହିଅଛି । ଏହି ଉପନ୍ୟାସଗୁଡ଼ିକରେ ସାଧାରଣ ଜୀବନର ଚିତ୍ର ପ୍ରଦର୍ଶିତ ହୋଇଥିଲେହେଁ ସାଧାରଣ ଜୀବନର ସେ ଚିତ୍ର ବାସ୍ତବତାର ସ୍ୱାକ୍ଷର ବହନ କରିପାରି ନାହିଁ ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟ ୧୮୯୭-୯୮ ସାଲ ପର୍ଯ୍ୟନ୍ତ ନିଜର ପ୍ରସ୍ତୁତି ପଥରେ ଅଗ୍ରସର ହୋଇଥିଲା ଏବଂ ଏହି ସମୟରେ ତାର ପରିଣତି ତାହାକୁ ପ୍ରତିଷ୍ଠିତ ହେବାର ଯୋଗ୍ୟତା ପ୍ରଦାନ କରିଥିଲା । ଓଡ଼ିଆ ଉପନ୍ୟାସ ଏହି ସମୟ ପର୍ଯ୍ୟନ୍ତ ସବୁ ଶ୍ରେଣୀର ପାଠକମାନଙ୍କ ନିକଟରେ ପହୁଞ୍ଚି ପାରି ନଥିଲା । ମାତ୍ର ୧୮୯୭ ସାଲ ଅକ୍‌ଟୋବର ମାସରେ ଫକୀର ମୋହନ ସେନାପତିଙ୍କର ଛମାଣ ଆଠଗୁଣ୍ଠ ଉପନ୍ୟାସର ପ୍ରଥମ ପରିଚ୍ଛେଦ ଯେତେବେଳେ ଉତ୍କଳସାହିତ୍ୟରେ ଆତ୍ମପ୍ରକାଶ କଲା ସେତେବେଳେ ଓଡ଼ିଶାର ସବୁ ଶ୍ରେଣୀର ପାଠକ ଯେ ଏହାକୁ ଆଗ୍ରହର ସହିତ ଗ୍ରହଣ କରିନେଲେ, କହିବା ବାହୁଲ୍ୟ ମାତ୍ର । ଫକୀର ମୋହନ ସେନାପତି ଏହାକୁ ଗୋଟିଏ ବଡ଼ ଗଳ୍ପ ରୂପରେ ଲେଖିବାକୁ ମନସ୍ଥ କରିଥିଲେ । ମାତ୍ର ଏହା ଶେଷରେ ଏକ ଉପନ୍ୟାସରେ ପରିଣତ ହୋଇଥିଲା ।

 

ଛ ମାଣ ଆଠଗୁଣ୍ଠ ଉପନ୍ୟାସର ବୌଶିଷ୍ଟ୍ୟ ସ୍ୱୀକୃତି ଲାଭ କରିଅଛି । ଛ ମାଣ ଆଠଗୁଣ୍ଠ, ଯେତେବେଳେ ପ୍ରତିମାସରେ ଗୋଟିଏ ଲେଖାଏଁ ପରିଚ୍ଛେଦ ଲେଖାହୋଇ ଉତ୍କଳ ସାହିତ୍ୟରେ ପ୍ରକାଶିତ ହେଉଥିଲା ସେତେବେଳେ ଓଡ଼ିଶାର ଅଗଣିତ ପାଠକ ତାହାକୁ କ୍ରମାନ୍ୱୟରେ ପାଠ କରୁଥିଲେ । ଗୋଟିଏ ମାସର ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଥିବା ଗୋଟିଏ ପରିଚ୍ଛେଦକୁ ପଢ଼ିସାରି ଆଉ ଗୋଟିଏ ମାସରେ ଅର୍ଥାତ୍ ଆସନ୍ତା ମାସରେ ପ୍ରକାଶ ପାଇବାକୁ ଥିବା ପରିଚ୍ଛେଦକୁ ପାଠ କରିବା ପାଇଁ ସେ ସମୟର ପାଠକମାନେ ଅତ୍ୟନ୍ତ ଉଦ୍‌ଗ୍ରୀବ ହୋଇ ଚାହିଁ ରହୁଥିଲେ । ଛ ମାଣ ଆଠଗୁଣ୍ଠର କଥାବସ୍ତୁ ସେ ସମୟର ପାଠକଶ୍ରେଣୀ ଉପରେ ଏପରି ପ୍ରଭାବ ବିସ୍ତାର କରିଥିଲା ଯେ ତାହାକୁ ପାଠକରି ସେମାନେ ଗୋଟିଏ ସତ୍ୟମୂଳକ ଘଟଣା ବୋଲି ଧରିନେଇଥିଲେ । ଶୁଣାଯାଏ ଛ ମାଣ ଆଠଗୁଣ୍ଠର ଯେଉଁ ପରିଚ୍ଛେଦକୁ ରାମଚନ୍ଦ୍ର ମଙ୍ଗରାଜଙ୍କର ଗିରଫଦାରୀ ବିଷୟ ପ୍ରକାଶ ପାଇଥିଲା ସେ ପରିଚ୍ଛେଦକୁ ପାଠକରି ପାଠକମାନେ ଏପରି ମୁଗ୍‌ଧ ହୋଇ ଯାଇଥିଲେ ଯେ ରାମଚନ୍ଦ୍ର ମଙ୍ଗରାଜଙ୍କ ମୋକଦ୍ଦମାର ବିଚାର ଦେଖିବା ପାଇଁ କେତେକ ମୋଫସଲ ଅଞ୍ଚଳର ଲୋକ କଟକ ଅଦାଲତ କଚେରୀରେ ଆସି ଉପସ୍ଥିତ ହୋଇଥିଲେ । ଛ ମାଣ ଆଠଗୁଣ୍ଠ ଉପନ୍ୟାସ ପକ୍ଷରେ ଏହାଠାରୁ ଆଉ ବଡ଼ ଗୌରବର କଥା କଣ ବା ଥାଇପାରେ ? ଛ ମାଣ ଆଠଗୁଣ୍ଠର କଥାବସ୍ତୁ ସେତେବେଳର ପାଠକମାନଙ୍କୁ ଏକାବେଳକେ ମନ୍ତ୍ରମୁଗ୍‌ଧ କରି ଦେଇଥିଲା ।

 

ଛ ମାଣ ଆଠଗୁଣ୍ଠ ଉପନ୍ୟାସର କଥାବସ୍ତୁ କେବଳ ନୁହେଁ, ଚରିତ୍ର ଚିତ୍ରଣ, ବର୍ଣ୍ଣନା ଶୈଳୀ ହାସ୍ୟରସ ସୃଷ୍ଟି ପ୍ରଭୁତି ପ୍ରତ୍ୟେକ ବିଭାବରେ ଫକୀର ମୋହନ ଯେଉଁ ଅପୂର୍ବ ସିଦ୍ଧହସ୍ତତା ପ୍ରଦର୍ଶନ କରିଅଛନ୍ତି ତାହା ଏକାନ୍ତ ଅନବଦ୍ୟ । ଛ ମାଣ ଆଠଗୁଣ୍ଠ ଉପନ୍ୟାସର କଥାବସ୍ତୁ ଆମରି ତିନିଦିନିଆ ସମାଜର ସୀମା ଭିତରେ ଘଟିଯାଇଥିବା ବହୁ ଘଟଣା ମଧ୍ୟରୁ ଗୋଟିଏ । ମାତ୍ର ସାଥିରେ ଫକୀର ମୋହନ ଯେପରି ଭାବରେ ନିଜତ୍ୱ ପ୍ରଦର୍ଶନ କରିଅଛନ୍ତି ତାହା ଲକ୍ଷ୍ୟ କରିବାର କଥା । ଶାରିଆ ଭଗିଆଙ୍କର ନିଷ୍ପେଷିତ ଜୀବନର ଚିତ୍ର, ରାମଚନ୍ଦ୍ର ମଙ୍ଗରାଜଙ୍କର ନିଷ୍ପେଷଣ, ଚମ୍ପାର କୁଟିଳତା, ସାଆନ୍ତାଣୀଙ୍କର ସରଳତା ପ୍ରଭୁତି ବିଷୟଗୁଡ଼ିକ ଯେପରି ଭାବରେ ଏହି ଉପନ୍ୟାସରେ ଚିତ୍ରିତ ହୋଇଅଛି ଯେପରି ଭାବରେ ଏହା ପୂର୍ବରୁ କୌଣସି ଉପନ୍ୟାସରେ ଚିତ୍ରିତ ହୋଇନାହିଁ । ପଦ୍ମମାଳୀ, ବିବାସିନୀ ବା ଭୀମାଭୂୟାଁର ବର୍ଣ୍ଣନାଶୈଳୀ ନିତାନ୍ତ ସନ୍ତୋଷଜନକ ନୁହେଁ-। ମାତ୍ର ଛ ମାଣ ଆଠଗୁଣ୍ଠର ବର୍ଣ୍ଣନାଶୈଳୀ ସଂପୂର୍ଣ୍ଣ ନୂତନ ଧରଣର । ବିଭିନ୍ନ ବିଶେଷତ୍ୱ ମଣ୍ଡିତ ଛ ମାଣ ଆଠଗୁଣ୍ଠ ଉପନ୍ୟାସ ଯେତେବେଳେ ପ୍ରକାଶ ପାଇଲା ସେତେବେଳେ ତାହା ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ନୂତନ ବାର୍ତ୍ତାର ପ୍ରଚାର କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧିର ନିଶ୍ଚିତବାଣୀ ଶୁଣାଇଥିଲା । ତେଣୁ ଓଡ଼ିଆ ଉପନ୍ୟାସ ସାହିତ୍ୟର ପ୍ରକୃତ ପ୍ରତିଷ୍ଠା ଛ ମାଣ ଆଠଗୁଣ୍ଠହିଁ କରିଥିଲା ଏବଂ ଫକୀର ମୋହନ ସେନାପତି ଯଥାର୍ଥରେ ଓଡ଼ିଆ ଉପନ୍ୟାସ ସାହିତ୍ୟର ପ୍ରତିଷ୍ଠାତା ।

 

ଫକୀର ମୋହନ ସେନାପତି ତା’ପରେ ଆଉ ତିନିଗୋଟି ଉପନ୍ୟାସ ରଚନା କରିଅଛନ୍ତି । ସେଗୁଡ଼ିକ ହେଉଛନ୍ତି ଲାଛମା (୧୯୦୧), ମାମୁଁ (୧୯୧୩) ଓ ପ୍ରାୟଶ୍ଚିତ୍ତ (୧୯୧୫) । ଲଛମା ଗୋଟିଏ ଐତିହାସିକ ଉପନ୍ୟାସ । ଇତିହାସର କଙ୍କାଳରୁ କଥାବସ୍ତୁ ଗ୍ରହଣ କରି ତହିଁରେ କଳ୍ପନାର ରଙ୍ଗଦେଇ ତାହାକୁ ଐତିହାସିକ ଉପନ୍ୟାସରେ ପରିଣତ କରାଯାଏ । ଲାଛମା ଉପନ୍ୟାସରେ ଫକୀର ମୋହନଙ୍କର କାଳ୍ପନିକତାର କମ୍ ପ୍ରକାଶ ହୋଇନାହିଁ । ବର୍ଗୀ ଅତ୍ୟାଚାର, ଭାସ୍କର ପଣ୍ଡିତଙ୍କ ସହିତ ଆଲିବର୍ଦ୍ଦି ଖାଁଙ୍କର ଯୁଦ୍ଧ, ଭାସ୍କର ପଣ୍ଡିତଙ୍କର ହତ୍ୟା ପ୍ରଭୁତି ଘଟଣାଗୁଡ଼ିକ ସମସ୍ତେ ଐତିହାସିକ ଚରିତ୍ର ନୁହନ୍ତି । ସେମାନେ ଲେଖକଙ୍କର ସୃଷ୍ଟି । ଲେଖକ ଏହି ଉପନ୍ୟାସରେ ଅନେକ ସ୍ଥଳରେ ଭାବପ୍ରବଣତାର ଅତିରଞ୍ଜନ ପ୍ରଦର୍ଶନ କରିଅଛନ୍ତି । ମାତ୍ର ଲଛମା ଉପନ୍ୟାସରୁ ଓଡ଼ିଶାର ତତ୍କାଳୀନ ସାମାଜିକ ଇତିହାସର ଯଥେଷ୍ଟ ପରିଚୟ ମିଳିଥାଏ । ଅଧ୍ୟାପକ ନଟବର ସାମନ୍ତରାୟ ତାଙ୍କର ଆଲୋଚନାରେ ପ୍ରମାଣ କରିଅଛନ୍ତି ଯେ ଫକୀର ମୋହନଙ୍କର ଚାରିଗୋଟି ଉପନ୍ୟାସରେ ଓଡ଼ିଶାର ବିଗତ ଦୁଇଶତ ବର୍ଷର ସାମାଜିକ ଇତିହାସ ପ୍ରକୃଷ୍ଟ ରୂପରେ ପ୍ରକାଶ ପାଇଅଛି । ଅଧ୍ୟାପକ ସାମନ୍ତରାୟଙ୍କର ଏ ପ୍ରକାର ମତରେ ଯଥେଷ୍ଟ ଗୁରୁତ୍ୱ ରହିଅଛି । ତାଙ୍କରି ମତରେ, ‘‘ସ୍ଥୂଳତଃ, ସେନାପତିଙ୍କ ଚାରୋଟି ଉପନ୍ୟାସ ଓଡ଼ିଆ ସାମାଜିକ ଜୀବନର ଦୀର୍ଘ ଦୁଇଶତ ବର୍ଷ (୧୭୨୦-୧୯୨୦)ର ଇତିହାସ ରୂପେ ପ୍ରତିଭାତ ହୁଅନ୍ତି । ଏମାନେ ପ୍ରତ୍ୟେକ ସ୍ୱତନ୍ତ୍ର ସ୍ୱୟଂ ସଂପୂର୍ଣ୍ଣ ରୂପେ ଆମ ଆଗରେ ଦେଖା ଦେଉଥିଲେହେ ଏମାନଙ୍କ ଅନ୍ତର୍ନିହିତ ଚିନ୍ତାଧାରା ଭିତରେ ଏକ ଗଭୀର ଘନିଷ୍ଠତା ଥିବା ହେତୁ ଏମାନଙ୍କୁ ଗୋଟିଏ ବୃହତ୍ ଉପନ୍ୟାସର ଚାରୋଟି ବିଶିଷ୍ଟ ବିଭାଗ ରୂପେ ଗ୍ରହଣ କରିବାକୁ ଇଚ୍ଛାହୁଏ । (ଓଡ଼ିଆ ସାହିତ୍ୟର ଇତିହାସ- ପୃ ୩୯୦)

 

ଫକୀର ମୋହନଙ୍କର ମାମୁଁ ଉପନ୍ୟାସ ପ୍ରକାଶ ପାଇଅଛି ୧୯୧୩ ସାଲରେ । ଫକୀର ମୋହନ ଏହି ଉପନ୍ୟାସରେ ନାଜର ନଟବର ଦାସଙ୍କର ଅର୍ଥଲୋଭୀ ଚରିତ୍ରର ପ୍ରକାଶ କରିଅଛନ୍ତି । ନାଜର ନଟବର ଦାସଙ୍କ ଚରିତ୍ର ବିଷୟରେ ଅବଗତ ହେବା ସମୟରେ ପାଠକ ମନେକରେ ସତେ ଯେପରି ନାଜର ନଟବର ଦାସ ଛମାଣ ଆଠଗୁଣ୍ଠ ଉପନ୍ୟାସର ନାୟକ ରାମଚନ୍ଦ୍ର ମଙ୍ଗରାଜଙ୍କର ଏକ ନୂତନ ସଂସ୍କରଣ । ରାମଚନ୍ଦ୍ର ମଙ୍ଗରାଜ ଶାରିଆ ଭଗିଆଙ୍କର ଛମାଣ ଆଠଗୁଣ୍ଠ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ତାହାକୁ କରଗତ କରିବା ପାଇଁ ଯେପରି ଅନ୍ୟାୟ କାର୍ଯ୍ୟ କରିଥିଲେ ଠିକ୍ ସେହିପରି ନାଜର ନଟବର ଦାସ ନିଜ ଭଣଜା ନରବାବୁଙ୍କର ଜମିଦାରୀ ଖଣ୍ଡିକ ଉପରେ ଲୋଲୁପ ଦୃଷ୍ଟି ପକାଇ ତାହାକୁ କରଗତ କରିବା ପାଇଁ ଅନ୍ୟାୟ କାର୍ଯ୍ୟ କରିଥିଲେ । ରାମଚନ୍ଦ୍ର ମଙ୍ଗରାଜଙ୍କର ସହାୟତା କରିଥିଲା ଚମ୍ପା ଓ ନାଜର ନଟବର ଦାସଙ୍କର ସହାୟତା କରିଥିଲେ ତାଙ୍କର ପତ୍ନୀ ବିଶାଖା । ସମୟର ଗତିରେ ରାମଚନ୍ଦ୍ର ମଙ୍ଗରାଜଙ୍କର ପରବର୍ତ୍ତୀ ସଂସ୍କରଣ ରୂପେ ଦେଖା ଦେଇଅଛନ୍ତି ନାଜର ନଟବର ଦାସ । ରାମଚନ୍ଦ୍ର ମଙ୍ଗରାଜଙ୍କ ଜୀବନର ଶେଷ ଅବସ୍ଥାରେ ଆସିଛି ପରିବର୍ତ୍ତନ ଓ ସେ ନିଜର ଭୁଲ ବୁଝିପାରିଛନ୍ତି । ମାତ୍ର ସେ ଭୁଲକୁ ସୁଧାରିବା ପାଇଁ ସେ ଆଉ ଅଧିକ କାଳ ବଞ୍ଚି ରହିପାରି ନାହାନ୍ତି । ନାଜର ନଟବର ଦାସଙ୍କର ଜୀବନରେ ସେହିପରି ପରିବର୍ତ୍ତନ ଆସିଛି ଏବଂ ସେ ନିଜର ଭୁଲକୁ ସୁଧାରିବାକୁ ସମୟ ପାଇ ଅଛନ୍ତି । ଉଭୟଙ୍କର ମାନସିକ ପରିବର୍ତ୍ତନ ଜେଲଖାନାର ପାଚେରୀ ଭିତରେ ଘଟିଅଛି । ସଭ୍ୟତାର ଅଗ୍ରଗତିରେ ନାଜର ନଟବର ଦାସଙ୍କ ଭିତରେ ଯେଉଁ ଭୂତର ପ୍ରବେଶ ଥିଲା ଅସଭ୍ୟତାର ଅନ୍ଧକାର ମଧ୍ୟରେ ରାମଚନ୍ଦ୍ର ମଙ୍ଗରାଜଙ୍କର ଭିତରେ ସେହି ଭୂତହିଁ ପ୍ରବେଶ କରିଥିଲା-

 

ଶୁଣାଯାଏ, ମାମୁଁ ଉପନ୍ୟାସର କଥାବସ୍ତୁ ଫକୀର ମୋହନ ପଲ୍ଲୀକବି ନନ୍ଦକିଶୋରଙ୍କଠାରୁ ଗ୍ରହଣ କରିଥିଲେ । ଏ ପ୍ରକାର ସଂବାଦର ସତ୍ୟତା ଅଛି କି ନାହିଁ ତାହା ପ୍ରମାଣ ସାପେକ୍ଷ । ମାତ୍ର ନନ୍ଦକିଶୋର ଗ୍ରନ୍ଥାବଳୀର ମୁଖବନ୍ଧରେ ଏ ବିଷୟ ପ୍ରକାଶ ପାଇଅଛି । ନନ୍ଦକିଶୋର ବାଲେଶ୍ୱରରେ ଅବସ୍ଥାନ କରୁଥିବା ସମୟରେ ଫକୀର ମୋହନଙ୍କ ସହିତ ତାଙ୍କର ମିଳାମିଶା ଥିଲା । ଦୁଇ ସାହିତ୍ୟିକ ମଧ୍ୟରେ ଅନେକ ସମୟରେ ଆଳାପ ଆଲୋଚନା ହେଉଥିଲା । ଥରେ କଥା ପ୍ରସଙ୍ଗରେ ନନ୍ଦକିଶୋର ଫକୀରମୋହନଙ୍କୁ ମାମୁଁର ଘଟଣାଟି ବର୍ଣ୍ଣନା କରିଥିଲେ । ଏହା ଏକ ସତ୍ୟମୂଳକ ଘଟଣା । ପରେ ଫକୀର ମୋହନ ଏହି ଘଟଣାକୁ ନେଇ ମାମୁଁ ଉପନ୍ୟାସ ରଚନା କରିଥିଲେ । ଏହାର ସତ୍ୟତା ବିଷୟରେ ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଅଛି । ସେ ଯାହା ହେଉ ନା କାହିଁକି ଫକୀର ମୋହନ କ୍ରମାନ୍ୱୟରେ ଛମାଣ ଆଠଗୁଣ୍ଠ ଓ ମାମୁଁର କଳେବର ମଧ୍ୟରେ ସାମାଜିକ ଉନ୍ନତିର କ୍ରମବିକାଶିତ ଅବସ୍ଥା ଯେପରି ଭାବରେ ଉପସ୍ଥାପିତ କରିଅଛନ୍ତି ତାହା ତାଙ୍କର ଅପୂର୍ବ କଳାପ୍ରାଣତାର ପରିଚୟ ଦିଏ ।

 

ମାମୁଁ ଉପନ୍ୟାସ ରଚନା କରିବାର ଦୁଇବର୍ଷ ପରେ ଅର୍ଥାତ୍ ୧୯୧୫ ସାଲରେ ଫକୀର ମୋହନଙ୍କର ପ୍ରାୟଶ୍ଚିତ୍ତ ଉପନ୍ୟାସର ଜନ୍ମ । ଛ ମାଣ ଆଠଗୁଣ୍ଠ, ମାମୁଁ ଓ ପ୍ରାୟଶ୍ଚିତ୍ତ, ସମସ୍ତ ଉପନ୍ୟାସର ସଂହତି ଏକ ଧାରରେ ରକ୍ଷିତ ହୋଇଅଛି । ପ୍ରାୟଶ୍ଚିତ୍ତ ଉପନ୍ୟାସରେ ଫକୀର ମୋହନ ଅଗ୍ରଗାମୀ ସଭ୍ୟ ସମାଜର ବାସ୍ତବ ରୂପରେଖ ଦେବାକୁ ସମର୍ଥ ହୋଇଅଛନ୍ତି । ଏ ବିଷୟରେ ଅଧ୍ୟାପକ ନଟବର ସାମନ୍ତରାୟ ମତ ଦେଇଅଛନ୍ତି, ‘‘ସାମାଜିକ କୁସଂସ୍କାର ଦୂରୀକରଣ, ଜାତି ଓ ଜାତୀୟ ସାହିତ୍ୟର ଉନ୍ନତି ସାଧନ ପ୍ରଭୃତି ବିଷୟରେ ୧୮୮୧-୧୯୨୦ ସାଲ ଭିତରେ ଯେଉଁ ଶିକ୍ଷିତ ଶ୍ରେଣୀ ନେତୃତ୍ୱ ନେଇଥିଲା ତାର ପ୍ରତିନିଧି ହେଉଛନ୍ତି ପ୍ରାୟଶ୍ଚିତ୍ତର ସଦାନନ୍ଦ, କମଳଲୋଚନ ଓ ରାଜୀବଲୋଚନ, ଜାତ୍ୟଭିମାନ ସର୍ବସ୍ୱ ଲୋକର ପ୍ରତିନିଧି ହେଉଛନ୍ତି ଜମିଦାର ବୈଷ୍ଣଚରଣ ପଟ୍ଟନାୟକ । ‘‘ଭୋଜିସଭା’’ ଓ ‘‘ଉତ୍କଳ ଭାଷା ବିବର୍ଦ୍ଧିନୀ-ସଭା’’ ହେଉଛନ୍ତି ସମସାମୟିକ ଜାତୀୟ ଆନ୍ଦୋଳନର ପ୍ରତୀକ ମାତ୍ର’’ । (ଓଡ଼ିଆ ସାହିତ୍ୟର ଇତିହାସ-ପୃ ୩୯୦)

 

ଫକୀର ମୋହନ ସେନାପତି ଚାରିଗୋଟି ଉପନ୍ୟାସ ରଚନା କରି ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ଏକ ସୁସ୍ଥିର ନିର୍ଦ୍ଦେଶ ଦେବା ଫଳରେ ଓଡ଼ିଆ ଉପନ୍ୟାସ ପ୍ରତିଷ୍ଠିତ ହେବା ସଙ୍ଗେ ସଙ୍ଗେ ଅଗ୍ରଗତିର ସୂଚନା ପ୍ରଦାନ କରିଅଛି । ତେଣୁ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ପ୍ରତିଷ୍ଠିତ କରିବାର ପ୍ରକୃଷ୍ଟ କାଳ ହେଉଛି ୧୮୯୭ ସାଲ । ଏହି ସମୟଠାରୁ ପରବର୍ତ୍ତୀକାଳର ଲେଖକମାନେ ଫକୀର ମୋହନଙ୍କର ଆଦର୍ଶର ପଥ ଅନୁସରଣ କରି ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧି ପଥରେ ଅଗ୍ରସର କରାଇଅଛନ୍ତି ।

☆☆☆

 

ସ୍ରଷ୍ଟା କାହ୍ନୁଚରଣ

 

କଟକ ଜିଲାର ନାଗବାଲି ଗ୍ରାମ କାହ୍ନୁଚରଣ ପିତୃ ପୁରୁଷଙ୍କର ବାସସ୍ଥାନ । ମାତ୍ର କାହ୍ନୁଚରଣଙ୍କର ଜନ୍ମସ୍ଥାନ ବଲାଙ୍ଗିର ଜିଲାର ସୋନପୁର । ସେଠାରେ ତାଙ୍କର ପିତା ପୂର୍ତ୍ତ ବିଭାଗରେ କାର୍ଯ୍ୟ କରୁଥିଲେ । ତାଙ୍କର ପିତାଙ୍କର ନାମ ସୂର୍ଯ୍ୟମଣି ମହାନ୍ତି ଓ ମାତାଙ୍କର ନାମ ଦୁର୍ଗାବତୀ । ତାଙ୍କର ପିତା ସୋନପୁରରେ କାର୍ଯ୍ୟ କରୁଥିବା ସମୟରେ ୧୯୦୬ ସାଲ ଅଗଷ୍ଟ ମାସ ୧୧ ତାରିଖରେ କାହ୍ନୁଚରଣ ଜନ୍ମ ଗ୍ରହଣ କରିଥିଲେ । ସୋନପୁରରେ ଜନ୍ମ ହେଲେ ସିନା କାହ୍ନୁଚରଣ ମାତ୍ର ବାଲ୍ୟଶିକ୍ଷା ଲାଭ କଲେ ନାଗବାଲି ଗ୍ରାମର ଚାଟଶାଳୀରେ । ନାଗବାଲିରୁ ଶିକ୍ଷା ସମାପ୍ତ କରି କାହ୍ନୁଚରଣ କଟକ ପ୍ୟାରୀମୋହନ ଏକାଡ଼େମୀରେ ପ୍ରବେଶ କଲେ । ପ୍ୟାରୀମୋହନ ଏକାଡ଼େମୀରେ ପାଠ ପଢ଼ୁଥିବା ସମୟରେ କାହ୍ନୁଚରଣ ‘‘କଣାମାମୁଁ’’ ନାମକ ଏକ ଗଳ୍ପ ଲେଖିଥିଲେ ମାତ୍ର ତାହା ପ୍ରକାଶ ପାଇନାହିଁ । ୧୯୨୪ ସାଲରେ ସେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ।

 

କଟକରୁ ଶିକ୍ଷା ଶେଷକରି କାହ୍ନୁଚରଣ ଉଚ୍ଚଶିକ୍ଷା ନିମିତ୍ତ ପାଟନା କଲେଜରେ ପ୍ରବେଶ କଲେ ଓ ୧୯୨୬ ସାଲରେ ସେଠାରୁ ଆଇ. ଏସ୍. ସି. ପାସ୍ କଲେ । ଆଇ. ଏସ୍. ସି. ପାସ୍ କରିବା ପରେ ପୂର୍ତ୍ତ ବିଭାଗରେ କାର୍ଯ୍ୟ କରୁଥିବା ପିତାଙ୍କର ପ୍ରଭାବରେ ବୋଧହୁଏ କାହ୍ନୁଚରଣ ଇଞ୍ଜିନିୟରିଂ ଶିକ୍ଷାଲାଭ କରିବା ପାଇଁ ଇଞ୍ଜିନିୟରିଂ କଲେଜରେ ପ୍ରବେଶ କଲେ । ମାତ୍ର କାହ୍ନୁଚରଣଙ୍କ ଭଳି ସ୍ରଷ୍ଟାର ମନ ଇଞ୍ଜିନିୟରିଂ ବିଦ୍ୟାରେ ବା ଲାଗନ୍ତା କିପରି ? ତେଣୁ ସେ ଇଞ୍ଜିନିୟରିଂ ବିଦ୍ୟାଶିକ୍ଷା ତ୍ୟାଗ କରି କଟକର ରେଭେନ୍‌ସା କଲେଜରେ ବି. ଏ. ପଢ଼ି ୧୯୨୯ ସାଲରେ ବି. ଏ. ପାସ୍ କଲେ । ବି. ଏ. ପାସ୍ କରିବା ପରେ ସେ ମଧ୍ୟ ଆଇନ ପଢ଼ିବା ପାଇଁ ଆଇନ କଲେଜରେ ପ୍ରବେଶ କରିଥିଲେ, ମାତ୍ର ୧୯୩୦ ସାଲରେ ଆଇନ କଲେଜ ଛାଡ଼ି କର୍ମଜଗତରେ ପ୍ରବେଶ କଲେ । ସେ ପ୍ରଥମେ ଜଣେ ସରକାରୀ କିରାନୀ ଭାବରେ କର୍ମଗ୍ରହଣ କରିଥିଲେ ମାତ୍ର ପରେ ୧୯୪୦ ସାଲରେ ସବ୍‌ଡ଼େପୁଟି ମାଜିଷ୍ଟ୍ରେଟ୍ ଓ ୧୯୪୬ ସାଲରେ ଡେପୁଟି ମାଜିଷ୍ଟ୍ରେଟ୍ ପଦକୁ ଉନ୍ନୀତ ହୋଇଥିଲେ । ସୁଖ୍ୟାତିର ସହିତ କର୍ମ କରି ସେ ବର୍ତ୍ତମାନ ସରକାରୀ କର୍ମରୁ ଅବସର ଗ୍ରହଣ କରି ଅଛନ୍ତି । କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିବା ପରେ ସେ ୧୯୬୬-୬୭ ସାଲରେ କେତେକ ସମୟ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଂପାଦକ ଭାବରେ କାର୍ଯ୍ୟ କରିଥିଲେ । ମାତ୍ର ସେ କର୍ମରେ ସେ ସନ୍ତୋଷଲାଭ କରି ନ ପାରିବାରୁ ସେ କର୍ମତ୍ୟାଗ କରି ବର୍ତ୍ତମାନ କଟକସ୍ଥ ଝାଞ୍ଜିରୀ ମଙ୍ଗଳାରେ ନିଜର ବାସଭବନରେ ସାରସ୍ୱତ ସାଧନାରେ ଲିପ୍ତ ରହିଛନ୍ତି।

 

ପାଟନାରେ ଇଞ୍ଜିନିୟରିଂ ବିଦ୍ୟା ଶିକ୍ଷା ଲାଭ କରିବା ସମୟରେ ସେ ବାଲିରାଜା ଉପନ୍ୟାସ ଲେଖିଥିଲେ । ଏହି ଉପନ୍ୟାସଟି ୧୯୨୯ ସାଲରେ ସେ ଶେଷ କରିଥିଲେ । ଆଲୋଚ୍ୟ ଶାସ୍ତି ଉପନ୍ୟାସଟି ୧୯୪୫ ସାଲରେ ଆରମ୍ଭ ହୋଇ ୧୯୪୬ ସାଲରେ ଶେଷ ହୋଇଥିଲା । କର୍ମ ଉପଲକ୍ଷରେ କାହ୍ନୁଚରଣ ଯେଉଁ ସ୍ଥାନରେ ଅବସ୍ଥାନ କରି ଅଛନ୍ତି ସେହି ସ୍ଥାନରେ ସେ ତାଙ୍କର ଉପନ୍ୟାସ ରଚନା ଅବ୍ୟାହତ ରଖିଅଛନ୍ତି । ଯେଉଁ ସ୍ଥାନରେ ଯେଉଁ ଉପନ୍ୟାସ ଗୁଡ଼ିକ ରଚିତ ହୋଇଅଛି ସେହି ଉପନ୍ୟାସଗୁଡ଼ିକରେ ସେହି ସ୍ଥାନଗୁଡ଼ିକର ବିଶେଷତ୍ୱ ପ୍ରକାଶ ପାଇଅଛି ।

 

କାହ୍ନୁଚରଣଙ୍କର ସାହିତ୍ୟ ସାଧନା ବିଷୟରେ ତାଙ୍କ ରଚିତ କେତେକ ଉପନ୍ୟାସର ପଛପଟରେ ଗୋଟିଏ କଥା ଲେଖା ଯାଇଅଛି । ତହିଁରୁ ଜଣାଯାଏ ଯେ କାହ୍ନୁଚରଣ କଲେଜରେ ପାଠପଢ଼ୁଥିବା ସମୟରେ କଲେଜରେ ପୁସ୍ତକାଗାରରେ ଓଡ଼ିଆ ଉପନ୍ୟାସ ଖୋଜିବା ସମୟରେ କୌଣସି ବଙ୍ଗୀୟ ସହପାଠୀ ତାଙ୍କୁ ଆକ୍ଷେପ କରି କହିଥିଲେ ‘‘ଓଡ଼ିଆରେ ଉପନ୍ୟାସ ଅଛି କି’’ ? ଏଥିରେ କାହ୍ନୁଚରଣ ଅତ୍ୟନ୍ତ ମର୍ମାହତ ହୋଇ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧ କରିବାର ସଂକଳ୍ପ କରି ଓଡ଼ିଆ ଉପନ୍ୟାସ ରଚନାରେ ମନପ୍ରାଣ ଢାଳିଦେଲେ । ସାରାଜୀବନର ସାଧନା ସ୍ୱରୂପ ସେ ଆଜି ୪୦ ଖଣ୍ଡ ଉପନ୍ୟାସର ସ୍ରଷ୍ଟା ।

 

କାହ୍ନୁଚରଣଙ୍କ ଉପନ୍ୟାସରେ ଦିଆଯାଇଥିବା ଏହି ବିଷୟଟି ବହୁତ ଦିନରୁ ଓଡ଼ିଆ ପାଠକମାନେ ଗ୍ରହଣ କରି ନେଇଥିଲେ । ଏହି ଉକ୍ତିରେ ହୁଏତ ସତ୍ୟତା ଥାଇପାରେ । ମାତ୍ର ଆମକୁ ଏଠାରେ ଗୋଟିଏ କଥା ମନେରଖିବାକୁ ହେବ ଯେ କାହ୍ନୁଚରଣ କଲେଜରେ ପଢ଼ିବା ସମୟକୁ ଓଡ଼ିଆ ଉପନ୍ୟାସ ସଂଖ୍ୟାରେ ଖୁବ୍ କମ୍‌ ଥିଲା ସତ୍ୟ ମାତ୍ର ସେତେବେଳକୁ ଫକୀର ମୋହନଙ୍କର ଉପନ୍ୟାସଗୁଡ଼ିକ ଓଡ଼ିଆ ଉପନ୍ୟାସ ସାହିତ୍ୟର ସମୃଦ୍ଧିର ବାର୍ତ୍ତା ପ୍ରଚାର କରିସାରିଲେଣି । ପଡ଼ୋଶୀ ବଙ୍ଗଭାଷୀମାନେ ଅନୁନ୍ନତ ଓଡ଼ିଆ ପ୍ରତି ନାସିକା କୁଞ୍ଚନ କରିବା ନିତାନ୍ତ ସ୍ୱାଭାବିକ । କାରଣ ସେମାନେ ଓଡ଼ିଶାରେ ଆଧୁନିକ ଶିକ୍ଷାର ଆଲୋକ ପ୍ରବେଶ କରିବାର ପଚାଶ ବର୍ଷ ପୂର୍ବରୁ ଆଧୁନିକ ଶିକ୍ଷାର ଆଲୋକକୁ ଗ୍ରହଣ କରି ସାରିଛନ୍ତି । ତେଣୁ ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍ମେଷକାଳରେ ପ୍ରାୟ ପଚାଶ ବର୍ଷ ପୂର୍ବରୁ ଆଧୁନିକ ବଙ୍ଗଳା ସାହିତ୍ୟ ସୃଷ୍ଟି ହୋଇ ସାରିଅଛି । ଏପରି ସ୍ଥଳେ କେବଳ କାହ୍ନୁଚରଣ ନୁହନ୍ତି, ବହୁ ଓଡ଼ିଆଙ୍କୁ ଜାତିର ଅନୁନ୍ନତ ଅବସ୍ଥା ପାଇଁ ଲଜ୍ଜିତ ହେବାକୁ ଯେ ପଡ଼ିଥିବ, ଏଥିରେ ସନ୍ଦେହ କରିବାର କିଛି ନାହିଁ । ଏଠାରେ କେବଳ ଏତିକି ଲକ୍ଷ୍ୟ କରିବାର କଥା ଯେ କାହ୍ନୁଚରଣ ଜାତିର ଏହି ଅନୁନ୍ନତ ଅବସ୍ଥାକୁ ସୁଧାରିବାକୁ ଯାଇ ନିଜର ଜୀବନକୁ ସାଧନା ପଥରେ ଉତ୍ସର୍ଗ କରିଅଛନ୍ତି । ଏହି ଦୃଷ୍ଟିରୁ କାହ୍ନୁଚରଣ ଏ ଜାତିର ନମସ୍ୟ । ତାଙ୍କର ଶକ୍ତିଶାଳୀ ଲେଖନୀର ଯାଦୁକରୀ ପ୍ରକୃତି ଓଡ଼ିଆ ଉପନ୍ୟାସ ସାହିତ୍ୟର ଯେପରି ସମୃଦ୍ଧି ସମ୍ପାଦନ କରିଅଛି ତାହା ଯେ କୌଣସି ସାହିତ୍ୟିକ ଆଜି ଅନୁଭବ କରିଥାଏ । କାହ୍ନୁଚରଣଙ୍କର ପ୍ରତିଭା ଏ ଦେଶରେ ସ୍ୱୀକୃତି ଲାଭ କରିଅଛି । ଔପନ୍ୟାସିକ ଭାବରେ ସେ ବହୁବାର ସମ୍ମାନିତ ହୋଇ ଅଛନ୍ତି । ତାଙ୍କର କା’ ଉପନ୍ୟାସ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଜାତୀୟ ପୁରସ୍କାର ଲାଭ କରିଅଛନ୍ତି ।

 

କାହ୍ନୁଚରଣଙ୍କ ସାହିତ୍ୟ ସାଧନାର ଉତ୍ସ ରୂପେ ପ୍ରଥମୋକ୍ତ ଘଟଣାକୁ ଗ୍ରହଣ କଲାପରେ ବର୍ତ୍ତମାନ ଆଉ ଗୋଟିଏ ଘଟଣା ଆମ ଆଗରେ ସେ ଉପସ୍ଥାପିତ କରିଅଛନ୍ତି । ଅଭ୍ୟୁଦୟ ସାହିତ୍ୟ ମସାଜର ଅନୁକୂଲ୍ୟରେ ଓଡ଼ିଆ ଉପନ୍ୟାସ ପରିଚୟ ନାମକ ଏକ ସମାଲୋଚନା ସଙ୍କଳନର ମୁଖବନ୍ଧ ଲେଖିଛନ୍ତି କାହ୍ନୁଚରଣ । ଏହି ମୁଖବନ୍ଧରେ ସେ ନିଜ ଜୀବନର ସାହିତ୍ୟ ସାଧନା ବିଷୟରେ ବର୍ଣ୍ଣନା କରିଅଛନ୍ତି । ଏହି ଆତ୍ମନେପଦୀ ବର୍ଣ୍ଣନାରେ ସେ ତାଙ୍କର ସାହିତ୍ୟ ସାଧନାର ଉତ୍ସରୂପେ ଆଉ ଗୋଟିଏ ଘଟଣାର ଉଲ୍ଲେଖ କରିଅଛନ୍ତି । ସେ ପ୍ରକାଶ କରିଅଛନ୍ତି ଯେ ସେ କଲେଜରେ ପାଠ ପଢ଼ୁଥିବା ସମୟରେ ଛାତ୍ରାବାସର ଜଣେ ସହପାଠୀ ବନ୍ଧୁଙ୍କଠାରୁ ଗୋଟିଏ ସତ୍ୟମୂଳକ ଘଟଣା ଶୁଣିଥିଲେ । ସେହି ଘଟଣାଟିର କଥାବସ୍ତୁ ଗୋଟିଏ ଅତ୍ୟନ୍ତ ମନୋରମ ଗଳ୍ପ ବୋଲି କୁହାଯାଇ ପାରେ । ଏହି ଘଟଣାଟି ଶୁଣି ସେ ଗଳ୍ପ ରଚନା ପ୍ରତି ଆକୃଷ୍ଟ ହେଲେ ବୋଲି ପ୍ରକାଶ କରିଅଛନ୍ତି । ଏହି ଗଳ୍ପଟି ତାଙ୍କର ସୃଷ୍ଟି ପର୍ଯ୍ୟାୟର ଆଦ୍ୟ ପ୍ରେରଣା । ଏହି ପ୍ରେରଣା ଫଳରେ ସେ ଉପନ୍ୟାସ ବା ଗଳ୍ପ ରଚନା କରିବାକୁ ସମର୍ଥ ହୋଇଥିଲେ । ସେ ଗଳ୍ପଟିକୁ ଏଠାରେ ଉଦ୍ଧାର କଲେ ଅପ୍ରାସଙ୍ଗିକ ହେବ ନାହିଁ । ଗଳ୍ପଟି ହେଉଛି, ଜଣେ ପୋଲିସ୍ ସବ୍‌ଇନ୍‌ସପେକ୍‌ଟର ମୋଫସଲର କୌଣସି ଏକ ସ୍ଥାନରେ କର୍ମ କରୁଥିଲେ । ତାଙ୍କର ବଦଳି ହେଲା । ସେ ଯେଉଁଦିନ ସେ ସ୍ଥାନ ତ୍ୟାଗକରି ନୂତନ କର୍ମକ୍ଷେତ୍ରକୁ ଯିବାର କଥା ସେଦିନ ଘୋର ଦୁର୍ଦ୍ଦିନ ଥିଲା । ବର୍ଷା ତୋଫାନରେ ସେ ସ୍ଥାନଛାଡ଼ି ବାହାରିଥାଆନ୍ତି । ସେ ତାଙ୍କର ପିଲାପିଲିଙ୍କୁ ନେଇ ଗୋଟିଏ ବଳଦଗାଡ଼ିରେ ରେଲଷ୍ଟେସନ ଅଭିମୁଖେ ଯାତ୍ରା କରୁଥାଆନ୍ତି । ପୂର୍ବରୁ ତାଙ୍କର ଝିଅଟି ଭୀଷଣ ରୋଗରେ ଶଯ୍ୟାଶାୟିନୀ ଥିଲା । ବଳଦଗାଡ଼ିରେ ସେ ଅନୁଭବ କଲେ ଯେ ଝିଅଟିର ପ୍ରାଣବାୟୁ ଉଡ଼ିଯାଇ ଅଛି । ତେଣୁ ସେ ଆଉ କୌଣସି ଉପାୟ ନପାଇ ରାସ୍ତାକଡ଼ର ଗୋଟିଏ କୁଡ଼ିଆ ଘରେ ଝିଅଟିର ଶବକୁ ପକାଇ ଦେଇ ନିଜର ଯାତ୍ରା ପଥରେ ଅଗ୍ରସର ହେଲେ । ଝିଅଟି ଯିବା ପରେ ତାଙ୍କ ସଙ୍ଗରେ ରହିଲେ ତାଙ୍କର ପୁଅ ଓ ସ୍ତ୍ରୀ । ସେ ଯାଇ ନୂତନ କର୍ମକ୍ଷେତ୍ରରେ ଯୋଗ ଦେଲେ ।

 

ସମୟର ରଥଚକ ଆଗକୁ ଗଡ଼ି ଯାଇଛି । ସେହି ପୋଲିସ୍ ସବ୍‌ଇନ୍‌ସପେକ୍‌ଟର କ୍ରମେ କର୍ମକ୍ଷେତ୍ରରେ ଉନ୍ନୀତ ହୋଇ ଉଚ୍ଚ ପଦସ୍ଥ ପୋଲିସ ଅଫିସର ହୋଇଛନ୍ତି ଓ ତାଙ୍କର ପୁତ୍ରଟି ପ୍ରାପ୍ତ ବୟସ୍କ ହୋଇ ବିବାହ ଯୋଗ୍ୟ ଅବସ୍ଥାରେ ଆସି ପହୁଞ୍ଚିଛି । ସେ ଯେଉଁ ସ୍ଥାନରେ ଅତୀତରେ ନିଜର ଝିଅର ଶବକୁ ପକାଇ ଦେଇ ଯାଇଥିଲେ ସେହି ସ୍ଥାନ ନିକଟବର୍ତ୍ତୀ । ଏକ ଗ୍ରାମର ଜମିଦାରଙ୍କ ଝିଅ ସହିତ ତାଙ୍କ ପୁତ୍ରର ବିବାହ ସ୍ଥିରୀକୃତ ହୋଇ ଅଛି । ନିର୍ଦ୍ଦିଷ୍ଟ ଦିନରେ ବିବାହ ହେବାର କଥା । ଯେତେବେଳେ ବରପକ୍ଷ ଦଳ ଆସି ସେ ଗାଁରେ ପହୁଞ୍ଚିଲେ ସେତେବେଳେ ଗାଁର ଲୋକମାନଙ୍କଠାରୁ କେତେକ ଟୁପ୍‌ଟାପ କଥା ଶୁଣାଗଲା ଜମିଦାର ଭାବିଲେ ଗାଁଲୋକେ ହୁଏତ ଟୁପ୍‌ଟାପ୍ ହୋଇ ସତ୍ୟକଥାଟା ପ୍ରକାଶ କରିଦେଇ ପାରନ୍ତି । ତେଣୁ ବିବାହ ପରେ ସତ୍ୟକଥାଟା ପ୍ରକାଶ ପାଇଲେ ଝିଅ ଜୋଇଁଙ୍କ ମଧ୍ୟରେ ଅଯଥା ଝଡ଼ ସୃଷ୍ଟି ହୋଇ ପାରେ । ଏହିପରି ଏକ ଅସୁନ୍ଦର ପରିସ୍ଥିତିକୁ ଏଡ଼ିବାକୁ ଯାଇ ଜମିଦାର ବର ପିତାଙ୍କ ଆଗରେ ସତ୍ୟ କଥାଟି ପ୍ରକାଶ କଲେ-। ସତ୍ୟ କଥାଟି ହେଉଛି ଯେ, ସେ କନ୍ୟାଟି ଜମିଦାରଙ୍କର ନିଜର କନ୍ୟା ନୁହେଁ । ଜମିଦାର କନ୍ୟାଟିକୁ ଅତୀତରେ, ଯେତେବେଳେ କି ସେ ଶିଶୁଥିଲା ସେତେବେଳେ ରାସ୍ତାକଡ଼ର ଗୋଟିଏ କୁଡ଼ିଆ ଭିତରୁ ପାଇଥିଲେ । ସେହି ଶିଶୁଟି ବଢ଼ି ଜମିଦାରଙ୍କ କନ୍ୟା ରୂପେ ପରିଚିତା । ଏ କଥା ଶୁଣିବା ପରେ ପୋଲିସ୍‌ ଅଫିସରଙ୍କ ଜୀବନର ଅତୀତ ପୁଣି ଚେଇଁ ଉଠିଲା । ଅତୀତରେ ଯେଉଁ କନ୍ୟାକୁ ମୃତା ଭାବି ସେ ରାସ୍ତାକଡ଼ର କୁଡ଼ିଆରେ ପକାଇ ଦେଇ ଚାଲିଯାଇ ଥିଲେ ଏହି କନ୍ୟାଟି ତାଙ୍କରି ସେହି କନ୍ୟା । ମୃତ ଅତୀତ ଯେତେବେଳେ ଜୀବିତ ହୋଇ ଉଠିଲା ସେତେବେଳେ ପୋଲିସ୍‌ ଅଫିସରଙ୍କର ଆନନ୍ଦର ଅଶ୍ରୁ ବାଧା ମାନିଲା ନାହିଁ । ବର ହୋଇ ଆସିଥିବା ଯୁବକ କନ୍ୟାର ଭାଇ । ତେଣୁ କନ୍ୟାର ବିବାହ ବା ହେବ କିପରି ? ସମାଧାନର ପନ୍ଥା ଅତି ସହଜରେ ଦେଖା ଦେଲା । ବରଯାତ୍ରୀ ହୋଇ ଆସିଥିବା ଜଣେ ଯୁବକ ସହିତ କନ୍ୟାଟିର ବିବାହ ହେଲା-। ଏହାହିଁ ବାସ୍ତବରେ ଏକ ଅପୂର୍ବ ମିଳନ ।

 

ଏହି କଥାଟିକୁ କାହ୍ନୁଚରଣ ଜଣେ ସହପାଠୀଙ୍କଠାରୁ ଶୁଣି ଏତେଦୂର ମୁଗ୍‌ଧ ହେଲେ ଯେ ସେ ଭାବିଲେ ବାସ୍ତବ ଘଟଣା ଯଦି ଏପରି ଭାବରେ ଅନ୍ତରକୁ ସ୍ପର୍ଶ କରିପାରେ ତେବେ କଳ୍ପନା ରଞ୍ଜିତ ଗଳ୍ପ ପାଠକକୁ କିପରି ଭାବରେ ବା ମୁଗ୍‌ଧ ନ କରିବ ? ଏହି ଗଳ୍ପ ଶ୍ରବଣ କରିବା ପରେ କାହ୍ନୁଚରଣ ଗଳ୍ପ ଉପନ୍ୟାସ ରଚନା କରିବାର ପ୍ରେରଣା ଲାଭ କଲେ । ଏହି ପ୍ରେରଣାର ପରିଣତି ରୂପେ କାହ୍ନୁଚରଣ ଆଜି ଓଡ଼ିଆ ସାହିତ୍ୟରେ ଅପ୍ରତିଦ୍ୱନ୍ଦ୍ୱୀ କଥାଶିଳ୍ପୀ ।

 

ଆଜି ସାଧାରଣ ପାଠକ ମନରେ ପ୍ରଶ୍ନ ଉଠେ । ଏହି ଦୁଇଟି କଥା ମଧ୍ୟରୁ କେଉଁ ଗୋଟିକ ସତ୍ୟ ? ହୋଇପାରେ, ଦୁଇଟି ଯାକ ବିଷୟ ସତ୍ୟ । ମାତ୍ର ଏହି ଦୁଇଟି ବିଷୟ ଯୋଗୁ ଯେ କାହ୍ନୁଚରଣ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ସ୍ରଷ୍ଟାର ଆସନ ଅଳଂକୃତ କରି ପାରିଛନ୍ତି, ତାହା ନୁହେଁ । ଏଗୁଡ଼ିକ ଗୋଟିଏ ଗୋଟିଏ ସାମୟିକ ଘଟଣା । ସ୍ରଷ୍ଟାର ସଙ୍କେତ ନେଇ ସେ ଜନ୍ମଗ୍ରହଣ କରିଛନ୍ତି-। ତାଙ୍କ ଜୀବନରେ ହୁଏତ କେତେ କଣ ଘଟିଯାଇଥିବ, ମାତ୍ର ସେ ସବୁକୁ ଗୁରୁତ୍ୱ ଦେବାର କୌଣସି କାରଣ ନାହିଁ । କାହ୍ନୁଚରଣଙ୍କର ସୃଷ୍ଟି ସୌନ୍ଦର୍ଯ୍ୟ ଅନୁଧ୍ୟାନ କଲେ ତାଙ୍କର ବୈଶିଷ୍ଟ୍ୟକୁ ସାବଧାନତାର ସହିତ ଲକ୍ଷ୍ୟ କରିବାକୁ ପଡ଼ିବ । ବୟସର ବୁଦ୍ଧି ସଙ୍ଗେ ସଙ୍ଗେ ତାଙ୍କର ଅନୁଭୂତିର ପରିସର ଯେତିକି ବ୍ୟାପକ ହୋଇଅଛି ତାଙ୍କର ସାହିତ୍ୟ ସେତିକି ବ୍ୟାପକ ରୂପ ପରିଗ୍ରହ କରିଅଛି-

☆☆☆

 

ସ୍ରଷ୍ଟା ଓ ସୃଷ୍ଟିସମ୍ପଦ

 

୧୯୨୫ ସାଲରୁ ଅନବରତ ଲେଖନୀ ଚାଳନା କରି ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ କାହ୍ନୁଚରଣ ଏ ପର୍ଯ୍ୟନ୍ତ ଯେପରି ଭାବରେ ସାଧନାପଥରେ ଅଗ୍ରସର ହେଉଅଛନ୍ତି ତାହା ତାଙ୍କର ଅସୀମ ଜାତୀୟ ପ୍ରୀତିର ପରିଚୟ ପ୍ରଦାନ କରେ । ୧୯୨୫ ସାଲରେ ସେ ବାଲିରାଜା ଉପନ୍ୟାସ ରଚନାରେ ହାତ ଦେଲେ ଓ ୧୯୨୯ ସାଲରେ ଏହାକୁ ସମାପ୍ତ କଲେ-। ଏହା ଚାରି ଖଣ୍ଡରେ ବିଭକ୍ତ । ଏହା ତାଙ୍କର ଔପନ୍ୟାସିକ ପ୍ରତିଭାର ଆଦ୍ୟ ସଙ୍କେତ-। ଏହି ଉପନ୍ୟାସର କଥାବସ୍ତୁ ପାଇଁ ଲେଖକ ଅତୀତକୁ ଫେରିଯାଇ ଅଛନ୍ତି । କଳିଙ୍ଗର ସାଧବମାନେ ଅତୀତରେ ସୁଦୂର ଜାଭା, ସୁମାତ୍ରା ବାଲିଦ୍ୱୀପ ପ୍ରଭୃତି ସ୍ଥାନକୁ ଯାଇ ବାଣିଜ୍ୟ ବ୍ୟବସାୟ କରିବା ବିଷୟ ସୁବିଦିତ । ଏହି ଦୃଷ୍ଟିରୁ କେତେକ ଆଲୋଚକ ଓ ପାଠକ ବାଲିରାଜା ଉପନ୍ୟାସକୁ ଏକ ଐତିହାସିକ ଉପନ୍ୟାସ ରୂପେ ଗ୍ରହଣ କରିଥାଆନ୍ତି । ମାତ୍ର ବାଲିରାଜାକୁ ଯଥାର୍ଥରେ ଏକ ଐତିହାସକ ଉପନ୍ୟାସ କୁହାଯାଇ ପାରିବ ନାହିଁ । ସ୍ରଷ୍ଟା କାହ୍ନୁଚରଣଙ୍କର ସୃଷ୍ଟି ପର୍ଯ୍ୟାୟର ଆଦ୍ୟ ପ୍ରଚେଷ୍ଟା ବାଲିରାଜା । ତେଣୁ ତହିଁରେ ସେ ଏକ ବଳିଷ୍ଠ କଥାବସ୍ତୁର ସଂଯୋଜନା କରିବାକୁ ଯାଇ ଉପନ୍ୟାସଟିକୁ ଏପରି ରୂପ ଦେଇଛନ୍ତି ।

 

ବାଲିରାଜା ଉପନ୍ୟାସ ରଚନା କରିବାକୁ ଯାଇ ଲେଖକ ଆଲେକ୍‌ଜାଣ୍ଡାର ଡୁମାଙ୍କର ବିଖ୍ୟାତ କୃତି ‘‘କାଉଣ୍ଟ୍ ଅଫ୍ ମଣ୍ଟେକ୍ରଷ୍ଟୋ’’ ଦ୍ୱାରା ଯେ ବିଶେଷ ଭାବରେ ପ୍ରଭାବିତ ହୋଇ ଅଛନ୍ତି ଏହା ଲେଖକ ସ୍ୱୀକାର କରିଛନ୍ତି । କାଳିନ୍ଦୀ ଚରଣଙ୍କର ‘‘ସାଗରିକା’’ର ପ୍ରଭାବ ଏଥିପାଇଁ ମଧ୍ୟ କାହ୍ନୁଚରଣଙ୍କ ଉପରେ ପଡ଼ି ପାରିଥାଏ । ମାତ୍ର ସାଗରିକାର ପ୍ରଭାବ ବିଶେଷ ଭାବରେ ବାଲିରାଜା ଉପରେ ପରିଦୃଷ୍ଟ ହୁଏନାହିଁ । ଆଲୋଚକ ବ୍ରଜମୋହନ ମହାନ୍ତି ତାଙ୍କର ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ପୁସ୍ତକର ଦ୍ୱିତୀୟ ଭାଗରେ ବାଲିରାଜା ଉପନ୍ୟାସ ଆଲୋଚନା ପ୍ରସଙ୍ଗରେ ଲେଖିଅଛନ୍ତି, ‘‘ପୁସ୍ତକଟିକୁ ଗଭୀର ଭାବେ ଆଲୋଚନା କଲେ ଜଣାଯାଏ ଯେ ଶ୍ରୀ କାହ୍ନୁଚରଣ କାଉଣ୍ଟ ଅଫ୍ ମଣ୍ଟେକ୍ରିଷ୍ଟୋ’ର ବିଷୟ ଓ ଅଙ୍ଗସଜ୍ଜା ସହିତ ସାଗରିକାର ଭାଷାଲାଳିତ୍ୟ ନିକଟରେ ଆତ୍ମସମର୍ପଣ କ୍ଷୁର୍ଣ୍ଣ କରିଅଛନ୍ତି ।’’ ଆଲୋଚକ ଏପରି ମତ ପ୍ରଦାନ କରି କାହ୍ନୁଚରଣଙ୍କର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଅଛନ୍ତି । କାହ୍ନୁଚରଣଙ୍କର ଭାଷାର ଲାଳିତ୍ୟ ଓଡ଼ିଆ ସାହିତ୍ୟରେ ଅନବଦ୍ୟ-। ବାଲିରାଜା ଉପନ୍ୟାସର ଭାଷାଶୈଳୀ ସାଗରିକାର ଭାଷାଶୈଳୀଠାରୁ ବହୁ ଉଚ୍ଚରେ । ଭାଷାଶୈଳୀ ପାଇଁ ଓଡ଼ିଆ ସାହିତ୍ୟ ରାଜ୍ୟରେ କାହ୍ନୁଚରଣଙ୍କ ନିକଟରେ ହୁଏତ ଅନେକ ଲେଖକ ଆତ୍ମ ସମର୍ପଣ କରିଅଛନ୍ତି ମାତ୍ର କାହ୍ନୁଚରଣ କାହା ନିକଟରେ ଆତ୍ମ ସମର୍ପଣ କରିବା ତ ଦୂରର କଥା କାହାର ଶୌଳୀ ଉପରେ ଦୃଷ୍ଟିପାତ କରିନାହାନ୍ତି । କାହ୍ନୁଚରଣଙ୍କର ଭାଷାଶୈଳୀ ତାଙ୍କର ନିଜର ସ୍ୱାତନ୍ତ୍ର୍ୟ-

 

ବାଲିରାଜା ଉପନ୍ୟାସ ରଚନା କରିବା ବେଳକୁ କାହ୍ନୁଚରଣ ଔପନ୍ୟାସିକ ଜୀବନର ପ୍ରଥମ ସୋପାନରେ ପଦାର୍ପଣ କରିଥିଲେ । ତେଣୁ ତାଙ୍କର ରଚନା ମଧ୍ୟରେ କେତେକ ତ୍ରୁଟି ରହିଯିବା ନିତାନ୍ତ ସ୍ୱାଭାବିକ । ମାତ୍ର ସେ ପ୍ରକାର ତ୍ରୁଟି ତାଙ୍କର ପରବର୍ତ୍ତୀ ଜୀବନରେ ବଳେ ବଳେ ଦୂର ହୋଇଯାଇଅଛି । ବାଲିରାଜା ପରେ କାହ୍ନୁଚରଣଙ୍କର ଲେଖନୀରୁ ଜନ୍ମନିଏ ତଥାସ୍ତୁ । ଏହି ତଥାସ୍ତୁ ଉପନ୍ୟାସ ୧୯୨୬ ସାଲରେ ରଚିତ ହେଲେହେଁ ଏହା ୧୯୬୩ ସାଲରେ ପ୍ରକାଶିତ ହୋଇଅଛି । ଅନ୍ୟାନ୍ୟ ଲେଖାଗୁଡ଼ିକ ଯଥା ସମୟରେ ପ୍ରକାଶିତ ହେଲେହେଁ ତଥାସ୍ତୁ କେଉଁ କାରଣରୁ ପ୍ରକାଶିତ ହେବାପାଇଁ ଦୀର୍ଘକାଳ ଧରି ପ୍ରତୀକ୍ଷା କରିଥିଲା ତାହା ଆଲୋଚନା ସାପେକ୍ଷ । ୧୯୨୬ ସାଲଠାରୁ ୧୯୩୨ ସାଲ ଭିତରେ କାହ୍ନୁଚରଣ ପଳାତକ, ନିଷ୍ପତ୍ତି, ସ୍ୱପ୍ନ ନା ସତ୍ୟ, ନାମକ ତିନିଖଣ୍ଡ ଉପନ୍ୟାସ ଓ ମାନସୀ ନାମକ ଏକ କାବ୍ୟ ରଚନା କରିଅଛନ୍ତି । ଏହି ତିନିଗୋଟି ଉପନ୍ୟାସରେ କାହ୍ନୁଚରଣଙ୍କର ପ୍ରତିଭାର କ୍ରମବିକାଶ ବିଶେଷ ଭାବରେ ପରିଲକ୍ଷିତ ହୋଇଅଛି । ଏହି ଉପନ୍ୟାସମାନଙ୍କରେ ସେ ବଳିଷ୍ଠ କଥାବସ୍ତୁ ଗ୍ରହଣ କରି ସାମାଜିକ ସମସ୍ୟାଗୁଡ଼ିକର ସ୍ପଷ୍ଟ ରୂପରେଖ ପ୍ରଦାନ କରିଅଛନ୍ତି । ଏହି ଉପନ୍ୟାସଗୁଡ଼ିକ ପାଠକଲେ ମନେହୁଏ, ସତେ ଯେପରି କାହ୍ନୁଚରଣ ଦିନକୁ ଦିନ ଆମରି ସମାଜର ବ୍ୟବସ୍ଥା ଓ ସମସ୍ୟା ପ୍ରତି ଅଧିକ ମାତ୍ରାରେ ସଚେତନ ହୋଇ ପଡ଼ିଛନ୍ତି । ତାଙ୍କର ଏହି ସଚେତନତା ତାଙ୍କର ପରବର୍ତ୍ତୀ ଜୀବନରେ ତାଙ୍କ ଦୂରଦୃଷ୍ଟିର ପରିଚୟ ପ୍ରଦାନ କରିଅଛି । ନାରୀ ଓ ପୁରୁଷର ଆଦିମ ପ୍ରବୃତ୍ତି ଦେହଜ ପ୍ରେମ ଏହି ଉପନ୍ୟାସମାନଙ୍କରେ ଅତ୍ୟନ୍ତ ସଂଯତ ଭାବରେ ପ୍ରକାଶ ପାଇଅଛି । ଚରିତ୍ରଗତ ବୈଶିଷ୍ଟ୍ୟ ପ୍ରତ୍ୟେକ ଉପନ୍ୟାସରେ କ୍ରମୋନ୍ନତିର ପ୍ରମାଣ ଦେଇଅଛି । ଏହି ସମୟ ପର୍ଯ୍ୟନ୍ତ କାହ୍ନୁଚରଣ ତାଙ୍କର ଉପନ୍ୟାସଗୁଡ଼ିକରେ ସାମାଜିକ ସମସ୍ୟା ଓ ଜାତିର ଜୀବନକୁ ପରୋକ୍ଷ ଭାବରେ ଉପସ୍ଥାପିତ କରିଅଛନ୍ତି ।

 

୧୯୩୨ ସାଲରେ କାହ୍ନୁଚରଣଙ୍କ ସ୍ରଷ୍ଟା ଜୀବନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା । ଏହି ସମୟଠାରୁ ସେ ଜାତିର ଜୀବନ ଓ ସାମାଜିକ ସମସ୍ୟାକୁ ପ୍ରତ୍ୟେକ୍ଷ ଭାବରେ ତାଙ୍କର ଲେଖନୀରେ ଚିତ୍ରଣ କଲେ । ଓଡ଼ିଆ ଜାତିର, ଓଡ଼ିଆ ସମାଜର ଦୁର୍ଭାଗ୍ୟ ତାଙ୍କୁ ଅତିମାତ୍ରାରେ ବିଚଳିତ କରିଛି । ସେ ଜାତିର ସେହି ଅତୀତ ଦିନର ଦୁଃଖର କାହାଣୀକୁ ଦେଶବାସୀଙ୍କ ଆଗରେ ନିଃଶଙ୍କ ଚିତ୍ତରେ ଉପସ୍ଥାପିତ କରିଅଛନ୍ତି । ୧୯୩୨ ସାଲରେ କାହ୍ନୁଚରଣ ଆରମ୍ଭ କରିଛନ୍ତି ‘‘ହା ଅନ୍ନ’’ ଉପନ୍ୟାସ । ଏହାର ରଚନା ପରିସମାପ୍ତି ଲାଭ କରିବାକୁ ଲାଗିଛି ଦୁଇବର୍ଷ ସମୟ । ଏହା ପ୍ରକାଶ ପାଇଛି ୧୯୩୪ ସାଲରେ । ଏହି ଉପନ୍ୟାସ କାହ୍ନୁଚରଣଙ୍କର ସ୍ରଷ୍ଟା ଜୀବନର ଏକ ଅମର ଆଲେଖ୍ୟ । ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷକୁ କେନ୍ଦ୍ରକରି ଏହି ଉପନ୍ୟାସର ପରିକଳ୍ପନା । ଏଥିପାଇଁ କାହ୍ନୁଚରଣ ବହୁ ସୂତ୍ରରୁ ତଥ୍ୟ ସଂଗ୍ରହ କରିଅଛନ୍ତି । ତଥ୍ୟଗୁଡ଼ିକ ସତ୍ୟମୂଳକ । ସତ୍ୟମୂଳକ ତଥ୍ୟ ଉପରେ ଆଧାରିତ ବଳିଷ୍ଠ କଥାବସ୍ତୁରେ ପ୍ରେମ, ବିରହ ମିଳନର ଚିତ୍ର ହା ଅନ୍ନ ଉପନ୍ୟାସକୁ ଏକ ଅନବଦ୍ୟ ରୂପ ପ୍ରଦାନ କରିଅଛି ।

 

୧୯୩୪ ସାଲଠାରୁ ୧୯୪୫ ସାଲ ପର୍ଯ୍ୟନ୍ତ କାହ୍ନୁଚରଣଙ୍କ ଲେଖନୀ ଜନ୍ମ ଦେଇଛି ଦୁନିଆର ଦାଉ, ଓଲଟ ପାଲଟ, ପରକୀୟା, ଅନ୍ତରାୟ, ଉଦ୍ଦଣ୍ଡୀ କାଡ୍ରାକାଲେଲି, ଅଦେଖାହାତ, ପ୍ରତୀକ୍ଷା, ଭଲ ପାଇବାର ଶେଷ କଥା, ତୁଣ୍ଡବାଇଦ, ବନଗହନର ତଳେ, ଶାସ୍ତି ଓ ଏପାରି ସେପାରି-। ୧୯୪୫ ସାଲରେ ଶାସ୍ତି ରଚନା କରିବା ପର୍ଯ୍ୟନ୍ତ କାହ୍ନୁଚରଣ ଯେତେଖଣ୍ଡି ଉପନ୍ୟାସ ରଚନା କରିଅଛନ୍ତି ସେଗୁଡ଼ିକରେ ଅଧିକ ଭାବରେ ପ୍ରେମର ଚିତ୍ର ଦେଖିବାକୁ ମିଳେ । ପ୍ରେମର ଚିତ୍ର କେବଳ ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ିଦେଲେ କୌଣସିଠାରେ ଅଶ୍ଳୀଳତା ଦୋଷଦୁଷ୍ଟ ହୋଇନାହିଁ-। ଏହି ଉପନ୍ୟାସ ଗୁଡ଼ିକରେ ଲେଖକ ବିଭିନ୍ନ ସ୍ଥାନର ବିଶେଷତ୍ୱ ଓ ସାମାଜିକ ସମସ୍ୟାର ଉପସ୍ଥାପନ କରି ଅଛନ୍ତି । ମାତ୍ର ଶାସ୍ତି ଉପନ୍ୟାସ ରଚନା କରିବାରେ କାହ୍ନୁଚରଣ ଏକ ଅଦ୍ଭୁତପୂର୍ବ ସାଫଲ୍ୟ ଅର୍ଜନ କରିଅଛନ୍ତି । ନ’ଅଙ୍କ ଦୁର୍ଭିକ୍ଷର ଚିତ୍ର ହା ଅନ୍ନ ଉପନ୍ୟାସରେ ଉପସ୍ଥାପନ କରିସାରିବା ପରେ କାହ୍ନୁଚରଣ ନ’ଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ଅବସ୍ଥାର ଚିତ୍ର ପ୍ରଦାନ କରିବାକୁ ନେଇଛନ୍ତି ତେରବର୍ଷ ସମୟ । ଏହି ସମୟ ମଧ୍ୟରେ ସେ ଅନ୍ୟାନ୍ୟ ଉପନ୍ୟାସଗୁଡ଼ିକ ରଚନା କରିବା ସଙ୍ଗେ ସଙ୍ଗେ ଶାସ୍ତି ଉପନ୍ୟାସ ରଚନା ଲାଗି ପ୍ରସ୍ତୁତ ହେଉଥିଲେ । ହା ଅନ୍ନ ଉପନ୍ୟାସ ପରି ତଥ୍ୟ ଶାସ୍ତି ଉପନ୍ୟାସରେ ସ୍ଥାନ ପାଇ ନଥିଲେହେଁ ଶାସ୍ତିର ପୃଷ୍ଠଭୂମି ଓଡ଼ିଶାର ସାମାଜିକ ଇତିହାସର ଅମର ସ୍ୱାକ୍ଷର ବହନ କରିଅଛି । ନଅଙ୍କ ଦୁର୍ଭିକ୍ଷ ପରେ ଜାତିର ପୁନର୍ଗଠନର ଭୂମିକା ଉପରେ ଶାସ୍ତି ଉପନ୍ୟାସ ପରିକଳ୍ପିତ ।

 

୧୯୪୬ ସାଲଠାରୁ ୧୯୫୪ ସାଲ ମଧ୍ୟରେ କାହ୍ନୁଚରଣ ଅଭିନେତ୍ରୀ, ଭୁଲିହୁଏନା, ଝନ୍‌କା, ମିଳନର ଛନ୍ଦ, ଶର୍ବରୀ, ପରୀ ଓ କା ଉପନ୍ୟାସଗୁଡ଼ିକ ରଚନା କରିଅଛନ୍ତି । ଏହା ଉପନ୍ୟାସଗୁଡ଼ିକ କାହ୍ନୁଚରଣଙ୍କର ପ୍ରତିଭା ବିକାଶର ତୃତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ରଚିତ ହୋଇଥିବା ଉପନ୍ୟାସଗୁଡ଼ିକ ଅତ୍ୟନ୍ତ ଉଚ୍ଚକୋଟୀର ହୋଇ ପାରିଅଛି । କଥାବସ୍ତୁ, ଚରିତ୍ର ଚିତ୍ରଣ, ବର୍ଣ୍ଣନାବିଳାସ, ସାମାଜିକ ସମସ୍ୟାର ରୂପାୟନ ପ୍ରଭୃତି ପ୍ରତ୍ୟେକ ବିଷୟରେ ଲେଖକ ନିଜର ସିଦ୍ଧହସ୍ତତା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି । ଯେଉଁ କେତେକ ସମାଲୋଚକ ମତପ୍ରଦାନ କରିଅଛନ୍ତି ଯେ କାହ୍ନୁଚରଣଙ୍କର ଲେଖାରେ ବଳିଷ୍ଠ କଥାବସ୍ତୁକୁ ଛାଡ଼ିଦେଲେ ବିଶେଷ କିଛି ଆଉ ଲକ୍ଷ୍ୟ କରିବାର ନାହିଁ ଏବଂ ତାଙ୍କ ଲେଖାରେ ବୌଦ୍ଧିକ ଉପାଦାନର ଏକାନ୍ତ ଅଭାବ । ସେମାନେ ହୁଏତ କାହ୍ନୁଚରଣଙ୍କର ସୃଷ୍ଟିର ଉପଯୁକ୍ତ ସମୀକ୍ଷା ନକରି ଏପରି ମତ ପ୍ରକାଶ କରିଥାଆନ୍ତି । କାହ୍ନୁଚରଣଙ୍କର ଏହି ସମୟରେ ଲିଖିତ ଉପନ୍ୟାସମାନଙ୍କରେ ବୌଦ୍ଧିକ ଉପାଦାନର ଯେ ଯଥେଷ୍ଟ ବିକାଶ ସାଧିତ ହୋଇଅଛି, ଏକଥା ଭୁଲିଗଲେ ଚଳିବ ନାହିଁ । ଅଭିନେତ୍ରୀରେ ଲେଖକ ଯେ ଜଣେ ଉତ୍‌କୃଷ୍ଟ କଳାକାର- ଏକଥା ପ୍ରମାଣ କରିଅଛନ୍ତି । ଝନ୍‌କା ଉପନ୍ୟାସରେ ଯେପରି ବୌଦ୍ଧିକ ଉପାଦାନର ପ୍ରକାଶ ହୋଇଅଛି ତାହା ବିଶେଷ ଉଲ୍ଲେଖଯୋଗ୍ୟ । ଶର୍ବରୀର ରଚନା କାହ୍ନୁଚରଣଙ୍କର ଏକ ନୂତନ ପରୀକ୍ଷା । କା ଉପନ୍ୟାସରେ ଲେଖକ ମନସ୍ତତ୍ତ୍ୱର ଚିତ୍ର ଯେପରି ଭାଷା ମାଧ୍ୟମରେ ଅଙ୍କନ କରିଅଛନ୍ତି ତାହା ଏକାନ୍ତ ଅନବଦ୍ୟ ।

 

୧୯୫୬ ସାଲଠାରୁ ଅଦ୍ୟାବଧି କାହ୍ନୁଚରଣଙ୍କ ଲେଖନୀରୁ ବଜ୍ରବାହୁ, ଢେଉଢ଼େଉକା, ବଗବଗୁଲି, ଇତିହ ଓ ତମସାତୀରେ ଉପନ୍ୟାସଗୁଡ଼ିକ ଜନ୍ମଲାଭ କରିଛନ୍ତି । ବଜ୍ରବାହୁ ଉପନ୍ୟାସର ରଚନା ହିଁ କାହ୍ନୁଚରଣଙ୍କର ଜାତୀୟତାର ନିଦର୍ଶନ । ତାଙ୍କର ଅନ୍ୟ ଏକ ରଚନା ତମସାତୀରେ ଓଡ଼ିଆ ଉପନ୍ୟାସ ରାଜ୍ୟରେ ଏକ ବିସ୍ମୟ । ଦଣ୍ଡକାରଣ୍ୟଯୋଜନା ଓ ଆଶ୍ରୟପାର୍ଥୀମାନଙ୍କର ସମସ୍ୟାର ଚିତ୍ରଣ ଏହି ଉପନ୍ୟାସର ଉପଜୀବ୍ୟ ବିଷୟ । ଏଠାରେ ଆଉ ଗୋଟିଏ ବିଷୟ ଉଲ୍ଲେଖ କଲେ ଅପ୍ରାସଙ୍ଗିକ ହେବ ନାହିଁ । କାହ୍ନୁଚରଣ ତାଙ୍କର ସମଗ୍ର ଜୀବନର ସାଧନାରେ ବିଶିଷ୍ଟ ସ୍ରଷ୍ଟାଭାବରେ ପ୍ରତିଷ୍ଠିତ ହେବା ସତ୍ତ୍ୱେ କେତେକ ଆଲୋଚକ ତାଙ୍କର ସାହିତ୍ୟ ସାଧନା ବିଷୟରେ ପ୍ରକୃଷ୍ଟ ସମାଲୋଚନା ନକରି ତାଙ୍କର ଦୋଷ ବାଛିବାରେ ପ୍ରୟାସୀ ହୋଇଥାଆନ୍ତି । ଏଠାରେ ଜଣେ ଆଲୋଚକଙ୍କର ମତ ଏପରି ବିଷୟରେ ଉଦ୍ଧାର କରାଯାଇପାରେ । ଆଲୋଚକ ବ୍ରଜମୋହନ ମହାନ୍ତି ତାଙ୍କର ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗ ପୁସ୍ତକର ଦ୍ୱିତୀୟ ଭାଗରେ ହା ଅନ୍ନ ଉପନ୍ୟାସ ବିଷୟକ ଆଲୋଚନାରେ ଲେଖିଅଛନ୍ତି, ‘‘ଜାତୀୟତାକୁ ସମର୍ଥନ କଲାପରି ଭାବୋଦ୍‌ବେଗ ତାଙ୍କ ହୃଦୟରେ ଥିଲେ ମଧ୍ୟ-ଚାକିରି ବା କର୍ମସଂସ୍ଥା ଦୃଷ୍ଟିରୁ ଶାସନ ବିରୁଦ୍ଧରେ ଠିଆ ହେବାପାଇଁ ସେ ସାହସ କରିପାରି ନଥିଲେ । ଏଇଥିପାଇଁ ଏକ ବିରାଟ ସ୍ୱାଧୀନତା ଆନ୍ଦୋଳନ ଅତିକ୍ରମ କରିଗଲା, ହେଲେ କାହ୍ନୁଚରଣଙ୍କର କୌଣସି ଉପନ୍ୟାସରେ ଏ ଆନ୍ଦୋଳନ ରେଖାପାତ କରି ପାରିଲା ନାହିଁ । ଅବଶ୍ୟ ଶ୍ରୀ କାହ୍ନୁଚରଣଙ୍କୁ ଜଣେ ବିଚାରଶୀଳ, ବିଶ୍ୱସ୍ତ, ଅନୁଗତ ନାଗରିକ ବୋଲି କୁହାଯାଇ ପାରେ । ହେଲେ ଲେଖକର ପ୍ରଧାନଗୁଣ ହେଉଛି ନିଜର ସ୍ୱାଧୀନ ଓ ସ୍ୱତନ୍ତ୍ର ମତ ବ୍ୟକ୍ତ କରିବାରେ । ଯେତେବେଳେ ସେ ଏ ଦିଗରେ ପଛରେ ପଡ଼ିଯାଇଛନ୍ତି-ସେତେବେଳେ ତାଙ୍କୁ ସମାଲୋଚନା କରିବାର ଆବଶ୍ୟକତା ରହିଛି ।’’

 

ଆଲୋଚକଙ୍କର ଏ ମତ ଯେ ନିତାନ୍ତ ଅପରିପକ୍ୱ ସିଦ୍ଧାନ୍ତର ପ୍ରକାଶ କହିବା ବାହୁଲ୍ୟ ମାତ୍ର । କାହ୍ନୁଚରଣଙ୍କର ସୃଷ୍ଟି ମାନସର ପ୍ରକୃଷ୍ଟ ପରିଚୟ ଆଲୋଚକ ପାଇନାହାନ୍ତି । କୌଣସି ସ୍ରଷ୍ଟାର ସୃଷ୍ଟି ସଂପଦର ଯଥାର୍ଥ ଆଲୋଚନା କରିବାକୁ ହେଲେ କେବଳ ଉପରେ ଉପରେ ଭାସିଗଲେ ଚଳିବ ନାହିଁ । ୧୯୨୫ ସାଲଠାରୁ କାହ୍ନୁଚରଣ ଯେପରି ଭାବରେ ଆମରି ନିତିଦିନିଆ ଜୀବନର ସମାଜକୁ କେନ୍ଦ୍ର କରି ତାଙ୍କର ଉପନ୍ୟାସଗୁଡ଼ିକ ରଚନା କରି ଚାଲିଛନ୍ତି ସେଥିପ୍ରତି ଆଲୋଚକଗଣ ସତର୍କ ଦୃଷ୍ଟି ରଖିବା ପ୍ରୟୋଜନ । କାହ୍ନୁଚରଣଙ୍କ ରଚନାରେ ସମୟର ପ୍ରାଣସ୍ପନ୍ଦନ ଯେପରି ଭାବରେ ପ୍ରକାଶଲାଭ କରିଅଛି ତାହାକୁ କେବେହେଲେ ଅସ୍ୱୀକାର କରିହେବ ନାହିଁ । ସଭ୍ୟତା ଓ ସମାଜର ଅଗ୍ରଗତି ସହିତ ତାଳରଖି ତାଙ୍କର ଲେଖନୀ ଅଗ୍ରସର ହେଉଅଛି । ହା ଅନ୍ନ ଓ ଶାସ୍ତିରେ ସେ ଏ ଜାତିର ଅତୀତ ଜୀବନର ଦାରୁଣ ବିପର୍ଯ୍ୟୟକୁ ରୂପଦାନ କରି ଜାତିକୁ ସତର୍କ କରିଦେଇଅଛନ୍ତି । ସେଥିରେ କଣ ତାଙ୍କର ଜାତୀୟତା ପ୍ରକାଶ ପାଇନାହିଁ ? ଝଞ୍ଜାରେ କାହ୍ନୁଚରଣ ଆମ ସମାଜର ଆଧୁନିକତାକୁ ଯେପରି ଦୃଷ୍ଟିରେ ଦେଖିଛନ୍ତି ସେପରି ଦୃଷ୍ଟିରେ ଆଉ ଦେଖିଛି କିଏ-? ବଜ୍ରବାହୁ ଉପନ୍ୟାସରେ ଏଜାତିର ପ୍ରଗତି ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଛନ୍ତି ସେ ସ୍ୱପ୍ନକୁ ଏଜାତି କଣ କେବେହେଲେ ଅସ୍ୱୀକାର କରିପାରେ ? ତମସାତୀରେ ଉପନ୍ୟାସରେ କାହ୍ନୁଚରଣ ଏକ ସମସାମୟିକ ସମସ୍ୟାକୁ ଯେପରି ଭାବରେ ରୂପାୟନ କରିଅଛନ୍ତି ତାହା ଅନ୍ୟ କୌଣସି ଔପନ୍ୟାସିକ ପକ୍ଷରେ ସମ୍ଭବପର ହୋଇପାରିନାହିଁ ।

 

ଭାରତରେ ଜାତୀୟ ଆନ୍ଦୋଳନ ବିଷୟରେ କୌଣସି କଥା ଲେଖିନାହାନ୍ତି ବୋଲି କାହ୍ନୁଚରଣଙ୍କୁ ଦୋଷଦେବା କେବେହେଲେ ଉଚିତ ହେବନାହିଁ । କାରଣ କାହ୍ନୁଚରଣ ଜଣେ ପ୍ରକୃଷ୍ଟ କଳାକାର । ସାହିତ୍ୟର କଳାଦିଗ ପ୍ରତି ସେ ସର୍ବଦା ସଚେତନ । କୌଣସି ଆନ୍ଦୋଳନ ବା ବିପ୍ଳବକୁ କେନ୍ଦ୍ରକରି ରାଜନୀତିର ସ୍ଳୋଗାନ ଦେଇ ସାହିତ୍ୟ ସୃଷ୍ଟି କରିବା ତାଙ୍କ ଦୃଷ୍ଟିରେ ଆଦୌ ସମୀଚୀନ ନୁହେଁ । ସାମୟିକ ଉତ୍ତେଜନା ଉପରେ ଗୁରୁତ୍ୱ ନଦେଇ ଜାତିର ଗଠନ ପାଇଁ, ସମାଜର ସୌଷ୍ଠବାନ୍ୱିତ ଅଭିବୃଦ୍ଧି ପାଇଁ ତାଙ୍କର ଲେଖନୀ ଚଳଚଞ୍ଚଳ ହୋଇ ଉଠିଅଛି । ସେ ସବୁବେଳେ ସ୍ୱପ୍ନ ଦେଖିଛନ୍ତି ଏକ ଆଗାମୀ ଦିନର । ଏଥିପାଇଁ ଆଜିର ଜଗତଠାରୁ ସେ ଆରମ୍ଭ କରିଛନ୍ତି ତାଙ୍କର ଯଥାଯଥ ଅଭିଯାନ । ତାଙ୍କର ଉପନ୍ୟାସଗୁଡ଼ିକର ସୁବିସ୍ତୃତି ଆଲୋଚନା କରିବା ନିମନ୍ତେ ଏଠାରେ ବ୍ୟାପକ ପରିସର ନାହିଁ । ତେଣୁ ସେ ବିଷୟରେ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ସେ ବାହାରର ଲୋକ ଦେଖାଣିଆ ସ୍ଳୋଗାନ ଉପରେ ଜୋର ନଦେଇ ସମାଜର ଆଭ୍ୟନ୍ତରୀଣ ସମସ୍ୟା ଉପରେ ଜୋର ଦେଇଛନ୍ତି । ରାଜନୀତିର ସ୍ଳୋଗାନ୍ ଉପରେ ନିର୍ଭର କରି ଦେଶ ଓ ଜାତି କେବେହେଲେ ନିଜର ଅସ୍ତିତ୍ୱ ବଜାୟ ରଖିପାରେନା । ସେଥିପାଇଁ ଭାରତର ଜନନାୟକାମାନେ ବାରମ୍ବାର ବଜ୍ରଗମ୍ଭୀର ସ୍ୱରରେ ପ୍ରକାଶ କରିଅଛନ୍ତି ଯେ ସ୍ୱାଧୀନତା ପାଇବାପାଇଁ ସଂଗ୍ରାମ କରିବାଟା ବଡ଼କଥା ନୁହେଁ, ସ୍ୱାଧୀନତା ପରେ ଆମର ଜାତିକୁ ନୂଆରୂପରେ ଗଢ଼ିବାପାଇଁ ତତ୍ପର ହେବାହିଁ ବଡ଼କଥା । ତା ନହେଲେ ଏ ଜାତି ତାର ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ଅସମର୍ଥ ହୋଇପଡ଼ିବ । ଭାରତର ଜନନାୟକମାନଙ୍କର ଏହି ମତ ପ୍ରତି ଭାରତର ବୁଦ୍ଧିଜୀବୀ ଶ୍ରେଣୀ ଯଦି ସତର୍କ ରହିଥାଆନ୍ତେ ତେବେ ଆଜି ସ୍ୱାଧୀନ ଭାରତରେ ଜାତିକୁ ଗୋଟିଏ ପରେ ଆଉ ଗୋଟିଏ ହୋଇ ଯେତେଗୁଡ଼ିଏ ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ହୋଇନଥାନ୍ତା । ତେଣୁ କେବଳ ସ୍ଳୋଗାନ୍ ଦେଇ କୌଣସି ଜାତି ବଞ୍ଚିପାରେନା । ଜାତିର ଅସ୍ତିତ୍ୱ ବଜାୟ ରଖିବାକୁ ହେଲେ ତାକୁ ଶକ୍ତିଶାଳୀ କରିବାକୁ ହେବ । ଏଥିପାଇଁ ସମାଜର ବାହାର ଅପେକ୍ଷା ଭିତରର କଥାଗୁଡ଼ିକ ସଜାଡ଼ିବାହିଁ ସର୍ବାଦୌ ବିଧେୟ । ଆଜି ଭାରତୀୟର ଆତ୍ମପରୀକ୍ଷାର ସମୟ ଆସିଛି । ଏକଥା ସମସ୍ତେ ହୁଏତ ଅନୁଭବ କରିସାରିଲେଣି ।

 

କାହ୍ନୁଚରଣଙ୍କର ଉପନ୍ୟାସଗୁଡ଼ିକୁ ଆଲୋଚନା କରିବା ସମୟରେ ତାଙ୍କରି ସମୟରେ ତାଙ୍କର ଦୂରଦୃଷ୍ଟି ବିଷୟରେ ଆଲୋଚକ ଅବହିତ ରହିବା ଏକାନ୍ତ ଆବଶ୍ୟକ । ତା ନହେଲେ ତାଙ୍କର ସୃଷ୍ଟି ସମ୍ପଦର ସୌନ୍ଦର୍ଯ୍ୟ ଯଥାର୍ଥ ଭାବରେ ପ୍ରକାଶ ପାଇ ପାରିବ ନାହିଁ । ଓଡ଼ିଆ ସାହିତ୍ୟରେ ଫକୀରମୋହନ ଦିନେ ଯେଉଁ ସ୍ୱପ୍ନ ଦେଖିଥିଲେ ତାଙ୍କର ଲେଖନୀ ଏଜାତିକୁ ଆହୁରି ଅଧିକ କିଛି ଦାନ କରି ଜାତୀୟ ସାହିତ୍ୟର ଅଭିବୃଦ୍ଧି ସମ୍ପାଦନ କରିବାପାଇଁ ଯେ ସମର୍ଥ, ଏ ବିଶ୍ୱାସ ଏବେ ମଧ୍ୟ ଏଜାତି ରଖିଛି ।

 

ଅଧ୍ୟାପକ ଜାନକୀବଲ୍ଲଭ ମହାନ୍ତି ତାଙ୍କର ଓଡ଼ିଆ ଉପନ୍ୟାସ ଓ ଶାସ୍ତି ନାମକ ଆଲୋଚନା ପୁସ୍ତକରେ ପ୍ରକାଶ କରିଅଛନ୍ତି ଯେ କାହ୍ନୁଚରଣ ଆଇ. ଏସ୍. ସି. ପାସ୍ କରିବା ବେଳକୁ ଉତ୍ସବେ ବ୍ୟସନ ନାମକ ଏକ ଉପନ୍ୟାସ ରଚନା କରିଥିଲେ ଓ ତାପରେ ଇଷ୍ଟସିଦ୍ଧି ନାମକ ଆଉ ଗୋଟିଏ ଉପନ୍ୟାସ ରଚନା କରିଥିଲେ । ତେଣୁ ବାଲିରାଜା ତାଙ୍କର ତୃତୀୟ ଉପନ୍ୟାସ । କାହ୍ନୁଚରଣଙ୍କର ପ୍ରଥମ ଦୁଇଗୋଟି ଉପନ୍ୟାସ ଯଥା- ସମୟରେ ଆତ୍ମପ୍ରକାଶ କରି ନଥିବାରୁ ସେ ଦୁଇଟି ଉପନ୍ୟାସକୁ ଆଲୋଚନାର ପରିସର ଭିତରକୁ ନଆଣି ବାଲିରାଜାକୁ ତାଙ୍କର ପ୍ରଥମ ପ୍ରକାଶିତ ଉପନ୍ୟାସ ରୂପେ ଗ୍ରହଣ କଲେ କୌଣସି ଅସମୀଚୀନତାର ପ୍ରଶ୍ନ ଉଠି ନପାରେ ।

 

୧୯୨୫ ସାଲରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ କାହ୍ନୁଚରଣ ଏ ଜାତିକୁ ଯେତିକି ଦାନ କରିଛନ୍ତି ସେଥିପାଇଁ ସେ ଏଜାତିର ନମସ୍ୟ ହୋଇ ରହିବେ ।

☆☆☆

 

ସୃଷ୍ଟିର ବର୍ଣ୍ଣ-ବୈଚିତ୍ର୍ୟ

 

ଓଡ଼ିଆ ଉପନ୍ୟାସ ସୃଷ୍ଟି ହେବା ସମୟରେ ପଦ୍ମମାଳୀ, ବିବାସିନୀ ବା ଭୀମାଭୂୟାଁ ଉପନ୍ୟାସ ଗୁଡ଼ିକରେ ସ୍ରଷ୍ଟାମାନଙ୍କର ସୃଷ୍ଟି ସୌର୍ଯ୍ୟର ବୈଶିଷ୍ଟ୍ୟ ପରିଲିକ୍ଷିତ ହୁଏନାହିଁ । ସେମାନେ କେବଳ କାହାଣୀଗୁଡ଼ିଏ ବର୍ଣ୍ଣନା କଲା ଭଳି ରୀତିରେ ଉପନ୍ୟାସ ରଚନା କରିଯାଇଅଛନ୍ତି । ଉପନ୍ୟାସରେ ଚରିତ୍ର ଚିତ୍ରଣ, ବର୍ଣ୍ଣନା ବିଳାସ, କଥାବସ୍ତୁର ନୂତନତ୍ୱ ସଂସ୍କାରପ୍ରୟାସ କୌଣସିଟିରେ ଏହି ଔପନ୍ୟାସିକମାନେ ନିଜତ୍ୱ ଦେଖାଇ ପାରିନାହାନ୍ତି । ପ୍ରକୃତି ବର୍ଣ୍ଣନା କରିବାକୁ ଯାଇ ଏହି ତିନିଜଣ ଔପନ୍ୟାସିକ ଯେପରି ଭାବରେ ଉପନ୍ୟାସର କଳେବରକୁ ମଣ୍ଡଳ କରିଅଛନ୍ତି ତାହା ଏଠାରେ ଉଲ୍ଲେଖ କଲେ ଅପ୍ରାସଂଙ୍ଗିକ ହେବନାହିଁ ।

 

ପ୍ରଥମ ଓଡ଼ିଆ ଉପନ୍ୟାସ ପଦ୍ମମାଳୀରେ ଉମେଶଚନ୍ଦ୍ର ସରକାର ଅଷ୍ଟମ ପରିଚ୍ଛେଦରେ ଗୋଟିଏ ପ୍ରକୃତି ବର୍ଣ୍ଣନା ଦେଇଛନ୍ତି । ତାହା ହେଉଛି, ‘‘ପ୍ରତ୍ୟଷେ ଉଷାଦେବୀ ଅପୂର୍ବ ଶୋଭା ଧାରଣ କରିଥିଲେ । ଗତ ରାତ୍ରିରେ ବର୍ଷାନନ୍ତର ବୃକ୍ଷ-ତୃଣ-ପଲ୍ଲବ ସତେଜ ଦିଶୁଥିଲା । ଦୟାଳୁ, କପୋତ, ବୁଲୁବୁଲୁ ଇତ୍ୟାଦି ପକ୍ଷିଙ୍କର କୂଜନ କର୍ଣ୍ଣରେ ଅମୃତ ଢାଳୁଥିଲା । ମନ୍ଦ ମନ୍ଦ ସମୀରଣ ଅଙ୍ଗକୁ ଶୀତଳ କରୁଥିଲା । ଏ ସକଳ ଶୋଭାରେ ବଳବନ୍ତରାୟର ମନ ଉଲ୍ଲସିତ ହେଲାରୁ ସେ ଏକ ସ୍ୱରର ଆଳାପ କରୁ କରୁ ଅଗ୍ରସର ହେଉଥିଲା ।’’

 

ଏହି ବର୍ଣ୍ଣନାରେ ଲେଖକଙ୍କର ସିଦ୍ଧହସ୍ତତାର ଅଭାବ ପ୍ରକାଶ ପାଇଅଛି । ପଦ୍ମମାଳୀ ଓଡ଼ିଆ ଉପନ୍ୟାସ ଭାବରେ ପ୍ରଥମ ଉପନ୍ୟାସ ହେଲେହେଁ ଓଡ଼ିଆ ଗଦ୍ୟଭାଷା ଯେ ପଦ୍ମମାଳୀର ସୃଷ୍ଟି ସମୟକୁ ସମୃଦ୍ଧ ହୋଇ ସାରିଥିଲା ଏ ବିଷୟରେ ମତଦ୍ୱୈଧ ନଥାଇ ପାରେ । ଏପରି ଅବସ୍ଥାରେ ପଦ୍ମମାଳୀର ପ୍ରକାଶ ଭଙ୍ଗୀ ଯେ ଆଦୌ ସୁଖକର ନୁହେଁ ଏ କଥା ନିର୍ଦ୍ଦ୍ୱନ୍ଦ୍ୱରେ କୁହାଯାଇପାରେ । ସେହିପରି ଭୀମାଭୂୟାଁ ଉପନ୍ୟାସ ଓ ବିବାସିନୀ ଉପନ୍ୟାସରେ ପ୍ରକାଶଭଙ୍ଗୀର ଦୁର୍ବଳତା ରହିଅଛି । ବିବାସିନୀ ଉପନ୍ୟାସର ସପ୍ତଦଶ ପରିଚ୍ଛେଦରେ ଜଟିଆକୁଦର ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା କରିବାକୁ ଯାଇ ଔପନ୍ୟାସିକ ଲେଖିଅଛନ୍ତି ।

 

‘‘ଜଟିଆକୁଦର ଠିକ୍ ମଧ୍ୟଭାଗରେ କଣ୍ଟାକୋଳିର ବିସ୍ତୃତ ବନ ଥିଲା । ତହିଁ ମଧ୍ୟରେ ଅନେକ ଦୂର ପର୍ଯ୍ୟନ୍ତ ଗୋଟିଏ ଅପ୍ରଶସ୍ତ ବାଟ ଥିଲା । ସେହି ବାଟରେ ଉଭୟ ପାର୍ଶ୍ୱରେ ଧାଡ଼ି ହୋଇ କଣ୍ଟାକୋଳିଗଛ ଓ ଉପରେ ତହିଁର ଶାଖାମାନ ମିଳିତ ହୋଇ ସୂର୍ଯ୍ୟଦେବଙ୍କୁ ବାଟଟି ଲୁଚାଇରଖି ପରମସୁଖରେ ବାଟର ଶୋଭାବର୍ଦ୍ଧନ କରିଅଛି । ସୁତରାଂ ବାଟରେ ଗଲାବେଳେ ସୁଡ଼ଙ୍ଗରେ ଗମନ କଲା ପ୍ରାୟ ଜଣାଯାଇ ବିଜନ ସ୍ଥାନରେ ମନରେ ଅପୂର୍ବ ବୈରାଗ୍ୟଭାବ ଜାତ ହୁଏ । ଠିଆ ହୋଇଯିବାର ଉପାୟ ନାହିଁ । ଗଳି ଗଳି ଯାଇ ଅବଶେଷରେ ଗୋଟିଏ ବଟବୃକ୍ଷମୂଳରେ ଏକ ହୁଙ୍କା ପୁଷ୍ପ-ଚନ୍ଦନ-ଚର୍ଚ୍ଚିତ ହୋଇ ବିରାଜିତ ଥିବା ଏବଂ ତହିଁ ପାର୍ଶ୍ୱରେ ହନୁମାନଙ୍କ ପର୍ଣ୍ଣକୁଟୀର ଅବସ୍ଥାପିତ ଥିବା ଦେଖାଯିବ ।’’

 

ପରୀକ୍ଷାକରି ଦେଖିଲେ ପଦ୍ମମାଳୀର ବର୍ଣ୍ଣନା ଅପେକ୍ଷା ବିବାସିନୀର ବର୍ଣ୍ଣନା ସାମାନ୍ୟ ପରିମାଣରେ ଉନ୍ନତ । ରାମଶଙ୍କର ଉମେଶଚନ୍ଦ୍ରଙ୍କ ଅପେକ୍ଷା କମ୍ ସଂସ୍କୃତ ଶଦ୍ଦ ବ୍ୟବହାର କରିଅଛନ୍ତି । ଉମେଶଚନ୍ଦ୍ର ସାଧୁଭାଷା ବ୍ୟବହାର କରିବାପାଇଁ ଅତିମାତ୍ରାରେ ସତର୍କତା ଅବଲମ୍ବନ କରି ଉପନ୍ୟାସର ଭାଷାଗତ ଶୈଳୀକୁ ନଷ୍ଟ କରିଅଛନ୍ତି । ରାମଶଙ୍କର କଥିତଭାଷାର ଶବ୍ଦରାଜି ବ୍ୟବହାର କରିଥିଲେହେଁ ବର୍ଣ୍ଣନାର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିପାରି ନାହାନ୍ତି । ଏ ବର୍ଣ୍ଣନାକୁ ପାଠକଲେ ପାଠକର ମନ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୁଏ ନାହିଁ । ରାମଶଙ୍କର ଗୋଟିଏ ଦୃଶ୍ୟକୁ କେବଳ ଦେଖିଲା ଆଖିରେ ବର୍ଣ୍ଣନା କରିଛନ୍ତି ମାତ୍ର ।

 

ଭୀମାଭୂୟାଁ ଉପନ୍ୟାସର ପ୍ରଥମ ପରିଚ୍ଛେଦରେ ଗୋପାଳ ବଲ୍ଲଭ ଗୋଟିଏ ପ୍ରାକୃତିକ ପରିବେଶର ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି, ‘‘ମଗୁଶିରରେ ଶିର ଶିରିଆ, ପୁଷରେ ଭୁଷଭୁଷିଆ ଶୀତ ହେଲେ ବି ନିର୍ବାଣୋନ୍ମୁଖ ପ୍ରଦୀପ, ଆହତ ମୁମୁର୍ଷୁ ବ୍ୟାଘ୍ର ଭଲ୍ଲୁକଙ୍କ ପରି ମାଘରେ ଶୀତର ବଡ଼ ରାଗ ବୋଲି ଜଣା ଶୁଣା । ମାଘ ଗଲାଣି ତଥାପି ରାଗ ଦାଗ ଯାଇନାହିଁ । ଅରୁଣ ଦେବ ଅଗ୍ନିକୋଣରୁ ଅପସରିବା ଆରମ୍ଭିଲେଣି; କିନ୍ତୁ ଉଷାଦେବୀ କୁଜଝଟି ଓଢ଼ଣା ଅନ୍ତର କରିନାହାନ୍ତି । ସୂର୍ଯ୍ୟଦେବ ଡରି ଡରି ଥରି ଥରି ଉଇଁଲାପରି ଦେଖାଯାଉଛନ୍ତି । ଦୀନନାଥଙ୍କର ଦୈନ୍ୟଭାବ ଦିଗ୍‌ବଳୟରେ ପ୍ରତିବିମ୍ବିତ । ପଣ୍ଡୁ ପତନରେ ପ୍ରପୀଡ଼ିତ ପାଦପେ ପୋଡ଼ାପତର ପକାଇ ସାରିନାହାନ୍ତି । ପ୍ରାତଃକାଳୀନ ଧୂମୋଦ୍‌ଗମରେ ସରିତ ତଡ଼ାଗ ଧୂସରାୟିତ । ବସନ୍ତପଞ୍ଚମୀ ସଙ୍ଗେ ଆସିଥିଲେହେଁ ୠତୁରାଜଙ୍କର ଚୋରପରି ଆଚରଣ ରହିଅଛି । ତଥାପି ଅଗ୍ନି ଜଳିଲା, ଶୀତ ଟଳିଲା, ବଚନ ଥିବାରୁ ଶତ୍ରୁ ନିର୍ମୂଳ ନୋହିଥିଲେହେଁ, ଯେଉଁ ପ୍ରକୃତିଦ୍ୱରା ପ୍ରଣୋଦିତ ହୋଇ ରଣବିଜୟୀ ଛତ୍ରପତି, ସେନାପତି, ନାୟକ, ପାୟିକ ପ୍ରଭୁତି ନରକଙ୍କ ଲାଛାଦିତ ରଣଭୂମିର ଶୋଣିତ ସ୍ରୋତସ୍ୱତୀ କୂଳେ ଆମୋଦପ୍ରମୋଦରେ ମତ୍ତ ହୋଇଥାଆନ୍ତି, ସେହି ପ୍ରକୃତିର ବଶବର୍ତ୍ତୀ ହୋଇ ପ୍ରକୃତିରାଣୀଙ୍କ କ୍ରୋଡ଼ରେ ଲାଳିତପାଳିତ ପ୍ରକୃତି ସନ୍ତାନ ଭୂଇଆଁମାନେ ଆଜି ମାଘପୋଡ଼ା ପର୍ବରେ ମାତିଛନ୍ତି ।’’

 

ମାଘପୋଡ଼ା ପର୍ବ ବିଷୟରେ ସୂଚନା ଦେବାକୁ ଯାଇ ଔପନ୍ୟାସିକ ଏକ ଦୀର୍ଘ ପ୍ରକୃତି ବର୍ଣ୍ଣନା ଏଠାରେ କରିଅଛନ୍ତି । ଏହି ବର୍ଣ୍ଣନାକୁ ସୀମିତ କରି ବର୍ଣ୍ଣନାର ସୌକର୍ଯ୍ୟ ସମ୍ପାଦନ କରାଯାଇ ପାରିଥାଆନ୍ତା । ମାତ୍ର ଲେଖକ ସେଥିପ୍ରତି ସତର୍କତା ଅବଲମ୍ବନ କରିନାହାନ୍ତି । ପ୍ରକୃତିର ଦୃଶ୍ୟ ବା ସୌନ୍ଦର୍ଯ୍ୟ ପ୍ରକାଶ କରିବାପାଇଁ ଔପନ୍ୟାସିକ ଏଠାରେ ଏକ କବିର ଆଦର୍ଶକୁ ଗ୍ରହଣ କରିଅଛନ୍ତି । ଉପନ୍ୟାସ ସାହିତ୍ୟ କବିତା ବା କାବ୍ୟ ନୁହେଁ । ତେଣୁ ଏପରି ବର୍ଣ୍ଣନା ତାତ୍ପର୍ଯ୍ୟ ଏଠାରେ ଦୋଷାବହ ସିନା, ଗୌରବର କଥା ନୁହେଁ । ଭାଷା ବ୍ୟବହାର ନିତାନ୍ତ ଅସମରୀତିରେ ଏଠାରେ ହୋଇଅଛି । ଶବ୍ଦ ପ୍ରୟୋଗରେ ଲେଖକ ନିଜର ସ୍ୱାଭାବିକତା ନଷ୍ଟ କରିଅଛନ୍ତି ।

 

ପ୍ରକୃତି ବର୍ଣ୍ଣନାର ଦୀର୍ଘତା ଯେ ଆଧୁନିକ ଉପନ୍ୟାସର ଏକ ଦୋଷ ସେ କଥା କେହି କହୁନାହିଁ । ମାତ୍ର ବର୍ଣ୍ଣନା ଯଦି ଦୀର୍ଘ ହୁଏ ତେବେ ତାହା ପାଠକର ଧୈର୍ଯ୍ୟଚ୍ୟୁତି ଘଟାଏ । ସିଦ୍ଧହସ୍ତ ଲେଖକ ପାଠକର ଧୈର୍ଯ୍ୟଚ୍ୟୁତି ନଘଟାଇ ବର୍ଣ୍ଣନାକୁ ଦୀର୍ଘ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରିଥାଏ । ଓଡ଼ିଆ ଉପନ୍ୟାସର ଆଦିମ ଅବସ୍ଥାରେ ସୁଷ୍ଠ ତିନିଗୋଟି ଉପନ୍ୟାସର ବର୍ଣ୍ଣନା ଶୈଳୀ ପରୀକ୍ଷା କଲେ ଆମକୁ ସନ୍ତୋଷଜନକ ଅବସ୍ଥାରେ କେବେହେଲେ ପହୁଞ୍ଚିବାକୁ ହେବନାହିଁ । ଓଡ଼ିଆ ଉପନ୍ୟାସର ବର୍ଣ୍ଣନା ଶୈଳୀ କ୍ରମାଗତ ଭାବରେ ପାଠକର ରୁଚି ଅନୁସାରେ ମାର୍ଜିତ ରୂପ ପରିଗ୍ରହ କରିଅଛି । ଓଡ଼ିଆ ଉପନ୍ୟାସ ସାହିତ୍ୟର ପ୍ରତିଷ୍ଠାତା ଫକୀର ମୋହନ ସେନାପତିଙ୍କର ରଚନାରେ ଅନେକତ୍ର ବର୍ଣ୍ଣନାର ଦୀର୍ଘତା ପରିଦୃଷ୍ଟ ହୋଇଥାଏ । ମାତ୍ର ବର୍ଣ୍ଣନା ଶୈଳୀରେ ଫକୀର ମୋହନଙ୍କର ଦକ୍ଷତା ଥିବାରୁ ତାହା ପାଠକକୁ ଆନନ୍ଦ ଦେଇଥାଏ । ଫକୀର ମୋହନଙ୍କର ଏପରି ଦୀର୍ଘ ବର୍ଣ୍ଣନା ପାଠକଲେ ପାଠକର ଧୈର୍ଯ୍ୟଚ୍ୟୁତି ଘଟି ନଥାଏ । ଛ ମାଣ ଆଠଗୁଣ୍ଠ ଉପନ୍ୟାସରେ ଫକୀର ମୋହନ ଗୋବିନ୍ଦପୁର ଗ୍ରାମରେ ଏକ ପ୍ରଭାତର ବର୍ଣ୍ଣନା ଦେବାକୁ ଯାଇ ଲେଖିଛନ୍ତି ।

 

‘‘ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି, କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖ ନାହିଁ, ମେଘଟା ଝର ଝର ଫର ଫର କରୁଥିଲା । ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆ କୁଣିଆ ନୁହେଁ । ଆକାଶଟା ଟିକିଏ ସଫା ହୋଇଗଲାଣି । ବଛା ବଛି କାମ ସରିଛି, କେହି କେହି ବିଲବାଡ଼ିକୁ ଯିବାକୁ ନାହିଁ । କେହି ପିଣ୍ଡାରେ ବସି ବାଟଣା ବାଟୁଛି, କେହି ଗୁହାଳ କଢ଼ାରେ ଲାଗିଛି, କେହି କେହି ଝାମ୍ପିଟାଏ ମୁଣ୍ଡେଇ ହାତରେ ଦଉଡ଼ିଖଣ୍ଡେ ଦା ଟାଏ ଧରି କାହାଳିଟାଏ ଓଟାରି ବାହୁଙ୍ଗିଟାଏ କାନ୍ଧରେ ପକାଇ ଘାସ କାଟିବାକୁ ବାହାରିଅଛି, କେହି ପିଢ଼ାରେ ଚଢ଼ି କଖାରୁ ଡଙ୍କ ସଳଖି ଦେଉଅଛି, ଘରେ ଲୁଣ ନଥିବାର ଶୁଣି ହରିପୁହାଣ ବିବିଧ ଯୁକ୍ତି ପ୍ରଦର୍ଶନ ପୂର୍ବକ ଆପଣାର ଭାର୍ଯ୍ୟାର ଅପରିମିତ ବ୍ୟୟଶୀଳତା ସାବ୍ୟସ୍ତ କରୁଅଛି । ମାଈକିନିଆମାନେ ବାସି ପାଇଟି ସାରି ବାଡ଼ି ପୋଖରୀକୁ ବାହାରିଲେଣି । ତନ୍ତିସାଇଟା ଝସ୍-ଦୁମ୍, ଝସ୍-ଦୁମ୍ ଶବ୍ଦରେ ଉଛୁଳି ପଡ଼ୁଅଛି, ତନ୍ତିଆଣୀମାନେ ପିଣ୍ଡାରେ ବସି ଖଡ଼ର ଖଡ଼ର କରି ନଟେଇ ବୁଲାଇ ପକାଉ ଅଛନ୍ତି ।’’ ଫକୀରମୋହନଙ୍କର ଏହି ବର୍ଣ୍ଣନା ଅତି ଦୀର୍ଘ ମାତ୍ର ଏହାର କେତେକ ଅଂଶ ଏଠାରେ ଉଦ୍ଧାର କରାଯାଇଅଛି । ଏଠାରେ ଆମର କେବଳ ଏତିକି ଦେଖିବାର କଥା ଯେ ଫକୀରମୋହନ ଭାଷାଗତ ସାମ୍ୟ ଅତ୍ୟନ୍ତ ଦକ୍ଷତାର ସହିତ ରକ୍ଷା କରିଅଛନ୍ତି । ଏହାକୁ ପାଠ କରିବା ସମୟରେ ପାଠକର ଧୈର୍ଯ୍ୟଚ୍ୟୁତି ଘଟି ନଥାଏ । କାରଣ ଫକୀରମୋହନ ପ୍ରାକୃତିକ ଦୃଶ୍ୟ ସହିତ ମଣିଷର ଜୀବନର ଚିତ୍ରକୁ ଏପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ କରିଅଛନ୍ତି ଯେ ତାହା ହୃଦୟସ୍ପର୍ଶୀ ହୋଇଅଛି । ଫକୀରମୋହନଙ୍କର ବର୍ଣ୍ଣନା ଶୈଳୀ ଓଡ଼ିଆ ଉପନ୍ୟାସ ରାଜ୍ୟରେ ଏକ ନୂତନତ୍ୱର ସନ୍ଦେଶ ପହୁଞ୍ଚାଇ ଅଛି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ପଲ୍ଲୀକବି ନନ୍ଦକିଶୋର କନକଲତା ଉପନ୍ୟାସର କଳେବର ମଧ୍ୟରେ ବହୁ ପ୍ରାକୃତିକ ଦୃଶ୍ୟ ସଂଯୋଜିତ କରିଅଛନ୍ତି । ଫକୀର ମୋହନ ଓଡ଼ିଆ ଉପନ୍ୟାସରେ ପ୍ରକୃତି ବର୍ଣ୍ଣନା ସହିତ ମଣିଷ ଜୀବନକୁ ଯେପରି ଭାବରେ ଜଡ଼ିତ କରିଅଛନ୍ତି ସେ ଆଦର୍ଶକୁ ସେ ଗ୍ରହଣ କରି ଅଛନ୍ତି । ସେ ପ୍ରକୃତିର ରୂପ ବିଭବକୁ ପ୍ରକାଶ କରିବାକୁ ଏତେ ତତ୍ପର ହୋଇପଡ଼ିଅଛନ୍ତି ଯେ ସେ ଅନ୍ୟ କୌଣସି ବିଷୟ ସେତେବେଳେ ଭାବି ନାହାନ୍ତି । କନକଲତା ଉପନ୍ୟାସରେ ନନ୍ଦକିଶୋରଙ୍କର ପ୍ରତିଭାର ପରିଚୟ ମିଳିଅଛି ସତ୍ୟ, ମାତ୍ର ତାହା ଜଣେ ଔପନ୍ୟାସିକର ପ୍ରତିଭା ନୁହେଁ । ତାହା ଯଥାର୍ଥରେ ଜଣେ କବିର ପ୍ରତିଭା । କବିର ସୃଜନଶୀଳ ଦୃଷ୍ଟିକୋଣ ଏଠାରେ କେବଳ ସୌନ୍ଦର୍ଯ୍ୟର ସନ୍ଧାନ କରିଅଛି । କନକଲତା ଉପନ୍ୟାସର ଆରମ୍ଭରେ ନନ୍ଦକିଶୋର ବଳ ଲେଖିଅଛନ୍ତି,

 

ଶୀତକାଳ । ପ୍ରଭାତ ହୋଇଅଛି । ଶିଶୁମାନେ ପ୍ରଭାତରୁ ଉଠି ଫୁଲ ତୋଳୁଛନ୍ତି । କେହି କେହି ଦଉଡ଼ୁଛନ୍ତି । ଦଉଡ଼ିଲେ ଶୀତ ଊଣା ହୁଏ । ଏ ବୈଜ୍ଞାନିକ ତତ୍ତ୍ୱ ଶିଶୁଙ୍କୁ ଜଣାନାହିଁ । ସେମାନେ ପ୍ରବୃତ୍ତି ପରିଚାଳିତ ହୋଇ ଦଉଡ଼ୁଛନ୍ତି । ଦେଖୁଁ ଦେଖୁଁ ଖରା ବରଗଛ ଓ ତାଳଗଛ ଅଗରୁ ଖସି ପୀଢ଼ା, ବାଡ଼, ଶେଷକୁ ହୀରାପୁରର ବଜ୍ରଧର ହରିଚନ୍ଦନଙ୍କ ଦାଣ୍ଡ ପାଖ ଓ ବାଡ଼ିଅଡ଼ି ଓଳିତଳେ ପଡ଼ିଲା । ଦୁଇଆଡ଼େ ଦୁଇଲୀଳା ଲାଗିଗଲା । ଦାଣ୍ଡରେ ପୁରୁଷମେଳା ଓ ବିଲବାଡ଼ି କଥା-। ବାଡ଼ିଆଡ଼େ ସ୍ତ୍ରୀ ସଭା ଓ ଘରକଥା । ଏକ ଗଦ୍ୟ ଅନ୍ୟଟି ରସମୟୀ କବିତା । ଏକ କର୍ମ ଅନ୍ୟଟି ପ୍ରୀତି । ଏକ ଉତ୍ତୁଙ୍ଗ ପର୍ବତ, ଅନ୍ୟଟି କଳନାଦିନୀ ତରଙ୍ଗିଣୀ ।’’ ଏହି ବର୍ଣ୍ଣନାଟି ଅତ୍ୟନ୍ତ ସରଳ ଓ ପ୍ରାଞ୍ଜଳ । ଏହି ବର୍ଣ୍ଣନାରେ ଲେଖକ ଭାଷାର ସାମ୍ୟ ରକ୍ଷା କରିବା ସଙ୍ଗେ ସଙ୍ଗେ ବର୍ଣ୍ଣନାକୁ ସବୁ ଶ୍ରେଣୀର ପାଠକମାନଙ୍କ ଲାଗି ଉପଭୋଗ୍ୟ କରି ଅଛନ୍ତି । ଓଡ଼ିଆ ଉପନ୍ୟାସରେ ଭାଷାଗତ ସଂସ୍କାର ଫକୀରମୋହନ ନାହିଁ କରିଅଛନ୍ତି ଓ ତାଙ୍କର ସମସାମୟିକ ଏବଂ ପରବର୍ତ୍ତୀ ଲେଖକମାନେ ତାଙ୍କରି ପଦାଙ୍କ ଅନୁସରଣ କରିଅଛନ୍ତି ।

 

କାହ୍ନୁଚରଣ ଉପନ୍ୟାସ ରଚନା କରିବା ସମୟକୁ ଓଡ଼ିଆ ଉପନ୍ୟାସର ଏକ ନିର୍ଦ୍ଦିଷ୍ଟ ଶୈଳୀ ଦେଖା ଦେଇ ସାରିଛି । ଓଡ଼ିଆ ଉପନ୍ୟାସ ସାହିତ୍ୟ ପ୍ରତିଷ୍ଠିତ ହେବାର ଯୋଗ୍ୟତା ଲାଭ କରି ସାରିଛି । କାହ୍ନୁଚରଣଙ୍କର ଲେଖନୀ ଧାରଣ କରିବା ସମୟରେ ଓଡ଼ିଆ ସାହିତ୍ୟରେ ସବୁଜ ଗୋଷ୍ଠୀର ତରୁଣ କବିମାନେ ଚାଞ୍ଚଲ୍ୟ ସୃଷ୍ଟି କରିବାରେ ତତ୍ପର ହୋଇପଡ଼ିଥିବାର ଲକ୍ଷ୍ୟ କରାଯାଏ-। ଓଡ଼ିଶାରେ ସାମାଜିକ କ୍ଷେତ୍ରରେ ସଂସ୍କାର ପ୍ରିୟତା ସେତେବେଳକୁ ପ୍ରକାଶ ପାଇ ସାରିଅଛି-। ସେ ସମୟର ସାହିତ୍ୟରେ ସାମାଜିକ ସଂସ୍କାର ବିଷୟରେ ଯେ ବହୁ ଆଲୋଡ଼ନ ସୃଷ୍ଟି ହୋଇଅଛି, କହିବା ବାହୁଲ୍ୟ ମାତ୍ର । ୧୯୨୪ ସାଲ ମେ ମାସରେ ବାସନ୍ତୀ ଉପନ୍ୟାସର ପ୍ରଥମ ପରିଚ୍ଛେଦ ଓ ୧୯୨୬ ସାଲ ନଭେମ୍ବର ମାସରେ ବାସନ୍ତୀ ଉପନ୍ୟାସର ଶେଷ ପରିଚ୍ଛେଦ ଅର୍ଥାତ୍ ଉନତ୍ରିଂଶ ପରିଚ୍ଛେଦ ପ୍ରକାଶ ପାଇଅଛି । କାହ୍ନୁଚରଣ ଯେତେବେଳେ ଲେଖନୀ ଧାରଣ କରି ତାଙ୍କର ସ୍ରଷ୍ଟା ଜୀବନର ପ୍ରଥମ ପ୍ରଭାତରେ ଚକ୍ଷୁ ଉନ୍ମୀଳନ କରିବାକୁ ଯାଇଛନ୍ତି ସେତେବେଳେ ସେ ଦେଖିବାକୁ ପାଇଥିବେ ବାସନ୍ତୀ ଉପନ୍ୟାସର ସୃଷ୍ଟି କୌଶଳ । ଏଥିରୁ ସେ ଯେ କି ପ୍ରକାର ପ୍ରେରଣା ଳାଭ କରିଅଛନ୍ତି ତାହା ଠିକ୍ ରୂପରେ କହିହେବ ନାହିଁ । ମାତ୍ର ଆମକୁ ଏଠାରେ ଲକ୍ଷ୍ୟ କରିବାକୁ ପଡ଼ିବ ଯେ ବାଲିରାଜା ଉପନ୍ୟାସର ଆତ୍ମପ୍ରକାଶ ବେଳକୁ ଓଡ଼ିଆ ସାହିତ୍ୟରେ ବାସନ୍ତୀ ଭଳି ଏକ ଉଚ୍ଚ ଶ୍ରେଣୀର ଉପନ୍ୟାସ ସୃଷ୍ଟି ହୋଇ ସାରିଛି । ଭାଷା, ଭାବ ଓ ବର୍ଣ୍ଣନାର ସୌଷ୍ଠବ ବାସନ୍ତୀ ଉପନ୍ୟାସର ଅଛି । ସେ ସମୟର ଓଡ଼ିଆ ଗଦ୍ୟର ପ୍ରକୃଷ୍ଟ ରୂପର ପରିଚୟ ଦେବାପାଇଁ ବାସନ୍ତୀ ଉପନ୍ୟାସ ଯେ ସମର୍ଥ, କହିବା ବାହୁଲ୍ୟ ମାତ୍ର । ବାସନ୍ତୀ ଉପନ୍ୟାସ ଜଣେ ଔପନ୍ୟାସିକଙ୍କର ସୃଷ୍ଟି ନୁହେଁ । ତେଣୁ ମିଳିତ ଭାବରେ ଯେଉଁ ନଅଜଣ ଲେଖକ ଲେଖିକା ବାସନ୍ତୀ ଉପନ୍ୟାସ ରଚନା କରି ଅଛନ୍ତି ସେମାନଙ୍କର ବର୍ଣ୍ଣନା ଶୈଳୀ ସେ ସମୟରେ ଓଡ଼ିଆ ଗଦ୍ୟ ଶୈଳୀର ଯଥାର୍ଥ ପରିଚୟ ପ୍ରଦାନ କରିଅଛି ।

 

ଏହିପରି ଏକ ପଟ୍ଟଭୂମିରେ କାହ୍ନୁଚରଣଙ୍କର ସାହିତ୍ୟ ସାଧନାର ଆରମ୍ଭ । ତାଙ୍କ ଲେଖନୀରୁ ଯେଉଁ ଉପନ୍ୟାସଗୁଡ଼ିକ ପ୍ରଥମ ପର୍ଯ୍ୟାୟରେ ଜନ୍ମଲାଭ କରିଅଛନ୍ତି ସେଗୁଡ଼ିକ ମଧ୍ୟରେ କାହ୍ନୁଚରଣଙ୍କର ଶିଳ୍ପଚାତୁରୀ କ୍ରମେ ଘଷିମାଜି ହୋଇ ହୃଦୟଗ୍ରାହୀ ହୋଇଅଛି । ବାଲିରାଜାରେ ତାଙ୍କର ବର୍ଣ୍ଣନା ବିଳାସ ଯେପରି ଭାବରେ ଦେଖା ଦେଇଅଛି ତାହା ପ୍ରଶଂସାର୍ହ ହେଲେହେଁ ପରବର୍ତ୍ତୀ ଉପନ୍ୟାସମାନଙ୍କରେ ମାର୍ଜିତ ରୂପ ପରିଗ୍ରହ କରିଅଛି । ତାଙ୍କର ସମସ୍ତ ଉପନ୍ୟାସରୁ ତାଙ୍କର ବର୍ଣ୍ଣନା ଶୈଳୀର ଉଦାହରଣ ଦେବା ଏଠାରେ ସମ୍ଭବପର ନୁହେଁ । ତେଣୁ କେତେଗୋଟି ପ୍ରଧାନ ଉପନ୍ୟାସକୁ ଗ୍ରହଣ କରି ଆଲୋଚନା କରିବା ବିଧେୟ ।

 

ସ୍ୱପ୍ନ ନା ସତ ଉପନ୍ୟାସରେ ବାବାଜୀ ଆତ୍ମାରାମଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଇ କାହ୍ନୁଚରଣ ଆତ୍ମରାମ ବାସ କରୁଥିବା ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା କରିଅଛନ୍ତି । ସେ ଲେଖିଛନ୍ତି, ‘‘ସୁରଧୂନୀ କୂଳରୁ- ହେବ ନହେବ ତିନିକୋଣ ଦକ୍ଷିଣକୁ ଯେଉଁ ପାହାଡ଼ମାନ- ଅଣ୍ଟାସୂତା ପରି ବଙ୍କେଇ ହୋଇ ଚାରିକୋଣ ଯାକେ ସୁରଙ୍ଗ ରାଜ୍ୟର କଟି ବେଷ୍ଟନ କରିଛି- ତାହାରି ଦିଓଟି ବଡ଼ ଶୃଙ୍ଗର ମଝି ଉପତ୍ୟକାରେ କେତେଗୁଡ଼ିଏ ଗୁହା । ଖଣ୍ଡଗିରି ବା ଧଉଳି ପାହାଡ଼ ଦେହରେ ଯେପରି କେହି ଖୋଳିନାହିଁ । ବିଛାମାଳ ପାହାଡ଼ର ଗୁହାଗୁଡ଼ିକ ଆପେ ଆପେ ହୋଇଛି ।’’ ଏଠାରେ କାହ୍ନୁଚରଣ ଗୋଟିଏ ଦୀର୍ଘ ବର୍ଣ୍ଣନା ଦେଇଅଛନ୍ତି । ଏହି ବର୍ଣ୍ଣନାଟି ଏପରି ଜୀବନ୍ତ ହୋଇଅଛି ଯେ ପାଠକ ଏହାକୁ ପାଠକରିବା ସମୟରେ ତା ସମ୍ମୁଖରେ ସତେ ଯେପରି ଦୃଶ୍ୟଟି ପ୍ରତିଭାତ ହୁଏ । ହା ଅନ୍ନ ଉପନ୍ୟାସରେ ଲେଖକ କୁଆଁର ପୁନେଇଁର ସଞ୍ଜବେଳର ଗୋଟିଏ ଦୃଶ୍ୟ ବର୍ଣ୍ଣନା କରିଅଛନ୍ତି । ସେଥିରେ ସେ ଲେଖିଛନ୍ତି, ‘‘କୁଆଁର ପୁନେଇଁ । ସଞ୍ଜ ପହର-। ଜହ୍ନିଫୁଲ ପରି ତୋରା ଜହ୍ନ ଆକାଶର କୋଳକୁ ଉଠି ଆସିଲେଣି । ତାର ତୋରା କଅଁଳ ଆଲୁଅରେ ସାରା ପ୍ରକୃତି ସତେ କି ଗୋଟିଏ ଆନନ୍ଦରେ ହସି ଉଠୁଛି । ସଫା ସୁତୁରା ମେଘହୀନ ନେଳିଆ ଆକାଶର ଦେହକୁ ସତେ କି କିଏ ରୂପେଲୀ ପାଣିରେ ଧୋଇ ଦେଇଛି । ଚାରିଆଡ଼େ ଆନନ୍ଦ । ଚାରିଆଡ଼େ ଫୁର୍ତ୍ତି । କାହାରି ମନରେ ବିରସ ଭାବ ନାହିଁ । ମୁହଁରେ ବିଷାଦର ମଳିନତା ଦେଖ ନାହିଁ । ପିଲା ଛୁଆରୁ ବୁଢ଼ାବୁଢ଼ୀ ଯାଏ ସଭିଏ ଆଜି ଉତ୍ସବରେ ମଜ୍ଜି ରହିଛନ୍ତି-।’’ ଏହି ବର୍ଣ୍ଣନାଟିରେ ଲେଖକ ଯେପରି ସରଳ ଭାଷା ପ୍ରୟୋଗ କରିଅଛନ୍ତି ତାହା ଲକ୍ଷ୍ୟ କରିବାର କଥା । ଆମରି ଅତି ପରିଚିତ ଏଇ ଧରଣୀର ସୌନ୍ଦର୍ଯ୍ୟ ଲେଖକଙ୍କର ଲେଖନୀରେ ଜୀବନ୍ତ ହୋଇଉଠିଛି-

 

କାହ୍ନୁଚରଣ କର୍ମ ଅନୁରୋଧରେ ଯେଉଁ ସ୍ଥାନରେ କିଛି କାଳ ପାଇଁ ଅବସ୍ଥାନ କରିଛନ୍ତି ସେ ସ୍ଥାନର ପ୍ରକୃତିକୁ ସେ ତାଙ୍କର ରଚନା ମଧ୍ୟରେ ସ୍ଥାନ ଦେଇଅଛନ୍ତି । ତାଙ୍କର କାଡ୍ରାକାଲେଳିରେ ସେ କୋରାପୁଟ ଜିଲାର ଗୁମ୍ମା ଗ୍ରାମର ଗୋଟିଏ ଦୃଶ୍ୟ ଦେଇଅଛନ୍ତି । ସେ ଲେଖିଛନ୍ତି, ‘‘ପଦଯାତ୍ରାବେଳେ ପୁଣ୍ୟତ୍ମା ବିନୋବା ଦିନଟିଏ ଏଇ ଗୁମ୍ମା ଗ୍ରାମରେ ଅବସ୍ଥାନ କରିଥିଲେ । ଚାଳଘରଟି ଏବେ ବି ଦରଭଙ୍ଗା ହୋଇ ଠିଆ ହୋଇଛି । ଘର ପଛରେ କୁଳୁ କୁଳୁ ହୋଇ ବହିଯାଉଛି ଛୋଟ ଝରଣା, ପାହାଡ଼ର ତଳେ ତଳେ, ବଙ୍କେଇ । ଘରର ବାଁ ପାଖରୁ ଲମ୍ବିଯାଇଛି ଘଞ୍ଚ ଅରଣ୍ୟ, ପାହାଡ଼ମାଳର ତଳିପାଯାଏ । ସେଇଠୁ ଅରଣ୍ୟ ଆହୁରି ଘଞ୍ଚ ହୋଇ ତାଳୁଯାଏ ଲମ୍ବିଛି+ + +ଯୁଆଡ଼େ ଚାହିଁଲେ ଦିଶେ କେବଳ ଢେଉ ଢେଉକା ପାହାଡ଼, ନିଘଞ୍ଚ ବଣ । ଶୀତଦିନେ ସୂର୍ଯ୍ୟ ପାହାଡ଼ ମଥା ଉପରକୁ ଉଠନ୍ତି ଆଠଟା ବେଳେ, ପଶ୍ଚିମ ଦିଗରେ ପାହାଡ଼ ଧାଡ଼ି ପଛକୁ ଓହ୍ଲାଇ ଯାଆନ୍ତି ଚାରିଟା ବେଳେ । ଅତି ଭୟଙ୍କର ଶୀତ ହୁଏ । ବର୍ଷା ବି ହୁଏ ପ୍ରଚୁର । ବହୁଦିନ ଯାଏ ସୂର୍ଯ୍ୟ ଦେଖା ଯାଆନ୍ତି ନାହିଁ । ବଡ଼ି ସକାଳ ପରି ଦିଶେ ତ ସାରାଦିନ । ରାତି ହୁଏ କାଳୀ ଅନ୍ଧାର ।’’

 

କବିବର ରାଧାନାଥ ଶିକ୍ଷାବିଭାଗରେ କର୍ମ କରିବା ସମୟରେ ଜଣେ ପରିଦର୍ଶକ କର୍ମଚାରୀ ଭାବରେ ଯେପରି ସମଗ୍ର ଓଡ଼ିଶା ଗସ୍ତ କରି ଓଡ଼ିଶାର ପ୍ରକୃତି ସହିତ ଘନିଷ୍ଠ ଭାବରେ ପରିଚିତ ହୋଇଥିଲେ ଏବଂ ଓଡ଼ିଶାର ପ୍ରକୃତିକୁ ତାଙ୍କର କାବ୍ୟମାନଙ୍କରେ ଜୀବନ୍ତ ଭାବରେ ରୂପଦାନ କରିଥିଲେ ସେହିପରି ଔପନ୍ୟାସିକ କାହ୍ନୁଚରଣ କର୍ମ ଅନୁରୋଧରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅବସ୍ଥାନ ଓ ଗସ୍ତ କରିବାର ସୁଯୋଗ ପାଇ ବିଭିନ୍ନ ସ୍ଥାନ ସହିତ ବିଶେଷ ଭାବରେ ପରିଚିତ ହୋଇଅଛନ୍ତି ଓ ସେସବୁ ସ୍ଥାନର ବିଶେଷତ୍ୱ ନିଜ ରଚିତ ଉପନ୍ୟାସମାନଙ୍କରେ ପ୍ରକାଶ କରିଅଛନ୍ତି ।

 

ଏହି ବିଷୟରେ କାହ୍ନୁଚରଣ ଇତିହ ଉପନ୍ୟାସର ଉତ୍ସର୍ଗରେ ପ୍ରକାଶ କରିଅଛନ୍ତି । ସେ ଲେଖିଛନ୍ତି, ‘‘ସା୧୯୪୬ଲରେ ସିଭିଲ୍ ସପ୍ଳାଇଜ୍ ଅଫିସର ହୋଇ ମୁଁ ଗଞ୍ଜାମ ଜିଲାକୁ ବଦଳି ହେଲି । ଛତ୍ରପୁରରେ ମୋର ରହଣୀ ହେଲା । ସେହିବର୍ଷ ମୁଁ ପ୍ରଥମେ ପାଲୁର ଯାଇଥିଲି ସେ ଅଞ୍ଚଳରେ କେତୋଟି ଗ୍ରାମରେ ପଡ଼ି ବ୍ୟବସ୍ଥା କରିବାକୁ । ଗଞ୍ଚାମ ଜିଲାରେ ମୋର ତିନିବର୍ଷ ରହଣି କାଳ ମଧ୍ୟରେ ପାଲୁର ଅଞ୍ଚଳକୁ ଆଉ କେତେ ଥର ଯାଇଛି, ନିଶ୍ଚିହ୍ନ ହୋଇଥିବା ଗ୍ରାମଗୁଡ଼ିକର ଧ୍ୱଂସାବଶେଷ ଦେଖିଛି, ସା ୧୯୪୨ଲର ପ୍ରଳୟ ବିଭୀଷକାର କେତେ ବର୍ଣ୍ଣନା ଶୁଣିଛି, ସରକାରୀ କାଗଜପତ୍ର ଦେଖିକରି ଜାଣିଛି ।’’ କାହ୍ନୁଚରଣ ଛତ୍ରପୁରରେ ଥିବା ସମୟରେ ପାଲୁର ଯାଇ ପ୍ରାକୃତିକ ପରିବେଶ ଅବଲୋକନ କରିଛନ୍ତି । ସେ ଯାହା ଦେଖିଛନ୍ତି କେବଳ ତାହା ଲେଖିଥିଲେ ସେ ହେଇଥାଆନ୍ତା ଖବରକାଗଜର ବିବରଣୀ । ମାତ୍ର ଔପନ୍ୟାସିକ କାହ୍ନୁଚରଣ, କଳାକାର କାହ୍ନୁଚରଣ କେବଳ ଦେଖିଲା କଥା ଲେଖି ନାହାନ୍ତି । କଳାକାରର କଳ୍ପନା ଏଠାରେ ଚିତ୍ରଟିକୁ ବେଶ୍ ହୃଦୟଗ୍ରାହୀ କରିଅଛି । ଏହି ସ୍ଥାନର ଗୋଟିଏ ବର୍ଣ୍ଣନାରେ ସେ ଲେଖିଛନ୍ତି ।

 

‘‘ନନ୍ଦିହୋର ପାହାଡ଼ମାଳ ପଛପାଖେ ସୂର୍ଯ୍ୟ ମୁହଁ ଲୁଚାଇଲେଣି । ବାଲିବନ୍ତ ଉପର ଝାଉଁବଣ ଆରପାଖରୁ ସମୁଦ୍ରର ଅନବରତ ଗର୍ଜ୍ଜନ ଶୁଭୁଛି । ସେଇଆଡ଼ୁ କଳାଘୁମର ମେଘ ଘୋଟି ଆସିଲାଣି । ପାଲୁର ପାଖ ଦମନଗିରି ପାହାଡ଼ ଧୂଆଁଳିଆ ଦିଶୁଛି । ସମୁଦ୍ର ଭିତରକୁ ପଶି ଆସିଥିବା ଲମ୍ବ ଲାଞ୍ଜିଆ ନାସିର ଟେକିଲା ମଥା ଉପରେ ଭାସିଲା ବାଦଲ ଧୀରେ ଧୀରେ ପଗଡ଼ି ଭିଡ଼ୁଛି । କଳାକାନି ଲମ୍ବିଯାଇଛି ଆକାଶ ଉପରେ । ଶୀତୁଳିଆ ପବନର ଗତି ବଢ଼ି ଆସୁଛି ।’’ ଏହି ବର୍ଣ୍ଣନାଟି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନର ବର୍ଣ୍ଣନା । ଏଠାରେ ଲେଖକ ନିଜର ବର୍ଣ୍ଣନା ଚାତୁରୀ ପ୍ରଦର୍ଶନ କରିଅଛନ୍ତି । ଏହି ବର୍ଣ୍ଣନାରେ ଦେଖିବା କଥା ବେଶୀ । କଥାକୁ ରାଗରଂଜିତ କରି ଲେଖକ ପ୍ରକାଶ କରିଅଛନ୍ତି । ମାତ୍ର ଆମେ ସାଧାରଣ ଦର୍ଶକ ଯେତିକି ଦେଖିପାରୁ ସ୍ରଷ୍ଟା ଓ କଳାକାର ତାହା ଅପେକ୍ଷା ଅଧିକ କିଛି ଦେଖିପାରେ । ଆମ ଆଖିକୁ ଯାହା ଦିଶେ ନାହିଁ କଳାକାର ଆଖିକୁ ତାହା ସହଜରେ ଦିଶିଯାଏ । ସେହିପରି ଗୋଟିଏ ବର୍ଣ୍ଣନା ଇତିହ ଉପନ୍ୟାସରୁ ଉଲ୍ଲେଖ କରାଯାଇ ପାରେ ।

 

‘‘ତୁମେ ମୁକ୍ତିଲାଭ କଲ କାରୁବାକୀ, ଶୀତଳ ଚନ୍ଦ୍ରମା, ସପ୍ତମୀର ବଙ୍କିମ ଚନ୍ଦ୍ରମା, ମଧ୍ୟ ଆକାଶରେ ଛୋଟ ଛୋଟ ଭାସିଲା ଜଳଦ ତଳେ ଲାଜ ସରମରେ କ୍ଷଣେ ଚାହିଁ କ୍ଷଣେ ମୁହଁ ଘୋଡ଼ାଉ ଥାଏ । ସାଗରର ତରଙ୍ଗମାଳ ପଲ୍ଳପୁରର ଧ୍ୱଂସ ସ୍ତୁପମାନଙ୍କ ତଳେ ଚିଲିକାର ଭ୍ରୁଲତା ପ୍ରାନ୍ତରେ ମଥା କୋଡ଼ି ଆକୁଳ ଚିତ୍କାର କରୁଥାଏ । ପୂର୍ବ-ସାଗରର ଦ୍ୱୀପମାନଙ୍କରୁ, ଯେଉଁଠି କଳିଙ୍ଗୀ ବ୍ୟବସାୟ କରି ବସତି ବସାଇ ଛୋଟ ବଡ଼ ରାଜ୍ୟ ସ୍ଥାପି ସୁଖଶାନ୍ତିରେ ନୀଳାଚଳ ନାଥଙ୍କର ସାମ୍ୟନୀତି ପ୍ରଚାର କରୁଥାଏ, ସେହି ଦେଶମାନଙ୍କର ତୁହାଇ ତୁହାଇ ହୁ ହୁ ମାଡ଼ି ଆସୁଥାଏ ବତାସ । ତୁମର ଆଜାନୁ ଲମ୍ବିତ ଆଲୁଳାୟିତ ରୁକ୍ଷ କେଶକୁ ଆଲୋଡ଼ିତ କରି ସେହି ନିଷ୍ଠୁର ବତାସ ଉପହାସ କରୁଥାଏ ।’’ କଳାକାର କାହ୍ନୁଚରଣଙ୍କର ସୃଷ୍ଟି ସମ୍ପଦ ଭିତରେ ଏହିପରି ବହୁ ବର୍ଣ୍ଣନା ରହିଛି । ସେସବୁ ତାଙ୍କର ଅନ୍ତର୍ଦୃଷ୍ଟିର ସାର୍ଥକ ପରିଚୟ ପ୍ରଦାନ କରିଥାଏ ।

 

ବ୍ୟକ୍ତିଗତ ଭାବରେ କୌଣସି ସ୍ଥାନ ସହିତ ବିଶେଷଭାବରେ ପରିଚିତ ହେବା ଓ ତାହାକୁ ନିଜ ରଚନା ମଧ୍ୟରେ ରୂପାୟିତ କରିବାର ଆଉ ଗୋଟିଏ ଉଦାହରଣ ‘‘ତମସାତୀରେ’’ । ଦଣ୍ଡକାରଣ୍ୟ ଯୋଜନାରେ ଶରଣାର୍ଥୀମାନଙ୍କର ପୁନର୍ବସତି କାର୍ଯ୍ୟକୁ କେନ୍ଦ୍ରକରି କାହ୍ନୁଚରଣ ଏହି ଉପନ୍ୟାସଟିର ପରିକଳ୍ପନା କରିଅଛନ୍ତି । ବାସହରା ଶରଣାର୍ଥୀ ପରିବାରମାନଙ୍କର ଦୁଃଖଦ ଅଶ୍ରୁଳ ଅନୁଭୂତିର ଜୀବନ୍ତ ଚିତ୍ରରେ ଉପନ୍ୟାସର କଳେବର ଭରପୂର ହୋଇଯାଇଛି । ତମସାତୀରେ କାହ୍ନୁଚରଣଙ୍କର ପରିଣତ ବୟସର, ପରିଣତ ଅନୁଭୂତିର, ପରିଣତ ବୌଦ୍ଧିକ ଶକ୍ତିର ଉଜ୍ଜ୍ୱଳ ସ୍ୱାକ୍ଷର ବହନ କରିଅଛି । ତମସାତୀରେ ଉପନ୍ୟାସରେ କାହ୍ନୁଚରଣ ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କର ବର୍ଣ୍ଣନା ପ୍ରଦାନ କରିଅଛନ୍ତି ସେ ବର୍ଣ୍ଣନା କେବଳ ଜଣେ ସାହିତ୍ୟକର ବର୍ଣ୍ଣନା ନୁହେଁ । କାହ୍ନୁଚରଣ ସତେ ଯେପରି ସେହି ବର୍ଣ୍ଣନାମାନଙ୍କରେ ସେ ସ୍ଥାନମାନଙ୍କର ଭୂଗୋଳ ପାଠକ ସମକ୍ଷରେ ଉପସ୍ଥାପିତ କରିଅଛନ୍ତି । ଏହି ଭୈଗୋଳିକ ବର୍ଣ୍ଣନା କେତେକାଂଶରେ ପାଠକ ମନକୁ ଅବଶ କରି ଦେଇଥାଏ । ତଥାପି ଲେଖକଙ୍କର ଗଭୀର ନିରୀକ୍ଷଣ ଶକ୍ତିକୁ ଏଠାରେ ପ୍ରଶଂସା କରିବାର କଥା ।

 

ତମସାତୀରର ଅରଣ୍ୟାଞ୍ଚଳରେ ପ୍ରକୃତିର ଲୀଳା ଲେଖକ ଲକ୍ଷ କରିଅଛନ୍ତି । ତମସାତୀରକୁ ଆସେ ଗ୍ରୀଷ୍ମ, ବର୍ଷା, ଶୀତ । ୠତୁଚକ୍ରର ଆବର୍ତ୍ତରେ ତମସାତୀରର ବନଭୂମିର ପ୍ରକୃତି ଲେଖକଙ୍କର ଲେଖନୀରେ ଅତୀବ ଜୀବନ୍ତ ରୂପ ପରିଗ୍ରହ କରିଅଛି । ଶୀତଋତୁ ଆସିବାର ପୂର୍ବାବସ୍ଥା ଓ ଶୀତୠତୁରେ ବନଭୂମିର ସୌନ୍ଦର୍ଯ୍ୟ ପ୍ରକାଶ କରିବାକୁ ଯାଇ ଲେଖକ ଲେଖିଛନ୍ତି,

 

‘‘ଅରଣ୍ୟ ପଲ୍ଲବିତ ହୁଏ । ଅରଣ୍ୟ ନିଘଞ୍ଚ ହୁଏ । ନିମ୍ନ ଦେଶର ତୃଣରାଜି ଅଙ୍କୁରିତ ହୁଅନ୍ତି । ବଢ଼ି ଉଠନ୍ତି । କ୍ଷେତ୍ରମାନଙ୍କର କର୍ମମୁଖର ନରନାରୀ । ଶସ୍ୟ ମୁଣ୍ଡଟେକେ, ବଢ଼େ, ଫଳେ-। ଧୀରେ ଧୀରେ ଆସେ ପୁଣି ଶୀତ ୠତୁ । ନଭେମ୍ବର ଆରମ୍ଭରୁ ଫେବୃୟାରୀ ଶେଷଯାଏ ତାର କରାମତି । ପ୍ରବଳ ଶୀତ । ଆଦିବାସୀର ଆଶ୍ରା କେବଳ ଅନଳ । ସେ ଦରିଦ୍ର, ଅଳସ ପ୍ରକୃତି; ସରଳ, ପ୍ରତିକାର ପାଇଁ ବିଶେଷ ଯତ୍ନଶୀଳ ନୁହେଁ । ଯାହା ଆସେ, ଦେବଦେବୀଙ୍କର ଦଣ୍ଡବୋଲି ଗ୍ରହଣ କରେ । ସହିଯାଏ । ଚାଷର ପ୍ରଣାଳୀ ସେ ଭଲ ଜାଣେ ନାହିଁ । ବିଲ ବଛା ହୁଏ ନାହିଁ, ବେଉଷଣ କରାଯାଏ ନାହିଁ । ଜମିରେ ଧାନ ଛିଞ୍ଚିଦେଇ ସେ ଘରେ ବସେ, ନିଶ୍ଚିନ୍ତ ରହେ । ଘାସ ସଙ୍ଗେ ପ୍ରତିଦ୍ୱନ୍ଦିତା କରି ଧାନଗଛ ଯେତିକି ବଢ଼ୁଛି ବଢ଼ୁ, ଯେତିକି ଫଳୁଛି ଫଳୁ ଅବା ନଫଳୁ, ସେଥିକି ତାର ଚିନ୍ତା ନାହିଁ ।

 

ଶୀତଦିନେ ବେଳେ ବେଳେ ବାଘ ମାତେ । ଗ୍ରାମ୍ୟ ପଶୁ ଓ ମଣିଷକୁ ଓଟାରି ନିଏ । ରକ୍ଷିତ ଜଙ୍ଗଲ ଓ ପାହାଡ଼ ପାଖର ଗ୍ରାମମାନଙ୍କରେ ବାଘର ଉପଦ୍ରବ ବଢ଼େ । ବେଶୀ ବେଶୀ ଜଙ୍ଗଲ ସଫାହୋଇ ଚାଷଜମିରେ ପରିଣତ ହେବାରୁ ସାଧାରଣ ଗ୍ରାମଗୁଡ଼ିକରେ ଜଙ୍ଗଲ ହେଲାଣି ପୁଳିପୁଳିକା । ମଝିରେ ଚାଷଜମି, ତେଣୁ ବାଘର ଅଚାନକ ଅତ୍ୟାଚାର କମୁଛି । ତଥାପି ରହିଛି । ଅରଣ୍ୟ ଭୟଶୂନ୍ୟ ନୁହେଁ ।’’

 

ତମସାତୀରେ ଉପନ୍ୟାସରେ କାହ୍ନୁଚରଣ ଏହିପରି ଯେତେଗୋଟି ସ୍ଥାନର ବର୍ଣ୍ଣନା କରିଅଛନ୍ତି ସେସବୁ ତାଙ୍କର ବ୍ୟକ୍ତିଗତ ଅନୁଭୂତି ଜଡ଼ିତ । ତେଣୁ ସେଗୁଡ଼ିକ ଅତୀବ ଜୀବନ୍ତ ହେବାର କଥା । କାହ୍ନୁଚରଣଙ୍କର ପ୍ରତ୍ୟେକ ଉପନ୍ୟାସରେ ତାଙ୍କର ବର୍ଣ୍ଣନାଗୁଡ଼ିକ ଅତ୍ୟନ୍ତ ମନୋରମ ହେବାର ଆଉ ଗୋଟିଏ କାରଣ ମଧ୍ୟ ରହିଛି । ତାହା ହେଉଛି, ତାଙ୍କର ଭାଷାର ଅପୂର୍ବ ଯାଦୁକରୀ ଶକ୍ତି । ଫକୀରମୋହନ ସେନାପତି ତାଙ୍କର ପୂର୍ବବର୍ତ୍ତୀ ଔପନ୍ୟାସିକମାନଙ୍କର ଭାଷାର ଶୈଳୀକୁ ପରିହାର କରି ନିଜର ଶୈଳୀ ପ୍ରବର୍ତ୍ତନ କରି ଓଡ଼ିଆ ଗଦ୍ୟରଚନାର ସରଳ ରୂପ ପ୍ରକାଶ କରିଥିଲେ । ଫକୀର ମୋହନଙ୍କର ଭାଷା ଏହି ଦୃଷ୍ଟିରୁ ଆଧୁନିକ ଓଡ଼ିଆ ସାହିତ୍ୟରେ ବିଶେଷ ଗୌରବ ଲାଭ କରିଅଛି । ଫକୀରମୋହନଙ୍କ ପରେ ଯେଉଁ ଲେଖକମାନେ ଓଡ଼ିଆ ଗଦ୍ୟରଚନାରେ ହାତଦେଲେ ସେମାନେ ଫକୀର ମୋହନଙ୍କ ଭଳି ନିଜ ନିଜର ଭାଷା ଶୈଳୀ ଗଢ଼ିବାର ପ୍ରୟାସ କରିଅଛନ୍ତି । ତେଣୁ ନନ୍ଦକିଶୋର ବଳ, ଚିନ୍ତାମଣି ମହାନ୍ତି, କାଳିନ୍ଦୀ ଚରଣ ପାଣିଗ୍ରାହୀ, କୁନ୍ତଳା କୁମାରୀ ସାବତ, ଗୋପାଳ ଚନ୍ଦ୍ର ପ୍ରହରାଜ, ଉପେନ୍ଦ୍ର କିଶୋର ଦାସ ପ୍ରମୁଖ ସାହିତ୍ୟିକମାନେ ନିଜ ନିଜର ଭାଷା ଶୈଳୀରେ ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିଅଛନ୍ତି । ଏହି ଦୃଷ୍ଟିରୁ କାହ୍ନୁଚରଣ ନିଜର ଭାଷାଶୈଳୀ ଦ୍ୱାରା ଓଡ଼ିଆ ପାଠକମାନଙ୍କର ଆଦରର ପାତ୍ର ହୋଇଅଛନ୍ତି ।

 

ଭାଷାଶୈଳୀ ବିଷୟରେ ଏଠାରେ ଆଉ ଗୋଟିଏ କଥା ଉଲ୍ଲେଖ କରାଯାଇ ପାରେ । କାହ୍ନୁଚରଣ ତାଙ୍କର ଉପନ୍ୟାସ ରଚନାରେ କେତେକ ଉପନ୍ୟାସର କଥାବସ୍ତୁକୁ ବିଭିନ୍ନ ପରିଚ୍ଛେଦରେ ବିଭକ୍ତ ନ କରି ଗୋଟିଏ କଥାବସ୍ତୁର ବିଭିନ୍ନ ବିଭାଗକୁ ଗୋଟିଏ ନୂତନ ରୀତିରେ ପ୍ରକାଶ କରିଅଛନ୍ତି । ଉପନ୍ୟାସର ଗୋଟିଏ ବିଭାଗର ବର୍ଣ୍ଣନାର ଶେଷରେ ସେ ଯେଉଁ ଧାଡ଼ିଟି ଲେଖିଥାଆନ୍ତି ତାହାର ପରବର୍ତ୍ତୀ ବିଭାଗର ଆରମ୍ଭରେ ଚରିତ୍ର ବା ଘଟଣାର ଭିନ୍ନତାରେ ସେହି ଧାଡ଼ିରୁ ପୁଣି ଆରମ୍ଭ କରିଥାଆନ୍ତି । ଏହା ଫଳରେ ଉପନ୍ୟାସର କଥାବସ୍ତୁର ସଂଯୋଗ ଅତ୍ୟନ୍ତ ମନୋରମ ଭାବରେ ରକ୍ଷିତ ହେବା ସଙ୍ଗେ ସଙ୍ଗେ ଉପନ୍ୟାସଟି ସୁଖ ପାଠ୍ୟ ହୋଇଥାଏ । ଶାସ୍ତି ଉପନ୍ୟାସରେ ଏ ପ୍ରକାର ଉଦାହରଣ ଯଥେଷ୍ଟ ରହିଅଛି । ଶାସ୍ତି ଉପନ୍ୟାସର ପୃ.୨୧୬ର ଗୋଟିଏ ଉଦାହରଣ ଏଠାରେ ଦିଆଯାଇ ପାରେ । ପୁନି ଏବଂ ମଧୁଆ କଥାବାର୍ତ୍ତା ହେବା ଅବସ୍ଥାରେ ଉପନ୍ୟାସର କଥାବସ୍ତୁର ଗୋଟିଏ ଅଂଶ ଶେଷ କରି ଲେଖକ ଲେଖିଛନ୍ତି, ‘‘ସଙ୍ଗେ ସଙ୍ଗେ ଝିପି ଝିପି ହୋଇ ଝରିପଡ଼ିଲା ବର୍ଷାବୁନ୍ଦା’’ । ତାପରେ କଥାବସ୍ତୁର ଅନ୍ୟ ଅଂଶରେ ଧୋବୀବୋଉଙ୍କ କଥା ବର୍ଣ୍ଣିତ ହୋଇଅଛି । ଏହି ଅଂଶର ଆରମ୍ଭରେ ଲେଖକ ଲେଖିଛନ୍ତି, ‘‘ଝରିପଡ଼ିଲା ବର୍ଷା ବୁନ୍ଦା । ଆଖିରୁ ଧାର ଧାର ହୋଇ ଗଡ଼ିପଡ଼ୁଥିବା ଲୁହକୁ ଦୁର୍ବଳ ହାତ ପାପୁଲିରେ ପୋଛି, ଧୋବୀବୋଉ ପଦାକୁ ଚାହିଁଲେ ।

 

କାହ୍ନୁଚରଣଙ୍କର ଏହି ଶୈଳୀ ଅନେକ ଆଧୁନିକ ଔପନ୍ୟାସିକ ଗ୍ରହଣ କରିଅଛନ୍ତି । ଏହାଦ୍ୱାରା ବର୍ଣ୍ଣନାଭଙ୍ଗୀର ଚମତ୍କାରିତା ଉପଲବ୍‌ଧ ହୋଇଥାଏ । କେବଳ ଶକ୍ତିଶାଳୀ କାହାଣୀଟିଏ ଗଢ଼ି ନିଜର ଭାଷାସୌଷ୍ଠବଦ୍ୱାରା ତାକୁ ଆକର୍ଷଣୀୟ କରି ରଚନା କରିବା ନୀତି କାହ୍ନୁଚରଣ ଗ୍ରହଣ କରି ନାହାନ୍ତି । ତାଙ୍କର ଉପନ୍ୟାସଗୁଡ଼ିକରେ ସମୟର ପ୍ରାଣସ୍ପନ୍ଦନର ଅନୁଭୂତି ଏକଥା ଜଣାଇ ଦେଇଅଛି । ସେ କେତେକ ନୂତନ ଧରଣର ପରୀକ୍ଷା ଓଡ଼ିଆ ଉପନ୍ୟାସ ଜଗତରେ କରି ସେଥିରେ କୃତିତ୍ୱ ଲାଭ କରିଅଛନ୍ତି । ୧୯୫୧ ସାଲରେ ତାଙ୍କର ଶର୍ବରୀ ଉପନ୍ୟାସ ରଚନା ଏକ ନୂତନ ପରୀକ୍ଷା । ଶର୍ବରୀ ଉପନ୍ୟାସର ଉତ୍ସର୍ଗପତ୍ରରେ କାହ୍ନୁଚରଣ ଲେଖିଅଛନ୍ତି, ‘‘ଶର୍ବରୀ ମଣିଷ ଜାତିର ସଭ୍ୟତାର କ୍ରମବିକାଶ କଥା । ମଣିଷର ସୃଷ୍ଟି କେବେ ହେଲା, ଆଜିଯାଏ କେହି ସ୍ଥିର କରି ପାରି ନାହାନ୍ତି । ସେ କେଉଁ ଅଜଣା ସ୍ୱର୍ଗରୁ ପ୍ରଥମେ ଖସି ପଡ଼ିଥିଲା କି କୀଟପତଙ୍ଗରୁ ବଢ଼ି ବଢ଼ି କ୍ରମବିବର୍ତ୍ତନରେ ମାଙ୍କଡ଼ ହୋଇ ପୁଣି ଲାଙ୍ଗୁଡ଼ ଛିଡ଼ି ମଣିଷ ହେଲା ଏକଥା ବି କେହି ସ୍ଥିର କରି ପାରୁ ନାହାନ୍ତି । X X X ମଣିଷ ସଭ୍ୟତାକୁ କୋଡ଼ିଏ ହଜାର ବର୍ଷତଳୁ ଦଶ ହଜାର ବର୍ଷତଳଯାଏ ମୁଁ ମୋର ସ୍ୱପ୍ନ ଓ କଳ୍ପନା ଭିତରେ ଦେଖିଛି ।’’

 

ମଣିଷ ସଭ୍ୟତାର କ୍ରମବିକାଶ ବିଷୟରେ ଲେଖକ ନିଜ କଳ୍ପନାରୁ ଯେତେବେଳେ ‘‘ଶର୍ବରୀ’’କୁ ଜନ୍ମଦେଲେ ସେତେବେଳେ ଓଡ଼ିଆ ଆଲୋଚକମାନେ ‘‘ଶର୍ବରୀ’’ର ସୃଷ୍ଟି ବିଷୟରେ ସନ୍ଦେହ ପ୍ରକାଶ କଲେ । ଶର୍ବରୀ ପ୍ରକାଶ ପାଇଲା ୧୯୫୩ ସାଲରେ । ଏହାପରେ ଅନେକ ଆଲୋଚକ ମତଦେଲେ ଯେ ଶର୍ବରୀ ଉପନ୍ୟାସର କଥାବସ୍ତୁ ପାଇଁ ଲେଖକ ବଙ୍ଗଳା ସାହିତ୍ୟ ଉପରେ ନିର୍ଭର କରି ଅଛନ୍ତି । ମାତ୍ର ଏ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା କୌଣସି ଆଲୋଚକ ଦେଇ ନାହାନ୍ତି । ବଙ୍ଗଳା ବା ଇଂରେଜୀ ଭାଷାରେ ଏ ପ୍ରକାର ପୁସ୍ତକ ଅଛି ବୋଲି ଯେ କାହ୍ନୁଚରଣ ସେଥିରୁ ଧାର ଆଣିଛନ୍ତି, ଏକଥା କହିବା ନିତାନ୍ତ ଅନୁଚିତ । ‘‘ଶର୍ବରୀ’’ କାହ୍ନୁଚରଣଙ୍କର ଔପନ୍ୟାସିକ ପ୍ରତିଭାର ଏକ ସାର୍ଥକ ପରିଚାୟକ ।

 

୧୯୫୪ ସାଲରେ କା’ ଉପନ୍ୟାସ ରଚନା କରିବା ମଧ୍ୟ କାହ୍ନୁଚରଣଙ୍କର ଆଉ ଗୋଟିଏ ପରୀକ୍ଷା । ମନସ୍ତତ୍ତ୍ୱକୁ ଆଧାର କରି ସେ ଏହି ଉପନ୍ୟାସଟି ରଚନା କରିଛନ୍ତି । ଏହି ଉପନ୍ୟାସର ସାବଲୀଳ ବର୍ଣ୍ଣନାରୀତି ପାଠକର ହୃଦୟକୁ ସ୍ପର୍ଶ କରିଥାଏ । ମାତ୍ର ଏହା ୧୯୫୫ ସାଲରେ ପ୍ରକାଶ ପାଇବା ପରେ କେତେକ ଆଲୋଚକ ମତପ୍ରକାଶ କଲେ ଯେ କା’ ଉପନ୍ୟାସର କଥାବସ୍ତୁ କାହ୍ନୁଚରଣ ପାଲ ଏସ. ବକ୍‌ଙ୍କର ପାଭିଲିଅନ୍ ଅଫ୍ ଓମେନ୍ ନାମକ ଉପନ୍ୟାସରୁ ଗ୍ରହଣ କରିଅଛନ୍ତି । ମାତ୍ର ଆଲୋଚକମାନଙ୍କର ମତର ଯଥାର୍ଥ ନ ଥିବାର ମଧ୍ୟ ଦେଖାଗଲା । ଏହି କା’ ଉପନ୍ୟାସ କାହ୍ନୁଚରଣକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଅଛି ।

 

ଚରିତ୍ର ଚିତ୍ରଣ କ୍ଷେତ୍ରରେ କାହ୍ନୁଚରଣ ଯେ ନିଜତ୍ୱ ପ୍ରଦର୍ଶନ କରିଅଛନ୍ତି; ଏକଥା ମୁକ୍ତ କଣ୍ଠରେ ସ୍ୱୀକାର କରାଯାଇପାରେ । ମାତ୍ର ଅଧିକାଂଶ ସ୍ଥଳରେ ତାଙ୍କର ସୃଷ୍ଟି ଚରିତ୍ରଗୁଡ଼ିକ ପ୍ରାୟ ଗୋଟିଏ ରକମର । ମନୁଷ୍ୟ ଚରିତ୍ରର ସ୍ୱାତନ୍ତ୍ର୍ୟ ପ୍ରକଟନ କରିବାରେ କାହ୍ନୁଚରଣ କେତେକ ତ୍ରୁଟି ସତ୍ତ୍ୱେ ସଫଳତା ଅର୍ଜନ କରିଅଛନ୍ତି । ତାଙ୍କର ଜଗୁ, ସନିଆ, ଉମା, ଧୋବୀ, ନିଧେଇ, ଚିନ୍ତେଇ, ତୁଷାର କାନ୍ତି, କ୍ଷଣପ୍ରଭା, ଅଲିଆଈ, ଶିବ ପଲେଇ, ଅମୀୟ, ଅମିତା ସୌମେନ୍ ପ୍ରଭୁତି ଅସଂଖ୍ୟ ଚରିତ୍ର ଏଇ ସମାଜର । ସେମାନଙ୍କୁ କାହ୍ନୁଚରଣ ରକ୍ତମାଂସ ଦେଇ ଅତି ସତର୍କତାର ସହିତ ଗଢ଼ିଛନ୍ତି । ଅନେକ ସମୟରେ ଆକ୍ଷେପ ହୁଏ ଯେ କାହ୍ନୁଚରଣ ତାଙ୍କର ଉପନ୍ୟାସର ନାୟକ ନାୟିକାମାନଙ୍କ ମୁଖରେ ଅତି ଉଚ୍ଚଦରର ଭାଷା ମଧ୍ୟଦେଇ ଉଚ୍ଚ ଚିନ୍ତାଧାରା ପ୍ରକାଶ କରିଥାଆନ୍ତି । ଏହା ଅନେକ ସମୟରେ ପାତ୍ରୋଚିତ ହୋଇପାରି ନାହିଁ । ମାତ୍ର ଯେଉଁମାନେ ଏ ପ୍ରକାର ମତପୋଷଣ କରନ୍ତି ସେମାନେ ଭୁଲିଯିବା ଉଚିତ ନୁହେଁ ଯେ କାହ୍ନୁଚରଣଙ୍କର ଚିନ୍ତାଧାରା ଓ ଭାଷାର ବଳିଷ୍ଠତା ଏଥିପାଇଁ ଦାୟୀ । ସାହିତ୍ୟକୁ ଏକ ଉନ୍ନତ କଳାର ଦୃଷ୍ଟିରେ ଦେଖିଛନ୍ତି କାହ୍ନୁଚରଣ । ସେଥିରେ ସେ ନିଜର ରୁଚି ଅନୁରୂପ ଭାଷା ଓ ଭାବର ପ୍ରକାଶ କରିଅଛନ୍ତି । ସ୍ରଷ୍ଟା ତାର ମାନସ ସନ୍ତାନକୁ ସର୍ବାଙ୍ଗସୁନ୍ଦର କରି ଗଢ଼ିବାର ପ୍ରୟାସ କରେ । ଉପନ୍ୟାସ ନାଟକ ନୁହେଁ- ସେଥିପାଇଁ ପାତ୍ରୋଚିତ ଭାଷା ଓ ଭାବକୁ ଜଗିଲେ ଚଳିବ ନାହିଁ ।

 

ସମାଜର ରୂପ ପରିବର୍ତ୍ତନ ପାଇଁ କାହ୍ନୁଚରଣ ତାଙ୍କର ଉପନ୍ୟାସଗୁଡ଼ିକରେ ପ୍ରୟାସୀ ହୋଇଅଛନ୍ତି । ହା ଅନ୍ନ, ଶାସ୍ତି, ଝଞ୍ଜା, ବଜ୍ରବାହୁ ପ୍ରଭୁତି ଉପନ୍ୟାସମାନଙ୍କରେ ସେ ଦେଖିଛନ୍ତି ଭବିଷ୍ୟତର ସ୍ୱପ୍ନ । ଏହି ସ୍ୱପ୍ନ ତାଙ୍କୁ ବାରମ୍ବାର ବିଭୋର କରିଛି । ହାଅନ୍ନ ଉପନ୍ୟାସରେ ନ’ଅଙ୍କ ଦୁର୍ଭିକ୍ଷର ଚିତ୍ର, ଶାସ୍ତି ଉପନ୍ୟାସରେ ଦୁର୍ଭିକ୍ଷ ପରବର୍ତ୍ତୀକାଳର ଚିତ୍ର, ଝଞ୍ଜାରେ ଅତ୍ୟାଧୁନିକ ସମାଜର କ୍ରମପରିଣତିର ଚିତ୍ର, ବଜ୍ରବାହୁରେ ଯୋଜନା ଅନୁଯାୟୀ ଗଠିତ ସମାଜର ଚିତ୍ର ଓ ସର୍ବଶେଷରେ ବାସଚ୍ୟୁତ ଶରଣାର୍ଥୀଙ୍କର ଏକତ୍ର ସମାବେଶରେ ଗଠିତ ସମାଜର ଚିତ୍ର ପ୍ରଦାନ କରି ଲେଖକ ନିଜର ସୃଷ୍ଟି କୌଶଳର ପ୍ରକୃଷ୍ଟ ପରିଚୟ ପ୍ରଦାନ କରିଅଛନ୍ତି ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ କାହ୍ନୁଚରଣଙ୍କର ଦକ୍ଷତାର ବିଚାର ସୀମିତ ପରିସର ମଧ୍ୟରେ ସମ୍ଭବ ନୁହେଁ । ତାଙ୍କର ଅଧ୍ୟବସାୟ ଯେ କୌଣସି ଲେଖକର ଅନୁକରଣୀୟ । ସମଗ୍ର ଜୀବନ ସରକାରୀ କର୍ମଚାରୀ ଭାବରେ ଅତିବାହିତ କରି ମଧ୍ୟ ସେ ଓଡ଼ିଆ ସାହିତ୍ୟର ସମୃଦ୍ଧି ସଂପାଦନ ଉଦ୍ଦେଶ୍ୟରେ ଯେପରି ଅନବରତ ଲେଖନୀ ଚାଳନା କରି ଆମ ଆଗରେ ଏକ ଉନ୍ନତ ଆଦର୍ଶର ପ୍ରତିଷ୍ଠା କରିଅଛନ୍ତି ତାହା ଆମର ଗ୍ରହଣୀୟ ହେବା ଉଚିତ । ସ୍ରଷ୍ଟା କାହ୍ନୁଚରଣ ଓଡ଼ିଶାର ସାରସ୍ୱତ କ୍ଷେତ୍ରରେ ଜଣେ କୁଶଳୀ କଳାକାର ରୂପେ ଏ ଜାତିର ସମ୍ମାନ ପାଇବାର ଯୋଗ୍ୟ ।

☆☆☆

 

ଶାସ୍ତିର ପରିକଳ୍ପନାରେ ସମୟର ପ୍ରାଣସ୍ପନ୍ଦନ

 

କାହ୍ନୁଚରଣଙ୍କର କେତେକ ଉପନ୍ୟାସରେ ସମୟର ପ୍ରାଣସ୍ପନ୍ଦନ ବିଶେଷ ଭାବରେ ଅନୁଭୁତ ହୋଇଥାଏ । କାହ୍ନୁଚରଣ ଯେତେବେଳେ ଜଣେ ଦକ୍ଷଶିଳ୍ପୀର ଗୌରବ ଲାଭ କରିଅଛନ୍ତି ସେତେବେଳେ ସେ ଆଉ ମନଗଢ଼ା କାହାଣୀକୁ କଳ୍ପନାର ରଙ୍ଗରେ ରଙ୍ଗେଇ ପାଠକମାନଙ୍କର ଚିତ୍ତବୃତ୍ତିକୁ କେବଳ ଆନନ୍ଦର ଉପାଦାନରେ ମଜ୍ଜିତ କରିବାକୁ ଉଚିତ ମନେ କରି ନାହାନ୍ତି । ସୃଷ୍ଟି ସମ୍ପଦକୁ ସେ ଦେଶ କାଳ ଓ ପାତ୍ରର ସୀମାମଧ୍ୟରେ ଆବଦ୍ଧ କରିବାକୁ ପ୍ରୟାସୀ ହୋଇଅଛନ୍ତି । ସ୍ରଷ୍ଟା ଯେତେବେଳେ ଶକ୍ତିଶାଳୀ ବୋଲି ନିଜକୁ ଜାଣିପାରେ, ସେତେବଳେ ସେ ଜାତିର, ଦେଶର, ସମାଜର, ଭଲମନ୍ଦ, ଆନନ୍ଦ ଅଶ୍ରୁ ପ୍ରଭୁତିକୁ ତାହାର ଲେଖନୀରେ ରୂପଦାନ କରେ । ସ୍ରଷ୍ଟା କାହ୍ନୁଚରଣ ଶାସ୍ତି ଉପନ୍ୟାସ ରଚନା କରିବା ସମୟରେ ଏହି ପ୍ରକାର ପ୍ରଚେଷ୍ଟା କରିଥିବାର ଲକ୍ଷ କରାଯାଏ ।

 

ଶାସ୍ତି ଉପନ୍ୟାସର କଥାବସ୍ତୁ ଆରମ୍ଭ ହୋଇଅଛି ସେହିଠାରେ, ଯେଉଁଠାରେ କି ହା ଅନ୍ନ ଉପନ୍ୟାସର କଥାବସ୍ତୁର ପରିସମାପ୍ତି ଘଟିଅଛି । ଶାସ୍ତି ଉପନ୍ୟାସରେ ସମୟର ପ୍ରାଣ ସ୍ପନ୍ଦନ ଅନୁଭବ କରିବାକୁ ହେଲେ ହା ଅନ୍ନ ଉପନ୍ୟାସର କଥାବସ୍ତୁ ପ୍ରତି ଦୃଷ୍ଟି ନିକ୍ଷେପ କରିବାକୁ ପଡ଼ିବ । ହା ଅନ୍ନ ଉପନ୍ୟାସ ରଚନାର ପୃଷ୍ଠଭୂମି ନ’ଅଙ୍କ ଦୁର୍ଭିକ୍ଷ । ଏହି ଦୁର୍ଭିକ୍ଷର କାରଣ ପ୍ରକାରାନ୍ତରରେ ଲେଖକ ତାଙ୍କର ରଚନାରେ ନିର୍ଦ୍ଦେଶ କରିଅଛନ୍ତି । ଏଥିପାଇଁ ଲେଖକ ଏକାଧିକ ସୂତ୍ରରୁ ତଥ୍ୟ ସଂଗ୍ରହ କରିଅଛନ୍ତି । ଲେଖକ ଯାହା କରନ୍ତୁ ନା କାହିଁକି ଆମର ଏଠାରେ ସେ ସମୟର ଗୁରୁତ୍ୱ ବିଷୟରେ କେତେକ କଥା ଆଲୋଚନା କରିବା ବିଧେୟ ।

 

ହା ଅନ୍ନ ଉପନ୍ୟାସରେ ଲେଖକ ନଅଙ୍କ ଦୁର୍ଭିକ୍ଷର କାରଣ ବିଷୟ ପୃ.୫୨ ଠାରୁ ପୃ.୫୬ ମଧ୍ୟରେ ବର୍ଣ୍ଣନା କରିଅଛନ୍ତି । ଏହି ବର୍ଣ୍ଣନାରୁ ଦୁଇ ଗୋଟି ଊଦ୍ଧୃତ ଏଠାରେ ଦିଆଗଲେ ଆଲୋଚନାର ସମୀଚୀନତା ରକ୍ଷିତ ହେବ । କାହ୍ନୁଚରଣ ହା ଅନ୍ନ ଉପନ୍ୟାସର ପୃ.୫୩ରେ ଲେଖିଛନ୍ତି—(୧) ‘‘ଓଡ଼ିଆ ଆକାଶକୁ ଚାହିଁ ରହିଥିଲା ସତୃଷ୍ଣ ନୟନରେ । ଆଶା କରିଥିଲା, ତାର ଭାଗ୍ୟକୁ ଅମୃତ ବର୍ଷିବ; କିନ୍ତୁ ବର୍ଷିଲା ବଜ୍ର ! ସେ ଚମକି ଚାହିଁଲା–ସବୁ ତାର ସରିଛି ।’’ ପୁଣି ପୃ.୫୪ରେ ସେ ଲେଖିଛନ୍ତି—(୨) ‘‘ଭିତରେ ବାହାରେ ଯେଉଁଠି ଦେଖ, ସେଠି ବଙ୍ଗାଳି-ସରକାରଙ୍କର ଦକ୍ଷିଣ ହସ୍ତ । ଅଦାଲତ କିଲଟରୀର କିରାଣୀଗିରିଠୁଁ ଆରମ୍ଭ କରି ବଡ଼ବଡ଼ ହାକିମହୁକୁମାଙ୍କ ଯାଏ, ଯୁଆଡ଼େ ଚାହଁ ଦେଖିବ ବଙ୍ଗାଳି-ଉପାୟ କ’ଣ ? ଜମିଦାରୀଗୁଡ଼ାତ ଆଗରୁ ହାତକୁ ଆସିଥିଲା, ସରକାରୀ ଚାକିରିଗୁଡ଼ାକ ବି ତ ହାତକୁ ଆସିଲା, ଇଂରେଜୀ ଶିକ୍ଷିତ ଓଡ଼ିଆଙ୍କର ଅଭାବରୁ ଆଇନ୍ ବ୍ୟବସାୟଟା ଏକଚାଟିଆ ହୋଇଗଲା ତାଙ୍କରି ହାତରେ—ଆଉ ଭାବନା କଣ-?

 

ଲେଖକଙ୍କର ଏହି ଦୁଇ ଗୋଟି ଉକ୍ତିକୁ ଆଲୋଚନାର ପୃଷ୍ଠଭୂମିରେ ରଖି ସେ ସମୟର ଗୁରୁତ୍ୱକୁ ଆଲୋଚନା କଲେ ହା ଅନ୍ନ ଓ ଶାସ୍ତି ଉପନ୍ୟାସର ପରିକଳ୍ପନା ବିଷୟରେ ସହଜରେ ଧାରଣା କରାଯାଇ ପାରେ । ନ’ଅଙ୍କ ଦୁର୍ଭିକ୍ଷ ବିଷୟରେ ବିବରଣୀ ଡକ୍‌ଟର ହରେକୃଷ୍ଣ ମହତାବ ତାଙ୍କର ଓଡ଼ିଶା ଉତିହାସରେ ଯାହା ଦେଇଅଛନ୍ତି ତାହା ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ବିବରଣୀର ଉଦ୍ଧୃତାଂଶ । ଠିକ୍ ସେହିପରି କୃପାସିନ୍ଧୁ ମିଶ୍ରଙ୍କର ଉତ୍କଳ ଇତିହାସରେ ଏ ବିଷୟରେ ଯେଉଁ ବିବରଣୀ ପ୍ରଦତ୍ତ ହୋଇଅଛି ତାହା ମଧ୍ୟ ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ବିବରଣୀର କିୟଦଂଶ । ତେଣୁ ଏହି ଦୁଇ ଐତିହାସିକ ନ’ଅଙ୍କ ଦୁର୍ଭିକ୍ଷର ତଥ୍ୟ ପାଇଁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ବିବରଣୀ ଉପରେ ହିଁ ନିର୍ଭର କରିଅଛନ୍ତି । ଫକୀରମୋହନ ସେନାପତି ତାଙ୍କର ଆତ୍ମଜୀବନ ଚରିତରେ ଯେଉଁ ତଥ୍ୟମୂଳକ ଅନୁଭୁତି ସହ ନ’ଅଙ୍କ ଦୁର୍ଭିକ୍ଷର ଚିତ୍ର ପ୍ରଦାନ କରିଅଛନ୍ତି ତାହା ଅତ୍ୟନ୍ତ ପ୍ରାଞ୍ଜଳ ଏବଂ ସୃଷ୍ଟ ରୂପ ଧାରଣ କରିଅଛି । ୧୮୭୮ ସାଲରେ ଦୁର୍ଭିକ୍ଷର କାରଣ ଅନୁସନ୍ଧାନ କରିବା ଲାଗି ବସିଥିବା ଦୁର୍ଭିକ୍ଷ କମିସନର ରିପୋର୍ଟରେ ମଧ୍ୟ ଏହି ଦୁର୍ଭିକ୍ଷ ବିଷୟ ବର୍ଣ୍ଣିତ ହୋଇଅଛି । ଏହିସବୁ ବର୍ଣ୍ଣନା କାହ୍ନୁଚରଣ ଯେ ନିଶ୍ଚିତଭାବରେ ତାଙ୍କର ଉପନ୍ୟାସର ପଟ୍ଟଭୂମି ପାଇଁ ଗ୍ରହଣ କରିଅଛନ୍ତି, କହିବା କାହୁଲ୍ୟ ମାତ୍ର । ଏହି ଦୁର୍ଭିକ୍ଷ ୧୮୬୬-୬୭ ସାଲରେ ପଡ଼ିଥିଲା । ପୁରୀରାଜା ଦିବ୍ୟସିଂହ ଦେବଙ୍କ ନଅ ଅଙ୍କରେ ଏହା ପଡ଼ିଥିବାରୁ ଏହାକୁ ନ’ଅଙ୍କ ଦୁର୍ଭିକ୍ଷ କୁହାଯାଏ ।

 

(୧) ସ୍ୱର୍ଗତ ପ୍ୟାରୀମୋହନ ଆଚାର୍ଯ୍ୟ ଲେଖିଛନ୍ତି, ‘‘ସେ ସମୟରେ ଯେଉଁ ଭୀଷଣ ଲୋମହର୍ଷଣକାରୀ ବ୍ୟାପରମାନ ଏହି ଉତ୍କଳ ଦେଶରେ ଅଭିନୀତ ହୋଇଥିଲା ତାହା ସ୍ମରଣ କଲେ ହୃଦୟ ସ୍ତବ୍‌ଧ ଓ ବିସ୍ମୟ ବିହୁଳ ହୋଇଯାଏ । କରାଳ-ମୃତ୍ୟୁ-ସମନ୍ୱିତ ଦୁର୍ଭିକ୍ଷ ଛବି ଚିତ୍ର କରିବା ମାନବ ଲେଖନୀର ଅସାଧ୍ୟ । ସେ ସମୟରେ ସହସ୍ର ସହସ୍ର କଙ୍କାଳ ପରିଣତ ନରନାରୀମାନଙ୍କର ଆର୍ତ୍ତ ହା ହା କାରରେ ନଗରମାନ ପରିପୂର୍ଣ୍ଣ ହୋଇଥିଲା । ନଗର ଓ ଗ୍ରାମମାନଙ୍କର ସମୀପସ୍ଥ ଶ୍ମଶାନମାନ ଅସଂଖ୍ୟ ନରଦେହରେ ପରିପୁରିତ ହୋଇଥିଲା ଏବଂ ଶକୁନ ଶୃଗାଳମାନେ ନରମାଂସ ଭକ୍ଷଣ କରି ଅସ୍ୱାଭାବିକ ରୂପେ ପରିତୃପ୍ତ ହୋଇଥିଲେ । କ୍ଷୁଧାର ପ୍ରଚଣ୍ଡ ଶାସନରେ ନରନାରୀମାନେ ସ୍ୱାଭାବିକ ହୃଦୟବୃତ୍ତିମାନଙ୍କୁ ବିସର୍ଜନ କରିଥିଲେ । ଜନକ ଜନନୀ ଅସହାୟ ଶିଶୁ ସନ୍ତାନମାନଙ୍କୁ ହିଂସ୍ର ଅରଣ୍ୟ ଶ୍ୱାପଦମାନଙ୍କ ନିକଟରେ ନିକ୍ଷେପ କରିଥିଲେ-। କେହି କେହି କ୍ଷୁଧା ଜର୍ଜରିତ ହୋଇ ରାକ୍ଷସବତ୍ ନିଜ ନିଜ ସନ୍ତାନମାନଙ୍କୁ ସୁଦ୍ଧା ଭକ୍ଷଣ କରିଥିଲେ । ସେ ସମୟରେ ନରହତ୍ୟା, ଆତ୍ମହତ୍ୟା, ଉନ୍ମାଦ ପ୍ରଭୁତି ସାମାଜିକ ଅନିଷ୍ଟଚୟ ଅତ୍ୟନ୍ତ ପ୍ରବଳ ହୋଇଥିଲା । ଏକ ଏକ ଦିନ ଟଙ୍କାକୁ ଏକସେର ଚାଉଳ ମିଳିବାର ଦୁର୍ଘଟ ହୋଇଥିଲା-। ସୁବର୍ଣ୍ଣ, ରୌପ୍ୟ ପ୍ରଭୁତି ଅତ୍ୟଳ୍ପ ମୂଲ୍ୟରେ ବିକ୍ରୀତ ହେଉଥିଲା । ଲୋକେ ଗେଣ୍ଡା, କନାଶିରି, ସାରୁନାଡ଼, ବୃକ୍ଷପତ୍ର ପ୍ରଭୁତି ଖାଇ ପ୍ରାଣ ବଞ୍ଚାଇଥିଲେ ।’’ (ଉତ୍କଳ ଇତିହାସ-କୃପାସିନ୍ଧୁ ମିଶ୍ର ପୃ୩*୮) ।

 

(୨) ଫକୀର ମୋହନ ତାଙ୍କର ଆତ୍ମଜୀବନ ଚରିତର ଅଷ୍ଟମ ପରିଚ୍ଛେଦରେ ଏହି ଦୁର୍ଭିକ୍ଷର ବିସ୍ତୃତ ବିବରଣୀ ପ୍ରଦାନ କରି ଅଛନ୍ତି । ଦୀର୍ଘ ଦଶ ପୃଷ୍ଠା ବ୍ୟାପୀ ବର୍ଣ୍ଣନା ଅତ୍ୟନ୍ତ କରୁଣ ବାୟୁମଣ୍ଡଳ ସୃଷ୍ଟି କରିଅଛି । ସେହି ବର୍ଣ୍ଣନାର କିୟଦଂଶ ଏଠାରେ ଉଦ୍ଧାର କରାଯାଇ ପାରେ । ‘‘ତେନ୍ତୁଳି ଗଛରେ କଅଁଳିଆ ପତ୍ର ବାହାରିବାରୁ ଗୋଟାଏ ଗୋଟାଏ ଗଛରେ ଦଶ କୋଡ଼ିଏ ଜଣ ଲେଖାଏଁ ଚଢ଼ି ମାଙ୍କଡ଼ ପରି ପତ୍ରସବୁ ଖୁଣ୍ଟି ଖୁଣ୍ଟି ଖାଉଥାଆନ୍ତି । ଯେଉଁ ଲୋକକୁ ଅନାଅଁ, ହାଡ଼ ଆଉ ଚମ, ଆଖି ଭିତରକୁ ପଶି ଗଲାଣି । ଅନେକ ଭଦ୍ରଘର ଯୁବତୀ, ବୋହୂ, ଝିଅ ଦୁଇ ତିନି ହାତ ଲମ୍ବ ଶହେ ଗଣ୍ଠିଳା କନା ଖଣ୍ଡେ ଅଣ୍ଟାରେ ଭିଡ଼ି ଦେଇ ଦାଣ୍ଡେ ଦାଣ୍ଡେ ବୁଲୁଥାନ୍ତି । ସେମାନଙ୍କ ମାତୃଚିହ୍ନ ଚର୍ମ ଖଣ୍ଡ ଛାତିରେ ଝୁଲୁଥାଏ । କାହାରି କାହାରି କୋଳରେ ଅସ୍ଥି ଚର୍ମମୟ ପିଲା ସେହି ଚର୍ମମୟ ସ୍ତନଟି ମୁହଁରେ ଦେଇ ଝୁଲି ପଡ଼ିଥାଏ । ଶିଶୁଟା ମୃତ କି ଜୀବିତ, ଚିହ୍ନି ହେଉ ନ ଥାଏ । ଚୈତ୍ରଠାରୁ ମୃତ୍ୟୁସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା । ଦାଣ୍ଡରେ, ଘାଟରେ, ବଣରେ, ପୋଖରୀ ତୁଠରେ ଯହିଁ ଦେଖିବ, ମଡ଼ା ପଡ଼ି ରହିଥାନ୍ତି ।’’ (ଫକୀର ମୋହନ ଆତ୍ମ ଚରିତ- ପୃ.୪୫) ।

 

(୩) ୧୮୭୮ ସାଲରେ ବସିଥିବା ଦୁର୍ଭିକ୍ଷ କମିଶନଙ୍କ ରିପୋର୍ଟର କେତେକାଂଶରେ ଲେଖା ଯାଇଅଛି, ‘‘When the harvest failed, so totally new to them was the situation that no one realised its meaning and its probable results. The local Government and officials not taking alarm and misconceiving the gravity of the occasion abstained from making special enquiries price along remained so moderate that they offered no temptation to importers, and forced no reduction in consumption on the inhabitants, till suddenly the province was found to be almost bare of food. It was only in May 1866 that it was discovered that the markets were so empty that the jail prisoners and the Government establishments could not be supplied. ++X++ But meanwhile, the morality among those whom this relief did not reach or reached too late, had been very great and it was estimated that about a third of the population or nearly 1,000,000 persons had died,’’ (Report of the Famine Commission of 1878-Bengal under the Lieutenant Governors-p.329.)

 

ଏହି ତିନି ଗୋଟି ବିବରଣୀରୁ ୧୮୬୬-୬୭ ସାଲର ଓଡ଼ିଶାର ଦୁର୍ବିପାକର ଚିତ୍ର ଅତ୍ୟନ୍ତ ସ୍ପଷ୍ଟ । ଫକୀର ମୋହନ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଏହି ଅବସ୍ଥା ବର୍ଣ୍ଣନା କରିଅଛନ୍ତି । କାହ୍ନୁଚରଣ ଏହିପରି ଅନେକ ତଥ୍ୟ ସଂଗ୍ରହ କରି ସେହି ତଥ୍ୟକୁ ତାଙ୍କ ରଚନାରେ ପୃଷ୍ଠଭୂମି ରୂପେ କେବଳ ରଖି ନାହାନ୍ତି, ତାଙ୍କର ହା ଅନ୍ନ ଉପନ୍ୟାସର କଳେବର ମଧ୍ୟରେ ତାହାକୁ ସ୍ଥାନ ଦେଇ ଅଛନ୍ତି । ଓଡ଼ିଶାରେ ଏପରି ଏକ ଦୁର୍ଭିକ୍ଷ ପଡ଼ିବା ଯୋଗୁଁ ପ୍ରତ୍ୟେକ୍ଷ ଭାବରେ ସେ ସମୟର ଶାସନକାଳ ଉପରେ ଦୋଷାରୋପ କରାଯାଇଅଛି । ସେତେବଳର ଶାସନକାଳ ଦୁର୍ଭିକ୍ଷର ଆଶଙ୍କା କରି ଆଗରୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବାର କଥା । ମାତ୍ର ତାହା ନ ହେଲା କାହିଁକି ? ସେଥିପାଇଁ ଇତିହାସ ଅନୁସାରେ ଓ ଫକୀର ମୋହନଙ୍କ ବିବରଣୀ ଅନୁସାରେ ଦାୟୀ ସେତେବେଳର ଶାସନ କ୍ଷେତ୍ରର କର୍ମଚାରୀଗଣ । କାହ୍ନୁଚରଣଙ୍କର ହା ଅନ୍ନ ଉପନ୍ୟାସରୁ ଉଦ୍ଧାର କରାଯାଇଥିବା ଦ୍ୱିତୀୟ ଉକ୍ତିଟି ଏହି ତଥ୍ୟ ପ୍ରକାଶ କରିଥାଏ ।

 

ଯେତେବେଳେ ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିବାର ଆଶଙ୍କା କରାଗଲା ସେତେବେଳେ ଶାସନ ଦାୟିତ୍ୱରେ ଥିବା କର୍ମଚାରୀଗଣ ସେଥିପ୍ରତି ସତର୍କ ନଥିଲେ । ଏହି ଶାସନକ୍ଷେତ୍ରର କର୍ମଚାରୀଗଣଙ୍କୁ ଆକ୍ଷେପ କରି କାହ୍ନୁଚରଣ ଲେଖିଅଛନ୍ତି । ସେ ସମୟର ତଥ୍ୟରୁ ଜଣାଯାଏ ଯେ ସେତେବେଳେ ଓଡ଼ିଶାରେ ଶାସନ କ୍ଷେତ୍ରରେ କର୍ମଚାରୀ ଥିଲେ ବଙ୍ଗାଳୀମାନେ । ଓଡ଼ିଶାରେ ସରକାରୀ କାର୍ଯ୍ୟ କରିବା ଭଳି ଯୋଗ୍ୟତା ଓଡ଼ିଆମାନେ ହାସଲ କରି ନ ଥିଲେ । ବଙ୍ଗବାସୀମାନେ ଏ ଦେଶରେ କିପରି ଶାସନକଳକୁ ମାଡ଼ିବସିବାର ସୁଯୋଗ ଲାଭକଲେ ସେ ବିଷୟ ଅଧ୍ୟାପକ ଡକ୍‌ଟର ସାମନ୍ତରାୟଙ୍କ ଓଡ଼ିଆ ସାହିତ୍ୟର ଇତିହାସ ପୃ, ୧୫୮ରେ ଆଲୋଚିତ ହୋଇଅଛି । ୧୮୨୧ ସାଲରେ କଟକର ଜିଲା ମାଜିଷ୍ଟ୍ରେଟ୍‌ଙ୍କର ଗୋଟିଏ ମନ୍ତବ୍ୟ ଟୟନ୍‌ବୀ ସାହେବଙ୍କର ବିବରଣୀରୁ ଅଧ୍ୟାପକ ସାମନ୍ତରାୟ ଉଲ୍ଲେଖ କରିଅଛନ୍ତି । ତାହା ହେଉଛି, ‘‘ଦଶ ଟଙ୍କାରୁ ଊର୍ଦ୍ଧ୍ୱ ଦରମା ପାଉଥିବା ଜଣେ ଖାଣ୍ଟି ଓଡ଼ିଆ ଏଠାରେ ନାହାନ୍ତି; କିନ୍ତୁ ଏମିତି ବଙ୍ଗାଳୀ ଓ ମୁସଲମାନ (ଯେଉଁମାନେ ଏ ଦେଶରେ ବସବାସ କରିଗଲେଣି) ଅନେକ ଅଛନ୍ତି । ସବୁ ସମୟରେ ମୁଁ ଓଡ଼ିଆମାନଙ୍କୁ ପ୍ରଥମ ସୁବିଧା ଦିଏ; କିନ୍ତୁ ବର୍ତ୍ତମାନ ସମୟରେ ଗୋଟିଏ ସାଧାରଣ ମୋହରିର ଚାକିରି ପାଇଁ ଯୋଗ୍ୟତା ଥିବା କୌଣସି ଜଣେ ମାତ୍ର ଓଡ଼ିଆ ମୁଁ ଦେଖିବାକୁ ପାଉନି ।’’

 

ଇଂରେଜମାନେ ଏ ଦେଶକୁ ଦଖଲ କଲେ ୧୮୦୩ ସାଲରେ । ୧୮୦୩ ସାଲରେ ଓଡ଼ିଆମାନେ ଇଂରେଜମାନଙ୍କ ସଂସ୍ପର୍ଶରେ ଆସିଲେ ହେଁ ୧୮୨୧ ସାଲ ଭିତରେ ସରକାରୀ ଚାକିରି ପାଇଁ ଯୋଗ୍ୟତା ଲାଭ କରିବା ଓଡ଼ିଆ ପକ୍ଷରେ ଅସମ୍ଭବ ହୋଇଛି । କାରଣ ଏହି ଅଠର ବର୍ଷ ମଧ୍ୟରେ ଓଡ଼ିଶାରେ ଶିକ୍ଷାନୀତିର ପ୍ରବର୍ତ୍ତନ ବିଶେଷଭାବରେ ହୋଇପାରି ନାହିଁ । ତେଣୁ ଗୋଟାଏ ଜାତି ଗୋଟାଏ ନୂତନ ରୂପରେ ପରିବର୍ତ୍ତିତ ହେବା ପାଇଁ ସମୟ ଲାଗିବାର କଥା । ଯେତେବେଳେ ଓଡ଼ିଆ ଜାତି ସରକାରୀ ଚାକିରି ପାଇଁ ଇଂରେଜଙ୍କ ଦୃଷ୍ଟିରେ ଅଯୋଗ୍ୟ ସେତେବେଳେ ଇଂରେଜମାନେ ପଡ଼ୋଶୀ ରାଜ୍ୟରୁ କର୍ମଚାରୀ ଆମଦାନୀ କରିବାର କଥା । କାରଣ, ଓଡ଼ିଶାକୁ ଆସିବାର ପ୍ରାୟ ପଚାଶ ବର୍ଷ ପୂର୍ବରୁ ଇଂରେଜଜାତିର କମ୍ପାନୀ ସରକାର ବଙ୍ଗଳାରେ ପ୍ରବେଶ କରି ସାରିଛି ଏବଂ ବଙ୍ଗାଳୀମାନଙ୍କୁ ଇଂରେଜ ରୀତିରେ ଶିକ୍ଷାଦାନ କରି ସରକାରୀ କର୍ମଚାରୀ ହେବାର ଯୋଗ୍ୟତା ଦେଇସାରିଛି । ଏହି ସୁଯୋଗରେ ଅସଂଖ୍ୟ ବଙ୍ଗାଳୀ ଓଡ଼ିଶାର ଶାସନ କ୍ଷେତ୍ରରେ ପ୍ରବେଶ କରି ନିଜର ସ୍ୱାର୍ଥ ସାଧନ ତଥା ଅପରିଣାମଦର୍ଶିତାର ପରିଚୟ ଦେଇ ଅଛନ୍ତି । ଓଡ଼ିଶାର ଶାସନ କ୍ଷେତ୍ରରେ ଇଂରେଜ ରାଜତ୍ୱର ଆରମ୍ଭରେ ପ୍ରକୃତରେ ଶାସନ କରିଛନ୍ତି ସ୍ୱାର୍ଥନ୍ୱେଷୀ ବଙ୍ଗବାସୀଗଣ । ଏହିମାନଙ୍କ ଅପରିଣାମଦର୍ଶିତାର ପରିଣାମ ନ-ଅଙ୍କ ଦୁର୍ଭିକ୍ଷ । ଯେତେବେଳେ ଅନ ବୃଷ୍ଟି ହେତୁ ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିବାର ଆଶଙ୍କା କରାଗଲା ସେତେବେଳେ ବଙ୍ଗଳାର ଲେଫ୍‌ନାଣ୍ଟ୍ ଗଭରର୍ଣ୍ଣର ଓଡ଼ିଶାର ଶାସନ କ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ ଦୁର୍ଭିକ୍ଷ ପାଇଁ ଖାଦ୍ୟଶସ୍ୟ ବାହାରୁ ଆଣି ରଖାଯିବାର ଆବଶ୍ୟକତା ଅଛି କି ? ସେତେବେଳେ ଏପରି ଏକ ଗୁରୁତର ବିଷୟକୁ ନିତାନ୍ତ ଲଘୁଭାବରେ ଗ୍ରହଣ କରିଥିଲେ ସରକାରୀ କର୍ମଚାରୀଗଣ । ସେମାନେ ଖାଦ୍ୟଶସ୍ୟ ବିଷୟରେ ନିତାନ୍ତ ଦାୟିତ୍ୱହୀନ ଭାବରେ ତଥ୍ୟ ସଂଗ୍ରହ କରି ସରକାରଙ୍କୁ ଜଣାଇଲେ ଯେ ଓଡ଼ିଶାରେ ପ୍ରଚୁର ଖାଦ୍ୟଶସ୍ୟ ମହଜୁଦ୍ ଅଛି । ବାହାରୁ ଖାଦ୍ୟଶସ୍ୟ ଅଣାଯିବାର କୌଣସି ଆବଶ୍ୟକତା ନାହିଁ । ବିଦେଶୀ ସରକାର ଏତିକିରେ ଚୁପ୍ ରହିଲା । ଫଳରେ, ଯେତେବେଳେ ଦୁର୍ଭିକ୍ଷର କରାଳ ଛାୟା ସମଗ୍ର ଓଡ଼ିଶାରେ ବ୍ୟାପିଗଲା ସେତେବେଳେ ଆଉ ପ୍ରତିକାରର ବାଟ ନ ଥିଲା । ଲୋକମାନେ ପୋକ ମାଛି ପରି ପଡ଼ି ମଲେ । ସେହି ଦୁର୍ଭିକ୍ଷର କରୁଣ କାହାଣୀ ଏବେ ମଧ୍ୟ ମନୁଷ୍ୟକୁ ବିଚଳିତ କରେ । ସରକାର ଯେତେବେଳେ ଦେଖିଲେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ସେତେବେଳେ ରେଙ୍ଗୁନ୍‌ରୁ ଖୁଦ ଓ ଚାଉଳ ଜାହଜରେ କଲିକତା ବାଟଦେଇ ଆଣିଲେ । ଓଡ଼ିଶାରେ ଚାଉଳ ପହୁଞ୍ଚିବା ବେଳକୁ ଅସଂଖ୍ୟ ପ୍ରାଣୀ ଇହଧାମ ତ୍ୟାଗ କରିସାରିଥିଲେ । ମାତ୍ର ଯେଉଁମାନେ ଦୁର୍ଭିକ୍ଷ ସହିତ ସଂଗ୍ରାମ କରି ଅଖାଦ୍ୟ ଖାଇ ଜୀବନକୁ ବଞ୍ଚାଇ ରଖିଥିଲେ ସେମାନେ ରିଲିଫ୍ କେନ୍ଦ୍ରରୁ ଚାଉଳ ପାଇବା ସଙ୍ଗେ ସଙ୍ଗେ ଚୋବାଇବାକୁ ଲାଗିଲେ ଏବଂ ରନ୍ଧନଶାଳା ଖୋଲାଯାଇ ଯେତେବେଳେ ସେମାନଙ୍କୁ ଗଣ୍ଡିଏ ଗଣ୍ଡିଏ ଭାତ ଖାଇବାକୁ ଦିଆଗଲା ସେତେବେଳେ ସେମାନେ ହଇଜାରେ ଆକ୍ରାନ୍ତ ହୋଇ ଇହଧାମ ତ୍ୟାଗ କଲେ । ଏହିପରି ମୋଟ୍‌ରେ କମିସନର ରିପୋର୍ଟ ଅନୁସାରେ ୧,୦୦୦,୦୦୦ ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲେ ।

 

କେବଳ ଏତିକି ନୁହେଁ, ବଙ୍ଗାଳୀମାନଙ୍କର ଓଡ଼ିଶାକୁ ସଂପୂର୍ଣ୍ଣ ରୂପେ କରଗତ କରିବାର ପ୍ରଚେଷ୍ଟା ସୁବିଦିତ । ଓଡ଼ିଆ ଭାଷାକୁ ଲୋପ କରିବାର ଅସାଧୁ ଉଦ୍ୟମ ନିତାନ୍ତ ନିନ୍ଦନୀୟ । କଲିକତାଠାରେ ଇଂରେଜ କମ୍ପାନୀ ସରକାରର ମୁଖ୍ୟ କାର୍ଯ୍ୟାଳୟ ଥିବାରୁ ଓଡ଼ିଆମାନେ ସେମାନଙ୍କର ବହୁ ନ୍ୟାଯ୍ୟ ଦାବୀରୁ ବଞ୍ଚିତ ହୋଇଅଛନ୍ତି । ଇଂରେଜ ରାଜତ୍ୱ ସମୟରେ ଜମିଦାରମାନେ ସରକାରଙ୍କୁ ଯେଉଁ କର ଦେଉଥିଲେ ଓଡ଼ିଶାର ଜମିଦାରମାନଙ୍କୁ ତାହା ଦେବା ନିମନ୍ତେ କଲିକତା ଯାତ୍ରା କରିବାକୁ ପଡ଼ୁଥିଲା । ସେତେବେଳେ କଲିକତା ଯିବାପାଇଁ ରେଲପଥ ତ ଦୂରର କଥା ସଡ଼କଟିଏ ମଧ୍ୟ ନଥିଲା । ତେଣୁ ଟଙ୍କା ପଇସା ନେଇ ଚାଲି ଚାଲି ବା ବଳଦଗାଡ଼ିରେ ଚଢ଼ି ଦଳେ ଲୋକଙ୍କୁ ସଙ୍ଗରେ ନେଇ, ବାଟରେ ଚୋର ଡକାୟତଙ୍କ କବଳରୁ ମୁକ୍ତିଲାଭ କରି କଲିକତା ସହରରେ ପହୁଞ୍ଚିବାକୁ ପ୍ରାୟ ଦଶ ଦିନରୁ ପନ୍ଦରଦିନ ଲାଗୁଥିଲା । ଇଂରେଜ ସରକାର ଏହି ଖଜଣା ଆଦାୟ ପାଇଁ ସୂର୍ଯ୍ୟାସ୍ତ ଆଇନ ଲ Sun set Law ପ୍ରବର୍ତ୍ତନ କରିଥିଲା । ଏକ ନିର୍ଦ୍ଦିଷ୍ଟ ଦିନର ସୂର୍ଯ୍ୟାସ୍ତ ମଧ୍ୟରେ ଜମିଦାରୀର ଖଜଣା ଦାଖଲ ନହେଲେ ଜମିଦାରୀଟି ନିଲାମ୍ ହୋଇ ଯାଉଥିଲା । ଏହି ସୁଯୋଗରେ ସେ ସମୟର ବଙ୍ଗାଳୀମାନେ ନାମକୁ ମାତ୍ର ଅର୍ଥ ଦେଇ ଓଡ଼ିଶାର ଜମିଦାରୀଗୁଡ଼ିକୁ ନିଲାମରେ ଧରି ନେଇଥିଲେ । ଫଳରେ, ଓଡ଼ିଶାର ନିତାନ୍ତ ଅନ୍ଧାରୀ ମୁଲକରେ ମଧ୍ୟ ବଙ୍ଗାଳୀ ଜମିଦାରୀମାନଙ୍କୁ ଦେଖିବାକୁ ମିଳିଲା ।

 

ବଙ୍ଗାଳୀ ଜାତିର ଏହି ସ୍ୱାର୍ଥପରତାରେ କ୍ଷୁବ୍‌ଧ ହୋଇ ସ୍ରଷ୍ଟା କାହ୍ନୁଚରଣ ହା ଅନ୍ନ ଉପନ୍ୟାସରେ ଆକ୍ଷେପ କରିଅଛନ୍ତି । ଲେଖକଙ୍କର ଆକ୍ଷେପୋକ୍ତି ଯେ କେବେହେଲେ ନିରର୍ଥକ ନୁହେଁ ଏକଥା ସହଜରେ ପ୍ରମାଣିତ ହୋଇଅଛି । ତେଣୁ କାହ୍ନୁଚରଣ ହା ଅନ୍ନ ଉପନ୍ୟାସକୁ ତଥ୍ୟରାଜିର ପଟ୍ଟଭୂମି ଉପରେ ଯେ ଆକର୍ଷଣୀୟ କରି ଠିଆ କରାଇଛନ୍ତି ଏ ବିଷୟରେ ସନ୍ଦେହ ନାହିଁ । ହା ଅନ୍ନ ଉପନ୍ୟାସରେ ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗର ଓଡ଼ିଆ ଜୀବନର କରୁଣ ତିକ୍ତ ଇତିହାସ ବ୍ୟଞ୍ଜିତ । ହା-ଅନ୍ନ ଉପନ୍ୟାସରେ ବର୍ଣ୍ଣିତ ଘଟଣାବଳୀ ୧୮୬୬-୬୭ ସାଲର ସୀମା ମଧ୍ୟରେ ଆବଦ୍ଧ । ଅନ୍ନଛତ୍ରରୁ ତିକ୍ତ ଅନୁଭୂତି ନେଇ ଜଗୁ ପୁରୀରେ ପହୁଞ୍ଚିବା ସମୟରେ ମଧ୍ୟ ଦୁର୍ଭିକ୍ଷର ଦାଉ ଶେଷ ହୋଇ ନଥିଲା । ଜଗୁ ଯେତେବେଳେ ପୁରୀରେ ପହୁଞ୍ଚି ଚିକିତ୍ସିତ ହେଉଥିଲା ସେତିକିବେଳେ ତାର ଉମା ସହିତ ସାକ୍ଷାତ ହୋଇଅଛି । ଏହି ସାକ୍ଷାତ ପରେ ଲେଖକ ଉପନ୍ୟାସ ଉପରେ ନିର୍ଭର କରିବାକୁ ପଡ଼ିବ।

 

ଗଣ୍ଡିଏ ଖାଇବାକୁ ନପାଇ ଲକ୍ଷ୍ୟହରା ହୋଇ ଓଡ଼ିଆ ଯୁବକ ତାର ବାପ, ମା, ଭାଇ, ଭଉଣୀର ଖବର ନରଖି ପେଟ ପାଇଁ ଗୋଡ଼ ଦୁଇଟା ଯେଉଁ ଆଡ଼କୁ ଟାଣି ନେଲା ସେହି ଆଡ଼କୁ ସେ ଟଳି ଟଳି ଚାଲିଲା । ଶୋଷରେ ତଣ୍ଟି ଶୁଖିଯିବାବେଳେ ମଧ୍ୟ ସେ ଟୋପାଏ ପାଣି ପିଇବାକୁ ପାଇ ନାହିଁ । ଲେଖକଙ୍କ ଭାଷାରେ,

 

‘‘ଶୋଷରେ ହଂସା ଉଡ଼ୁଛି । ଭଲ ମନ୍ଦ ବାରି ଘୃଣା କରିବାକୁ ବେଳ ନାହିଁ । ଉଦୁଉଦିଆ ଦି’ପହରେ ଅସାଧ୍ୟ ବାଟ ଚାଲି ଖରାତରା ନମାନି ମୁନ୍ଦାଏ ପାଣି ପିଇବାକୁ ଆଶା ମୁଖରେ ଆସିଛି । ପାଣି ମନ୍ଦାଏ ପାଟିରେ ନ ଦେଇ ଫେରିଗଲେ ଅଧବାଟରେ ପ୍ରାଣ ଛାଡ଼ିଯିବ । କ’ଣ କରିବ । କୂଳରେ ବସି, ଧୀରେ ଧୀରେ ଉପର ସର ଆଡ଼େଇ, ସେ ଚଳେ ପାଣି ଛାଡ଼ିଯିବ । କ’ଣ କରିବ । କୂଳରେ ବସି, ଧୀରେ ଧୀରେ ଉପର ସର ଆଡ଼େଇ, ସେ ଚଳେ ପାଣି ଆଣି ପାଟିରେ ପୁରାଇଲା; କିନ୍ତୁ ଉତ୍କଟ ଗନ୍ଧହେତୁ ଢୋକି ପାରିଲା ନାହିଁ । ଆଖି ବୁଜି, ଶେଷକୁ ଢକ ଢକ କରି କେତେ ଢୋକ ପାଣି କୌଣସି ମତେ ଉଦରସ୍ଥ କରି ସେ ଏକମୁହାଁ ହୋଇ ଖାଲି ପାଖରୁ ଖଣ୍ଡେ ଦୂର ଘୁଞ୍ଚି ଆସିଲା-। ସଢ଼ା ଗନ୍ଧଟା ତଥାପି ତା’ର ନାକ ଫଟାଉ ଥାଏ ।’’

 

ଏହିପରି ଅସହାୟ ଜୀବନ ନେଇ କାଙ୍ଗାଳ ଓଡ଼ିଆ ଯୁବକ ଯେତେବେଳେ ବୁଲୁଥିଲା ସେତେବେଳେ ସେ ଶୁଣିବାକୁ ପାଇଲା ଯେ ଅନ୍ନଛତ୍ରରେ ଖାଇବାକୁ ଦିଆଯାଉଛି । ପ୍ରାଣ ବିକଳରେ, ସବୁ ସଙ୍କୋଚରୁ ପଛରେ ପକାଇ ଖାରବେଳ, ପୁରୁଷୋତ୍ତମ ଓ ମୁକୁନ୍ଦର ବଂଶଧର ଯାଇ ପହୁଞ୍ଚିଛି ସରକାରୀ ଅନ୍ନଛତ୍ରରେ । ପେଟ ବିକଳରେ ସେ କଣ କରିଛି ନିଜେ ବୁଝିପାରି ନାହିଁ-। ଅନ୍ନଛତ୍ରରେ ତାକୁ ଖାଇବାକୁ ମିଳିଲା ନାହିଁ । ସେଠାରେ ଥିବା କୌଣସି ବ୍ୟକ୍ତି ତା କଥାରେ କର୍ଣ୍ଣପାତ କଲେ ନାହିଁ । ଯେଉଁ କାଙ୍ଗାଳମାନେ ପତର ପକାଇ ଖାଇ ବସିଥିଲେ ସେମାନଙ୍କୁ ସତୃଷ୍ଣ ନୟନରେ ସେ ବା ଚାହିଁରହନ୍ତା କେତେବେଳେ ? ଅନ୍ୟର ପତରରୁ ଛଡ଼ାଇ ସେ ଭାତ ଖାଇଲା-। କାଙ୍ଗାଳମାନଙ୍କର ଚିତ୍କାର ଶୁଣି ସିପାହୀମାନେ ଆସି ତାକୁ ଗିରଫ କଲେ । ସେ ପାଇଲା କଣ-?

 

‘‘ପେଟପାଇଁ ମୁଠିଏ ଭାତ ଛଡ଼ାଇ ଖାଇଲା ବୋଲି ତା ଉପରେ ଏଡ଼େବଡ଼ ଦଣ୍ଡ ! ଦୁଇଦିନ ଦୁଇରାତି ଅନଶନରେ ତାକୁ ଗୋଟାଏ ଖୁଣ୍ଟରେ ବାନ୍ଧି ରଖିଲେ । ମାଗିଲେ ମୁନ୍ଦାଏ ପାଣି ସୁଦ୍ଧା ପିଇବାକୁ ଦେଲେ ନାହିଁ । ବର୍ଷା ହେଲା, ବର୍ଷାମାଡ଼ ମଧ୍ୟ ପିଠିରେ ତାକୁ ସହିବାକୁ ହେଲା ?

 

ଖାଲି ଏତିକି ନୁହେଁ ସେ ଦୁଇଦିନ ପରେ ମୁକ୍ତ ହୋଇ ମଧ୍ୟ ଗଣ୍ଡିଏ ଖାଇବାକୁ ପାଇଲା ନାହିଁ । ଭୋକ ଉପାସରେ ସେ ଚାଲିଛି ଟଳି ଟଳି । ଲକ୍ଷ୍ୟ ତାର ପୁରୀଧାମ । ସେଠାରେ ମଧ୍ୟ ସେ କୌଣସି ଗଦା ପାଇନାହିଁ । ଆତ୍ମୀୟର ମୃତଶବ ଦେଖି ସେ ବ୍ୟଥିତ ହୋଇଛି । ମୁମୂର୍ଷ ଅବସ୍ଥାରେ ବାଟରେ ପଡ଼ିଥିବା ସମୟରେ ତାକୁ ଜୀବିତ ଜାଣି ମଧ୍ୟ ଶବବାହୀ ଗାଡ଼ିରେ ପକାଇ ଶ୍ମଶାନକୁ ଗାଡ଼ିବାଲାମାନେ ନେଇ ଯାଇଅଛନ୍ତି, ମାତ୍ର ତାଠାରେ ଜୀବନର ସଙ୍କେତ ପାଇ କୌଣସି ସେବକ ତାକୁ ଶବବାହୀ ଗାଡ଼ିରୁ ଉଦ୍ଧାର କରିଛି । ତା ପରେ ସେ ଆଶ୍ରୟ ପାଇଛି କୌଣସି ସେବାସଂସ୍ଥାରେ ଚିକିତ୍ସାଳୟରେ । ଏହିଠାରେ ସେ ପୁଣି ଭେଟିଛି ତାର ଅତୀତର ମାନସୀ ପ୍ରତିମାକୁ ।

 

ଏହିପରି ଭାବରେ ଓଡ଼ିଆ ଯୁବକ ନଅଙ୍କ ଦୁର୍ଭିକ୍ଷର କରାଳ ଗ୍ରାସରୁ ମୁକ୍ତି ପାଇଛି । ହା ଅନ୍ନର ଚିତ୍କାର ଭିତରେ ‘‘ହାଅନ୍ନ’’ର ଶେଷ ଯବନିକ ପାତ ପରେ ‘‘ଶାସ୍ତି’’ର ପରଦା ଉତ୍ତୋଳିତ ହୋଇଛି । ଏହିଠାରେ ଆମେ ଦେଖିବାକୁ ପାଉଁ ନିଷ୍ପେଷିତ କାଙ୍ଗାଳ ଓଡ଼ିଆ ଯୁବକ ତାର ଜନ୍ମମାଟିର ମମତା ଡୋରିରେ ଟାଣି ହୋଇ ପୁଣି ତାର ଭିଟାମାଟିକୁ ଫେରୁଛି ।

 

‘‘ରାତି ପାହିଲାଣି । ସୂର୍ଯ୍ୟଉଠି ନଥାନ୍ତି । ପୁଷମାସର ଦିହଥରା ହାଡ଼ଦୋହଲା ଶୀତ । ତଥାପି ସନିଆଁ ଚାଲିଛି । ଗୋଡ଼ତଳର ଘାସ ଉପରେ ରାତିର କାକର । ତଳିପା କୋହଲି ଉଠୁଛି । X X X ଦେହରେ ରକ୍ତ ମାଂସ ନାହିଁ । ହାଡ଼ କେଇଖଣ୍ଡି ଉପରେ ଘେରା ହୋଇଛି ଯେଉଁ ଚମ ସେ ବି କୁଞ୍ଚିକୁଞ୍ଚିଆ । କୋରଡ଼ ଭିତରେ ଜ୍ୟୋତିହୀନ ଆଖି । X X X ଆଗରେ ଦିଶୁଛି ଯେଉଁ ଗାଁ, ସେଇ ତାର ଜନ୍ମମାଟି ।’’

 

ନ’ଅଙ୍କ ଦୁର୍ଭିକ୍ଷର ଦାଉରେ ଭିଟାମାଟି ଛାଡ଼ି ସନିଆଁ ଯେଉଁଦିନ ବାହାରି ଯାଇଥିଲା ସେ ଦିନଠାରୁ ତିନିବର୍ଷପରେ ସେ ପୁଣି ତାର ଭିଟାମାଟିକୁ ଫେରି ଆସିଛି । ଏହି ତିନଟି ବର୍ଷ ଭିତରେ ଘଟିଯାଇଛି କେତେକଣ । ଲେଖକ ଏହି ତିନିବର୍ଷ ସମୟର ସୂଚନା ଦେଇ ଜଣାଇଦେଇ ଅଛନ୍ତି ଯେ ଶାସ୍ତିରେ ବର୍ଣ୍ଣିତ ଘଟଣା ହା-ଅନ୍ନରେ ବର୍ଣ୍ଣିତ ଘଟଣାର ତିନିବର୍ଷ ପରର କଥା । ହା ଅନ୍ନର ଘଟଣାକାଳ ଯେବେ ୧୮୬୬-୬୭ ସାଲ ହୁଏ ତାହାହେଲେ ଶାସ୍ତିର ଘଟଣାକାଳ ହେବ ୧୮୬୯-୭୦ ସାଲ । ଏହି ସମୟରେ ଓଡ଼ିଶାର ସାମାଜିକ ଇତିହାସ କିପରି ଥିଲା ତାହା ନ ଜାଣିଲେ ଶାସ୍ତି ଉପନ୍ୟାସରେ ବିକଶିତ କାହ୍ନୁଚରଣଙ୍କର ଔପନ୍ୟାସିକ ପ୍ରତିଭାର ପ୍ରକୃଷ୍ଟ ପରିଚୟ ମିଳିପାରିବ ନାହିଁ ।

 

ଔପନ୍ୟାସିକ କାହ୍ନୁଚରଣ ଯେଉଁ ସମୟର ଘଟଣାକୁ ତାଙ୍କର ଶାସ୍ତି ଉପନ୍ୟାସର କଳେବର ମଧ୍ୟରେ ସ୍ଥାନ ଦେଇଅଛନ୍ତି ସେ ସମୟ ଓଡ଼ିଶା ପକ୍ଷରେ ଏକ ଘୋର ବାଦ ବିସମ୍ବାଦର ସମୟ । ଓଡ଼ିଶାର ସାମାଜିକ ଜୀବନରେ ସେ ସମୟରେ ଯେଉଁ ଝଡ଼ ଉଠିଥିଲା ସେ ଝଡ଼ରେ ଘଟିଥିବା କ୍ଷୟକ୍ଷତି ଅକଳନୀୟ । ଏଥିପାଇଁ ଓଡ଼ିଆ ଜାତିକୁ ଯେ କି ଦୁର୍ଭାଗ୍ୟର ସମ୍ମୁଖୀନ ହେବାପାଇଁ ପଡ଼ିଛି ତାହା ଅତୀତର ଇତିହାସ ଅନୁଧ୍ୟାନ କଲେ ସହଜରେ ଜଣା ପଡ଼ିଥାଏ । ଯେଉଁମାନଙ୍କର ଅପାରଗତା ଓ ଦାୟିତ୍ୱହୀନତା ଯୋଗୁଁ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷରେ ଅଗଣିତ ପ୍ରାଣୀ ପ୍ରାଣ ହରାଇଲେ ସେହିମାନଙ୍କର ଆହୁରି ଏକ ହୀନ ଚକ୍ରାନ୍ତ ନ ଅଙ୍କ ଦୁର୍ଭିକ୍ଷ ପରେ ମଧ୍ୟ ଓଡ଼ିଆ ଜାତିକୁ ବ୍ୟତିବ୍ୟସ୍ତ କରିପକାଇ ଅଛି । ମାତ୍ର ୧୮୭୦ ସାଲ ବେଳକୁ ଏ ଜାତି ପଡ଼େ ଶ୍ରୀ ରାଜ୍ୟରୁ ସରକାରୀ କର୍ମଚାରୀରୂପେ ଆସିଥିବା ବ୍ୟକ୍ତିମାନଙ୍କର ଅନ୍ୟାୟ କାର୍ଯ୍ୟର ପ୍ରତିବାଦ କରି ସେମାନଙ୍କର ଉଦ୍ଦେଶ୍ୟକୁ ପଣ୍ଡ କରିବାକୁ ସମର୍ଥ ହୋଇପାରିଅଛି ।

 

ନଅଙ୍କ ଦୁର୍ଭିକ୍ଷର ପରିଣତି ଓଡ଼ିଆମାନଙ୍କର ଆଖି ଫିଟାଇ ଦେଇଛି । ଓଡ଼ିଆମାନେ ଯେତେବେଳେ ଦେଖିଲେ ଯେ ସେମାନଙ୍କର ଜାତୀୟ ସମସ୍ୟାଗୁଡ଼ିକ ବିଦେଶୀ ଶାସକଙ୍କ ନିକଟରେ ପଡ଼ୋଶୀ ବଙ୍ଗାଳୀ କର୍ମଚାରୀମାନଙ୍କ ଦ୍ୱାରା ଭିନ୍ନ ରୂପରେ ଉପସ୍ଥାପିତ କରାଯାଉଅଛି ଏବଂ ପରିଣାମରେ ସେମାନଙ୍କର ଆଶାର ବିପରୀତ ଫଳ ମିଳୁଅଛି ସେତେବେଳେ ସେମାନେ ବଙ୍ଗାଳୀମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଜାତି-ବିରୋଧୀ ଗୋଷ୍ଠୀ ଭାବରେ ଗ୍ରହଣ କରିନେଇ ଅଛନ୍ତି । ନଅଙ୍କ ଦୁର୍ଭିକ୍ଷର କରାଳ ପରିଣତି ଫଳରେ ଓଡ଼ିଆ ଜାତି ସଂଗଠିତ ହୋଇ ନିଜର ଦାବୀ ଉପସ୍ଥାପିତ କରିବାର ନୀତି ଗ୍ରହଣ କରିଅଛି । ଓଡ଼ିଆଜାତି ଇଂରେଜ ସରକାର ନିକଟରେ ନିଜର ଦାବୀକୁ ଉପସ୍ଥାପିତ କରିବାପାଇଁ ଯେତେବେଳେ ମାଧ୍ୟମ ଖୋଜିଛି ସେତେବେଳେ ‘‘ଉତ୍କଳ ଦୀପିକା’’ ତାର ମୁଖପତ୍ର ରୂପେ କାର୍ଯ୍ୟ କରିଅଛି ।

 

ନଅଙ୍କ ଦୁର୍ଭିକ୍ଷ ପରେ ଏ ଜାତିର ରକ୍ଷଣଶୀଳତା ଯୋଗୁ, ହିନ୍ଦୁ ସମାଜର ନିର୍ମମତା ଯୋଗୁଁ ବହୁ ଦେଶବାସୀ ଧର୍ମାନ୍ତର ଗ୍ରହଣ କରିଅଛନ୍ତି । ଯେଉଁମାନେ ନିଜର ପ୍ରାଣକୁ ବଞ୍ଚାଇବାପାଇଁ ଦୁର୍ଭିକ୍ଷ ସମୟରେ ଅନ୍ନଛତ୍ରରେ ଆହାର ଗ୍ରହଣ କରିଥିଲେ ସେମାନଙ୍କୁ ଦୁର୍ଭିକ୍ଷ ପରେ ହିନ୍ଦୁସମାଜ ‘‘ଛତରଖିଆ’’ ବୋଲି ଘୃଣାକରି ଆଉ ସମାଜରେ ପୁନଃ ପ୍ରବେଶାଧିକାର ଦେଇନାହିଁ । ତେଣୁ ସେ ସମୟର ଖ୍ରୀଷ୍ଟଧର୍ମ ପ୍ରଚାର କରିବାକୁ ଆସିଥିବା ପାଦ୍ରୀମାନେ ଅତି ସହଜରେ ସେମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇ ଖ୍ରୀଷ୍ଟିଆନମାନଙ୍କର ସଂଖ୍ୟା ବଢ଼ାଇ ଅଛନ୍ତି । ସାମାଜିକ ଆଚାର ନାମରେ ହିନ୍ଦୁସମାଜ ସେତେବେଳେ ଘୋର ଅନ୍ୟାୟ କରିଅଛି । ‘‘ଛତରଖିଆ’’ ତାର ନିଜର ଭିଟାମାଟିକୁ ଫେରି ଆସିବା ପରେ ପ୍ରାୟଶ୍ଚିତ କରିବାପାଇଁ ତାର ସମ୍ୱଳ ନାହିଁ ।

 

ଓଡ଼ିଶାର ଗାଁ ଗଣ୍ଡାରେ ଯେତେବେଳେ ଏହିପରି ଭାବରେ ସାମାଜିକ ଜୀବନରେ ବିଶୃଙ୍ଖଳା, ଅଶାନ୍ତି ଓ ଅସନ୍ତୋଷ ବ୍ୟାପି ଯାଇଛି ସେତେବେଳେ ଓଡ଼ିଶାର ଶାସନ କାଳରେ ପୁଣି ଆଉ ଗୋଟିଏ ବିସମ୍ୱାଦ ଆସି ମୁଣ୍ଡଟେକି ଉଠିଛି । ତାହା ହେଉଛି ଓଡ଼ିଶାର ଭାଷା ଆନ୍ଦୋଳନ । ଓଡ଼ିଆ ଭାଷାକୁ ଲୋପ କରିବା ପାଇଁ ସେ ସମୟର ଶାସନକାଳରେ ଥିବା ବଙ୍ଗାଳୀ କର୍ମଚାରୀମାନଙ୍କର ହୀନ ଉଦ୍ୟମ ଓଡ଼ିଆର ପ୍ରାଣକୁ ବ୍ୟଥିତ କରିଅଛି ।

 

ଏ ଦେଶରେ ଇଂରେଜ ଶାସନ ପ୍ରତିଷ୍ଠିତ ହେବାପରେ ପ୍ରାୟ ୧୮୩୭ ସାଲରୁ ଦେଶୀୟ ଭାଷାମାନଙ୍କୁ କେନ୍ଦ୍ରକରି ବହୁ ବାଦବିବାଦର ସୂତ୍ରପାତ ହୋଇଅଛି । ୧୮୩୭ ସାଲରୁ ଗତିକରି ଆସୁଥିବା ଏହି ଅସମାହିତ ବିବାଦ ୧୮୬୮-୬୯ ସାଲରେ ଅତ୍ୟନ୍ତ ତୀବ୍ର ଆକାର ଧାରଣ କରିଅଛି । ବଙ୍ଗାଳୀ କର୍ମଚାରୀମାନେ ଏହି ସମୟରେ ଓଡ଼ିଆ ଭାଷାକୁ ଏକ ଭାଷାରୂପେ ସ୍ୱୀକାର କରିନାହାନ୍ତି । ଏ ପ୍ରସଙ୍ଗରେ ଅଧ୍ୟାପକ ଡକ୍‌ଟର ନଟବର ସାମନ୍ତରାୟ ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ପୃ-୨୨୫-୨୨୬ରେ ରାଜେନ୍ଦ୍ର ଲାଲ୍ ମିତ୍ରଙ୍କର ଗୋଟିଏ ଉକ୍ତି ଉଦ୍ଧାର କରିଅଛନ୍ତି । ତାହା ହେଉଛି, ‘‘୧୮୬୮ ସାଲ ଡିସେମ୍ୱର ମାସରେ କଟକ ଡିବେଟିଂ କ୍ଲବରେ ମୁଁ ଉପସ୍ଥିତ ଥିଲି । ସେଠାରେ ‘ଜାତୀୟତା’ ନାମକ ଏକ ପ୍ରବନ୍ଧ ପଠିତ ହୋଇଥିଲା । +++++ ସେଇ ସଭାରେ ମୋ ଭାଷଣରେ ମୁଁ ଅଭିମତ ଦେଇଥିଲି ଯେ ଏକ ମିଥ୍ୟା ଜାତୀୟତା ଭାବ କିମ୍ୱା ଜାତୀୟତା ନାମରେ ପ୍ରତ୍ୟେକ ଜିନିଷ ପ୍ରତି ଅନ୍ଧ ଅନୁରାଗ ଜାତିର ପ୍ରକୃତ ଉନ୍ନତି ଦିଗରେ ଘୋର କ୍ଷତିକାରକ । ଓଡ଼ିଆମାନଙ୍କର କ୍ଷୁଦ୍ର ଉପଭାଷା ଏକ ସ୍ୱତନ୍ତ୍ର ଭାଷାରେ ପରିଣତ କରିବାର ଉଦ୍ୟମ ହିଁ ସେମାନଙ୍କର ବହୁକ୍ଷତି କରୁଛି । ମୋ ଅଭିଭାଷଣର ଆଭିମୁଖ୍ୟ ସେଠା ଲୋକଙ୍କଠାରେ ସମ୍ପୂର୍ଣ୍ଣ ନୂତନ ଥିଲା ଓ ସେଇ ଦିନଠାରୁ କ୍ଲବ୍, ଖବର କାଗଜ ଓ ସରକାରୀ ଦପ୍ତରରେ ଏ ଭାଷାପ୍ରଶ୍ନ ତୀବ୍ର ବାଦାନୁବାଦ ଭିତରେ ଗତିକରି ଆସୁଛି ।’’ ପ୍ରତ୍ନତାତ୍ତ୍ୱିକ ରାଜେନ୍ଦ୍ରଲାଲ ମିତ୍ର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ କରିବା ନିମନ୍ତେ ଓଡ଼ିଶା ଆସିଥିଲେ । ସେ ଓଡ଼ିଶା ଆସି କଟକରେ ଏପରି ଗୋଟିଏ ଭାଷଣ ଦେଇ ନିଜର ପାଣ୍ଡିତ୍ୟ ପ୍ରକାଶ କରିବାକୁ ଯାଇ ନିଜର ହୀନ ମନୋବୃତ୍ତିକୁ ହିଁ ପ୍ରକୃତରେ ପ୍ରକାଶ କରିଛନ୍ତି-। ଏହା ଫଳରେ ବଙ୍ଗାଳୀ ଓ ଓଡ଼ିଆମାନଙ୍କ ମଧ୍ୟରେ ଶତ୍ରୁତାର ମାତ୍ରା ବିଶେଷ ଭାବରେ ବଢ଼ିଯାଇଛି । ଆଗରୁ କୁହୁଳି କୁହୁଳି ଜଳୁଥିବା ଅସନ୍ତୋଷର ଅଗ୍ନି ଏଠାରେ ଶିଖା ବିସ୍ତାର କରି ପ୍ରଜ୍ଜ୍ୱଳିତ ହୋଇ ଉଠିଛି । ରାଜେନ୍ଦ୍ରଲାଲ ମିତ୍ରଙ୍କର ଅଭିଭାଷଣଟିକୁ ‘‘ଉତ୍କଳ ଦୀପିକା’’ ଯଥାଯଥ ଯୁକ୍ତିର ସହିତ ସମାଲୋଚନା କରିଥିଲା । ‘‘ଉତ୍କଳ ଦୀପିକା’’ କର୍ମଯୋଗୀ ଗୌରୀଶଙ୍କରଙ୍କ ସମ୍ପାଦନାରେ ଯେତେବେଳେ ଓଡ଼ିଆଭାଷା ସପକ୍ଷରେ ପ୍ରଚାର କରି ବଙ୍ଗାଳୀମାନଙ୍କର ଅଭିସନ୍ଧିମୂଳକ ହୀନ ଉଦ୍ୟମର ବିରୁଦ୍ଧାଚରଣ କରିଥିଲା ସେତେବେଳେ କାଳୀପରି ବନ୍ଦୋପାଧ୍ୟାୟଙ୍କ ସମ୍ପାଦନରେ ‘‘ଉତ୍କଳ ହିତୈଷିଣୀ’’ ନାମକ ପତ୍ରିକା ଓଡ଼ିଆ ଭାଷା ବିରୁଦ୍ଧରେ ପ୍ରଚାର କରିଥିଲା । ଏହି ବାଦବିସମ୍ୱାଦ ମଧ୍ୟରେ ୧୮୬୯ ସାଲ ଜୁଲାଇ ମାସରେ ‘‘କଟକ ଷ୍ଟାର’’ ନାମକ ଗୋଟିଏ ଇଂରେଜୀ ପତ୍ରିକାରେ ଉମାଚରଣ ହାଲ୍‌ଦାର ନାମକ ଜଣେ ବଙ୍ଗାଳୀ ଓଡ଼ିଆ ଭାଷାକୁ ବଙ୍ଗଳା ଅକ୍ଷରରେ ଲେଖିବା ନିମିତ୍ତ ଉପଦେଶ ଦେଇ ଗୋଟିଏ ପ୍ରବନ୍ଧ ଲେଖିଥିଲେ-। କେବଳ ଏହି ପ୍ରବନ୍ଧ ନୁହେଁ, ଓଡ଼ିଆ ଭାଷା ବିରୁଦ୍ଧରେ ଯେଉଁଠାରେ ଯେଉଁ ମତ ସେତେବେଳେ ପ୍ରକାଶ ପାଇଥିଲା ତା ବିରୁଦ୍ଧରେ ‘‘ଉତ୍କଳ ଦୀପିକା’’ ବଜ୍ରଗମ୍ଭୀର ସ୍ୱରରେ ପ୍ରତିବାଦ କରିଥିଲା-। ଏଥିପାଇଁ ରାଜକୃଷ୍ଣ ମୁଖୋପାଧ୍ୟାୟ ନାମକ ଜଣେ ବଙ୍ଗାଳୀ ଗୌରୀଶଙ୍କରଙ୍କ ବିରୁଦ୍ଧରେ ସରକାରୀ ଅଦାଲତରେ ମାନହାନି ମୋକଦ୍ଦମା କରିଥିଲେ ଓ ଗୌରୀଶଙ୍କର ଏହି ମୋକଦ୍ଦମାରେ ନିର୍ଦ୍ଦୋଶ ସାବ୍ୟସ୍ତ ହେବାରୁ ରାଜକୃଷ୍ଣ ମୁଖୋପାଧ୍ୟାୟ ଉପହାସିତ ହୋଇଥିଲେ । ଏହିପରି ଭାବରେ ଓଡ଼ିଆ ଭାଷା ବିରୁଦ୍ଧରେ ଯେଉଁ ଆନ୍ଦୋଳନ ସେ ସମୟରେ ଦେଖା ଦେଇଥିଲା, ତହିଁରେ ବହୁ ବଙ୍ଗାଳୀ କର୍ମଚାରୀ, ପଣ୍ଡିତ ଓ ସାଧାରଣ ଲୋକ ଅଂଶ ଗ୍ରହଣ କରିଥିଲେ ।

 

ବଙ୍ଗାଳୀମାନଙ୍କର ଶେଷ ଉଦ୍ୟମ ୧୮୭୦ ସାଲରେ ଆଉ ଗୋଟିଏ ରୂପରେ ଦେଖା ଦେଇଥିଲା । ବାଲେଶ୍ୱର ହାଇସ୍କୁଲର ତତ୍କାଳୀନ ବଙ୍ଗାଳୀ ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ‘‘ଉଡ଼ିୟା ସ୍ୱତନ୍ତ୍ର ଭାଷାନୟ’’ ନାମକ ଗୋଟିଏ କ୍ଷୁଦ୍ର ପୁସ୍ତକ ପ୍ରଣୟନ କରି ଓଡ଼ିଆ ଭାଷାର ନିନ୍ଦାଗାନ କରିଥିଲେ । ଏହି ପୁସ୍ତକ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ଓଡ଼ିଆମାନଙ୍କ ମଧ୍ୟରେ ଏକ ଚାଞ୍ଚଲ୍ୟ ଖେଳିଗଲା । ମାତ୍ର ପରିଣାମରେ ବିଦେଶୀ ସରକାର ସମସ୍ତ ତଥ୍ୟକୁ ଉତ୍ତମରୂପେ ହୃଦୟଙ୍ଗମ କରି ଓଡ଼ିଆ ଭାଷାକୁ ପ୍ରତିଷ୍ଠା କରି ବଙ୍ଗାଳୀମାନଙ୍କର ହୀନ ଉଦ୍ୟମକୁ ପଣ୍ଡ କରିଥିଲା । ବଙ୍ଗାଳୀ କର୍ମଚାରୀମାନଙ୍କ କଥାରେ ବିଶ୍ୱାସ କରି ଇଂରେଜ ସରକାର ୧୮୬୬-୬୭ ସାଲରେ ଯେପରି ଓଡ଼ିଶାକୁ ତାର ଦୁର୍ଭାଗ୍ୟରୁ ରକ୍ଷା କରିବାକୁ ଅସମର୍ଥ ହୋଇଥିଲା, ସେହିପରି ଯଦି ବଙ୍ଗାଳୀମାନଙ୍କ କଥାରେ ବିଶ୍ୱାସ କରି ଭାଷା ସମସ୍ୟାର ସମାଧାନ କରିବାକୁ ଯାଇ ଓଡ଼ିଆ ଭାଷାକୁ ସ୍ୱୀକୃତି ପ୍ରଦାନ କରି ନଥାନ୍ତା ତାହାହେଲେ ତାହାର ପରିଣାମ ଯେ କି ଆକାର ଧାରଣ କରିଥାଆନ୍ତା ତାହା କହିହେବ ନାହିଁ । ନ’ଅଙ୍କ ଦୁର୍ଭିକ୍ଷର ଦୁଇଗୋଟି ପରିଣାମ ଓଡ଼ିଶାର ରାଜନୈତିକ ଇତିହାସରେ ମୁଖ୍ୟ ଭାବରେ ଦେଖା ଦେଇଅଛି:- (୧) ଏହାଦ୍ୱାରା ଅବହେଳିତ ଓ ଲାଞ୍ଛିତ ଓଡ଼ିଆମାନେ ଏକତା ସୂତ୍ରରେ ଆବଦ୍ଧ ହେବାର ସୁଯୋଗ ଲାଭ କରିଅଛନ୍ତି ଓ (୨) ବିଦେଶୀ ଇଂରେଜ ସରକାର ବଙ୍ଗାଳୀମାନଙ୍କର ଓଡ଼ିଆମାନଙ୍କ ପ୍ରତି ବିଦ୍ୱେଷଭାବର ଯଥାର୍ଥ ପରିଚୟ ପାଇଅଛି । ତେଣୁ ଭାଷା ସମସ୍ୟାର ସମାଧାନ କରିବା ସମୟରେ ଇଂରେଜ ସରକାର ବଙ୍ଗାଳୀମାନଙ୍କର ଆଲୋଚନା, ଯୁକ୍ତି ଓ ତର୍କ ଉପରେ ଭାସି ନଯାଇ ପ୍ରତ୍ୟେକ ବିଷୟକୁ ତନ୍ନ ତନ୍ନ କରି ବିଶ୍ଳେଷଣ ପୂର୍ବକ ସିଦ୍ଧାନ୍ତରେ ଉପନୀତ ହୋଇଅଛି । ଏହି ସମୟଠାରୁ ଓଡ଼ିଆଜାତି ମନେ କରିଛି, ବିଦେଶୀ ସରକାର ତାର ପଡ଼ୋଶୀ ବଙ୍ଗୀୟମାନଙ୍କ ଅପେକ୍ଷା ତାର ଅଧିକ ପ୍ରିୟପାତ୍ର ।

 

ଓଡ଼ିଆ ଜାତି ଯେତେବେଳେ ଏହିପରି ଗୋଟିକ ପରେ ଆଉ ଗୋଟିଏ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଅଛି ସେହି ସମୟର ପୃଷ୍ଠଭୂମି ଉପରେ ଶାସ୍ତିର କଥାବସ୍ତୁ ପରିକଳ୍ପିତ ହେଲେହେଁ ଲେଖକ କେବଳ ପ୍ରଥମ ଦୁର୍ଦ୍ଦଶାଟିକୁ କଥାବସ୍ତୁର ପୃଷ୍ଠଭୂମିରେ ଗ୍ରହଣ କରିଅଛନ୍ତି । ସେ ସମୟରେ ଦୁର୍ଭିକ୍ଷ ଜନିତ ପରିଣତି ଯାହା ଯାହା ଘଟିଥିଲା ତାହାକୁ ଲେଖକ ଅତ୍ୟନ୍ତ ଟିକିନିଖି ଭାବରେ ନିଜ ରଚନାରେ ସ୍ଥାନ ଦେଇଅଛନ୍ତି । ହା ଅନ୍ନ ଉପନ୍ୟାସର ରଚନା ୧୯୩୨-୩୩ ସାଲରେ ହୋଇଥିଲା । କାହ୍ନୁଚରଣ କେବଳ ଦୁର୍ଭିକ୍ଷର ଚିତ୍ର ଏହି ଉପନ୍ୟାସରେ ଚିତ୍ରିତ କରି ନୀରବ ରହିନାହାନ୍ତି । ଦୀର୍ଘ ତେରବର୍ଷ ପରେ ପୁଣି ଦୁର୍ଭିକ୍ଷର ପରବର୍ତ୍ତୀ କାଳର ସମାଜର ଚିତ୍ର ଦେବାକୁ ଲେଖକ ପ୍ରୟାସ କରିଅଛନ୍ତି । ଲେଖକଙ୍କର ଏହି ପ୍ରୟାସ ଯେ ଫଳବତୀ ହୋଇଅଛି, କହିବା ବାହୁଲ୍ୟ ମାତ୍ର ।

 

ମାଟିର ମଣିଷ ଉପନ୍ୟାସ ରଚନା କରିବାର ଷୋଳବର୍ଷ ପରେ କାଳିନ୍ଦୀଚରଣ ପାଣିଗ୍ରାହୀ ଲୁହାର ମଣିଷ ରଚନା କରି କଥାବସ୍ତୁର ସଂହତି ରକ୍ଷା କରିବାରେ ଅସମର୍ଥ ହୋଇଅଛନ୍ତି । ମାତ୍ର କାହ୍ନୁଚରଣ ହା-ଅନ୍ନ ଉପନ୍ୟାସ ରଚନାର ତେରବର୍ଷ ପରେ ଶାସ୍ତି ରଚନା କରି କଥାବସ୍ତୁର ସଂହତି ଯେପରି ଭାବରେ ରକ୍ଷା କରିଅଛନ୍ତି ତାହା ତାଙ୍କର ଦକ୍ଷତାର ପରିଚୟ ଦିଏ । ଏ କ୍ଷେତ୍ରରେ କାହ୍ନୁଚରଣଙ୍କର ଦକ୍ଷତାର ସ୍ୱାତନ୍ତ୍ର୍ୟ ଅଛି । କାରଣ ଲୁହାର ମଣିଷ ଉପନ୍ୟାସ ମାଟିର ମଣିଷର ଦ୍ୱିତୀୟ ଭାଗ । ଗୋଟିଏ କଥାବସ୍ତୁର ଅଗ୍ରଗତି ଦୁଇଗୋଟି ଉପନ୍ୟାସରେ ଘଟି ଅଛି । ମାତ୍ର ହା ଅନ୍ନ ଓ ଶାସ୍ତି କ୍ଷେତ୍ରରେ ଏହା ଭିନ୍ନ । ହା ଅନ୍ନ ଓ ଶାସ୍ତିର କଥାବସ୍ତୁ ଭିନ୍ନ । କେବଳ ଦୁଇଗୋଟି ଉପନ୍ୟାସର ଦୁର୍ଭିକ୍ଷର ପ୍ରଭାବ ହିଁ ବର୍ଣ୍ଣନାର ଏକତ୍ୱ ରକ୍ଷା କରିଅଛି । ଶାସ୍ତି ଉପନ୍ୟାସର କଳା ବୈଚିତ୍ର ତାର ସ୍ୱାତନ୍ତ୍ର୍ୟର ପରିଚାୟକ । ଏହି କଳାବୈଚିତ୍ର ସମୟର ଗୁରୁତ୍ୱ ଉପରେ ପ୍ରତିଷ୍ଠିତ ।

 

ଶାସ୍ତି ଉପନ୍ୟାସର କଥାବସ୍ତୁର ଘଟଣାକାଳ ୧୮୬୯-୭୦ ସାଲ, ମାତ୍ର ଲେଖକ ଏହାକୁ ରଚନା କରିଅଛନ୍ତି ୧୯୪୫ ସାଲରେ ଓ ଏହା ପ୍ରକାଶ ପାଇଅଛି ୧୯୪୬ ସାଲରେ । କେବଳ ଓଡ଼ିଆ ନୁହେଁ, ସମଗ୍ର ଭାରତବର୍ଷର ଇତିହାସରେ ଏହି ସମୟ ଏକ ସଘଂର୍ଷର ସମୟ । ରାଜନୀତି କ୍ଷେତ୍ରରେ ସ୍ୱାଧୀନତାର ସଂଗ୍ରାମ ସେତେବେଳେ ଭାରତବାସୀଙ୍କୁ ପାଗଳ କରିଦେଇଥିଲା । ରାଜନୀତିରେ ଭାଗ ନେଇଥିବା ଆମର ନେତୃବୃନ୍ଦ ସେତେବେଳେ ଜାତିକୁ ଡାକ ଦେଇଥିଲେ ମୁକ୍ତିଲାଗି । ଜାତିର ଜନକ ମହାତ୍ମାଗାନ୍ଧୀ ଏହି ଡାକ ସହିତ ଆଉ ଗୋଟିଏ ଉପଦେଶ ଜାତିକୁ ଦେଇଥିଲେ । ଗାନ୍ଧିଜୀ ଚାହିଁଥିଲେ ଆମରି ସମାଜ ରୂପର ପରିବର୍ତ୍ତନ । ସେ ସବୁବେଳେ କହୁଥିଲେ ସହରର ଚାକଚକ୍ୟ ଭିତରୁ ଗାଁ ଗହଳକୁ ଫେରିଚାଲ । ଆମରି ଗାଁ ଗହଳର ସମାଜକୁ ନୂଆରୂପରେ ଗଢ଼ା । ଅସ୍ପୃଶ୍ୟତା ଦୂର କର । ମଣିଷର ଅନ୍ତରାତ୍ମାକୁ ଉପଲବଧି କର । ଧର୍ମ ନାମରେ ଅନ୍ଧବିଶ୍ୱାସ ଏବଂ କୁସଂସ୍କାରକୁ ଗ୍ରହଣ କରନାହିଁ । ନୂଆ ଧର୍ମର, ନୂଆ ମନର, ନୂଆ ହୃଦୟର ଆବେଗରେ ନୂଆ ସମାଜର ରୂପଦିଅ । ଏହି ସମାଜରେ ଭେଦ ଭାବର ପ୍ରଶ୍ନ ନାହିଁ । ଏହି ସମାଜର ଆଲୋକରେ ଶତାବ୍ଦୀର ଅନ୍ଧକାର ଦୂର ହେଉ । ଭାରତର ସ୍ୱାଧୀନତା ଆସିବାକୁ ଆଉ ଅଛି ମାତ୍ର ଦୁଇଟି ବର୍ଷ । ଏତିକିବେଳେ ସ୍ରଷ୍ଟା କାହ୍ନୁଚରଣ ଅତୀତର ତିକ୍ତ ଇତିହାସ ଉପରେ ତାଙ୍କର ଶାସ୍ତିର କଥାବସ୍ତୁକୁ ଗଢ଼ିବାର ଚେଷ୍ଟା କରିବା ସମୟରେ ତାଙ୍କରି ଆଖିଆଗରେ କାନପାଖରେ ଭାସି ଯାଉଥିବା ଆଦର୍ଶର ବାଣୀକୁ ସେ ବା ଗ୍ରହଣ ନ କରନ୍ତେ କିପରି ? ଶାସ୍ତି ଉପନ୍ୟାସରେ ପରିକଳ୍ପିତ ସମାଜ ଭାରତର ସ୍ୱାଧୀନତା ପ୍ରାପ୍ତିର ଅବ୍ୟବହିତ ପୂର୍ବର ଜନନାୟକମାନଙ୍କର ପରିକଳ୍ପିତ ସମାଜର ଅନୁରୂପ ।

 

ପରିକଳ୍ପନା ଓ ବାସ୍ତବତା- ଦୁଇଟି ଭିନ୍ନ କଥା । ଏହି ଭିନ୍ନତାକୁ ପ୍ରଦର୍ଶନ କରିଛନ୍ତି କାହ୍ନୁଚରଣ । ଗାନ୍ଧୀବାଦୀ ସମାଜ ପାଇଁ ଜନନାୟକମାନେ ଯେତେ ଆହ୍ୱାନ କଲେହେଁ ଦେଶ ଯେ ସେପରି ସମାଜ ପାଇଁ ଉପଯୁକ୍ତ ହୋଇ ନଥିଲା ଏ କଥା ଲେଖକ ସନେଇର ପରିକଳ୍ପିତ ଓ ଗଠିତ ସମାଜର ପତନ ଦ୍ୱାରା ନିର୍ଦ୍ଦେଶିତ କରିଅଛନ୍ତି । ଅସ୍ପୃଶ୍ୟତା ଦୂରୀକରଣ ପାଇଁ ମହାତ୍ମାଗାନ୍ଧୀ ଯେତେ ଆହ୍ୱାନ କଲେହେଁ ତାହା କେବେହେଲେ ତାଙ୍କ ଜୀବଦ୍ଦଶାରେ ସମ୍ଭବପର ହୋଇପାରି ନାହିଁ । ଭାରତ ସ୍ୱାଧୀନତା ଲାଭ କରିବା ପରେ ଆଇନ ପ୍ରଣୟନ କରି ତାହାକୁ କାର୍ଯ୍ୟରେ ପରିଣତ କରାଯାଇ ଅଛି । ମହାତ୍ମାଗାନ୍ଧୀ ଯାହା କିଛି ସଂସ୍କାର କରିବାକୁ ଇଚ୍ଛା କରିଥିଲେ ସେସବୁ ବାସ୍ତବରେ କାର୍ଯ୍ୟକାରୀ ହୋଇପାରି ନାହିଁ । ସ୍ୱାଧୀନତା ପାଇବାର ଦୀର୍ଘ ଏକୋଇଶ ବର୍ଷରେ ମଧ୍ୟ ଆଜି ମହାତ୍ମାଗାନ୍ଧୀଙ୍କର ଆଦର୍ଶ କେବଳ ଆଦର୍ଶରେ ରହିଛି । ତେଣୁ ୧୯୪୫ ସାଲରେ କାହ୍ନୁଚରଣ ସମାଜ ସଂସ୍କାର ପାଇଁ ଯେଉଁ ପ୍ରୟାସ କରିଅଛନ୍ତି ତାହା ତାଙ୍କର ଜାତିପ୍ରୀତି ତଥା ଦେଶ ପ୍ରୀତିର ଅପୂର୍ବ ଉଦାହରଣ । ଦେଶ ଓ ଜାତିକୁ ନୂଆ ରୂପରେ ଦେଖିବାର କଳ୍ପନାରେ କାହ୍ନୁଚରଣ ଏକାବେଳେ ଭାବବିହ୍ୱଳ ହୋଇ ଉଠିଛନ୍ତି । ତା ନ ହୋଇଥିଲେ ସେ ଲେଖି ନଥାନ୍ତେ, ‘‘ପୁରୁଣା ବନ୍ଧା ଗତରେ ଗଢ଼ିଚାଲିଛି ଯେଉଁ ସମାଜ ସେଥିରେ ନୂଆ କିଛି କରିବାକୁ ଗଲେ ଚାରିଆଡ଼ୁ ପ୍ରତିବାଦ ମାଡ଼ି ଆସେ । ଆଉ ଦୁନିଆରେ ନୂଆ ହୋଇ ବା ଅଛି କଣ ? ସବୁ ପୁରୁଣା, ଭୁଲା ଅତୀତର ଅଜଣା ସ୍ମୃତିର ନୂଆରୁପ ! ତେଣୁ ବାବା ଆମର ଏ ସମାଜରେ ସ୍ଥାନ ନାହିଁ । ସମାଜ ବିରୁଦ୍ଧରେ ଠେଙ୍ଗାଧରି ଠିଆହେବାର ଶକ୍ତି ମଧ୍ୟ ନାହିଁ । ସେଥିପାଇଁ, ପୁଣି ଆମକୁ ସମାଜ ଭିତରେ ପଶି ଚଳିବାକୁ ହେବ । ସମାଜ ମଝିରେ ଥାଇ ଧୀରେ ଧୀରେ ସଂସ୍କାର କରିବାକୁ ହେବ, ନୋହିଲେ ଏ ସମାଜ ଛାଡ଼ି ଚାଲିଯିବାକୁ ହେବ ।’’ (ଶାସ୍ତି-ପୃ-୩୫୨)

☆☆☆

 

Unknown

ଶାସ୍ତିର କଥାବସ୍ତୁ

 

ନଅଙ୍କ ଦୁର୍ଭିକ୍ଷ ଦାଉରେ ପେଟ ଚାଖଣ୍ଡକ ପାଇଁ ଯେତେବେଳେ ଅସଂଖ୍ୟ ନରନାରୀ ଗାଁ ଭୂଇଁ ଛାଡ଼ି ଅନିଶ୍ଚିତ ପଥର ହେଲେ ସେ ତିନୋଟି ବର୍ଷ ତଳର କଥା । ଜୀବନକୁ ବଞ୍ଚାଇବା ପାଇଁ ଦୁର୍ଭିକ୍ଷ ସଙ୍ଗରେ ସଂଗ୍ରାମ କରି କେତେ ନିଉଛୁଣା ଅବସ୍ଥାକୁ ଅତିକ୍ରମ କରି ଯେଉଁମାନେ ଜୀବନଟାକୁ ଧରି ରହିଲେ ସେମାନେ ପୁଣି ଦୁର୍ଭିକ୍ଷ ପରେ ତିନିବର୍ଷ ତଳର ଚଲା ବାଟରେ ଫେରିବାକୁ ଆରମ୍ଭ କଲେ । ଘରୁ ବାହାରିବା ସମୟରେ ବାପ, ମା, ଭାଇ, ଭଉଣୀ ସମସ୍ତେ ବାହାରିଥିଲେ । ମାତ୍ର ଚଲାପଥରେ କେହି ଆଉ କାହାରି ଖବର ରଖିପାରିଲା ନାହିଁ । ଅଜଣା ଗାଁର କେତେ ଅଜଣା ମଶାଣିରେ କେତେ କିଏ ଟଳି ପଡ଼ିଲେ । ମାତ୍ର ଯେଉଁ କେତେଜଣ ରହିଲେ ସେମାନେ ଫେରିଲେ ନିଜର ଜନମ ମାଟିକୁ । ମନ ଭିତରେ ସେମାନଙ୍କର କେତେ ଆଶା କାଳେ ସେମାନଙ୍କର ବାପ, ଭାଇ, ମା ଆଉ ଭଉଣୀ କେହିହେଲେ ଫେରି ଆସିଥିବେ ।

 

ଏମିତି ମନରେ ଆଶା ନେଇ ଜନମ ମାଟିର ମୋହକୁ ଏଡ଼ି ନପାରି ଫେରିଲା ସନିଆ । ପୁଷ ମାସର ହାଡ଼ ଥରା ଶୀତୁଆ ସକାଳରେ କାକର ଭିଜା ଘାସ ଉପରେ ଦୁର୍ବଳ ପାଦକୁ ଆଗକୁ ବଢ଼ାଇ ବଢ଼ାଇ ଫେରିଲା ସନିଆ । ବିଷ୍ଣୁପୁରରେ ପହଞ୍ଚି ସେ ଦେଖିଲା ଗାଁର ଗଛଲତା, ସବୁ ଅଛି ନାହାନ୍ତି କେତେକ ଭାଗ୍ୟହୀନ ଗ୍ରାମବାସୀ । ସନିଆ ଏପରି ଶରୀର ନେଇ ଗାଁକୁ ଫେରିଥିଲା ଯେ ତାକୁ କେହି ଚିହ୍ନି ପାରିଲେ ନାହିଁ । ସେ ନିଜର ପରିଚୟ ଦେଲା, ମାତ୍ର ତାକୁ ଗ୍ରାମବାସୀଏ ଗ୍ରହଣ କରିପାରିଲେ ନାହିଁ । ସନିଆ ଛତରଖିଆ । ତାକୁ ପୁଣି ସମାଜରେ ଗ୍ରହଣ କରାଯିବ କିପରି ? ସମାଜପତିମାନେ ନିଷ୍ପତ୍ତି ଦେଲେ ଯେ ତାକୁ ଟଙ୍କା ଖର୍ଚ୍ଚ କରି ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ । ଦୁଇଦିନ ହେବ ଯାହା ପେଟରେ ଗଣ୍ଡିଏ ଦାନା ପଡ଼ିନାହିଁ ସେ ପ୍ରାୟଶ୍ଚିତ୍ତ ହେବାକୁ ସମ୍ବଳ ପାଇବ କେଉଁଠାରୁ ?

 

ଏଇ ସନିଆ- ସନେଇ ପରିଡ଼ା । ବନେଇ ପରିଡ଼ାଙ୍କର ପୁଅ । ଦୁର୍ଭିକ୍ଷ ଦାଉରେ ଘରଛାଡ଼ି ଅପର ଗାଁର ମଶାଣିରେ ଢଳି ପଡ଼ିଲେ ବନେଇ ପରିଡ଼ା । ଝିଅ ପୁନି ଆଉ ସନେଇ କୁଆଡ଼େ ଗଲେ, କେହି କାହା କଥା ଜାଣିଲେ ନାହିଁ । ଅତୀତରେ ସନେଇର ବାପ ବନେଇ ଥିଲେ ଦଶମାଣ ଜମିର ମାଲିକ । ସନେଇର ଅକ୍ଳାନ୍ତ ପରିଶ୍ରମ ଫଳରେ ଜମିରୁ ତାଙ୍କର ସୁନା ଫଳୁଥିଲା । ବନେଇ ପରିଡ଼ାଙ୍କର ବେଶୀ ଧନ ବା ଜମିବାଡ଼ି ନଥିଲେହେଁ ତାଙ୍କର ଥିଲା ଉଚ୍ଚକୁଳାଭିମାନ । ସେଇଥିପାଇଁ ପିଲାଦିନରୁ ପରସ୍ପରକୁ ଭଲ ପାଉଥିବା ସନେଇ ଆଉ ଧୋବୀଙ୍କର ବିବାହ ପ୍ରସ୍ତାବ ଯେତେବେଳେ ଉଠିଲା ସେତେବେଳେ ବନେଇ ପରିଡ଼ା ଚିନ୍ତେଇ ସୋଇଁଙ୍କର ନୀଚକୁଳ ବିଷୟରେ ଆକ୍ଷେପ କରି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ଧୋବୀ ଓ ସନିଆ ଉଭୟଙ୍କୁ ବ୍ୟଥା ଦେଇଥିଲା । ମାତ୍ର ସେମାନଙ୍କର କଲାଭଳି କିଛି ନଥିଲା ।

 

ଦୁର୍ଭିକ୍ଷ ସମୟରେ ବନେଇ ପରିଡ଼ା ତାଙ୍କର ଜମିବାଡ଼ି କିଛି ଚିନ୍ତେଇଙ୍କୁ ବିକ୍ରି କରି ଧାନ ଆଣିଲେ । ମାତ୍ର ପରିଣାମରେ ଯେତେବେଳେ ବନେଇ ପରିଡ଼ା ଗ୍ରାମତ୍ୟାଗ କଲେ ସେତେବେଳେ ଚିନ୍ତେଇ ସୋଇଁ ପ୍ରକାରନ୍ତରେ ଆନନ୍ଦ ଅନୁଭବ କରିଥିଲେ । ଚିନ୍ତେଇ ସୋଇଁ ସାରାଜୀବନ ଅମତ୍ ଉପାୟ ଅବଲମ୍ବନ କରି ଜମିବାଡ଼ି, ଧନ ସମ୍ପତ୍ତି ଯଥେଷ୍ଟ ଅର୍ଜ୍ଜନ କରିଥିଲେ । ଚିନ୍ତେଇଙ୍କର ସାନଭାଇ ନିଧେଇ । ଧୋବୀ ଚିନ୍ତେଇଙ୍କର ଏକମାତ୍ର କନ୍ୟା । ଧୋବୀର ନିଧେଇଙ୍କ ସହିତ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ।

 

ସନିଆ ଯେତେବେଳେ ଗାଁ ଦାଣ୍ଡରେ ସମାଜ ପତିଙ୍କର ପ୍ରାୟଶ୍ଚିତ୍ତ କଥା ଶୁଣିଲା ସେତେବେଳେ ସେ ଆଉ ଭାବିପାରିଲା ନାହିଁ । ଗାଁର ଠାକୁର ମନ୍ଦିର ପାଖ କଦମ୍ବଗଛ ତଳେ ହାଡ଼ଭଙ୍ଗା ଶୀତରେ ସାତଗଣ୍ଠି ପଡ଼ିଥିବା ଛିଣ୍ଡା କନା ଦେହରେ ଗୁଡ଼ାଇ ରାତିଟି କଟାଇବାକୁ ପଡ଼ିରହିଲା ସନେଇ । ସନେଇ ଗାଁକୁ ଫେରି ଆସିଥିବା ଖବର ଧୋବୀ କାନରେ ପଡ଼ିଲା । ସନେଇର ଏପରି ଅବସ୍ଥା ଶୁଣି ଧୋବୀର ମନତଳେ ଅକୁହା ବେଦନା ଜମାଟ ବାନ୍ଧିଲା । ରାତି ଅଧରେ ଧୋବୀ ସନେଇ ପାଇଁ ଖାଇବାକୁ ଭାତ ଓ ପାଣି ଢାଳ ଆଣି ସନେଇ ପାଖରେ ପହୁଞ୍ଚିଲା-। ଠାକୁର ମନ୍ଦିରର ଗରୁଡ଼ସ୍ତମ୍ଭ ପଛପଟକୁ ଓଳେଇ ଦେଇ ସେହିଠାକୁ ସନେଇକୁ ଧରି ଟେକିନେଇ ଧୋବୀ ଶୁଆଇ ଦେଲା ଓ ତାକୁ ନିଜ ହାତରେ ଖୁଆଇଦେଲା । ସନେଇକୁ ସେ ଦେଲା ସାନ୍ତ୍ୱନା-। ସନେଇର ମନବଳକୁ ସେ ଉତ୍ତେଜିତ କଲା । ଧୋବୀ ସନେଇକୁ ଛାଡ଼ି ଘରକୁ ଆସିବା ବେଳକୁ ନିଧେଇ ତାକୁ ଦେଖିଛନ୍ତି ଓ ସବୁକଥା ଜାଣି ପାରିଛନ୍ତି । ଏହାପରେ ପ୍ରତିଦିନ ରାତିରେ ନିଧେଇ ସନେଇକୁ ଖାଇବାକୁ ଦେଇଆସନ୍ତି । କ୍ରମେ ଦୁର୍ଭିକ୍ଷ ଫେରନ୍ତା ସନେଇ ଖାଇବା ପିଇବାକୁ ପାଇ ହୃତଶକ୍ତି ଧୀରେ ଧୀରେ ଫେରି ପାଇଲା । ଧୋବୀର ପ୍ରେରଣାରେ ତାର ପିତୃପୁରୁଷର ଅରମ ଡିହକୁ ସଫା କରି କୁଡ଼ିଆଟିଏ ତୋଳିଲା । କୁଡ଼ିଆ ତିଆରି କରିବା ଅବସ୍ଥାରେ ଧୋବୀ ଦିନେ ତାକୁ ଅନୁରୋଧ କରି ପାଞ୍ଚୋଟି ଟଙ୍କା ଓ ପଚିଶଟି ସୁନା ମୋହର ଦେଇ ପ୍ରାୟଶ୍ଚିତ୍ତ ହୋଇ ସମାଜର ମଣିଷ ସଙ୍ଗେ ସମାନ ଆସନରେ ବସିବାକୁ ପ୍ରେରଣା ଦେଲା । ସନେଇ ମୁକ୍ତ ହସ୍ତରେ ଖର୍ଚ୍ଚ କରି ପ୍ରାୟଶ୍ଚିତ୍ତ ହେଲା । ଲୋକମାନେ ମନେକଲେ ବୋଧହୁଏ ସନେଇ ତାର ପିତୃ ପୁରୁଷଙ୍କର ଡିହରୁ କିଛି ପୋତାମାଲ ପାଇଗଲା ।

 

ତା ପରେ ସନେଇ ଘରଟିଏ ତୋଳିଲା । ମଜୁରୀ ଲାଗି ପେଟ ପୋଷିଲା । ଆଖି ଆଗରେ ତାର ଧ୍ରୁବତାରା- ଧୋବୀ । ତାରି ମମତା ତାକୁ ମଣିଷ ପରି ମଣିଷ ହେବାକୁ ପ୍ରେରଣା ଦେଲା । ଧୋବୀଠାରୁ ଶୁଣି ସନେଇ ତାର ବାପ ଛାଡ଼ି ଯାଇଥିବା ତିନିମାଣ ଜମିକୁ ଫେରି ପାଇବା ପାଇଁ ପହରାଜଙ୍କ ଦୁଆରକୁ ଗଲା । ମାତ୍ର ପହରାଜେ ତାକୁ ପଠାଇଲେ ଚିନ୍ତେଇ ସୋଇଁଙ୍କ ପାଖକୁ-। ଚିନ୍ତେଇ କହିଲେ ଯେ ସେ ଜମି ଠାକୁରଙ୍କର । ସେ ଜମିକୁ ଭାଗ ଧରିବାକୁ ଚାହିଁଲେ ମଧ୍ୟ ସନେଇ ତାହା ପାଇଲା ନାହିଁ । ମୂଲ ଲାଗି ଅସହାୟ ଜୀବନ ଯାପନ କରୁଥିବା ସମୟରେ ଆଉଥରେ ଧୋବୀ ତାକୁ ତାର ଶାଶୁ ଦେଇଥିବା ସୁନାହାରଟିକୁ ସନେଇକୁ ଦେଲା ଓ ସନେଇ ସହିତ ତାର ମିଳନର ଆଶା ସନେଇ ମନରେ ଜଗେଇ ଦେଇଗଲା । ସନେଇ ଚିନ୍ତେଇ ସୋଇଁଙ୍କ ଦ୍ୱାରସ୍ଥ ହୋଇ ଟଙ୍କା ନେଇ ତାର ଜମି ଫେରାଇ ଦେବାକୁ ଅନୁରୋଧ କରି ଅପମାନିତ ହୋଇ ଫେରିଲା । ଶେଷରେ ନିମପୁରର ଜମିଦାର ଶିବ ଛୋଟରାୟଙ୍କ ପାଖକୁ ଯାଇ ତାଙ୍କର ତହସିଲଦାର ଗୋବିନ୍ଦ ପ୍ରଧାନଙ୍କୁ ସଲାମୀ ଦେଇ ଢିପଜମି ବାରମାଣ ଓ ପୋଖରୀ ଦେଢ଼ମାଣ ପଟ୍ଟା ଆଣିଲା । ସେହି ଜମିରେ ଝାଳ ନିଗାଡ଼ି ସନେଇ ତାକୁ ସୁନାଥାଳିରେ ପରିଣତ କଲା-। ସନେଇର ଅକ୍ଳାନ୍ତ ପରିଶ୍ରମ ଫଳରେ ପ୍ରାଚୁର୍ଯ୍ୟ ତା ନିକଟରେ ଆସି ବଳେ ବଳେ ପହୁଞ୍ଚିଗଲା ।

 

ସନେଇର ମନରେ ଧୋବୀ ପ୍ରତି ଯେଉଁ ମମତା ମୁଣ୍ଡଟେକି ଉଠିଥିଲା ତାହା କେବଳ ସନେଇର ଏକପାଖିଆ ପ୍ରେମ ନୁହେଁ । ଧୋବୀ ସନେଇର ମନରେ ଏହି ମମତାର ବୀଜ ଅଙ୍କୁରିତ କରିଥିଲା । ଧୋବୀର ଜୀବନ ନଅଙ୍କ ଦୁର୍ଭିକ୍ଷର ଦାଉରେ ମଧ୍ୟ ଏକ ବିରାଟ ପରିବର୍ତ୍ତନ ମଧ୍ୟ ଦେଇ ଗତି କରିଥିଲା । ଯେଉଁଦିନ ବନେଇ ପରିଡ଼ା ଚିନ୍ତେଇ ସୋଇଁଙ୍କ ଦ୍ୱାରରୁ ନିରାଶ ହୋଇ ନିଜର ପିଲାଙ୍କୁ ସଙ୍ଗରେ ଧରି ବାହାରିଗଲେ ସେଦିନ ବିଦାୟର ସେହି ଅନ୍ତିମ ମୁହୂର୍ତ୍ତରେ ଦାଣ୍ଡଘର ଝରକାଫାଙ୍କରେ ଅତି ସନ୍ତର୍ପଣର ଚାହାଣିରେ ଚାହିଁଥିଲା ଧୋବୀ । ଧୋବୀ ସେଦିନ ଥିଲା ଚିନ୍ତେଇ ସୋଇଁଙ୍କର ଅବିବାହିତା କନ୍ୟା । ମାତ୍ର ଦୁର୍ଭିକ୍ଷ ପରେ ଧୋବୀର ଜୀବନ ଏକ ବିରାଟ ଝଞ୍ଜା ମଧ୍ୟଦେଇ ଗତିକରି ସାରିଛି । ଯେତେବେଳେ ଓଡ଼ିଶାର ବିଭିନ୍ନ ଗାଁ ଗଣ୍ଡାରେ, ରାସ୍ତାଘାଟରେ ପଡ଼ି ଅସଂଖ୍ୟ ନରନାରୀ, ବୃଦ୍ଧ ଶିଶୁପ୍ରାଣ ବିସର୍ଜନ କରୁଥାଆନ୍ତି, ସେତିକିବେଳେ ଚିନ୍ତେଇ ସୋଇଁଙ୍କର ଅଲିଅଳୀ କନ୍ୟା ଧୋବୀର ହେଲା ଶୁଭ ପରିଣୟ । ଦୁର୍ଗାପୁରର ଜଣେ ଥିଲାବାଲା ଲୋକ ଜିତେଇ ନାଏକ, ନିତେଇ ତାଙ୍କର ପୁଅ । ନିତେଇ ସହିତ ଧୋବୀର ପରିଣୟ ଧୋବୀ ଜୀବନର ଏକ ଅଦ୍ଭୁତ ପରିଣାମ । ଧୋବୀର ବାହାଘର ପରେ ଦୁର୍ଗାପୁରରେ ଧୋବୀ ମଧ୍ୟ ଶାନ୍ତିରେ ନିଶ୍ୱାସ ମାରିପାରିଲା ନାହିଁ । ଅଜଣା ପଥରେ ପାଦବଢ଼େଇ ଚାଲି ଯାଇଥିବା ସନେଇର ସ୍ମୃତି ତାକୁ ବ୍ୟଥିତ କଲା । ସେ ଯେତେବେଳେ ଦୁର୍ଭିକ୍ଷ ଦାଉରେ ହାଡ଼କଙ୍କାଳ ଶରୀରରେ ବୁଲୁଥିବା କାଙ୍ଗାଳମାନଙ୍କୁ ଦେଖେ ସେତେବେଳେ ବଳେ ବଳେ ତା ମନରେ ସନେଇର ସ୍ମୃତି ଚେଇଁ ଉଠେ । ଶଶୁର ଓ ସ୍ୱାମୀ ମନେକଲେ, କାଙ୍ଗାଳମାନଙ୍କୁ ଦେଖି ଧୋବୀର ମନରେ ଏ ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହେଉଛି । ତେଣୁ ସେମାନେ ଦୁର୍ଭିକ୍ଷର କାଙ୍ଗାଳମାନଙ୍କ ପାଇଁ ଅନ୍ନଛତ୍ର ଖୋଲି ସେମାନଙ୍କୁ ଖାଇବାକୁ ଦେଇ ସେମାନଙ୍କର ସେବା ଶ୍ରୁଶ୍ରୂଷା କଲେ । ଅସଂଖ୍ୟ କାଙ୍ଗାଳ ଯେତେବେଳେ ହଇଜାରେ ଆକ୍ରାନ୍ତ ହୋଇ ମରି ପଡ଼ିଲେ ସେତେବେଳେ ନିତେଇ ଅଣ୍ଟାରେ ଲୁଗାଭିଡ଼ି ମଡ଼ା ଉଠାଇବାରେ ଲାଗିଲେ । ଏତିକିବେଳେ ବାପ ପୁଅ ଦୁହେଁ ପଡ଼ିଲେ ହଇଜାରେ । ଏକାବେଳକେ ବାପ ପୁଅ ଦୁହେଁ ଆଖି ବୁଜିଲେ ଓ ଧୋବୀର ଶାଶୁ ଆତ୍ମହତ୍ୟା କଲେ । ଏ ଅକାଳ ବଜ୍ରପାତରେ ଧୋବୀ ଚେତାଶୂନ୍ୟ ହୋଇ ପଡ଼ିଥିବା ଅବସ୍ଥାରେ ଖବର ପାଇ ଚିନ୍ତେଇ ସୋଇଁ ଆସିଲେ ଓ ଧୋବୀକୁ ନେଇ ନିଜ ଘରେ ରଖିଲେ । ଚିନ୍ତେଇ ସୋଇଁ ଦୁର୍ଗାପୁରର ଅନ୍ନଛତ୍ର ବନ୍ଦ କରିଦେଲେ- ଧାନ ଅମାରରେ ତାଲା ପକାଇ ଜଗୁଆଳ ରଖିଲେ ଓ ସମ୍ପତ୍ତିର ରକ୍ଷଣାବେକ୍ଷଣାର ଦାୟିତ୍ୱ ହରିମହାନ୍ତିଙ୍କୁ ଦେଇଗଲେ । ଏହିପରି ଏକ ଆକସ୍ମିକ ଝଡ଼ରେ ଝାଉଁଳି ପଡ଼ିଥିବା ଜୀବନ ନେଇ ଧୋବୀ ଯେତେବେଳେ ବିଷ୍ଣୁପୁର ଗାଁରେ ଥିଲା ସେତିକିବେଳେ ସନିଆ ଦୁର୍ଭିକ୍ଷର କରାଳ ଗ୍ରାସରୁ ମୁକ୍ତିପାଇ ବିଷ୍ଣୁପୁରରେ ଆସି ପହୁଞ୍ଚିଲା ।

 

ସନିଆ ଘରଦ୍ୱାର କଲା, ସମାଜରେ ଆସ୍ଥାନ ଜମେଇ ବସିଲା । ସେ ଶୁଣିଲା ତାର ଭଉଣୀ ପୁନି ଦୁର୍ଗାପୁରର ମଧୁଭୋଇ ବାଉରୀ ପାଖରେ ଅଛି । ସନିଆ ପୁନିର କଥାଶୁଣି ପୁନି ପ୍ରତି ତାର ସମସ୍ତ ମମତାକୁ ପୋଛି ପକାଇଥିଲା । ସନିଆ ଯେତେବେଳେ ନିଜର କାମଧନ୍ଦାରେ ବ୍ୟସ୍ତ ସେତିକିବେଳେ ତା ପାଖରେ ପହୁଞ୍ଚିଲା ରହିମ୍ । ରହିମ୍‌କୁ ସେ ତା ଘରେ ସ୍ଥାନ ଦେଲା । ଧନ ସଂପତ୍ତିର ପ୍ରାଚୁର୍ଯ୍ୟ ଭିତରେ ସନିଆର ଜୀବନ ମନେହେଲା ଅପୂର୍ଣ୍ଣ । ତାର ମନତଳେ ଛପି ରହିଥିବା ଆକାଙ୍‌କ୍ଷା ବାରମ୍ୱାର ତାକୁ ଅଥୟ କରି ପକାଇଲା । ଯେତେ ଚାହିଁଲେ ବି ସେ ଧୋବୀର ଦେଖା ପାଇ ପାରିଲା ନାହିଁ । ଧୋବୀ ଦୁର୍ଗାପୁର ଗଲା ଶଶୁରଙ୍କର ଶ୍ରାଦ୍ଧ ଦେବା ପାଇଁ । ଶ୍ରାଦ୍ଧଶେଷରେ ଧୋବୀ ଦୁର୍ଗାପୁରରୁ ଫେରିଲା ନାହିଁ । ହରିମହାନ୍ତି ଯେଉଁ ଲୋକମାନଙ୍କର ଜମିବାଡ଼ି ସବୁ ସାମାନ୍ୟ ମାତ୍ର ଧାନ ବା ଅର୍ଥ ଦେଇ ହସ୍ତଗତ କରିଥିଲେ ସେମାନଙ୍କୁ ଡକାଇ ସେମାନଙ୍କର ଜମିବାଡ଼ିସବୁ ଫେରାଇ ଦେଲା ଧୋବୀ । ଧୋବୀର ଏପରି କାର୍ଯ୍ୟକଳାପରେ ବ୍ୟଥିତ ହେଲେ ଚିନ୍ତେଇ ସୋଇଁ । ମାତ୍ର ଧୋବୀକୁ ଏଥିରୁ ନିବର୍ତ୍ତାଇବା ଆଉ ତାଙ୍କର ସାଧ୍ୟ ମଧ୍ୟରେ ନ ଥିଲା । ଧୋବୀ ପୁନି ଓ ମଧୁଭୋଇର ସଂସ୍ପର୍ଶରେ ଆସି ସେମାନଙ୍କ ପ୍ରତି ସ୍ନେହମମତା ପ୍ରଦର୍ଶନ କରିଅଛି । ସନେଇ ଗାଁରେ ନିଜର ପ୍ରତିପତ୍ତି ବିସ୍ତାର କରିବା ଅବସ୍ଥାରେ ରାମନବମୀ ଯାତ୍ରା ପାଇଁ ତାକୁ ହନୁମାନ ସାଜିବାପାଇଁ କୁହାଯାଇଅଛି । ସେ ପ୍ରଥମେ ଅରାଜି ହୋଇ ଯେତେବେଳେ ଶୁଣିଲା ଯେ ଯାତ୍ରା ଦେଖିବା ପାଇଁ ଧୋବୀ ଦୁର୍ଗାପୁରରୁ ଆସିବ ସେତେବେଳେ ସେ ରାଜିହୋଇ ଅଛି ଏବଂ ଯନ୍ତାଳ ପାଇଁ ଗାଁ ବାଲାଙ୍କଠାରୁ ଚାନ୍ଦା ନ କରି ନିଜେ ସମସ୍ତ ବ୍ୟୟର ଭାର ବହନ କରିଛି । ହନୁମାନ ମୁଖା ମୁହଁରେ ଦେଇ ସନେଇ ନାଚିଛି କେବଳ ଧୋବୀ ପାଇଁ ।

 

ଦିନ ଗଡ଼ି ଚାଲିଛି–ତଥାପି ସନେଇ କୌଣସି ସିଦ୍ଧାନ୍ତରେ ପହୁଞ୍ଚି ପାରିନି । ଧୋବୀ ସହିତ ସନେଇର ବିବାହ ବିଷୟରେ ଧୋବୀର ମାଆ ଚିନ୍ତେଇକୁ ଯେତେ ପ୍ରବର୍ତ୍ତାଇଲେ ମଧ୍ୟ ସେ ସେଥିରେ ରାଜି ହୋଇ ନାହାନ୍ତି । କାରଣ, ଧୋବୀ ଯଦି ପୁନର୍ବିବାହ କରେ ତାହେଲେ ଦୁର୍ଗାପୁରର ସଂପତ୍ତି ଉପରୁ ତାର ଅଧିକାର ଚାଲିଯିବ । ତେଣୁ ସେ ପ୍ରସ୍ତାବ ଦେଇଛନ୍ତି, ଧୋବୀ ନିଧେଇଙ୍କର ସାନପୁଅ ବିଦେଇକୁ ପୋଷ୍ୟପୁତ୍ର କରୁ । ସୋଇଁଙ୍କ ପରିବାରରେ ଏଥିପାଇଁ ଅଶାନ୍ତିର ବାତ୍ୟା ବହିଯାଇଛି । ସନିଆ ମନରେ ମଧ୍ୟ ସେହିପରି ଅଶାନ୍ତିର ବାତ୍ୟା ଖେଳିଯାଇଛି । ସନିଆ ଏପରି ଏକ ଅବ୍ୟବସ୍ଥିତ ପରିସ୍ଥିତିର ସମାଧାନ କରିବା ପାଇଁ ଦୁର୍ଗାପୁର ଯାଇଅଛି ।

 

ସେଦିନ ସାବିତ୍ରୀ ଅମାବାସ୍ୟା । ଧୋବୀ ମଧ୍ୟ ସାବିତ୍ରୀ ଉପବାସ କରିଥାଏ । ସନ୍ଧ୍ୟା ସମୟରେ ଯେତେବେଳେ ଧୋବୀ ରାଧାମାଧବଙ୍କ ବିଗ୍ରହ ଆଗରେ ଦୀପଟିଏ ଜାଳି ବସିଛି ସେତିକିବେଳେ ସେ ଖବର ପାଇଛି ଯେ ବିଷ୍ଣୁପୁରରୁ ଜଣେ ଲୋକ ବର୍ଷାରେ ତିନ୍ତିବୁଡ଼ି ଆସିଛି । ଧୋବୀ ଉଠିଯାଇ ଦେଖିଛି ସନିଆକୁ । ସେଦିନ ରାତିରେ ସନିଆ ପାଖରେ ଧୋବୀ ତାର ଅସଂପୂର୍ଣ୍ଣ ଜୀବନର କାହାଣୀ କହି ସନିଆ ସହିତ ତାର ମିଳନ ଯେ ଅସମ୍ଭବ ସେ କଥା ପ୍ରକାଶ କରିଅଛି । ଏହିଠାରେ ଆସିଛି ସନିଆର ଜୀବନରେ ଏକ ଅପୂର୍ବ ପରିବର୍ତ୍ତନ । ରାତି ପାହିବା ପୂର୍ବରୁ ସନିଆ ବାହାରି ଯାଇଛି । ଯେଉଁ ପୁନିକୁ ସେ ଘୃଣା କରିଥିଲା ତାରି ଘରେ ଯାଇ ସେ ପହୁଞ୍ଚିଛି । ତା ଆଖିରେ ସେତେବେଳେ ସମାଜର ମଣିଷଗଢ଼ା ନିୟମ ଅତି ତୁଚ୍ଛ ହୋଇଅଛି । ପୁନିଘରୁ ଯାଇ ସନିଆ ଦଶଦିନ ପର୍ଯ୍ୟନ୍ତ ଏଣେତେଣେ ଘୁରି ବୁଲିଛି । ତା ପରେ ସେ ଫେରି ଆସିଛି ତାର ଘରକୁ ।

 

ସନିଆ ନୂଆ ମନନେଇ ତାର ଘରେ ପ୍ରବେଶ କରିଛି। ରହିମ୍ ସହିତ ଏକ ପତ୍ରରେ ସେ ଖାଇଛି । କେତେ ଦୁର୍ଭିକ୍ଷ ଫେରନ୍ତ ଅସହାୟ ବ୍ୟକ୍ତିଙ୍କୁ ସେ ତାର ଘରେ ଆଶ୍ରୟ ଦେଇଅଛି । ପୂର୍ବରୁ ତା ସହିତ ବାହାଘର ଠିକ୍ ହୋଇଥିବା କଇଁ ବାୟାଣୀ ହୋଇ ଫେରିବା ପରେ ତାକୁ ମଧ୍ୟ ସନିଆ ନିଃଶଙ୍କ ଚିତ୍ତରେ ଆଶ୍ରୟ ଦେଇଅଛି । ସନିଆ ସହିତ ତାର ମିଳନ ହୋଇଅଛି । କଇଁର ଅତୀତ ଜୀବନର କଳଙ୍କିତ କାହାଣୀ ଶୁଣି ମଧ୍ୟ ସନିଆ ତାକୁ ଆନନ୍ଦରେ ଗ୍ରହଣ କରିଅଛି ।

 

ସନିଆ ଓ କଇଁର ଦାମ୍ପତ୍ୟ ଜୀବନ ଯେତେବେଳେ ସୁରୁଖୁରୁରେ ଚାଲିଛି ସେତେବେଳେ ଧୋବୀ ନିତାନ୍ତ ଅସହାୟା ଭାବରେ ଜୀବନ ସହିତ ସଂଗ୍ରାମ କରି ଚାଲିଛି । ଦିନେ ସଞ୍ଜବେଳେ କଇଁ ଓ ସନିଆ ପୋଖରୀ ହୁଡ଼ା ଉପରେ ବସି ପରସ୍ପର ପ୍ରେମାଳାପ କରୁଥିବା ସମୟରେ ଧୋବୀ ଶିବମନ୍ଦିରକୁ ଯିବାବାଟରେ ସେମାନଙ୍କୁ ଦେଖି ଜୀବନର ସବୁ ଆଶା ହରାଇ ବସିଛି । ଏହା ଭିତରେ ଆହୁରି ଅନେକ ଘଟଣା ଘଟିଯାଇଛି । ଧୋବୀ ମା ଙ୍କର ମୃତ୍ୟୁବେଳେ ସେ ଚିନ୍ତେଇ ସୋଇଁଙ୍କୁ ଅନୁରୋଧ କରିଯାଇଛନ୍ତି ଧୋବୀ ସହିତ ସନିଆର ବିବାହ କରାଇଦେବା ପାଇଁ-। ଚିନ୍ତେଇ ସୋଇଁ ପ୍ରଥମେ ଏଥିରେ ଅସମ୍ମତ ଥିଲେ ସତ୍ୟ, ମାତ୍ର ପରେ ଧୋବୀର ଅବସ୍ଥା ଦେଖି ସମ୍ମତ ହେଲେ । ଧୋବୀ ସନିଆ ସହିତ କଇଁର ମିଳନ ଦେଖି ସନିଆର ଆଶା ପରିତ୍ୟାଗ କରିସାରିଛି । ଧୋବୀ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥା ହୋଇଛି ସତ, ମାତ୍ର ଏଥିରେ ତାର ମନ ଓ ଶରୀର ଏକାବେଳକେ ଭାଙ୍ଗି ପଡ଼ିଛି ।

 

ଚିନ୍ତେଇ ସୋଇଁ ସନିଆର ଏସବୁ କାର୍ଯ୍ୟକଳାପ ଦେଖି ତାକୁ କରାୟତ୍ତ କରିବାକୁ ଚେଷ୍ଟା କରିଛନ୍ତି । ସନିଆର ଜମିବାଡ଼ି ଚକ୍ରାନ୍ତ କରି ନିଜ ନାମରେ କରିନେଇଛନ୍ତି ଓ ତାହାକୁ ଠାକୁରଙ୍କୁ ଦାନ କରିଅଛନ୍ତି । ଚିନ୍ତେଇ ସୋଇଁ ସନିଆକୁ ଡାକି ତା ହାତରେ ନିଜ ସମ୍ପତ୍ତିର ଅର୍ଦ୍ଧେକ ଉଇଲ କରି କାଗଜ ଖଣ୍ଡିକ ଧରାଇ ଦେଇ ନିଜ ସ୍ତ୍ରୀଙ୍କର ଅନ୍ତିମ ଅନୁରୋଧ କଥା କହିଛନ୍ତି । ମାତ୍ର ସନିଆ ତାଙ୍କର ଦାନ ଓ ଦୟାକୁ ପ୍ରତ୍ୟାଖ୍ୟାନ କରିଛି । ଧୋବୀ କବାଟ ଫାଙ୍କରେ ବାପାଙ୍କର ସନେଇକୁ ଅନୁରୋଧ କରିବାର ଦୃଶ୍ୟ ଦେଖି ମର୍ମାହତ ହୋଇଅଛି । ସନେଇ ଚିନ୍ତେଇ ସୋଇଁଙ୍କର ଦୟା ଓ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଚାଲିଯାଇଛି ଓ ସେହିଦିନ ରାତିରେ ଘରଦ୍ୱାର ସବୁ ଛାଡ଼ି ଆଶ୍ରୟ ଦେଇଥିବା ଲୋକମାନଙ୍କୁ ସଙ୍ଗରେ ନେଇ ଗାଁ ଛାଡ଼ି ଚାଲିଯାଇଛି । ଗାଁ ଲୋକେ ଯେତେବେଳେ ଠାକୁରଙ୍କର ଜମି ଓ ସମ୍ପତ୍ତି ଦଖଲ କରିବାକୁ ଯାଇଛନ୍ତି ସେତେବେଳେ ଦେଖିଛନ୍ତି ଯେ ସନେଇର ଘର ଖାଲିପଡ଼ିଛି । କବାଟରେ ଖଣ୍ଡେ କାଗଜ ଲେଖାହୋଇ ଟଙ୍ଗା ହୋଉଛି । ସେ କାଗଜ ଖଣ୍ଡିକ ସେମାନେ ଆଣି ଚିନ୍ତେଇ ସୋଇଁଙ୍କ ହାତରେ ଦେଇଛନ୍ତି । ସେଥିରେ ଲେଖା ଥିଲା, ‘‘ଏ ଘର ଏ ସମ୍ପତ୍ତି ସବୁ ଧୋବୀର ଧନରେ ହୋଇଛି ।’’

 

ଏତିକି ଶୁଣି ଧୋବୀ ଚିତ୍କାର କରି ଉଠିଲା- ନା- ନା । ଚିନ୍ତେଇ ସୋଇଁଙ୍କର ସବୁ ଗର୍ବ ଭୁଷୁଡ଼ି ପଡ଼ିଲା । ଧୋବୀର ଆଖିପତା ମୁଦି ହୋଇ ଆସିଲା । ଚିନ୍ତେଇ ସୋଇଁ ଧୋବୀର ନିଦ୍ରିତ କପାଳ ଉପରେ ହାତ ରଖିଲେ । ଧୋବୀ ଆଉ କିଛି ଉତ୍ତର ଦେଇ ପାରିନାହିଁ । ଲେଖକଙ୍କର ଭାଷାରେ, ‘‘ପ୍ରାର୍ଥନା କରୁଥିଲା ପରା, ମୋତେ ପଥର କର, ମୂକ, ଅଥର୍ବ କଠିଣ କର ଭଗବାନ, ଠିକ୍ ତୁମରି ପରି ।’’ ଏହିଠାରେହିଁ ଉପନ୍ୟାସର କଥାବସ୍ତୁର ପରିସମାପ୍ତି ।

☆☆☆

 

ଶାସ୍ତିରେ ଚରିତ୍ର-ଚିତ୍ରଣ

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଯେଉଁମାନେ ଲେଖନୀ ଚାଳନା କରି ପ୍ରତିଷ୍ଠିତ ହୋଇଅଛନ୍ତି ସେମାନଙ୍କ ମଧ୍ୟରେ ଫକୀର ମୋହନ ସେନାପତି ଏକ ସ୍ୱତନ୍ତ୍ର ସମ୍ମାନର ଯୋଗ୍ୟ । ତାଙ୍କର ଉପନ୍ୟାସମାନଙ୍କରେ ରାମଚନ୍ଦ୍ର ମଙ୍ଗରାଜ, ନାଜର ନଟବର ଦାସ, ରାଜୀବ ଲୋଚନ, ଚମ୍ପା, ସାରିଆ, ସାଆନ୍ତାଣୀ, ଚାନ୍ଦମଣି ପ୍ରଭୃତି ଚରିତ୍ର ଯେପରି ଭାବରେ ଆତ୍ମପ୍ରକାଶ କରିଅଛନ୍ତି ତାହା ଏକାନ୍ତ ଅନବଦ୍ୟ । ଫକୀର ମୋହନ ଆମ ସମାଜର ଦୈନନ୍ଦିନ ଜୀବନକୁ ତାଙ୍କ ସାହିତ୍ୟରେ ଏପରି ଭାବରେ ରୂପାୟିତ କରିଅଛନ୍ତି ଯହିଁରୁ କି ତାଙ୍କର ଚରିତ୍ରଗୁଡ଼ିକ ଅତ୍ୟନ୍ତ ସ୍ପଷ୍ଟ ରୂପରେ ଆତ୍ମପ୍ରକାଶ କରିବାକୁ ସମର୍ଥ ହୋଇଅଛନ୍ତି । ଫକୀର ମୋହନ ତାଙ୍କ ଉପନ୍ୟାସ ଗୁଡ଼ିକରେ ଯେପରି ଭାବରେ ଚରିତ୍ର ଚିତ୍ରଣ କରିଛନ୍ତି ତାହା ତାଙ୍କର ସମସାମୟିକ ତଥା ପରବର୍ତ୍ତୀ କାଳର ଔପନ୍ୟାସିକମାନେ ଅନୁସରଣ କରିଅଛନ୍ତି । ମାତ୍ର ଫକୀର ମୋହନଙ୍କର ସ୍ୱାତନ୍ତ୍ର୍ୟକୁ ଏପର୍ଯ୍ୟନ୍ତ କୌଣସି ଔପନ୍ୟାସିକ ଅତିକ୍ରମ କରିବାକୁ ସମର୍ଥ ହୋଇପାରି ନାହାନ୍ତି ।

 

ଫକୀର ମୋହନଙ୍କର ରଚନାଶୈଳୀର ଏକ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ । ଏହି ସ୍ୱାତନ୍ତ୍ର୍ୟ ଯୋଗୁଁ ତାଙ୍କର ଚରିତ୍ର ଚିତ୍ରଣରେ ଅନେକ ସମୟରେ ବର୍ଣ୍ଣନାର ବାହୁଲ୍ୟ ଦେଖାଯାଏ । ଏହି ବର୍ଣ୍ଣନାରୀତିରେ, ଫକୀରମୋହନ ଚରିତ୍ରକୁ ପାଠକ ନିକଟରେ ପରିଚିତ କରାଇବା ପାଇଁ ନିଜେ ଅନେକ କଥା ପ୍ରକାଶ କରିଅଛନ୍ତି । ମାତ୍ର ସମୟର ଗତିରେ, ଓଡ଼ିଆ ଗଦ୍ୟ ସାହିତ୍ୟର କ୍ରମବିକାଶରେ ଲେଖକମାନଙ୍କର ବିଭିନ୍ନ ପ୍ରକାର ରୀତି ପ୍ରବର୍ତ୍ତନ ଫଳରେ ଏ ପ୍ରକାର ବର୍ଣ୍ଣନାରୀତି ପରିହୁତ ହୋଇଅଛି । ଆଧୁନିକ କାଳରେ ଲେଖକମାନେ ଚରିତ୍ର ଚିତ୍ରଣ କରିବା ସମୟରେ ନିଜେ କୌଣସି କଥା ପ୍ରକାଶ ନକରି ଚରିତ୍ରର କାର୍ଯ୍ୟକଳାପ ଦ୍ୱାରା ସବୁକଥା ପ୍ରକାଶ କରିଥାଆନ୍ତି । କାହ୍ନୁଚରଣଙ୍କର ଉପନ୍ୟାସଗୁଡ଼ିକରେ ଏହି ରୀତି ଦେଖାଯାଏ । ଫକୀର ମୋହନଙ୍କ ଭଳି ସେ କୌଣସି ସ୍ଥାନରେ ଚରିତ୍ରକୁ ପରିଚିତ କରାଇବା ପାଇଁ ନିଜେ କୌଣସି ଦୀର୍ଘ ବର୍ଣ୍ଣନା କରି ନାହାନ୍ତି-। ମାତ୍ର ଚରିତ୍ରର କାର୍ଯ୍ୟ କଳାପକୁ ଏପରି ନାଟକୀୟ ରୀତିରେ ପ୍ରକାଶ କରିଅଛନ୍ତି ଯେ ପାଠକ ତହିଁରୁ ଚରିତ୍ର ବିଷୟରେ ସ୍ପଷ୍ଟ ଧାରଣା ପାଇବାକୁ ସମର୍ଥ ହୋଇଥାଏ । କାହ୍ନୁଚରଣ ତାଙ୍କର ସୃଷ୍ଟି ଚରିତ୍ରମାନଙ୍କୁ ଅତ୍ୟନ୍ତ ସତର୍କତାର ସହିତ ଚିତ୍ରଣ କରିଅଛନ୍ତି । ଉଗ୍ର ଚରିତ୍ର ସୃଷ୍ଟି ପ୍ରତି କାହ୍ନୁଚରଣ ସବୁବେଳେ ସଚେତନ । ଶାସ୍ତି ଉପନ୍ୟାସରେ ବହୁବିଧ ଚରିତ୍ର ସୃଷ୍ଟି ମଧ୍ୟରେ କାହ୍ନୁଚରଣ ମନୁଷ୍ୟ ଚରିତ୍ରର ବହୁରୂପତା ପ୍ରକାଶ କରି ଅଛନ୍ତି । ସମସ୍ତ ପ୍ରକାର ବହୁରୂପତା ସତ୍ତ୍ୱେ ସମଗ୍ର ମାନବ ସମାଜ ଯେ ଗୋଟିଏ ସୂତ୍ରରେ ଆବଦ୍ଧ ଏକଥା ମଧ୍ୟ କାହ୍ନୁଚରଣ ପ୍ରଦର୍ଶନ କରିଅଛନ୍ତି-। ତେଣୁ ତାଙ୍କର ଚରିତ୍ର ଚିତ୍ରଣର ଗତି ଏକରୁ ବହୁଆଡ଼କୁ ଏବଂ ବହୁରୁ ଏକଆଡ଼କୁ ହୋଇଅଛି-। ବିଭିନ୍ନ ଜାତିର ପ୍ରଜାପତି ଯେପରି ବର୍ଣ୍ଣ ବିଭେଦ ସତ୍ତ୍ୱେ ଏକ, ମଣିଷ ଜାତି ଠିକ୍ ସେହିପରି-। ମଣିଷ ଜାତିର ଏହି ଏକତ୍ୱକୁ ଚିହ୍ନିବାର ସାମର୍ଥ୍ୟ କାହ୍ନୁଚରଣ ଅତ୍ୟନ୍ତ ସହଜ ଭାବରେ ଦେଖାଇ ପାରିଅଛନ୍ତି । ଅନେକ ଆଲୋଚକ ମତ ପ୍ରଦାନ କରନ୍ତି ଯେ କାହ୍ନୁଚରଣଙ୍କର ଚରିତ୍ରଗୁଡ଼ିକ ସବୁବେଳେ ସମଜାତୀୟ । ସମାଲୋଚକମାନଙ୍କର ଏ ପ୍ରକାର ମତ ସେମାନଙ୍କର ସ୍ଥୁଳଦୃଷ୍ଟି କୋଣର ପରିଚାୟକ । ସବୁ ମଣିଷ ଦିନେ ପିଲା ଥାଆନ୍ତି- ସେମାନଙ୍କର ଅଙ୍ଗରେ ଦିନେ ରୂପରାଗର ଚାଞ୍ଚଲ୍ୟ ଖେଳେ, ସେ ଚାଞ୍ଚଲ୍ୟ ପୁଣି ମଲାଜହ୍ନପରି ମଳିନ ହୁଏ । ଏହାହିଁ ମଣିଷ ଜୀବନର କେତୋଟି ସତ୍ୟ । ମାତ୍ର ଏହି ସାଧାରଣ ସତ୍ୟ ସତ୍ତ୍ୱେ ସବୁ ମଣିଷର ଗତିବିଧି ଏକ ନୁହେଁ- ସ୍ୱପ୍ନ ଏକ ନୁହେଁ- ପ୍ରେମ ଏକ ନୁହେଁ- ଅଭିମାନ ଏକ ନୁହେଁ । ଏ କଥାକୁ ଭୁଲିଗଲେ ଚଳିବ ନାହିଁ । ଶାସ୍ତି ଉପନ୍ୟାସରେ ଚିନ୍ତେଇ ସୋଇଁ ଯାହା, ନିଧେଇ ସୋଇଁ ତାହା ନୁହଁନ୍ତି । ପୁଣି ଧୋବୀ ଯାହା କଇଁ ତାହା ନୁହେଁ । ଧୋବୀର ମାଆ ଯାହା, ଖୁଡ଼ୀ ତାହା ନୁହନ୍ତି । ତେଣୁ ଚରିତ୍ରମାନଙ୍କର ସୃଷ୍ଟି, ବିକାଶ ଓ ପରିଣତି ପ୍ରତି ସୂକ୍ଷ୍ମ ଦୃଷ୍ଟି ନଦେଲେ ସ୍ରଷ୍ଟାର ସୃଷ୍ଟି ସଂପଦ ଯଥାର୍ଥ ଭାବରେ ରୂପାୟିତ ହୋଇପାରିବ ନାହିଁ ।

 

ସନିଆ–

 

ଶାସ୍ତି ଉପନ୍ୟାସର ନାୟକ ସନିଆ କାହ୍ନୁଚରଣଙ୍କ ସୃଷ୍ଟିରେ ଏକ ସାର୍ଥକ ଚରିତ୍ର । ପିଲାଟିଦିନୁ ସନିଆ କଠିନ ପରିଶ୍ରମୀ । ତାର କଠିନ ପରିଶ୍ରମ ଫଳରେ ବନେଇ ପରିଡ଼ାର ଜମିରେ ସୁନା ଫଳୁଥିଲା । ସନିଆର ଚାଲିଚଳନ ଆଚାର ବ୍ୟବହାର ସମସ୍ତଙ୍କୁ ମୁଗ୍‌ଧ କରିଥିଲା । ପିଲାଦିନର ଖେଳ ଭିତରେ ସନିଆ ଭଲପାଇ ବସିଥିଲା ଚିନ୍ତେଇ ସୋଇଁଙ୍କର ଅଲିଅଳୀ ଝିଅ ଧୋବୀକୁ । ଧୋବୀ ସହିତ ସନିଆର ବିବାହ ପ୍ରସ୍ତାବ ନେଇ ପ୍ରହରାଜେ ଯେତେବେଳେ ବନେଇ ପରିଡ଼ାଙ୍କ ନିକଟକୁ ଆସିଲେ ବନେଇ ପରିଡ଼ା ସେତେବେଳେ ନିଜର ଉଚକୁଳାଭିମାନ ଦେଖାଇ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ମାତ୍ର ସେ ବା ଆଉ କରନ୍ତା କ’ଣ ? ବାପାଙ୍କର ନିତାନ୍ତ ବାଧ୍ୟ ସନ୍ତାନ ଭାବରେ ସେ ମଥାପାତି ମାନିନେଇଥିଲା ବାପାଙ୍କର ସମାଧାନ । ନିଜ ମନ ଭିତରେ ଆଶାକୁ ସେ ବାଧ୍ୟ ହୋଇ ବିସର୍ଜ୍ଜନ ଦେଇଥିଲା । ସେ ତାର ମନର କଥା ଧୋବୀକୁ ଜଣାଇ ଥିଲା ମାତ୍ର ଧୋବୀ ସେତେବେଳେ ତାର ବଥା ବୁଝିବାର ଅବସ୍ଥାକୁ ଆସି ନଥିଲା ।

 

ନିଜ ଗାଁରେ ସନିଆ ତାର ହସ କାନ୍ଦର ଜୀବନକୁ ଅତି ସହଜରେ କଟାଇବାର ଅବକାଶ ପାଇନଥିଲା । କଇଁ ସହିତ ତାର ବିବାହ ସ୍ଥିରୀକୃତ ହୋଇଥିଲା । ମାତ୍ର ନଅଙ୍କ ଦୁର୍ଭିକ୍ଷର କରାଳ ରୂପ ସନିଆର ଜୀବନକୁ ଆଉ ଗୋଟିଏ ପଥରେ ପରିଚାଳିତ କଲା । ସନିଆଁ ପେଟ ଚାଖଣ୍ଡକ ପାଇଁ, ନିଜର ଜୀବନକୁ ବଞ୍ଚାଇବା ପାଇଁ ଯେତେବେଳେ ଗାଁ ଛାଡ଼ି ଅଜଣା ବାଟରେ ଚାଲିଲା ସେତେବେଳେ ତା ନିକଟରେ ପ୍ରଶ୍ନ ଥିଲା କେବଳ ଜୀବନକୁ ବଞ୍ଚାଇବାର ପ୍ରଶ୍ନ ।

 

ଦୁର୍ଭିକ୍ଷ ପରେ ସନିଆ ଫେରିଛି ନିଜର ଜନ୍ମମାଟିକୁ । ଗାଁରେ ପହୁଞ୍ଚିବା ପରେ ସେ ଦେଖିଲା ସତେ ଯେପରି ସବୁ ଓଲଟା ପାଲଟ ହୋଇଯାଇଛି । କେହି ତାକୁ ଚିହ୍ନିଲେ ନାହିଁ । କେହି ତା ପାଇଁ ସହାନୁଭୂତିମିଶା କଥା ପଦେ କହିଲେ ନାହିଁ । କାହ୍ନୁଚରଣଙ୍କ ଭାଷାରେ, ‘‘ସନିଆର ମୋହ ଭାଙ୍ଗିଲା । ଜନ୍ମମାଟିର ମାୟା ତୁଟିଲା । ଯେଉଁ ଗାଁ ତାକୁ ଦୂରରୁ ଡାକ ଦେଇଥିଲା; ଯାହାରି ପାଇଁ କେତେ ବଣ ପାହାଡ଼, ନଈ ନାଳ ଡେଇଁ ଖିଆପିଆ ଭୁଲି ଦୁଃଖ କଷ୍ଟ ସହି ସେ ଗୋଡ଼ ଫେରାଇଥିଲା, ସେହି ଗାଁ ତାକୁ ଆଜି ଗ୍ରହଣ କରିବାକୁ ରାଜି ନୁହେଁ । ସେ କଙ୍ଗାଳ । ସେ ଛତରଖିଆ । ତାର କାୟା ନଷ୍ଟ ହୋଇଛି, ତାର ଆତ୍ମା ଅପବିତ୍ର ହୋଇଛି, ସେ ପତିତ । ଜାତି ତାକୁ ଗ୍ରହଣ କରିବ ନାହିଁ । ସମାଜରେ ତାର ସ୍ଥାନ ନାହିଁ ।’’ ଗାଁର ମମତାରେ ଟାଣିହୋଇ ଆସିବା ପରେ ସନିଆ ଏପରି ପରିସ୍ଥିତିରେ କଣ ବା କରନ୍ତା ? ସେ ଗ୍ରାମବାସୀମାନଙ୍କୁ ଅତି ଆପଣାର ଭାବିଥିଲା-। ଲେଖକ ସନିଆକୁ ଏପରି ପରିସ୍ଥିତିରେ ପକାଇ ତାର ସରଳତାର ସୂଚନା ଦେଇଅଛନ୍ତି-। ସେ ଯେ କିପରି ସରଳ, ଆତ୍ମା ତାର କିପରି ପବିତ୍ର ସେ ବିଷୟ ସମାଜ ଦେଖିନାହିଁ-। ତାର ସରଳ ପ୍ରକୃତିର ପରିଚୟ ଦେବାକୁ ଯାଇ ଲେଖକ ଲେଖିଛନ୍ତି, ‘‘ସନିଆ ନିଜ ମୁହଁରେ ସବୁ ମାନିଛି-। ସହାନୁଭୂତି ପାଇବ ବୋଲି ଗାଁ ଲୋକ, ନିଜ ଲୋକଙ୍କ ଆଗରେ ସବୁକଥା ଖୋଲି କହିଛି-। କିଛି ଲୁଚାଇ ନାହିଁ । ସମସ୍ତେ ତାର ଆପଣାର । ପିଲାଦିନୁ, ହେତୁ ପାଇଲାଦିନୁ ସେମାନଙ୍କୁ ସେ ଦେଖିଛି, ଚିହ୍ନା ପାଇଛି, ଭକ୍ତିକରି ଆସିଛି, ଦାଦି, ଭାଇ, ମଉସା ବୋଲି ଡାକିଛି-। ସେମାନେ ତାର ସୁଖ ଦୁଃଖର ସାଥୀ ଥିଲେ, ଖେଳ କୌତୁକର ପ୍ରେରଣା ଥିଲେ, ସେମାନଙ୍କୁ ଦେଖିବାପାଇଁ ସେ କେଡ଼େ ଆଗ୍ରହରେ, କେତେ ଆଶାରେ ଆସିଥିଲା ।’’ ସରଳ, ନିଷ୍ପାପ ହୃଦୟ ସନିଆ ବିଷୟରେ ଆଉ ଅଧିକ ବା କି ପରିଚୟ ପ୍ରୟୋଜନ ? ଉପନ୍ୟାସର ନାୟକ ଭାବରେ କାହ୍ନୁଚରଣ ସନିଆକୁ ଆଖି ଦେଇଛନ୍ତି ଦେଖିବାକୁ, ହୃଦୟ ଦେଇଛନ୍ତି ଅନୁଭବ କରିବାକୁ, ମନ ଦେଇଛନ୍ତି ଭଲ ପାଇବାକୁ ।

 

ଗାଁ ଲୋକମାନେ ସନିଆ ବିଷୟରେ ବିଚାର କରିବାକୁ ପ୍ରାୟଶ୍ଚିତ୍ତ କରିବାକୁ ଉପଦେଶ ଦେଲେ । ଯେଉଁ ସନିଆ ପେଟରେ ଦୁଇଦିନ ହେବ ଦାନାଗଣ୍ଡିଏ ପଡ଼ିନାହିଁ ସେ ବା ସମାଜର ଏ ନିୟମ ପାଇଁ ଖର୍ଚ୍ଚ କରିବାକୁ ଅର୍ଥ ପାଇବ କେଉଁଠାରୁ । ସେ ଯେତେବେଳେ ଦେଖିଛି ଯେ ତାର ଆଶାର ସଉଧ ଭୁଷୁଡ଼ି ପଡ଼ିଛି ସେତେବେଳେ ସେ ନିତାନ୍ତ ଅସହାୟ ଭାବରେ ଜୀବନକୁ ନିରର୍ଥକ ମନେ କରିଅଛି । ସେ ଅନୁଭବ କରିଛି ସତେ ଯେପରି ଲୋକମାନଙ୍କର ଛାତି ପଥରରେ ପରିଣତ ହୋଇଅଛି । ସେ ଅସହାୟ ଅବସ୍ଥାରେ ପଡ଼ି ଭାବିଛି ଆତ୍ମହତ୍ୟା କରିବାକୁ । ଜୀବନର ସବୁ ସରାଗତକ ମଉଳିଯିବା ପରେ ସେ ଠାକୁର ମନ୍ଦିର ପାଖ କଦମ୍ବଗଛ ମୂଳରେ ହାଡ଼ଥରା ଶୀତରେ ପଡ଼ି ରହିଥାଏ । ରାତି ଅଧରେ ହାତରେ ଭାତକଂସା ପାଣି ଢାଳ ଧରି ଧୋବୀ ତା ପାଖରେ ପହୁଞ୍ଚିଛି । ଧୋବୀ ତାର ଶୁଶ୍ରୂଷା କରି ତାକୁ ଆଶ୍ୱାସନା ଦେଇଛି । ତା’ପରେ ସନିଆର ମନ ଭିତରେ ମରି ଆସିଥିବା ସରାଗ ପୁଣି ଜୀଇ ଉଠିଛି । ସନିଆ ଏହି ଘଟଣା ପରଠାରୁ ଯେଉଁ ଜୀବନର ସନ୍ଧାନ ପାଇଛି ତାହା ସଂପୂର୍ଣ୍ଣ ଭାବରେ ଧୋବୀର ପ୍ରେରଣାର ଫଳ । ଏ ସନିଆ ଉପରେ ତାର ନିଜର ଆଉ କର୍ତ୍ତୃତ୍ୱ ନାହିଁ । ସେ ଯେପରି ଉନ୍ମାଦ ଭଳି ନିଜ ଜୀବନ ପଥରେ ଆଗେଇ ଚାଲିଛି । ସେଥିପାଇଁ କାହ୍ନୁଚରଣ ଲେଖିଛନ୍ତି, ‘‘ଧୋବୀର ହାତ ମୁଠା ଭିତରେ ହାତ ତାର ଥରି ଉଠିଲା । ଘଣ୍ଟାକ ଆଗରୁ ଯେ ଭାବୁଥିଲା, ଭରା ପୋଖରୀର ପାଣିରେ ଝାସଦେଇ ସବୁ ଦୁଃଖ କଷ୍ଟ ଶେଷ କରିଦେବ, ମରଣର ନାମରେ ପୁଣି ଚମକି ଉଠିଲା କାହିଁକି ? ଧୋବୀର ପରଣ ସେହି କଙ୍କାଳର ହାଡ଼ରେ ଜୀବନର ମୋହ, ସୁଖର ଆଶା ଜଗାଇଲା, ଦରମଲା ପ୍ରାଣରେ ମଳୟର ପରଶ ଲଗାଇଲା’’ ।

 

ଏହା ପରେ ସନିଆର ଜୀବନରେ ଆସିଛି ଏକ ବିରାଟ ଜାଗରଣର ନିଶା । ଯେଉଁମାନଙ୍କୁ ଆପଣାର ଭାବି ସେ ସେମାନଙ୍କ ନିକଟକୁ ଫେରି ଆସିଥିଲା ସେମାନେ ତାକୁ ପର କରିଦେଲେ । ମାତ୍ର ଗାଁକୁ ଆସିବାବେଳେ ଯାହା ବିଷୟରେ କିଛି ଭାବି ନଥିଲା ସେହି ଧୋବୀ ଆସି ତାର ଦରମଲା ଦେହଟାକୁ ସତେ ଯେପରି ମୃତ ସଂଜୀବନୀ ମନ୍ତ୍ରରେ ଫୁଙ୍କିଦେଲା । ଧୋବୀର ମନତଳେ ସନିଆର ସ୍ଥାନ ସବୁଦିନ ପାଇଁ ପ୍ରତିଷ୍ଠିତ ହୋଇଥିଲା । ଧୋବୀର ଦୟା, ସହାନୁଭୂତି, ପ୍ରେମ, ମମତା, ଦାନ ସବୁକିଛିକୁ ଅକାତରରେ ଗ୍ରହଣ କରିନେଇଛି ସନିଆ । ମନ ତାର ଆଉ କୌଣସି ବାଧା ମାନିବାକୁ ପ୍ରସ୍ତୁତ ହୋଇନାହିଁ । କେବଳ ନିଶା- ବଞ୍ଚିବାର ନିଶା- ଧୋବୀ ସହିତ ନିଜକୁ କେନ୍ଦ୍ରକରି ଜୀବନର ମଧୁରତା ଲାଭ କରିବାର ନିଶା ।

 

ଗାଁ ଲୋକଙ୍କର ଦୂରଛଡ଼ା ବ୍ୟବହାରରେ କ୍ଷୁର୍ଣ୍ଣ ହୋଇ ଗାଁ ଛାଡ଼ି ଅଜଣା ଗାଁକୁ ଚାଲିଯିବ ବୋଲି ସନିଆ ମନେ ମନେ ସ୍ଥିର କରିଛି । ସେ କଥା ସେ ନିଧେଇ ସୋଇଁଙ୍କ ଆଗରେ ମଧ୍ୟ ପ୍ରକାଶ କରିଛି । ମାତ୍ର ନିଧେଇ ତାକୁ ଏଥିରୁ ନିବୃତ୍ତ କରାଇଛନ୍ତି । ପୁଣି, ସନିଆ ଯେତେବେଳେ ଖବର ପାଇଲା ଯେ ତାର ଭଉଣୀ ପୁନି ମଧୁଭୋଇ ବାଉରୀର ଆଶ୍ରୟରେ ରହିଛି ସେତେବେଳେ ପୁନି ବିରୁଦ୍ଧରେ ତାର ମନଟା ବିଷେଇ ଉଠିଲା । ପୁନିକୁ ଦେଖିବା ପାଇଁ ମନ ତାର ଆକୁଳ ହୋଇଉଠିଲା । ସେ ପୁନିକୁ ଦେଖିବାପାଇଁ ଯିବାକୁ ଇଚ୍ଛା କରି ମଧ୍ୟ ଯାଇ ପାରିନାହିଁ ।

 

ଅନ୍ୟର ହାତଟେକା ଦାନ ଗ୍ରହଣ କରି ତାରି ଦ୍ୱାରା ଜୀବନକୁ ବଞ୍ଚାଇ ରଖିବା ସନିଆ ଆଖିରେ ଅସୁନ୍ଦର ହେଲେହେଁ ସନିଆ ଏ ଅସୁନ୍ଦର କଥାକୁ ଭୁଲିଛି କେବଳ ଧୋବୀର ମାୟାରେ । ଧୋବୀର ମମତାଭିଜା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସନିଆ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା ।

 

ଧୋବୀର ସେଇ ପ୍ରେରଣାରେ ସନିଆ ନିଜର ଅରମା ହୋଇ ପଡ଼ିଥିବା ଘର ଡିହକୁ ସଫାକଲା । ଦୁଃଖେ କଷ୍ଟେ କୁଡ଼ିଆଟିଏ ତୋଳିଲା ସେହି ଡିହରେ । କୁଡ଼ିଆ ଛପର କରିବା ପାଇଁ ସନିଆ ଯେତେବେଳେ ତାଳଗଛରେ ଚଢ଼ି ବାହୁଙ୍ଗା ହାଣୁଥିଲା ସେତିକିବେଳେ, ମକର ସଂକ୍ରାନ୍ତି ଦିନ ସନ୍ଧ୍ୟାବେଳେ ଧୋବୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିରକୁ ଯିବା ସମୟରେ ସନିଆ ପାଖରେ ପହୁଞ୍ଚିଛି । ସନିଆର ମନର ଅବସ୍ଥା ସେ ପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇନାହିଁ । ଧୋବୀ ଯେତେବେଳେ ତାକୁ ମହାଦେବ ମନ୍ଦିରକୁ ଯିବା କଥା ପଚାରିଛି ସେତେବେଳେ ତା କଣ୍ଠରୁ ଝରିପଡ଼ିଛି ସମାଜ ବିରୁଦ୍ଧରେ ରୁଦ୍ଧ ଅଭିମାନ । ସମାଜ ଉପରେ ତାର ରାଗ ନଥିଲା ଦ୍ୱେଷ ନଥିଲା ମାତ୍ର ଥିଲା ଅଭିମାନ । ସେଇ ଅଭିମାନ ମିଶା ଭାଷାରେ ସେ ଉତ୍ତର ଦେଇଛି, ‘‘ଅଜାତି ଅଛୁଆଁକୁ ମନ୍ଦିର ମନାଲୋ ଧୋବୀ । ଘରଖଣ୍ଡି ଅଧା ପଡ଼ିଛି ପରା । ଠାକୁର ତ ଘର କରିଦେବେ ନାହିଁ । ଅଭିମାନୀ ସନିଆର ମନ ଭିତରେ ସରଳତାର ସଙ୍କେତ ଏହିଠାରେ ପ୍ରକାଶ ପାଇଅଛି । ଧୋବୀ ସନିଆକୁ ଆନ୍ତରିକତାର ସହିତ ଅନୁରୋଧ କରିଛି ତାଠାରୁ ସାହାଯ୍ୟ ଗ୍ରହଣ କରିବା ପାଇଁ । ସନିଆକୁ ପାଞ୍ଚଟି ଟଙ୍କା ଓ ପଚିଶଟି ସୁନା ମୋହର ଥିବା ଗୋଟିଏ ବଟୁଆ ଧରାଇଦେଇ ଚାଲିଯାଇଛି ଧୋବୀ । ଧୋବୀ ପ୍ରତି ସନିଆର ମନୋଭାବ ବିଷୟରେ ଏଠାରେ କାହ୍ନୁଚରଣ ଲେଖିଛନ୍ତି, ‘‘କେତେ କଥା ସେ କହିଥିଲା, କେତେ ବୁଝାଇଥିଲା । ସନିଆର ଚହଲା ମନକୁ ସ୍ଥିର କରିପାରି ନଥିଲା । ଧୋବୀର ଅଭିମାନିଆ କଥା, ମମତାଲଗା ଅବହେଳା ସନିଆକୁ ବାନ୍ଧି ରଖିଥିଲା । ଆଜି ଏଇ ସଞ୍ଜର ମହଲ ଛାଇରେ ଧୋବୀର ଆଦର ସ୍ନେହ, ତାର ପ୍ରତିପଦ କଥାକୁ ଦୃଢ଼ତା ସନିଆର ମନରେ ନୂଆ ଆଶା ଜନ୍ମାଇଲା, ସନିଆର ଆଖିରେ ଲଗାଉଥିଲା ଭେଳିକି ।’’

 

ଧୋବୀର ଅଯାଚିତ ଦାନ, ସ୍ନେହ, ମମତା ସବୁ ସନିଆର ପ୍ରାଣରେ ଯେଉଁ ସ୍ପନ୍ଦନ ସୃଷ୍ଟି କରିଥିଲା ସେହି ସ୍ପନ୍ଦନ ଫଳରେ, ‘‘ସନିଆର ଆଖିଆଗରେ ସ୍ୱପ୍ନମୟ ଭବିଷ୍ୟତ କେବେ କୁହୁକ ଧରି ଠିଆ ହେଲା । ସୁନେଲି ଆଶାରେ ଅସରନ୍ତି ଡୋରି ସନିଆର ମନ ଚାରିପାଖେ ବୁଣିଲା, ସେ ଛନ୍ଦି ହେଲା । ମନ ତାର କୁହାଟ ମାରିଲା, ସନିଆ ଜାତି ହେବ, ଘର କରିବ, ସେ ପରିଡ଼ା ବଂଶର ଟେକ ରଖିବ ।’’

 

ଫଳରେ ତାହାହିଁ ହେଲା । ମୁକ୍ତ ହସ୍ତରେ ଅର୍ଥ ଖର୍ଚ୍ଚ କରି ସନିଆ ପ୍ରାୟଶ୍ଚିତ୍ତ ହେଲା । ଗ୍ରାମବାସୀଙ୍କୁ ସନ୍ତୁଷ୍ଟ କରି ଖାଇବାକୁ ଦେଲା । ଜାତିରେ ମିଶି, ସମାଜରେ ମଣିଷ ଭାବରେ ଠିଆହେଲା ସନିଆ । ଧୋବୀ ଦେଇଥିବା ଧନ ଯାହା ତାର ପ୍ରାୟଶ୍ଚିତ୍ତ ହେବାର ଖର୍ଚ୍ଚ ହୋଇ ଥିଲା, ତାକୁ ଛାଡ଼ି ଯାହା ବଳିଥିଲା ସେଥିରେ ଭଲକରି ଘର ଖଣ୍ଡିଏ ସେ ତୋଳିଲା । ଘର ତୋଳା ସରିବା ପରେ ସନିଆ ନିଜ ଘର ଆଗରେ ଠିଆହୋଇ ତୃପ୍ତିର ନିଶ୍ୱାସ ମାରିଲା । ସନିଆ ନିଜର ସ୍ଥିତି ସମସ୍ତଙ୍କୁ ଜଣାଇଦେଲା । ତାପରେ ଆସିଲା ନିଜ ଅବସ୍ଥାକୁ ପରିବର୍ତ୍ତନ କରିବାର ପ୍ରଶ୍ନ । ମୂଲଲାଗି ସେ ତାର ପେଟପୋଷିଲା । ମାତ୍ର ଏମିତି ପରର ମୂଲଲାଗି କଣ ବା ସେ କରିପାରିଥାନ୍ତା ? ଯାହା ରୋଜଗାର କରେ ତାହା ତାର ପେଟକୁ ନିଅଣ୍ଟ । ସେ ପୁଣି ଗାଁ ଭିତରେ ଜଣେ ଥିଲାବାଲା ଲୋକ ଭାବରେ ନିଜକୁ ପ୍ରତିଷ୍ଠିତ କରିବ କିପରି ?

 

ବନେଇଁ ପରିଡ଼ା ଛାଡ଼ି ଯାଇଥିବା ତିନିମାଣ ଜମିକୁ ଫେରି ପାଇବା ପାଇଁ ସେ ରାମ ପହରାଜଙ୍କ ଦ୍ୱାରସ୍ଥ ହେଲା । ମାତ୍ର ତାକୁ ସେଠାରୁ ନିରାଶ ହୋଇ ଫେରିବାକୁ ପଡ଼ିଲା । ନିମପୁର ଜମିଦାରଙ୍କଠାରୁ କିଛି ଜମି ପଟ୍ଟା ଆଣି ବରକୁ ତହସିଲଦାରଙ୍କ ନିକଟରେ ସନିଆ ଯାଇ କେତେ କାକୁତି ମିନତି କରି ଆସିଲା । ପହାରାଜଙ୍କଠାରୁ ଖବର ପାଇ ସନିଆ ଚିନ୍ତେଇ ସୋଇଁଙ୍କ ସଙ୍ଗେ ଦେଖା କରିବାକୁ ଗଲା । ଚିନ୍ତେଇ ସୋଇଁ ତାକୁ ତାଙ୍କ ଘରେ କୋଠିଆ ଚାକର କରି ରଖିବାର ପ୍ରସ୍ତାବ ଦେଲେ । ସନିଆର ବାପ ଚିନ୍ତେଇ ସୋଇଁଙ୍କୁ ବିକ୍ରି କରିଥିବା ଜମିକୁ ଦାମ ନେଇ ସେ ଫେରାଇ ଦେବାକୁ ଅନୁରୋଧ କଲା । ମାତ୍ର ଫଳରେ ସେ ଧୋବୀ ଉପସ୍ଥିତିରେ ଅପମାନ ପାଇଲା-। ଚିନ୍ତେଇ ସୋଇଁ ଯେତେବେଳେ ସନିଆକୁ ନିତାନ୍ତ ତାଚ୍ଛଲ୍ୟ ପୂର୍ଣ୍ଣ ଭାଷାରେ କଥା କହିଛନ୍ତି ସେତେବେଳେ ସନିଆଁ ତାହା ସହ୍ୟ କରିପାରି ନାହିଁ । ଅଯଥା ଅହମିକା ଓ ଅନ୍ୟାୟକୁ ମଥାପାତି ସହିଯିବା ସନିଆ ପକ୍ଷରେ ଏକାନ୍ତ ଅସମ୍ଭବ ଥିଲା । ତେଣୁ ସେ ସେଠାରେ ଚିନ୍ତେଇ ସୋଇଁଙ୍କୁ ଉତ୍ତର ଦେଇଛି ଅତି ସ୍ପଷ୍ଟ ଭାବରେ । କାହ୍ନୁଚରଣ ଲେଖିଛନ୍ତି, ‘‘ସନେଇଁର ଧୈର୍ଯ୍ୟ ଭାଙ୍ଗିଲା-। ରାଗରେ ଘୃଣାରେ ତାର ନାକ ପୁଡ଼ା ଫୁଲି ଫୁଲି ଉଠିଲା । ଦୁଇ ଆଖିରେ ସତେ ତ ନିଆଁ ଜଳି ଉଠିଲା । ସେ କଥାରେ ଯୋର ଦେଇ କହିଲା, ହାତ ଥିଲେ ମଧ୍ୟ ଭାତର ଅଭାବ ନାହିଁ ସୋଇଁଏ, ତମର ଭାତଅଛି ବୋଲି ମୁଁ ଡରିକରି ଭିକ ମାଗିବାକୁ ଆସିନାହିଁ’’ । ସନିଆ ମୂର୍ଖ ହୋଇପାରେ, ଦରିଦ୍ର ହୋଇପାରେ, ମାତ୍ର ତାର ମନ ମୂର୍ଖ ନୁହେଁ, ଦରିଦ୍ର ନୁହେଁ-ଏଇକଥା ଲେଖକ ସୂଚାଇ ଦେଇଅଛନ୍ତି । ନିଜର ମନୁଷ୍ୟତାକୁ ସେ ଅନ୍ୟାୟ ସମ୍ମୁଖରେ ବଳିଦେଇ ପାରି ନାହିଁ-। ବରଂ ସ୍ୱାର୍ଥପର ସମାଜର ବଡ଼ପଣ୍ଡା ଚିନ୍ତେଇ ସୋଇଁଙ୍କୁ ଉପଯୁକ୍ତ ଜବାବ ସେ ଦେଇଛି ।

 

ଏ ଅପମାନରେ ସନେଇର ମନ ଗହୀରରେ ଏପରି ଏକ କ୍ଷତି ସୃଷ୍ଟି ହୋଇଚି ଯାହାର ଜ୍ୱାଳା ତାକୁ ଅଧୀର କରି ପକାଇଛି । ତେଣୁ ଶିବରାତ୍ରି ଦିନ ସନ୍ଧ୍ୟାରେ ଧୋବୀ ଯେତେବେଳେ ତା ଘରକୁ ପୁଣି ତାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଯାଇଛି ସେତେବେଳେ ସେ ଧୋବୀ ଆଗରେ ତାର ପ୍ରାଣର ବେଦନା ପ୍ରକାଶ କରିଅଛି । ସେ ଧୋବୀକୁ କହିଛି, ‘ମୁଁ ତୋର କଣ୍ଢେଇ ହୋଇଛି । ତୁ ଖେଳୁଛୁ, ମୁଁ ପାଉଛି ଦୁଃଖ । ମୋ ବାପା ତୋର ବାପାକୁ ପଦଟିଏ କହିଥିଲା । ଅପମାନ ଦେବା ତାର ଉଦ୍ଦେଶ୍ୟ ନ ଥିଲା । ତୋରି ବାପା ହାରିଲା । ତୁ କିନ୍ତୁ ଜିତିଲୁ । ମୋର ଅବସ୍ଥାର ସୁଯୋଗ ନେଇ ତୁ ନେଲୁ ପ୍ରତିଶୋଧ ।’’ ସନିଆ ଜାଣେ ଧୋବୀକୁ ଏପରି କଥା ଆଘାତ ଦେବ । ମାତ୍ର ସେ କହିବାକୁ ବାଧ୍ୟ ହୋଇଛି । ଅପମାନର ସୀମା ଟପିଯିବାଟା ତାକୁ ଯଥେଷ୍ଟ ଆଘାତ ଦେଇଛି । ସେ ଭଲକରି ଜାଣିଛି, ମନର କଥା, ଅନ୍ତରର କଥା ଖୋଲି ଶୁଣିବା ପାଇଁ ଧୋବୀଛଡ଼ା ତାର ଦୁନିଆରେ କେହି ନାହିଁ । ଧୋବୀଠାରୁ ପୁଣି ସାହାଯ୍ୟ ପାଇଛି ସନିଆ । କେବଳ ସାହାଯ୍ୟ ନୁହେଁ, ଧୋବୀଠାରୁ ସେ ପାଇଛି ଜୀବନକୁ ରଙ୍ଗରସ ଦେଇ ଗଢ଼ିବାର ଆଶା । ଧୋବୀର ସାହାଯ୍ୟକୁ ସମ୍ୱଳ କରି ପୁଣିଥରେ ସନିଆ ଠାକୁର ଚୌପାଢ଼ୀରେ ଚିନ୍ତେଇ ସୋଇଁଙ୍କୁ ଉପଯୁକ୍ତ ଦର ନେଇ ଜମି ଫେରାଇ ଦେବାକୁ ଅନୁରୋଧ କରିଛି । ମାତ୍ର ଚିନ୍ତେଇ ତାକୁ ପରିହାସ କରିଅଛନ୍ତି ।

 

ଧୋବୀବୋଉ ଯେଉଁଦିନ ସନ୍ଧ୍ୟାରେ ଚନ୍ଦରା ହାତରେ ଡକାଇ ପଠାଇଥିଲେ ସେଦିନ ସନିଆ ତାଙ୍କୁ ଦେଖା କରିବାକୁ ନ ଆସି ଅତି ନିର୍ମମ ଭାବରେ ଜବାବ ଦେଇଥିଲା । ସେଦିନ ଘଟଣାରେ ଧୋବୀର ଚିନ୍ତାରେ ଯଥାର୍ଥତା ପ୍ରମାଣିତ ହୋଇଛି । ଲେଖକ ଲେଖିଛନ୍ତି, ‘‘ଚନ୍ଦରା ମୁହଁରୁ ସନେଇର କଥା ଶୁଣି ଧୋବୀର ଦେହ ଉଲୁସି ଉଠିଲା । ସେ ଜାଣେ ସନେଇ ପରିଡ଼ା ଭାଙ୍ଗିଯିବ ପଛେ ନଇଁବ ନାହିଁ । ସ୍ନେହ ସୋହାଗରେ ସେ କିଣି ହୋଇଯାଏ । ନାଲି ଆଖିକୁ ସେ ଡରେ ନାହିଁ । ଗାଁ ଯାକରେ ସେହି ଏକା ଗୋଟାଏ ମଣିଷ । ଆଉମାନେ ପଶୁଠାରୁ ହୀନ ।’’ ଧୋବୀ ପାଇଥିଲା ସନିଆର ଯଥାର୍ଥ ପରିଚୟ । ଲେଖକ ସନିଆ ଚରିତ୍ରରେ ଏହି ବୈଶିଷ୍ଟ୍ୟ ଦକ୍ଷତାର ସହିତ ରକ୍ଷାକରି ଅଛନ୍ତି ।

 

ସନିଆ ନିମପୁର ଜମିଦାରଙ୍କଠାରୁ ଜମି ଓ ପୋଖରୀ ପଟ୍ଟା ପାଇଛି । ଦେହରୁ ଝାଳ ନିଗାଡ଼ି ସେ ଜମିରୁ ସେ ଯାହା ପାଇଛି ସେଥିରେ ତାର ଅବସ୍ଥାର ପରିବର୍ତ୍ତନ ହୋଇଅଛି । ସମାଜରେ ଜଣେ ‘‘ଥିଲାବାଲା’’ ହେବାପାଇଁ ତା ମନରେ ଯେଉଁ ଉନ୍ମାଦନା ଖେଳି ଯାଇଥିଲା, ସେ ଉନ୍ମାଦନା କ୍ରମେ ମଉଳି ଆସିଲା । କାରଣ, ସେ ଯାହା ଖୋଜିଥିଲା ତାହା ପାଇଲା । ମାତ୍ର ଯାହାକୁ ପାଇବା ପାଇଁ ଏସବୁ ଖୋଜିଥିଲା ସେ କାହିଁ ? ଧୋବୀ ତାର ଶ୍ୱଶୁରଘର ଗାଁରେ । ସନିଆ ପ୍ରାଚୁର୍ଯ୍ୟ ମଧ୍ୟରେ ଅଶ୍ୱସ୍ତି ଅନୁଭବ କଲା । କାହ୍ନୁଚରଣଙ୍କ ଭାଷାରେ, ‘‘ସନେଇର ମନରେ କିନ୍ତୁ ସରାଗ ନାହିଁ । କଣ ହେବ ତାର ଏଇ ଜମିବାଡ଼ି ଘର ସମ୍ପତ୍ତି ? କଣ ହେବ ଗାଈ ଗୋରୁ ଧାନଗଦା ? ଯାହାରି ପାଇଁ ସେ ଏତେ ପରିଶ୍ରମ କରିଛି, ଯାହାରି ପାଇଁ ଏସବୁ ସେ ଭେଇଛି, ସାଇତି ରଖିଛି, ସେ ଆଜି କାହିଁ ?’’ ଏପରି ଅବସ୍ଥାରେ ସନିଆ ଭାବିଛି ଥରେ ଯାଇ ବିଷ୍ଣୁପୁରରେ ଧୋବୀକୁ ଦେଖି ଆସିବ । ମାତ୍ର ସେଥିପାଇଁ ସେ ଆବଶ୍ୟକ ମନୋବଳ ହଠାତ୍ ସଞ୍ଚୟ କରିପାରିବ ନାହିଁ । ଧୋବୀକୁ ପାଇବା ପାଇଁ ମନ ଭିତରେ ତାର ଅଶେଷ କାମନା ଚିତ୍କାର କରି ଉଠିଛି ।

 

ଗାଁରେ ରାମନବମୀ ଯାତ୍ରା ହେବାର କଥା ଶୁଣି ସନିଆ ଯାତ୍ରାରେ ଯୋଗଦେବା ପାଇଁ ପ୍ରଥମେ ଅରାଜି ହୋଇଥିଲା । ମାତ୍ର ଯେତେବେଳେ ସେ ଶୁଣିଲା ଯେ ଯାତ୍ରା ଦେଖିବା ପାଇଁ ବିଷ୍ଣୁ ପୁରର ଧୋବୀ ଆସିବ ସେତେବେଳେ ସେ କେବଳ ଯାତ୍ରାରେ ଯୋଗ ଦେଇ ନାହିଁ, ଗାଁର ଯନ୍ତାଳ ପାଇଁ ସମସ୍ତ ଖର୍ଚ୍ଚ ସେ ଅକାତରେ ବହନ କରିଛି । ରାମନବମୀ ଯାତ୍ରାରେ ସନିଆ ହନୁମାନ ମୁଖା ପିନ୍ଧି ନାଚିଛି । ସମସ୍ତେ ତାର ଅଭିନୟ ଦେଖି ମୁଗ୍‌ଧ ହୋଇଛନ୍ତି । ଧୋବୀ ଦୁର୍ଗାପୁରରେ ରାମନବମୀ ଯାତ୍ରା ଦେଖିସାରିବା ପରେ ଦୁଇଦିନ ରହି ପୁଣି ବିଷ୍ଣୁପୁରକୁ ଫେରିଗଲା । ସନିଆର ମନରେ ଯେଉଁ ଉନ୍ମାଦନା ଖେଳିଯାଇଥିଲା ତାହା ପୁଣି ଭଟ୍ଟା ପଡ଼ିଗଲା । ତାର ଉଦାସ ଭାବ ତା ମନର ଭାବନାକୁ ପ୍ରକାଶ କରିଦେଲା । ଗରିବ ମୁସଲମାନ ପିଲା ରହିମ୍‌କୁ ସେ ଘରେ ଆଶ୍ରୟ ଦେଇଥିଲା । ରହିମ୍‌ ସନିଆର ଏ ପ୍ରକାର ଭାବ ଦେଖି ତାକୁ ବିବାହ କରିବାକୁ ଅନୁରୋଧ କରିଛି । ସନିଆ ମନ ଭିତରେ ବହୁ ଦ୍ୱନ୍ଦ୍ୱକୁ ସମାଧାନ କରି ଶେଷରେ ଧୋବୀଠାରୁ ପଦେ କଥା ଶୁଣିବା ପାଇଁ ଦୁର୍ଗାପୁର ଯିବାକୁ ସ୍ଥିର କରିଛି ।

 

ସାବିତ୍ରୀ ଅମାବାସ୍ୟା ସନ୍ଧ୍ୟା । ଧୋବୀ ଠାକୁରଙ୍କ ଆଗରେ ଦୀପଟିଏ ଜାଳି ବସିଛି । ଆଖିରେ ତାର ଶ୍ରାବଣର ଧାରା । ଠିକ୍ ସେମିତି ବାହାରେ ପ୍ରବଳ ବର୍ଷାର ଧାରା । ଏତିକିବେଳେ ଧାଈ ଆସି ଖବର ଦେଲା ଦୁର୍ଗାପୁରରୁ ଜଣେ କିଏ ଆସିଛି । ହଠାତ୍ ଧୋବୀ ମନରେ ପ୍ରଶ୍ନ ଉଠିଛି, ସନିଆ ଭାଇ କି ? ଧୋବୀର ସନ୍ଦେହ ସତ୍ୟରେ ପରିଣତ ହୋଇଛି । ସନିଆ ଧୋବୀ ଘରେ ପାଇଛି ସେଦିନ ରାତିରେ ଆତିଥ୍ୟ । ସେହିଦିନ ରାତିରେ ଧୋବୀ ସନିଆ ସହିତ ଜୀବନରେ ମିଳିତ ହେବାର ଅସାମର୍ଥ୍ୟ ପ୍ରକାଶ କରିଛି । ଏଥିରେ ଧୋବୀ ଆଖିରୁ ଝରିଛି ଲୁହ । ଧୋବୀର ଏପରି କଥାଶୁଣି, ଧୋବୀ ଆଖିରେ ଲୁହ ଦେଖି ସନିଆ ମନରେ ଆସିଛି ଏକ ବିରାଟ ପରିବର୍ତ୍ତନ । ତେଣୁ ସନିଆ କହିଛି, ‘‘ଜାତିଆଣର ମୁଖା ତୁ ମତେ ପିନ୍ଧାଇଥିଲୁ । କୃତ୍ରିମ ଧର୍ମର ପୋଷାକ ମୋ ଦେହରେ ଗୁଡ଼ାଇଥିଲୁ । ହନୁମାନ ଲାଙ୍ଗୁଡ଼ ପରି ଘର ସମ୍ପତ୍ତି ସବୁ ତୁଇ ବାନ୍ଧିଥିଲୁ ମୋ ପଛରେ । ହନୁମାନ ହୋଇ ଦିନାକେତେ ନାଚିଲି କୁଦିଲି । ସମସ୍ତେ ସେମିତି ମୁଖାପିନ୍ଧା ନାଚୁଛନ୍ତି ତ । ସମସ୍ତଙ୍କର ଉଦ୍ଦେଶ୍ୟ ଅଛି । ବଡ଼ ହେଉ ସାନ ହେଉ, ସ୍ୱାର୍ଥ ଅଛି, ମୋର ବି ସ୍ୱାର୍ଥ ଥିଲା । ମୋର ସ୍ୱାର୍ଥ ଆଜି ସଫଳ ହୋଇଛି ତୋରି ଆଖି ଲୁହରେ । ଯେଉଁ କୃତ୍ରିମତାର ମଝିରେ ମୁଁ ଉବୁଟୁବୁ ହେଉଥିଲି, ମୁଁ ସେଥିରୁ ଉଠିଆସି ପାରିବି ଏଥର । ସ୍ୱାଧୀନ ମଣିଷ ହୋଇ ଦୁନିଆର ଦାଣ୍ଡରେ ଠିଆହୋଇ ପାରିବି ।’’

 

ସନିଆର ଏହି ପରିବର୍ତ୍ତନ ଦ୍ୱାରା ଲେଖକ ନିଜର ସମାଜ ସଂସ୍କାର ମନୋବୃତ୍ତି ସୁଚିତ କରିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ସନିଆ ଆଗରେ ସ୍ୱାର୍ଥର ପ୍ରଶ୍ନ ଥିଲା ସେତେଦିନ ପର୍ଯ୍ୟନ୍ତ ସେ ସମାଜ ଭିତରେ ନିଜର ସ୍ୱାଧୀନତା ହରାଇ ପରାଧୀନ ଥିଲା । ମାତ୍ର ଯେଉଁଦିନ ତାର ସ୍ୱାର୍ଥ ଉଭେଇ ଯାଇଛି ସେଦିନ ସେ ସମାଜ ଓ ଧର୍ମର ଅଧୀନତା ତ୍ୟାଗ କରିଛି । ଏହିଠାରେ ସନିଆ ପାଇଛି ନୂଆ ମନ, ନୂଆ ହୃଦୟ ଆଉ ସ୍ୱପ୍ନ ଦେଖିଛି ଆଗାମୀ ଦିନର ନୂଆ ମଣିଷକୁ । ଲେଖକଙ୍କ ମତରେ ଏ ସମାଜ, ସ୍ୱାର୍ଥର ସମାଜ । ଏ ଧର୍ମର ବନ୍ଧନ ସ୍ୱାର୍ଥର ବନ୍ଧନ । ଏହି ବନ୍ଧନକୁ ଛିଡ଼ାଇ ନପାରିଲେ ମନୁଷ୍ୟ ବାସ୍ତବରେ ସ୍ୱାଧୀନ ହୋଇପାରିବ ନାହିଁ । ସ୍ୱାଧୀନତା କହିଲେ କେବଳ ରାଜନୈତିକ ସ୍ୱାଧୀନତାକୁ ବୁଝାଏ ନାହିଁ । ମନୁଷ୍ୟ ପାଇଁ ଆବଶ୍ୟକ ମନର ସ୍ୱାଧୀନତା, ରୁଚିର ସ୍ୱାଧୀନତା-ତାହା ଭିତରେ ସ୍ୱାର୍ଥର ପ୍ରଶ୍ନ ଉଠିପାରେନା ।

 

ତାପରେ ସନିଆ ଯାଇଛି ପୁନିର ଘରକୁ । ସେଠାରେ ସେ ଅସ୍ପୃଶ୍ୟତା ମାନିନାହିଁ । ପ୍ରାଣଖୋଲା ମମତା ନିଜର ଭଉଣୀ ଓ ଭଣଜାଙ୍କୁ ଦେଖି ସେ ହୋଇଛି ଅନିର୍ଦ୍ଦିଷ୍ଟ ପଥର ଯାତ୍ରୀ । କେତେ ସ୍ଥାନ ବୁଲି ବୁଲି ଫେରିଯାଇଛି ତାର ଘରକୁ । ସେଠାରେ ତାର ମନର ନୂଆ ସଂକଳ୍ପକୁ ସେ ରୂପଦାନ କରିଛି । ସେ ପ୍ରକାଶ କରିଛି ଯେ ଯେଉଁମାନଙ୍କୁ ସମାଜ ପତିତ କହି ଦୂରକୁ ଠେଲିଦେବ ସେମାନେ ସମସ୍ତେ ତାରି ଘରେ ଆଶ୍ରୟ ପାଇବେ । ସେ ଘର ହେବ ସମସ୍ତଙ୍କର । ସମସ୍ତେ ପରିଶ୍ରମ କରିବେ, ସାଙ୍ଗହୋଇ ଖାଇବେ ପିଇବେ । ଲେଖକ ସନିଆ ମୁହଁରେ ପ୍ରକାଶ କରିଛନ୍ତି, ‘‘କେହି କାହାର ଧର୍ମ ଉପରେ ରୁଚି ଉପରେ ବାଧା ଦେବ ନାହିଁ । ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେଖେଇବେ, ଭଲ ପାଇବେ । ଦୁନିଆର ଲୋକେ ଯାହାକୁ ଘୃଣାକରି ଗୋଇଠା ମାରି ଦୂରକୁ ଠେଲିଦେବେ, ସେ ଆସି ଏଇଠି ଆଶ୍ରା ନେବେ । ଏଇ କୁଡ଼ିଆ ତଳେ ନୂଆ ଦୁନିଆ ଗଢ଼ିବା ଆମେ ରହିମ୍ । ନୂଆ ସମାଜ ଗଢ଼ିବା, ମଣିଷ ସମାଜ ।’’

 

ବାସ୍ତବରେ ସନିଆ ଏହି ଉକ୍ତିକୁ କାର୍ଯ୍ୟରେ ପରିଣତ କରିଛି । ଭରିଥିଆ, କାଶିବେଜ୍, ଯୋହନ ବୁଢ଼ା, କଇଁ ସମସ୍ତ ଆଶ୍ରୟ ପାଇଲେ ସନିଆ ଘରେ । କଇଁ ଅବସ୍ଥା ଚକ୍ରରେ ପଡ଼ି ବାୟାଣୀ ହୋଇଯାଇଛି । ତାକୁ ଜ୍ୱରହେବା ସମୟରେ ସନିଆ ଅକାତରେ ତାର ସେବା କରି ତାକୁ ଆରୋଗ୍ୟ କରିଛି । ତା ପରେ ନିଜ ନିଜର ସମ୍ମତ ଅନୁସାରେ କଇଁ ଓ ସନିଆ ପ୍ରଣୟ ପାଶରେ ଆବଦ୍ଧ ହୋଇଛନ୍ତି । ଏଥିପାଇଁ ସମାଜର ରୀତି ଅନୁସାରେ ବ୍ରାହ୍ମଣ ମନ୍ତ୍ର ପଢ଼ା; ବେଦୀ ବନ୍ଧା, ଶଙ୍ଖ ଫୁଙ୍କା କୌଣସିଟିର ଆବଶ୍ୟକତା ଉପଲବ୍‌ଧ ହୋଇନାହିଁ । ସନିଆ ଆଖି ଆଗରେ ନୂଆ ଦୁନିଆର ସ୍ୱପ୍ନ । ସନିଆ ସତେ ଯେପରି ନୂତନ ଆଦର୍ଶରେ ସଂପୂର୍ଣ୍ଣ ବିଭୋର ।

 

ସନିଆକୁ କରଗତ କରିବାର ଚେଷ୍ଟା କରିଛନ୍ତି ଚିନ୍ତେଇ ସୋଇଁ । ଧୋବୀବୋଉ ମଲାବେଳେ କହି ଯାଇଥିଲେ ଧୋବୀ ସହିତ ସନିଆର ହାତ ଛନ୍ଦି ଦେବାପାଇଁ । ଧୋବୀର ଅବସ୍ଥା ଦେଖି ଚିନ୍ତେଇ ସୋଇଁ ଧୋବୀ ବୋଉଙ୍କର ଶେଷ ଆଶା ପୂରଣ କରିବା ପାଇଁ ଚେଷ୍ଟା କରିଛନ୍ତି ।

 

ଚିନ୍ତେଇ ସୋଇଁ ସନିଆକୁ ନିଜର ମନକଥା ଜଣାଇବା ପାଇଁ ଡକାଇ ନେଇ ତାକୁ ନିଜର ଶୋଇବା ଖଟ ଉପରେ ବସାଇଛନ୍ତି । ତାଙ୍କ ସମ୍ପତ୍ତିର ଅର୍ଦ୍ଧେକ ଅଂଶ ସନିଆ ନାଆଁରେ ଉଇଲ୍ କରି ତା ହାତକୁ ଟେକିଦେଇ ସବୁକଥା କହିଛନ୍ତି । ମାତ୍ର ସନିଆ ସେତେବେଳକୁ ଚିନ୍ତେଇ ସୋଇଁଙ୍କର ଏ ଅନୁରୋଧକୁ ରକ୍ଷା କରିବାର ଅବସ୍ଥାରେ ନଥିଲା । ଚିନ୍ତେଇ ସୋଇଁ ସବୁକଥା ଶୁଣି ସନିଆ କହିଛି, ‘‘ମତେ କ୍ଷମା କରନ୍ତୁ । ଆପଣଙ୍କର ଦାନ, ଆପଣଙ୍କର ସ୍ନେହର ମୁଁ ଅଯୋଗ୍ୟ । ‘‘ଏତିକି କହି ସନିଆ ଚାଲି ଯାଇଛି ।

 

ଅତୀତର ପୋଡ଼ା ଘାର ଦାଗକୁ ଲୁଚାଇ ସେ ପୋଡ଼ା ଯନ୍ତ୍ରଣାକୁ ଯେତେବେଳେ ସନିଆ ଭୁଲିଯାଇଥିଲା ସେତେବେଳେ ଚିନ୍ତେଇ ସୋଇଁଙ୍କର ଏହି ଚେଷ୍ଟା ତାର ମନକୁ ଦୋହଲାଇ ଦେଲା-। ସେ ସେହିଦିନ ରାତିରେ ତାର ଆଶ୍ରିତ ସାଥୀମାନଙ୍କୁ ସଙ୍ଗରେ ନେଇ ଘରଛାଡ଼ି ଚାଲି ଯାଇଅଛି-। ସନିଆର ଆଦର୍ଶ ଯେଉଁ ପ୍ରକାର ପରିସ୍ଥିତିର ସଂଘର୍ଷରେ ସୃଷ୍ଟି ହେଇଥାଉ ନା କାହିଁକି ତାହା ବାସ୍ତବରେ ଲେଖକଙ୍କର ସମାଜପ୍ରତି ଏକ ପ୍ରଚ୍ଛନ୍ନ ଇଙ୍ଗିତର ପ୍ରକାଶ କରିଅଛି । ଲେଖକ ତାଙ୍କର ଉପନ୍ୟାସର ନାୟକ ଭାବରେ ସନିଆ ଚରିତ୍ରର ମହତ୍ତ୍ୱ ପ୍ରଦର୍ଶନ କରିବାକୁ ଯାଇ ତା ମନରେ ଯେପରି ଭାବରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି ତାହା ତାଙ୍କର ମନସ୍ତାତ୍ତ୍ୱିକ ବିଶ୍ଳେଷଣର ପରିଚୟ ଦେଇଅଛି-। ସନିଆ କାହ୍ନୁଚରଣଙ୍କର ସୃଷ୍ଟି ମଧ୍ୟରେ ଏକ ବିଶିଷ୍ଟ ଚରିତ୍ର । ଶାସ୍ତି ଉପନ୍ୟାସର ପରିକଳ୍ପନାରେ କାହ୍ନୁଚରଣଙ୍କର ଚରିତ୍ର ଚିତ୍ରଣରେ ସିଦ୍ଧହସ୍ତତା ଲକ୍ଷ୍ୟ କରିବାକୁ ହେଲେ ସନିଆର ଚରିତ୍ରର ବିଶେଷତ୍ୱ ପ୍ରତି ଦୃଷ୍ଟିଦେବା ଏକାନ୍ତ ବିଧେୟ ।

 

ଚିନ୍ତେଇ ସୋଇଁ :- ଉପନ୍ୟାସର ନାୟିକା ଧୋବୀର ପିତା ଚିନ୍ତେଇ ସୋଇଁ । ଚିନ୍ତେଇ ସୋଇଁଙ୍କର ଚରିତ୍ର ଶାସ୍ତି ଉପନ୍ୟାସରେ ଏକ ବାସ୍ତବ ଚରିତ୍ର । କାହ୍ନୁଚରଣ ଚିନ୍ତେଇ ସୋଇଁ ଚରିତ୍ର ଚିତ୍ରଣ କରିବା ସମୟରେ ଫକୀର ମୋହନଙ୍କ ଦ୍ୱାରା ପ୍ରଭାବିତ ହେବାର ଅନୁମାନ କରାଯାଇ ପାରେ । ମାତ୍ର ଫକୀରମୋହନ ଯେପରି ଭାବରେ ତାଙ୍କର ଛଅମାଣ ଆଠଗୁଣ୍ଠ ଉପନ୍ୟାସର ନାୟକ ରାମଚନ୍ଦ୍ର ମଙ୍ଗରାଜଙ୍କର ଚରିତ୍ର ଚିତ୍ରଣ କରିଅଛନ୍ତି ସେପରି ଭାବରେ କାହ୍ନୁଚରଣ ଚିନ୍ତେଇ ସୋଇଁଙ୍କର ଚରିତ୍ର ଚିତ୍ରଣ କରି ନାହାନ୍ତି । ଚିନ୍ତେଇ ସୋଇଁ ଚରିତ୍ର ବିଷୟରେ କାହ୍ନୁଚରଣ ସ୍ପଷ୍ଟଭାବରେ ଯାହା ପ୍ରକାଶ କରିଅଛନ୍ତି ତାହା ବାସ୍ତବରେ ଆମର ସମାଜପତିମାନଙ୍କର ପ୍ରକୃଷ୍ଟ ରୂପ ।

 

ରାଜୀବ ସୋଇଁଙ୍କର ପୁଅ ଚିନ୍ତେଇ । ଚିନ୍ତେଇ ଜନ୍ମ ହେବାର ମାତ୍ର ସାତଟି ଦିନ ପରେ ତାଙ୍କର ମାଆ ଆଖି ବୁଜିଲେ । ବଡ଼ ଅସହାୟ ଅବସ୍ଥାରେ ପଡ଼ି ରାଜୀବ ଦ୍ୱିତୀୟାପତ୍ନୀ ଗ୍ରହଣ କଲେ । ରାଜୀବଙ୍କର ଦ୍ୱିତୀୟାପତ୍ନୀଙ୍କର ଲାଳନପାଳନରେ ବଢ଼ିଥିଲେ ଚିନ୍ତେଇ । ରାଜୀବ ସୋଇଁ ଆଖି ବୁଜିବା ପରେ ଚିନ୍ତେଇ ନିଜକୁ ସମାଜରେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କଲେ । ସେ ଜାଣିଥିଲେ ସମାଜରେ ପ୍ରତିଷ୍ଠିତ ହେବାକୁ ହେଲେ ଦରକାର ଧନ । ସେଥିପାଇଁ ସେ ଧନ, ଧାନ, ଜମିବାଡ଼ି ବଢ଼ାଇବାରେ ମନପ୍ରାଣ ଢାଳି ଦେଇଥିଲେ । ଗହଣାଗାଣ୍ଠି ବନ୍ଧନ ରଖି ମହାଜନୀ କାରବାର କରି ସେ ଧନୀ ହୋଇଥିଲେ । ତାଙ୍କରି ଅଦମ୍ୟ ଚେଷ୍ଟା ଫଳରେ ସୋଇଁ ପରିବାର ଧନ ଦୌଲତରେ ପରିପୂର୍ଣ୍ଣ ହୋଇଥିଲା । ନଅଙ୍କ ଦୁର୍ଭିକ୍ଷର ସୁଯୋଗରେ ଚିନ୍ତେଇ ସୋଇଁ ମଧ୍ୟ ତାଙ୍କର ଧନ ଦୌଲତ ବଢ଼ାଇ ପାରିଥିଲେ । ବିଷ୍ଣୁପୁର ଗାଁରେ ଚିନ୍ତେଇ ସୋଇଁ ଏକମାତ୍ର ବଡ଼ଲୋକ ଥିଲେ-। ଏପରି ବଡ଼ଲୋକ ଭାବରେ ଚିନ୍ତେଇ ଯେତେବେଳେ ସମାଜପତିର ଆସନରେ ବସିଛନ୍ତି ସେତେବେଳେ ତାଙ୍କରି ଏକମାତ୍ର ଆଦରର କନ୍ୟା ଧୋବୀ ସହିତ ବନେଇ ପରିଡ଼ାଙ୍କ ପୁଅ ସନିଆର ବିବାହ ପ୍ରସ୍ତାବ ପଡ଼ିଥିଲା । ମାତ୍ର ବନେଇ ପରିଡ଼ା ନିଜର ଉଚ୍ଚକୁଳାଭିମାନ ପ୍ରଦର୍ଶନ କରି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ନିଜକୁ ଅପମାନିତ ମନେକଲେ ଚିନ୍ତେଇ ସୋଇଁ । ମନକଥା ମନରେ ରଖି ସମୟ ଅନୁସାରେ ସେ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହୋଇ ରହିଲେ-। ସେଥିପାଇଁ, ଦୁର୍ଭିକ୍ଷ ସମୟରେ ଯେତେବେଳେ ବନେଇ ପରିଡ଼ା ତାଙ୍କ ଦ୍ୱାରସ୍ଥ ହୋଇ ସାହାଯ୍ୟ ଭିକ୍ଷା କରିଛନ୍ତି ସେତେବେଳେ ଚିନ୍ତେଇ ମନେ ମନେ ଆନନ୍ଦରେ କୁରୁଳି ଉଠି ନିତାନ୍ତ ନିର୍ମମ ଭାବରେ ତାଙ୍କୁ ନିରାଶ କରିଛନ୍ତି ।

 

ଚିନ୍ତେଇ ସୋଇଁ ଧନର ଗର୍ବରେ ଅତିମାତ୍ରାରେ ଯେ ପ୍ରତିହିଂସା ପରାୟଣ ଥିଲେ ଏହା ସ୍ପଷ୍ଟ ଭାବରେ ଜଣାପଡ଼େ । ସନିଆ ଯେତେବେଳେ ଦୁର୍ଭିକ୍ଷର କରାଳଗ୍ରାସରୁ ଫେରିଆସି ଧୋବୀର ସହାୟତରେ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଇଛି ସେତିକିବେଳେ ଦିନେ ଚିନ୍ତେଇ ସୋଇଁ ସନିଆକୁ ଡକାଇ ଧୋବୀର ଉପସ୍ଥିତିରେ ତାକୁ ତାଙ୍କ ଘରେ କୋଠିଆ ଚାକର ରୂପେ ରହିବାକୁ ଉପଦେଶ ଦେଇଅଛନ୍ତି । ସନିଆ ଚିନ୍ତେଇ ସୋଇଁଙ୍କ ମୁହଁରୁ ଶୁଣିଲା, ‘‘ଶୁଣ ସନେଇ, ଯଦି କୋଠିଆ କାମ କରିବୁ ଦୁଇବେଳା ଦୁଇମୁଠା ଖାଇ, ସାମାନ୍ୟ କିଛି ବେତନ ନେଇ ରହିବାକୁ ରାଜି ହେଉ, ତେବେ କାଲିଠାରୁ ଆସି ମୋ ଘରେ ରହିଯା, ନାହିଁ ଯଦି ତୋର ରାଜି ନ ହେଉଛି, ତୁ ତୋର ଅନ୍ୟବାଟ ଖୋଜ । ଭାତ ଥିଲେ ହାତର ଅଭାବ ହେବ ନାହିଁ ।’’ ଚିନ୍ତେଇ ଏ କଥା କହି ପରିହାସ କରିଥିଲେ ସନେଇଁ ପରିଡ଼ାର ବଂଶାଭିଜାତ୍ୟକୁ । ସନିଆ ମଧ୍ୟ ଚିନ୍ତେଇଙ୍କୁ ଉପଯୁକ୍ତ ଯବାବ ଦେଇଅଛି । ମାତ୍ର ଚିନ୍ତେଇ ପୁଣି ସନିଆକୁ ଆଘାତ ଦେବାକୁ କହିଛନ୍ତି ‘‘ହାତଗୋଡ଼ ଧରି ପରିଡ଼ାରବଂଶ ତମର, ନିରୋଳା ରକ୍ତ, ନିର୍ମଳ ବଂଶମର୍ଯ୍ୟାଦା ଧରି ପଦାକୁ ବାହାରି ପଡ଼ିଥିଲ । ଫେରିଲା କିଏ ? ଦରମରା ହୋଇ ଫେରିଥିଲୁ ଏକା ତୁଇ । ହାତଗୋଡ଼ ସେମିତି ଥିଲା । ଏଇ ନିଧିଆ ଅନ୍ଧାର ରାତିରେ ନୁଚେଇ କରି ତୋ ତୁଣ୍ଡରେ ମୋରି ଭାତ ଦେଇ ତତେ ବଞ୍ଚେଇଛି, ସବୁତ ମୁଁ ଜାଣେ ।’’ ବନେଇ ପରିଡ଼ାଙ୍କର କଥାରେ ଆହତ ହୋଇଥିବା ଚିନ୍ତେଇ ସୋଇଁ କିପରି ପ୍ରତିହିଂସା ପରାୟଣ ତାହାର ଉଦାହରଣ ଏଥିରୁ ମିଳେ ।

 

ଚିନ୍ତେଇ ସୋଇଁଙ୍କର ଧନ ପ୍ରତି ଅଶେଷ ମମତା । ସେ ନିଜେ ଯେତିକି ଧନ ଅର୍ଜ୍ଜନ କରିଥିଲେ କେବଳ ଯେ ତାର ରକ୍ଷଣାବେକ୍ଷଣ ପାଇଁ ବ୍ୟସ୍ତ ଥିଲେ ତାହା ନୁହେଁ । ସମ୍ପତ୍ତିକୁ ଯେ କୌଣସି ଉପାୟରେ ବଢ଼ାଇବା ପାଇଁ ସବୁବେଳେ ତତ୍ପର ଥିଲେ । ଧୋବୀ ଯେତେବେଳେ ବିଧବା ହେଲା ସେତେବେଳେ ଧୋବୀର ଶ୍ୱଶୁରଘରର ସମ୍ପତ୍ତି ପ୍ରତି ସେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଧୋବୀ ଯଦି ଅନ୍ୟ କାହାକୁ ବିବାହ କରେ ତାହାହେଲେ ନାୟକ ବଂଶର ସମ୍ପତ୍ତି ଉପରୁ ସେ ତାର ଦାବୀ ହରାଇ ବସିବ । ତେଣୁ ସେ ପ୍ରସ୍ତାବ ଦେଇଛନ୍ତି ନିଧେଇଙ୍କର ସାନପୁଅ ବିଦେଇକୁ ଧୋବୀ ପୋଷ୍ୟ ପୁତ୍ର କରୁ । ତାଙ୍କ ଆଗରେ ଧନସମ୍ପତ୍ତି ସବୁବେଳେ ପ୍ରଥମସ୍ଥାନ ଅଧିକାର କରିଅଛି । ସେଥିପାଇଁ ସେ ହରିମହାନ୍ତିଙ୍କୁ ଉପଦେଶ ଦେଇ ଦୁର୍ଗାପୁରରେ ଅବସ୍ଥାପିତ କରିଥିଲେ ।

 

ହରିମହାନ୍ତି ମଧ୍ୟ ଚିନ୍ତେଇ ସୋଇଁଙ୍କର ଉପଦେଶ ଅନୁସାରେ ଅନ୍ୟାୟ ରୀତି ଆଚରଣ କରି ସମ୍ପତ୍ତିକୁ ବଢ଼ାଇଥିଲେ । ଚିନ୍ତେଇ ସୋଇଁଙ୍କ ଚରିତ୍ରରେ ଲେଖକ ପରିବର୍ତ୍ତନ ସୃଷ୍ଟି କରିଛନ୍ତି ଶେଷ ବେଳକୁ । ନିଜ ପତ୍ନୀଙ୍କର ଅନ୍ତିମ ଅନୁରୋଧ ଓ ଧୋବୀର ଅବସ୍ଥା ଦେଖି ଶେଷ ବେଳକୁ ତାଙ୍କ ଆଖରୁ ଝରିପଡ଼ିଛି ଅଶ୍ରୁ । ସେ ତାଙ୍କର କୃତକର୍ମକୁ ସଂଶୋଧନ କରିବାକୁ ଚେଷ୍ଟା କରିବା ବେଳକୁ ଆଉ ସମୟ ନଥିଲା । ଶେଷରେ ସେ ସନିଆ ପାଖରେ ସ୍ୱୀକାର କରିଛନ୍ତି, ‘‘ ଆଜି ତୁ ଓଲଟା ଦେଖିଛୁ । ତାର ମଧ୍ୟ କାରଣ ଅଛି । ସନେଇ, ତାର ମଧ୍ୟ କାରଣ ଅଛି । ମୁଁ, ଚିନ୍ତେଇ ସୋଇଁ, ବିନା ସ୍ୱାର୍ଥରେ କିଛି କରି ନାହିଁ । ଆଜି ମଧ୍ୟ କରୁନାହିଁ । ଯେତେବଳେ, ଧନସମ୍ପତ୍ତି ବଢ଼ାଇବା ମୋର ଇଚ୍ଛା ଥିଲା ମନୁଷ୍ୟତ୍ୱକୁ ବଳିଦେଇ ଧନସମ୍ପତ୍ତି ଅର୍ଜ୍ଜିଲି । ଆଜି ମୁଁ ମଣିଷପଣିଆ ଲୋଡ଼ୁନାହିଁ । ଧନସମ୍ପତ୍ତି ଉପରେ ମଧ୍ୟ ଭରସା ରଖୁନାହିଁ ।’’

 

ଚିନ୍ତେଇ ସୋଇଁଙ୍କର ଏହି ସ୍ୱୀକାରୋକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସ୍ୱୀକାରୋକ୍ତିରୁ ତାଙ୍କର ପରିବର୍ତ୍ତନର ପରିଚୟ ମିଳିଅଛି । ଚିନ୍ତେଇ ସୋଇଁଙ୍କର ଧର୍ମବିଶ୍ୱାସ ଥିଲା । ଆମରି ସମାଜରେ ସାଧାରଣ ଲୋକଙ୍କର ଧର୍ମ ବିଷୟରେ ଯେପରି ଧାରଣା, ତାଙ୍କର ମଧ୍ୟ ସେହିପରି ଧାରଣା ଥିଲା । ଏ ଧର୍ମର ଧାରଣା ଅନେକ ସମୟରେ ଅର୍ଥ ଓ ସମାଜକୁ କେନ୍ଦ୍ରକରି ତାଙ୍କଠାରେ ଦେଖା ଦେଇଅଛି । ଲେଖକ ଚିନ୍ତେଇ ସୋଇଁଙ୍କର ଚରିତ୍ରକୁ ଏକ ସ୍ୱାଭାବିକ ଚରିତ୍ର ରୂପରେ ପ୍ରତିପାଦନ କରିବାକୁ ଯାଇ ଅତିରଞ୍ଜନ ଦୋଷରେ ତାଙ୍କୁ ଦୁଷ୍ଟ କରିନାହାନ୍ତି ।

 

ଓଡ଼ିଆ ସାହିତ୍ୟରେ କେତେକ ସମାଲୋଚକ ଚିନ୍ତେଇ ସୋଇଁ ଚରିତ୍ରକୁ ଫକୀର ମୋହନଙ୍କର ରାମଚନ୍ଦ୍ର ମଙ୍ଗରାଜ ଓ ନାଜର ନଟବର ଦାସ ଚରିତ୍ର ସହିତ ତୁଳନା କରିଥାଆନ୍ତି । ରାମଚନ୍ଦ୍ର ମଙ୍ଗରାଜ ଓ ନଟବର ଦାସ ଉଭୟେ ଯେପରି ରୀତିରେ ଗଠିତ, ଚିନ୍ତେଇ ସେପରି ରୀତିରେ ଗଠିତ ନୁହନ୍ତି । ଚିନ୍ତେଇ ଚରିତ୍ର ଚିତ୍ରଣ କରି କାହ୍ନୁଚରଣ ଯେଉଁ ସ୍ୱାତନ୍ତ୍ର୍ୟ ପ୍ରଦର୍ଶନ କରିଅଛନ୍ତି ତାହା ଲକ୍ଷ୍ୟ କରିବାର କଥା । ଫକୀର ମୋହନଙ୍କର ଭାବନାର ସମୟ ୧୮୯୭ ସାଲ ମାତ୍ର କାହ୍ନୁଚରଣଙ୍କର ଭାବନାର ସମୟ ୧୯୪୫ ସାଲ । ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧକାଳର ବ୍ୟବଧାନ ଭଦ୍ରସମାଜରେ ସମାଜପତିର ରୂପ କ୍ରମେ ମାର୍ଜିତ ରୂପ ଗ୍ରହଣ କରିବାର ଏହା ଏକ ଉଦାହରଣ ।

 

ନିଧେଇ ସୋଇଁ:- ଚିନ୍ତେଇ ସୋଇଁଙ୍କର ବୈମାତକ ଭାଇ ନିଧେଇ । ମାତ୍ର ଦୁଇଭାଇଙ୍କର ବ୍ୟବହାର ରୀତି କେବେ ହେଲେ ଏ ସମ୍ପର୍କ ସୂଚିତ କରେ ନାହିଁ । ନିଧେଇ ଚିନ୍ତେଇଙ୍କୁ ଅତିମାତ୍ରରେ ଭକ୍ତି କରନ୍ତି । ନିଧେଇ ଚିନ୍ତେଇଙ୍କ ଆଗରେ ସଳଖି ଠିଆ ହୋଇ ପାରନ୍ତି ନାହିଁ । ଚିନ୍ତେଇ ମଧ୍ୟ ନିଧେଇଙ୍କୁ ଉପଯୁକ୍ତ ବ୍ୟବହାର କରନ୍ତି । ସେ ସବୁବେଳେ ନିଧେଇଙ୍କ ସରଳତାକୁ ଆକ୍ଷେପ କରନ୍ତି । ଚିନ୍ତେଇଙ୍କ ପରି ନିଧେଇଙ୍କର ଧନସମ୍ପତ୍ତି ବଢ଼ାଇବାର ମୋହ ଅଧିକ ପରିମାଣରେ ନଥିଲା । ସେ ମାନବିକତାରେ ବିଶ୍ୱାସ କରନ୍ତି ।

 

ଧୋବୀଠାରେ ନିଧେଇଙ୍କର ଅତୁଟ ମମତା ଥିଲା । ଧୋବୀକୁ ସେ ଯେପରି ଭାବରେ ସ୍ନେହ ଦେଇଛନ୍ତି, ଧୋବୀଠାରୁ ମଧ୍ୟ ସେହିପରି ଭାବରେ ମମତା ପାଇଛନ୍ତି । ଧୋବୀ ନିଧେଇଙ୍କ ପାଖରେ କିଛି କଥା ଅଛପା ରଖିନାହଁ । ଧୋବୀକୁ ସେ ଏପରି ସ୍ନେହ କରିଛନ୍ତି ଯେ ତାର ଖୁସି ପାଇଁ ତାହା ଇଚ୍ଛା ଅନୁସାରେ ଅନେକ ସମୟରେ ପରିଚାଳିତ ହୋଇଛନ୍ତି । ଧୋବୀ ଯେଉଁଦିନ ରାତିରେ ସନିଆକୁ ଖୁଆଇବା ପାଇଁ ଭାତକଂସା ନେଇ ଠାକୁର ମନ୍ଦିର ପାଖକୁ ଯାଇଥିଲା ସେଦିନ ଫେରିବାବେଳେ ନିଧେଇଙ୍କ ପାଖରେ ଧରା ପଡ଼ିଛି । ଧୋବୀର ମନରେ ସୁଖ ଆଣିବାପାଇଁ ସେ ନିଜେ ତା ପରଠାରୁ ପ୍ରତିଦିନ ରାତିରେ ସନିଆକୁ ଖାଇବାକୁ ଦେଇ ଆସିଛନ୍ତି । ସନିଆକୁ ସମଗ୍ର ଗ୍ରାମବାସୀ, ଏପରିକି ଚିନ୍ତେଇ ଯେଉଁ ଦୃଷ୍ଟିରେ ଦେଖିଛନ୍ତି, ନିଧେଇ ସେ ଦୃଷ୍ଟିରେ ଦେଖି ନାହାନ୍ତି । ନିଧେଇଙ୍କର ଧୋବୀ ପ୍ରତି ଅତିରିକ୍ତ ମମତାକୁ ତାଙ୍କ ସ୍ତ୍ରୀ ପସନ୍ଦ ନକଲେହେଁ ସେଥିପ୍ରତି ସେ ଭ୍ରୂକ୍ଷେପ କରିନାହାନ୍ତି ।

 

ଧୋବୀର ପୁନର୍ବିବାହ ପାଇଁ ଯେତେବେଳେ ଧୋବୀବୋଉ ବ୍ୟସ୍ତ ହୋଇଛନ୍ତି ସେତେବେଳେ ନିଧେଇ ଧୋବୀବୋଉଙ୍କୁ କହିଛନ୍ତି, ‘‘ଧୋବୀ ଚିନ୍ତା ତମୁକୁ କାହିଁକି ଲାଗିଛି । ଆଉ, ଭାଇଙ୍କି କାହିଁକି କହୁଛ ? ଧୋବୀ ମୋ ଝିଅ । ତା କଥା ମୁଁ ବୁଝିବି । x x x ତାର ମନ ଭଲ ହେଲେ ଭାଇଙ୍କ କଥା ମୁଁ ମାନିବି ନାହିଁ । ରହ । ଧୈର୍ଯ୍ୟ ଧର ।’’ ଏହି କଥା ଭିତରେ ଧୋବୀ ପ୍ରତି ନିଧେଇଙ୍କର ମମତା ଯେପରି ପ୍ରକାଶ ପାଇଛି, ଧୋବୀବୋଉଙ୍କର ଉକ୍ତି ଭିତରେ ନିଧେଇଙ୍କର ଚିନ୍ତେଇଙ୍କ ପ୍ରତି ଭକ୍ତି ସେହିପରି ପ୍ରକାଶ ପାଇଛି । ଧୋବୀବୋଉ କହିଛନ୍ତି, ‘‘ମାନିବ ନାହିଁ ? ନିଆଁ ଚଳିବାକୁ କହିଲେ ପରା ତମେ ଗିଳିବ । ତମ କଥା ମୁଁ ଜାଣେ ନାହିଁ ? ତାଙ୍କ ଆଗରେ ପରା ସିଧା ଠିଆ ହେବାକୁ ତମୁକୁ ଡରମାଡ଼େ ?’’ ନିଧେଇ ଧୋବୀର ଜୀବନରେ ସୁଖ ଆଣି ଦେବା ପାଇଁ ଯେତେ ଚେଷ୍ଟା କଲେହେଁ କୃତକାର୍ଯ୍ୟ ହୋଇପାରି ନାହାନ୍ତି । ଧୋବୀ ବିଦେଇକୁ ପୋଷ୍ୟପୁତ୍ର କରିବା କଥା ଯେତେବେଳେ ପ୍ରକାଶ ପାଇଲା ସେତେବେଳେ ଧୋବୀ ବୋଉଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିଧେଇ କେଇପଦ ଟାଣ କଥା କହି ତାଙ୍କ ମନରେ ଦାରୁଣ ଆଘାତ ଦେଇଥିଲେ । ସେଥିପାଇଁ ନିଧେଇ ମଧ୍ୟ ଅନୁତାପ କରିଅଛନ୍ତି । ଚିନ୍ତେଇ ସୋଇଁ ଧୋବୀର ବିବାହ ଲାଗି ରାଜିନୁହନ୍ତି, ପୁଣି ବିଦେଇକୁ ପୁଅ କରିବାପାଇଁ ଧୋବୀକୁ ଉପଦେଶ ଦେଇଛନ୍ତି-ଏହି ଦୁଇଟି ବିଷୟରେ ନିଧେଇ ଚିନ୍ତେଇଙ୍କର ବିରୁଦ୍ଧାଚରଣ କରି ଯେବେ ଅକୃତକାର୍ଯ୍ୟ ହୁଅନ୍ତି, ତାହାହେଲେ ସେ ତାଙ୍କର ପିଲାମାନଙ୍କୁ ନେଇ ଅନ୍ୟତ୍ର ଚାଲିଯିବେ ବୋଲି ଯେତେବେଳେ କହିଛନ୍ତି ସେତେବେଳେ ଧୋବୀବୋଉ କହିଛନ୍ତି, ‘‘ଭାଇଙ୍କ ସଙ୍ଗେ କଜିଆ କରି, ରାଗ ଅଭିମାନ କରି ଚାଲିଯିବ ତ ଚାଲିଯାଅ ତମେ । ଯିଏ ନିଜର ଶକ୍ତିକୁ ନଚିହ୍ନେ, ସେ ମୁଣ୍ଡ କୋଡ଼ିହୋଇ ମରେ । ତମ ଭାଇଙ୍କର ନାଲି ଆଖି ଦେଖି ଡରି ହରି ତମେ ଚାଲିଯାଇ ପାର, ମୋ ପିଲାଙ୍କ ନାଁ । ତୁଣ୍ଡରେ ଧରିଲେ, ଘରେ ନିଆଁ ଲଗାଇଦେବି ଜାଣିଥା ।’’ ଧୋବୀ ବୋଉଙ୍କର ଅଶେଷ ସ୍ନେହର ଅଧିକାରୀ ହୋଇଥିଲେ ନିଧେଇ । ଶେଷରେ ସେ ଭାବିଛନ୍ତି, ଧୋବୀର ବାହାଘର ଲାଗି ଯଦି ଚିନ୍ତେଇଙ୍କ ସଙ୍ଗରେ ତାଙ୍କର ଅପଡ଼ ହୁଏ ତାହାହେଲେ କିଛି କ୍ଷତି ନାହିଁ ।

 

ଚିନ୍ତେଇ ସୋଇଁ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ମାମଲତ କିପରି କରିବାକୁ ହୁଏ ସେ କଥା ସେ ଜାଣନ୍ତି । ମାତ୍ର ନିଧେଇ ମାମଲତକାର ହେବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ତେଣୁ ନିଧେଇ ଚିନ୍ତେଇ ସୋଇଁଙ୍କ ଆଖିରେ ନିତାନ୍ତ ନଗଣ୍ୟ । ଚିନ୍ତେଇ ସୋଇଁ କହିଛନ୍ତି, ‘‘ନିଧିଆ ନିକଟକୁ ନାଥିଆ ପରି କାଗଜ ପତ୍ର ଦେଖେ, ଗଧ ପରି ଖଟେ, କିନ୍ତୁ ତାକୁ ମାମଲତ ଜଣାନାହିଁ ।’’

 

ମାନବିକତା ବିଶ୍ୱାସ କରୁଥିବା ନିଧେଇ ସୋଇଁଙ୍କର ଚରିତ୍ରକୁ ଲେଖକ ଏହିପରି ଚିତ୍ରଣ କରିଅଛନ୍ତି । ନିଧେଇ ସୋଇଁ ଚରିତ୍ର ଏକ ଦୁର୍ବଳ ଚରିତ୍ର ରୂପେ ଆଲୋଚକମାନଙ୍କର ଆଲୋଚନାରେ ଦେଖା ଦେଇଅଛି । ମାତ୍ର ପ୍ରକୃତ ପକ୍ଷରେ ନିଧେଇ ସୋଇଁ ଚରିତ୍ରକୁ ଦୁର୍ବଳ ଚରିତ୍ରର ଆଖ୍ୟା ଦେବା ସମୀଚୀନ ନୁହେଁ ।

 

ରାମ ପ୍ରହରାଜ:- ବିଷ୍ଣୁପୁର ଗ୍ରାମର ପୁରୋହିତ ରାମ ପ୍ରହରାଜ । ତାଙ୍କୁ ଲୋକମାନେ କେବଳ ପହରାଜେ ବୋଲି ଡାକନ୍ତି । ପହରାଜେ ସତେ ଯେପରି ପାପ ପୂଣ୍ୟର ବିଚାର କରିବା ପାଇଁ ହିସାବ ଖାତା ଧରି ବସିଛନ୍ତି । ଗାଁ ମାମଲତରେ ପ୍ରହରାଜେ ଚିନ୍ତେଇ ସୋଇଁଙ୍କର ସହାୟତା କରନ୍ତି । ସନିଆ ଯେତେବେଳେ ନିଜ ଗାଁ ମାଟିକୁ ଫେରିଆସିଲା ସେତେବେଳେ ଗ୍ରାମବାସୀମାନେ ତାକୁ ପ୍ରାୟଶ୍ଚିତ୍ତ ହେବାକୁ କହିଲେ । ଗାଁର ଠାକୁର ଚଉପାଢ଼ୀରେ ସଭା ବସିଲା । ପହରାଜେ ଶାସ୍ତ୍ରରୁ ପ୍ରାୟଶ୍ଚିତ ପନ୍ଥା ବାହାର କଲେ । ଦୁର୍ଭିକ୍ଷ ଫେରନ୍ତା ଜଣେ ନିଃସ୍ୱର ପ୍ରାୟଶ୍ଚିତ୍ତ ପାଇଁ ସେ ଯେଉଁ ନିର୍ଦ୍ଦେଶ ଦେଲେ ତାହା ତାଙ୍କର ଲୋଭୀ ପ୍ରକୃତ ଓ ଧର୍ମ ନାମରେ ଅଯଥା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇବାର ନୀତି ପ୍ରକାଶ କରିଅଛି । ଯେ କୌଣସି ପ୍ରକାର ପାପ ପାଇଁ ତାଙ୍କ ଶାସ୍ତ୍ରରେ ପ୍ରାୟଶ୍ଚିତ୍ତ ବିଧି ରହିଅଛି । ଏହା ଫଳରେ ପରର ତଣ୍ଟିଚିପି ସେ ଅନାୟାସରେ ଜୀବନ ଯାତ୍ରାରେ ଅଗ୍ରସର ହୁଅନ୍ତି । ଯେଉଁଦିନ ସନେଇ ତାର ବାପା ଛାଡ଼ି ଯାଇଥିବା ତିନିମାଣ ଜମିକୁ ଫେରିପାଇବା ପାଇଁ ପହରାଜଙ୍କର ଦ୍ୱାରସ୍ଥ ହୋଇଥିଲା ସେଦିନ ଲେଖକ ପହରାଜଙ୍କର କାର୍ଯ୍ୟ ବିଷୟରେ କେତେକ ସୂଚନା ଦେଇଅଛନ୍ତି । ସେଦିନ ସେପରି ଦଳେଇର ଭାଉଜର ନଳୀଗୋଡ଼ ଘାରେ ମାଛି ବସିଯାଇଥିବାର ପାତକ ପାଇଁ ପ୍ରାୟଶ୍ଚିତ୍ତ କରିବାକୁ ପନ୍ଦରଟଙ୍କା ଖର୍ଚ୍ଚ ହେବାର ବିଧି ବତାଇଛନ୍ତି । ବିନିକାଣ୍ଡିର ପଘାରେ ଗୋରୁ ମରିଥିବା ଯୋଗୁଁ ତାର ପ୍ରାୟଶ୍ଚିତ୍ତ ପାଇଁ ସ୍ୱତନ୍ତ୍ର ତାଲିକା ଫର୍ଦ୍ଦ ତିଆରି କରିବା ପାଇଁ ସମୟ ନେଲେ । ସେବା ବେହେରାର ସ୍ତ୍ରୀ ଗୋଟିଏ ବିଲେଇକୁ ବାଡ଼ି ପକାଇ ମାରିଦେଇଥିବାରୁ ତାର ପ୍ରାୟଶ୍ଚିତ୍ତ ପାଇଁ ମଧ୍ୟ ଶାସ୍ତ୍ର ଅନୁସାରେ ବିଧି ବତାଇଛନ୍ତି । ଧୋବୀର ଏକାଦଶୀ ପାଳନ ଓ ବ୍ରାହ୍ମଣ ଭୋଜନୀ ବିଷୟ ବନ୍ଦୋବସ୍ତ କରିବା ପାଇଁ ତରତରରେ ସେ ଚିନ୍ତେଇ ସୋଇଁଙ୍କ ଘରକୁ ବାହାରିଛନ୍ତି । ଧର୍ମ ନାମରେ ଭଣ୍ଡ ମତବାଦ ପ୍ରତିଷ୍ଠା କରି ଏଇ ପହରାଜଙ୍କ ଭଳି ବହୁ ପୁରୋହିତ ଯେଉଁ ଅକର୍ମ କରିଛନ୍ତି ତାହାର ଫଳ ଆମ ଧର୍ମ ପକ୍ଷରେ ଏକାନ୍ତ ପ୍ରତିକୂଳ ହୋଇଅଛି ।

 

ପହରାଜଙ୍କ ବିଷୟରେ ଲେଖକ ଆଉ ଏକ କଥା ପ୍ରକାରାନ୍ତରେ ପ୍ରକାଶ କରିଅଛନ୍ତି । ପହରାଳେ ଅନ୍ୟମାନଙ୍କର ଦୋଷାଦୋଷ ବିଚାର କରି ପ୍ରାୟଶ୍ଚିତ୍ତର ନିର୍ଦ୍ଦେଶ ଦିଅନ୍ତି । ମାତ୍ର ନିଜ ଘରର କୌଣସି ପାପପୁଣ୍ୟ ବିଷୟରେ ବିଚାର କରିବା ତାଙ୍କ ସାଧ୍ୟର ଅତୀତ । ସନିଆ ସେହିଦିନ ଦେଖିଲା, ପହରାଜଙ୍କର ବାଲ୍ୟ ବିଧବା ନାତୁଣୀ ପାର୍ବତୀ ତାଙ୍କର କୋଠିଆ ଚାକର ଶିବ ଘୋଷ ସହିତ ନିତାନ୍ତ ଅଶ୍ଳୀଳ ଭାବରେ ବାଡ଼ି ଖଳାରେ ଆଚରଣ ପ୍ରଦର୍ଶନ କରିଅଛି । ଏଇ ପହରାଜେ, ସମାଜର ପାପପୁଣ୍ୟର ବିଚାରକ । ମାତ୍ର ତାଙ୍କ ନିଜ ଘରର ପାପପୁଣ୍ୟ ଦେଖୁଛି କିଏ ?

 

ପହରାଜେ ଠାକୁର ଘର ଓ ଠାକୁରଙ୍କ ନାମରେ ଗ୍ରାମବାସୀମାନଙ୍କଠାରୁ ଯଥେଷ୍ଟ ସୁଯୋଗ ନେଇଥାନ୍ତି । ଏପରିକି ଚିନ୍ତେଇ ସୋଇଁ ମଧ୍ୟ ଦେବତା ବ୍ରାହ୍ମଣରେ ବିଶ୍ୱାସ ସ୍ଥାପନ କରୁଥିବାରୁ ବହୁ ସମୟରେ ପହରାଜଙ୍କୁ ସୁଯୋଗ ଦେଇଅଛନ୍ତି । ଚିନ୍ତେଇ ସୋଇଁଙ୍କ ପରି ମାମଲତକାରଙ୍କ ସହାୟତାରେ ପହରାଜେ ଗାଁ ଭିତରେ ନିଜର ପ୍ରତିପତ୍ତି ବିସ୍ତାର କରିଅଛନ୍ତି । ଚିନ୍ତେଇ ସୋଇଁ ସନିଆକୁ କରଗତ କରିବା ପାଇଁ ତାର ଜମିବାଡ଼ିକୁ ଠାକୁରଙ୍କ ନାମରେ କୌଶଳ କରି ନିଲାମ ଧରିଛନ୍ତି ଓ ସନିଆ ତାଙ୍କ କଥାରେ ଅରାଜି ହୋଇ ତାଙ୍କ ପାଖରୁ ଚାଲିଯିବା ପରେ ସନିଆର ଘରବାଡ଼ି ଦଖଲ କରିବାପାଇଁ ଯେଉଁମାନଙ୍କୁ ସେ ପଠାଇଥିଲେ ସେମାନଙ୍କ ମଧ୍ୟରେ ନେତୃତ୍ୱ ନେଇଥିଲେ ଏଇ ରାମ ପହରାଜେ । ପହରାଜେ ଘରବାଡ଼ି ବିନାବାଧାରେ ଦଖଲ କରିଛନ୍ତି ଓ ସନିଆର କବାଟରେ ଲଟାଯାଇଥିବା କାଗଜ ଖଣ୍ଡିକ ଆଣି ଚିନ୍ତେଇ ସୋଇଁଙ୍କୁ ଦେଇଛନ୍ତି । ପହରାଜଙ୍କ ବ୍ୟକ୍ତିତ୍ୱ ଅନେକ ପରିମାଣରେ ଚିନ୍ତେଇ ସୋଇଁଙ୍କର ବ୍ୟକ୍ତିତ୍ୱର ଅନୁରୂପ-

 

ହରି ମହାନ୍ତି–ବିଷ୍ଣୁପୁର ଗ୍ରାମର ମାମଲତକାରଙ୍କ ମଧ୍ୟରେ ହରିମହାନ୍ତି ଜଣେ ଜଣାଶୁଣା ଲୋକ । ଚିନ୍ତେଇ ସୋଇଁ, ରାମପହରାଜେ, ବିଶିଜେନା ଓ ହରିମହାନ୍ତି–ଏମାନେ ବିଷ୍ଣୁପୁର ଗାଁର ଜଣେ ଜଣେ ସମାଜପତି । ଚିନ୍ତେଇ ସୋଇଁ ଏମାନଙ୍କ ମଧ୍ୟରେ ଶ୍ରେଷ୍ଠ । ପହରାଜେ ଚିନ୍ତେଇ ସୋଇଁଙ୍କୁ ସହାୟତା କରନ୍ତି ଶାସ୍ତ୍ର ଦୃଷ୍ଟିରୁ ମାତ୍ର ହରି ମହାନ୍ତି ସହାୟତା କରନ୍ତି ଆଇନ କାନୁନ୍ ଦୃଷ୍ଟିରୁ । ହରିମହାନ୍ତି କଲାବେଳେ କୌଶଳେ ଅନ୍ୟକୁ ବୁଡ଼ାଇ ନିଜକୁ ଉଠାଇବା ବିଦ୍ୟାରେ ଧୂରନ୍ଧର । ଧୋବୀର ସ୍ୱାମୀ ଓ ଶ୍ୱଶୁର ମରିଯିବା ପରେ ଚିନ୍ତେଇ ସୋଇଁ ସମ୍ପତ୍ତି ବିଷୟରେ ହରି ମହାନ୍ତିଙ୍କୁ ପ୍ରଶ୍ନ କରିଥିଲେ । ଚିନ୍ତେଇ ସୋଇଙ୍କର ଆଶଙ୍କା ଥିଲା ଯେ ନାଏକ ବଂଶର କେହି ସମ୍ପର୍କୀୟ ସମ୍ପତ୍ତି ଦାବୀ କରି ପାରନ୍ତି । ମାତ୍ର ହରିମହାନ୍ତି କହିଲେ ଯେ ଧୋବୀ ସବୁ ସମ୍ପତ୍ତି ପାଇବ । ବିଦେଇକୁ ଧୋବୀ ପୋଷ୍ୟପୁତ୍ର କରିବା କଥା ହରିମହାନ୍ତିଙ୍କ ମୁଣ୍ଡରୁ ବାହାରିଛି ।

 

ମାଲି ମୋକଦ୍ଦମା ବିଷୟରେ ହରି ମହାନ୍ତିଙ୍କର ବୁଦ୍ଧି ଅତି ତୀକ୍ଷ୍‌ଣ । ସେ ଏପରି କୂଟ ବୁଦ୍ଧିଯୁକ୍ତ ଥିଲେ ଯେ ଯେତେବେଳେ ଦୁର୍ଗାପୁରରେ ଜିତେଇ ନାୟକ ଓ ନିତେଇ ନାୟକ ମରି ପଡ଼ିଥିଲେ, ଧୋବୀର ଶାଶୁ ଆତ୍ମହତ୍ୟା କରିଥିଲେ ଓ ଧୋବୀ ବେହୋସ୍ ହୋଇ ପଡ଼ିଥିଲା ସେତେବେଳେ ଖବର ପାଇ ଚିନ୍ତେଇ ସୋଇଁ ହରି ମହାନ୍ତିଙ୍କ ସଙ୍ଗରେ ଦୁର୍ଗାପୁର ଯାଇ ଧୋବୀ ପାଖରେ ଚିନ୍ତେଇ ସୋଇଁ ଥିବାବେଳେ ହରି ମହାନ୍ତି ମୃତ ଜିତେଇ ନାୟକ ଓ ନିତେଇ ନାୟକଙ୍କର ଟିପଚିହ୍ନ ଗୋଟିଏ ସାଦା କାଗଜରେ ନେଇ ଆସିଛନ୍ତି । ସମ୍ପତ୍ତି ବିଷୟରେ କୌଣସି ଅସୁବିଧା ଉପୁଜିଲେ ସେହି କାଗଜରେ ଉଇଲ୍ ଲେଖାଯାଇ ଉପସ୍ଥାପିତ କରାଯିବ । ହରି ମହାନ୍ତିଙ୍କର ଏ ପ୍ରକାର କୂଟନୀତି ତାଙ୍କର ନୀଚ ମନୋବୃତ୍ତି ଯଥାର୍ଥ ପରିଚୟ । ଚିନ୍ତେଇ ସୋଇଁ ଧୋବୀକୁ ବିଷ୍ଣୁପୁର ନେଇ ଆସିଲେ । ସମ୍ପତ୍ତିର ଦାୟିତ୍ୱରେ ରହିଲେ ହରିମହାନ୍ତି । ହରିମହାନ୍ତି ନିଜର କଟୂବୃଦ୍ଧି ପ୍ରୟୋଗ କରି ଦୁର୍ଗାପୁରରେ ସମ୍ପତ୍ତିକୁ ବହୁଗୁଣରେ ବଢ଼ାଇ ପାରିଥିଲେ । ସମ୍ପତ୍ତିବାଡ଼ିର ପରିଚାଳନା ପାଇଁ କେବଳ ଆବଶ୍ୟକ ସ୍ଥଳରେ ଧୋବୀ କାଗଜରେ ଦସ୍ତଖତ କରିଦିଏ ଏବଂ ପ୍ରତ୍ୟେକ କ୍ଷେତ୍ରରେ ହରିମହାନ୍ତି କାର୍ଯ୍ୟ ପରିଚାଳନା କରନ୍ତି ।

 

ହରିମହାନ୍ତି ମନୁଷ୍ୟ ରୂପରେ ଜଣେ ଦୈତ୍ୟ ଥିଲେ ବୋଲି କୁହାଯାଇ ପାରେ । ସନିଆ ଯେତେବେଳେ ଗ୍ରାମବାସୀମାନଙ୍କୁ ଏଡ଼ିଦେଇ ନୂତନ ଆଲୋକର ସନ୍ଧାନ ପାଇ ନୂତନ ସମାଜଗଠନ ନିଶାରେ ବିଭୋର ସେତେବଳେ ଗ୍ରାମବାସୀମାନେ ତାକୁ ଆୟତ୍ତ କରିବାର ଉପାୟ ଚିନ୍ତା କରିଅଛନ୍ତି । ହରିମହାନ୍ତି ତାଙ୍କ ଉପାୟ ପ୍ରକାଶ କରିଛନ୍ତି, ‘‘ଏକୁଟିଆ ଘରତ । ବାଗ ଉଣ୍ଡି ଆଗ୍ନେୟାସ୍ତ୍ର ପ୍ରୟୋଗ କଲେ ସବୁ ଛତିରଖିଆ ଯିଏ ଯୁଆଡ଼େ ପଳେଇବ ।’’ ଏଥିରେ ନିଧେଇ ପ୍ରତିବାଦ କରିଛନ୍ତି । ମାତ୍ର ହରିମହାନ୍ତି ଯେ କି ଭୟଙ୍କର ଲୋକ ତାହା ଏଥିରୁ ଜଣା ପଡ଼େ । ଆମ ଗାଁ ଗହଳରେ ଏପରି ହରିମହାନ୍ତି ଦଳର ଆଜି ଅଭାବ ନାହିଁ ।

 

ନିତେଇ ନାୟକ–ଦୁର୍ଗାପୁରର ଜଣେ ଧନୀ ବ୍ୟକ୍ତି ଜିତେଇ ନାୟକ । ତାଙ୍କର ପୁଅ ନିତେଇ ନାୟକ । ନିତେଇ ନାୟକଙ୍କ ସହିତ ଧୋବୀର ପରିଣୟ ସଂପନ୍ନ ହୋଇଥିଲା । ମାତ୍ର ଦାମ୍ପତ୍ୟ ଜୀବନ ମଧୁମୟ ପରିସର ସଂପୂର୍ଣ୍ଣ ରୂପେ ବ୍ୟାପ୍ତିଲାଭ କରିବା ପୂର୍ବରୁ ନିତେଇଙ୍କ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ।

 

ନିତେଇ ନାୟକଙ୍କର ଚରିତ୍ର ବିଷୟରେ ଦେଖିବାକୁ ଗଲେ ଲେଖକ ତାଙ୍କୁ ଜଣେ ସମ୍ୱେଦନଶୀଳ ଦୟାଳୁ ବ୍ୟକ୍ତି ଭାବରେ ଚିତ୍ରିତ କରିଛନ୍ତି । ଧୋବୀ ଦୁର୍ଗାପୁରକୁ ବିଭାହୋଇ ଯିବାପରେ ଯେତେବେଳେ ଯେଉଁଠି ଦୁର୍ଭିକ୍ଷ ପ୍ରପୀଡ଼ିତ କାଙ୍ଗାଳ ଦେଖିଛି ସେତେବେଳେ ସେ ଦୁଃଖରେ ଅଧୀରା ହୋଇ ପଡ଼ିଛି । କାଙ୍ଗାଳମାନଙ୍କୁ ଦେଖି ଯେ ଧୋବୀ ପ୍ରାଣରେ ଅସହ୍ୟ ବେଦନା ଜାତ ହୋଇଛି ତାହା ନୁହେଁ, କାଙ୍ଗାଳମାନଙ୍କୁ ଦେଖି ତାର ସନେଇ କଥା ବାରମ୍ୱାର ମନେ ପଡ଼ିଯାଇଛି । ସେଥିପାଇଁ ସେ ଅତିମାତ୍ରାରେ ବ୍ୟଥିତ ହେଇପଡ଼ିଛି । ମାତ୍ର ଜିତେଇ ନାୟକ ଓ ନିତେଇ ନାୟକ ଏହାକୁ ଧୋବୀର କାଙ୍ଗାଳମାନଙ୍କ ପ୍ରତି ଅନୁକମ୍ପା ବୋଲି ଗ୍ରହଣ କରି ନେଇଛନ୍ତି । ସେମାନେ ଅକାତରରେ ଅନ୍ନଛତ୍ର ଖୋଲି କାଙ୍ଗାଳମାନଙ୍କୁ ଖାଇବାକୁ ଦେଇଅଛନ୍ତି । ଏହିଠାରେ ନିତେଇ ନାୟକଙ୍କର ସେବା ମନୋବୃତ୍ତିର ଯଥେଷ୍ଟ ପରିଚୟ ମିଳିଅଛି ।

 

କାଙ୍ଗାଳମାନେ ଯେତେବେଳେ ଅନ୍ନଛତ୍ରରେ ଅନ୍ନଖାଇ ହଇଜାରେ ଆକ୍ରାନ୍ତ ହେଲେ ସେତେବଳେ ମଧ୍ୟ ନିତେଇ ହଇଜା ରୋଗୀମାନଙ୍କ ସେବା କରିବାରେ ମନପ୍ରାଣ ଢାଳି ଦେଇଛନ୍ତି-। ଯେତେବେଳେ ହଇଜା ରୋଗୀମାନେ ବହୁ ସଂଖ୍ୟାରେ ମରି ବାଟ ଘାଟରେ ପଡ଼ିଲେ ସେତେବେଳେ ମଧ୍ୟ ନିତେଇ ସାହାସ ବାନ୍ଧି ବାଟରୁ ମଡ଼ା ଉଠାଇବା ନିମନ୍ତେ ବାହାରି ପଡ଼ିଛନ୍ତି-। ଧୋବୀ, ଜଣେ ସାଧାରଣ ନାରୀଭାବରେ ମନ ଭିତରେ ବିପଦର ଆଶଙ୍କା କରି ଯେତେବେଳେ ନିତେଇଙ୍କୁ ଏଥିରୁ ନିବୃତ୍ତି ହେବାଲାଗି ଅନୁରୋଧ କରିଛି ନିତେଇ ସେତେବେଳେ ହସି ହସି ତାକୁ ବୁଝାଇ ଦେଇଛନ୍ତି । ଏବିଷୟରେ ଲେଖକ ଲେଖିଛନ୍ତି, ‘‘ପ୍ରତିଦିନ ପଲପଲ ହୋଇ କାଙ୍ଗାଳ ମରି ଶୋଇଲେ । ଧୋବୀ ଧରିଲା ନିତେଇ ହାତ, ନାଇଁ ତମେ ଯାଅନା । ଚାଲ, ଆମେ ବିଷ୍ଣୁପୁର ଚାଲିଯିବା । ନିତେଇ ଗେହ୍ଲାରେ ତାର ମୁଣ୍ଡ ଆଉଁସି କହିଲେ, ଛି ଡରୁଚ ? ଠାକୁରେ ଅଛନ୍ତି ମଡ଼ାଗୁଡ଼ା ନ ଉଠାଇଲେ, ଆହା ଅନ୍ୟମାନେ ମରିଯିବେ ।’’ ଏଇ କେତେପଦ କଥା ଭିତରୁ ନିତେଇ ନାୟକଙ୍କର ହୃଦୟର ଯଥାର୍ଥ ପରିଚୟ ମିଳିଅଛି । ପତ୍ନୀକୁ ସେ ତାଙ୍କର ଉପଯୁକ୍ତ ପ୍ରୀତି ପ୍ରଦାନ କରିଛନ୍ତି । ଅସହାୟ କାଙ୍ଗାଳମାନଙ୍କୁ ସେ ଉପଯୁକ୍ତ ଭାବରେ ସେବା କରିଅଛନ୍ତି-। ତାଙ୍କ ଚରିତ୍ରର ମହତ୍ତ୍ୱ କୁବ୍‌ କମ୍‌ ପରିସର ମଧ୍ୟରେ ପ୍ରକାଶ ପାଇଅଛି ।

 

ଜିତେଇ ନାୟକ–ନିତେଇ ନାୟକଙ୍କର ପିତା ଜିତେଇ ନାୟକ । ଦୁର୍ଗାପୁରରେ ସେ ଥିଲେ ଜଣେ ସଙ୍ଗତିସଂପନ୍ନ ବ୍ୟକ୍ତି । ବୋହୂର ମନରେ ସନ୍ତୋଷ ଆଣିବାପାଇଁ ସେ କରିଥିଲେ ଦୁର୍ଭିକ୍ଷ ପ୍ରପୀଡ଼ିତ କାଙ୍ଗାଳମାନଙ୍କର ସେବା । କାଙ୍ଗାଳମାନଙ୍କର ପ୍ରାଣ ବଞ୍ଚାଇବା ପାଇଁ ସେ ଖୋଲି ଦେଇଥିଲେ ତାଙ୍କର ସଞ୍ଚିତ ଗନ୍ତାଘର । ଜିତେଇ ନାୟକ ଥିଲେ ଜଣେ ଆଦର୍ଶ ବ୍ୟକ୍ତି । ଚିନ୍ତେଇ ସୋଇଁ ଦୁର୍ଭିକ୍ଷର ସୁଯୋଗ ନେଇ ପରିବର୍ଦ୍ଧନ କରିଥିଲେ ତାଙ୍କର ଭୂସମ୍ପତ୍ତି । ମାତ୍ର ଜିତେଇ ନାୟକ ଦୁର୍ଭିକ୍ଷ ଦାଉରୁ କାଙ୍ଗାଳମାନଙ୍କୁ ରକ୍ଷା କରିବାପାଇଁ ଅକାତରରେ ଦାନ କରିଥିଲେ ତାଙ୍କର ସଞ୍ଚିତ ସମ୍ପତ୍ତି । ଏହି ଦୁଇଗୋଟି ଚରିତ୍ର ମଧ୍ୟରେ ପାର୍ଥକ୍ୟ ଆକାଶ ଆଉ ପାତାଳ । ଜିତେଇ ନାୟକ ନିଜ ଆଦର୍ଶରେ ଗଢ଼ିଥିଲେ ନିଜର ପୁଅକୁ । ପୁଅର ସେବା ମନୋବୃତ୍ତି ଦେଖି ସେ ଯେ କେବଳ ଖୁସି ହୋଇଥିଲେ, ତାହାନୁହେଁ । ପୁଅର ସେବା କାର୍ଯ୍ୟରେ ଆଗ୍ରହ ଦେଖି ଜିତେଇ ପୁଅ ସହିତ ବାହାରି ପଡ଼ିଲେ ସେବା କାର୍ଯ୍ୟ କରିବା ପାଇଁ ।

 

ଜିତେଇ ନାୟକ ଅନ୍ନଛତ୍ର ଖୋଲିବା ପରେ ଚିନ୍ତେଇ ସୋଇଁ ଆସି ଅନ୍ନଛତ୍ର ବନ୍ଦ କରିଦେବାକୁ ଉପଦେଶ ଦେଇଥିଲେ । ମାତ୍ର ଜିତେଇ ନାୟକ ଚିନ୍ତେଇ ସୋଇଁଙ୍କୁ ଯେଉଁ ଉତ୍ତର ଦେଇଥିଲେ ତାହା ତାଙ୍କର ଉଦାର ମାନବିକତା ତଥା ଆଧ୍ୟାତ୍ମିକ ବିଶ୍ୱାସର ପରିଚୟ ପ୍ରଦାନ କରେ-। ସେ କହିଥିଲେ, ‘‘ହରି ଭରସା, ନିତେଇ ତ ବାଇଆ ହେଲା, ରହିଥିଲେ ତାଙ୍କର ପାଇଁ ରହନ୍ତା, ସେ ଭୋଗ କରନ୍ତେ, ନୋହିଲେ ସେହିମାନେ ଦୁଃଖ ଭୋଗିବେ । ଯାଉ ମୋର ସବୁ, ଏତେ ଲୋକଙ୍କର କଲ୍ୟାଣ ନେଇ ଜିତେଇ ଧୋବୀ ଘର କରନ୍ତୁ ।’’

 

ସୀମିତ ପରିସରରେ ନିତେଇ ନାୟକଙ୍କ ଚରିତ୍ର ପରି ଜିତେଇ ନାୟକଙ୍କ ଚରିତ୍ର ମଧ୍ୟ ବିକାଶଲାଭ କରିଅଛି ।

 

ଧୋବୀ:–ଶାସ୍ତି ଉପନ୍ୟାସର ନାୟିକା ଧୋବୀ କାହ୍ନୁଚରଣଙ୍କ ଲେଖନୀର ଏକ ଅନବଦ୍ୟ ସୃଷ୍ଟି । ଧୋବୀ, ଧନପତି ଚିନ୍ତେଇ ସୋଇଁଙ୍କର ଏକମାତ୍ର ଅଲିଅଳୀ କନ୍ୟା । ପିଲାଟି ଦିନରୁ ବିଷ୍ଣୁପୁରର ପାଣି ପବନରେ ସେ ବଢ଼ିଛି । ବିଷ୍ଣୁପୁରର ଗାଉଁଲୀ ସଭ୍ୟତାରେ ସେ ଜୀବନକୁ ଗଢ଼ିଛି । ପିଲାଟି ଦିନରୁ ଧୋବୀ ଭଲ ପାଇ ବସିଛି ସନେଇକୁ ଯେତେବେଳେ କି ସେ ଜାଣି ନଥିଲା ଭଲ ପାଇବାର ଅର୍ଥ କଣ । ପ୍ରକୃତିର ଚିରନ୍ତନ ରୀତିରେ ସେ ସବୁକିଛି ଭୁଲିଯାଇଥିଲା ସନେଇକୁ ଦେଖି । ସନେଇ ମଧ୍ୟ ଧୋବୀ ପ୍ରତି ସମାନ ପରିମାଣରେ ଆସକ୍ତ ଥିଲା । ପିଲାଦିନର ଖେଳଘର, କଇଁଫୁଲ ତୋଳା ଇତ୍ୟାଦି ଭିତରେ ଧୋବୀର ବୟସ ଯେତେବେଳେ ବଢ଼ି ଚାଲିଲା କ୍ରମେ କ୍ରମେ ସନେଇ ପ୍ରତି ତାର ମମତା ବଢ଼ି ଉଠିଲା । ଧୋବୀର ଅଙ୍ଗରେ ମଳୟର ସ୍ପର୍ଶରେ ଯେତେବେଳେ ଇନ୍ଦ୍ରଧନୁର ଶୋଭା ବିକଶିତ ହେଲା ସେତେବେଳେ ଚିନ୍ତେଇ ସୋଇଁ ବନେଇ ପରିଡ଼ାଙ୍କ ନିକଟକୁ ପ୍ରସ୍ତାବ ପଠାଇଲେ । ମାତ୍ର ପ୍ରସ୍ତାବ ନେଇ ଯାଇଥିବା ରାମ ପହରାଜେ ନିରାଶରେ ଫେରିଆସିଲେ । ବନେଇ ପରିଡ଼ା ଆକ୍ଷେପ କରିଥିଲେ ଯେ ଚିନ୍ତେଇ ସୋଇଙ୍କର କୁଳାଭିମାନ ନାହିଁ ।

 

ସମୟର ରଥ ଚକ କେଉଁଆଡ଼କୁ ଗଡ଼ିଯାଏ ସେ କଥା କେହି କହିପାରେନା । ବିଷ୍ଣୁପୁର ଗାଁରେ ଯେତେବେଳେ ନଅଙ୍କ ଦୁର୍ଭିକ୍ଷର ଦାଉରେ ଅସଂଖ୍ୟ ପ୍ରାଣୀ ପେଟ ବିକଳରେ ଛଟପଟ ହେଲେ ସେତେବେଳେ ପେଟ ଚାଖଣ୍ଡକ ପାଇଁ ସମ୍ପର୍କାଶୂନ୍ୟ ଭାବରେ କିଏ କୁଆଡ଼େ ବାଟ କାଟିଲେ । ଯେଉଁଦିନ ବନେଇ ପରିଡ଼ା ତାଙ୍କର ପିଲାମାନଙ୍କୁ ନେଇ ନିରାଶ ହୋଇ ଚିନ୍ତେଇ ସୋଇଁଙ୍କ ଦ୍ୱାରରୁ ଫେରିଲେ ସେଦିନ ଦାଣ୍ଡ ଝରକା ବାଟଦେଇ ଆକୁଳ ନୟନରେ ଚାହିଁଥିଲା ଧୋବୀ ସନେଇକୁ । ଆଖିରୁ ତାର ଝରିପଡ଼ିଲା ଅଶ୍ରୁ । ନଅଙ୍କ ଦୁର୍ଭିକ୍ଷ ଦାଉରେ ଘରଛାଡ଼ି ଅନିର୍ଦ୍ଦିଷ୍ଟ ପଥର ପଥିକ ହେବା ପୂର୍ବରୁ ଏହାହିଁ ସନିଆ ସହିତ ଧୋବୀର ଶେଷ ସାକ୍ଷାତ । ଧୋବୀ ରହିଲା ବିଷ୍ଣୁପୁର ଗାଁରେ; କିନ୍ତୁ ସନିଆ ହେଲା ଅନିର୍ଦ୍ଦିଷ୍ଟ ପଥର ଯାତ୍ରୀ ।

 

ଓଡ଼ିଶାର ଗାଁ ଗଣ୍ଡାରେ ଯେତେବେଳେ ବାଟଘାଟରେ ଅସଂଖ୍ୟ ପ୍ରାଣୀ ଖାଇବାକୁ ଗଣ୍ଡିଏ ନପାଇ ପ୍ରାଣ ହରାଇ ପଡ଼ୁଥାନ୍ତି, ନଅଙ୍କ ଦୁର୍ଭିକ୍ଷ ସେହି ଅଶୁଭ ବେଳରେ ଧୋବୀର ଶୁଭ ପରିଣୟ ସମ୍ପନ୍ନହେଲା ନିତେଇ ନାୟକଙ୍କ ସହିତ । ଧୋବୀ ସନିଆର ସ୍ମୂତିକୁ ପଛରେ ପକାଇ ଦେବାକୁ ଚେଷ୍ଟା କରି ମଧ୍ୟ ପାରିନାହିଁ । ବିବାହ ବେଦୀ ଉପରେ ଧୋବୀର ଆଖି ଆଗରେ ଭାସି ଯାଇଛି ସନିଆର ବିକଳ ମୁହଁ । ଦେବୀର ମନ ଅରଣ୍ୟରେ ସୃଷ୍ଟି ହୋଇଛି ଅକାଳ ଦାବାଗ୍ନି । ଲେଖକ ଧୋବୀର ମନ ଅବସ୍ଥା ସୂଚିତ କରିବାକୁ ଯାଇ ଲେକିଛନ୍ତି, ‘‘ବାପ ବୁଝିଲେ ଦେହର କଥା-। ମନର କଥା କେହି ବୁଝିଲେ ନାହିଁ ।’’

 

ବିଷ୍ଣୁପୁର ଗାଁ ଛାଡ଼ି ଦୁର୍ଗାପୁର ଯିବା ବାଟରେ ଯେଉଁଠାରେ ଧୋବୀ ଦେଖିଛି ଦୁର୍ଭିକ୍ଷ ପ୍ରପୀଡ଼ିତ କାଙ୍ଗାଳ ସେଠାରେ ସେ ଆଖିରୁ ଝରାଇଛି ଲୁହ । କାଙ୍ଗାଳକୁ ଦେଖି ସେ ମନେ ପକାଇଛି ସନେଇକୁ । ଏମିତି କାଙ୍ଗାଳ ହୋଇ ସନେଇ କେଉଁଠି ବୁଲୁଥିବ । ନିଜ ଭାବନାରେ ବ୍ୟତିବ୍ୟସ୍ତ ହୋଇପଡ଼ିଛି ସେ । କାଙ୍ଗାଳମାନଙ୍କ ପ୍ରତି ଧୋବୀର ସମବେଦନାର ସ୍ୱର ବୁଝିଲେ ନିତେଇ ନାୟକ । ଧୋବୀ ପାଇଛି ଧନପତି ଶ୍ୱଶୁର, ଅତ୍ୟନ୍ତ ସରଳ ପ୍ରକୃତିର ସ୍ୱାମୀ । ତଥାପି ସେ ସୁଖୀ ହୋଇ ପାରିନାହିଁ । ସେ ଦିନ ବିବାହ ବେଦୀ ଉପରେ ତାର ମନ ଅରଣ୍ୟରେ ଯେଉଁ ଦାବାଗ୍ନୀ ଜଳି ଉଠିଥିଲା ତାହା ଏପର୍ଯ୍ୟନ୍ତ ନିଭି ନାହିଁ । ରାତ୍ରିର ଏକ ସ୍ୱପ୍ନପରି ଧୋବୀର ଦାମ୍ପତ୍ୟ ଜୀବନର ପରିଣତି । କାଙ୍ଗାଳଙ୍କ ସେବାରେ ପ୍ରାଣ ବିସର୍ଜନ କଲେ ସ୍ୱାମୀ ଓ ଶ୍ୱଶୁର, ଆତ୍ମହତ୍ୟା କଲେ ଶାଶୁ । ଦୁର୍ଗାପୁର ଗାଁରେ ଧାବୀ ଜୀବନର ସବୁତକ ସରାଗକୁ ପାଉଁଶ କରିଦେଇ ଫେରି ଆସିଲା ବିଷ୍ଣୁପୁର । ବିଷ୍ଣୁପୁରରେ ଧୋବୀ ଯେତେବେଳେ ବିଧବା ଜୀବନ ଅତିବାହିତ କରିଛି ସେତିକିବେଳେ ଦିନେ ହଠାତ୍ ସନିଆର ଫେରିଆସିବା କଥା ଶୁଣିବାକୁ ପାଇଛି । ମନ ଭିତରେ ତାର ମରିଯାଇଥିବା ସରାଗର ଧାରା ପୁଣି ଚେଇଁ ଉଠିଚି ।

 

ରାତି ଅଧରେ ଧୋବୀ ସନେଇକୁ ନିଜ ହାତରେ ଖୁଆଇ ଦେଇଛି-ସନେଇର ଶୃଶ୍ରୂଷା କରିଛି । କାଙ୍ଗାଳ ସନେଇକୁ ଧୋବୀହିଁ ବଞ୍ଚିବାର ପ୍ରେରଣା ଦେଇଛି । ଧୋବୀ ସେଦିନ ରାତ୍ରୀରେ ଯେତେବେଳେ ସନିଆକୁ ବଞ୍ଚିବାର ପ୍ରେରଣା ଦେଇ ସନିଆ ପ୍ରତି ନିଜର ସ୍ନେହ ମମତା ପ୍ରକାଶ କରିଛି, ସେତିକିବେଳେ ପୁଣି ଭାବିଛି, ଏହା କରିବା ତାର ଅନ୍ୟାୟ । ତାର ଏପରି ଆଚରଣରେ ସ୍ୱର୍ଗରେ ଥାଇ ତାର ସ୍ୱାମୀ, ଶ୍ୱଶୁର ତାକୁ କ୍ଷମା କରିପାରିବେ ତ ? କେଉଁଟି ନ୍ୟାୟ କେଉଁଟି ଅନ୍ୟାୟ ଧୋବୀର ମସ୍ତିଷ୍କରେ ତାହା ଠିକ୍ ଭାବରେ ଦେଖାଦେଇ ନାହିଁ । ଏହିପରି ଦ୍ୱନ୍ଦ୍ୱ ଭିତରେ ଲେଖକ ଉପନ୍ୟାସର ସମଗ୍ର କଳେବର ମଧ୍ୟରେ ଧୋବୀର ଚରିତ୍ର ଚିତ୍ରଣ କରି ତାଙ୍କର ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ପାରଗତ ପ୍ରଦର୍ଶନ କରିଅଛନ୍ତି । ଶାସ୍ତି ଉପନ୍ୟାସର ପରିଣତି ଧୋବୀର ଏହି ଦ୍ୱନ୍ଦ୍ୱ ଉପରେ ମୁଖ୍ୟ ଭାବରେ ନିର୍ଭର କରିଅଛି । ଏହି ଦ୍ୱନ୍ଦ୍ୱ ଶାସ୍ତି ଉପନ୍ୟାସର କଳାଗତ ମୂଲ୍ୟ ବୃଦ୍ଧି କରିଅଛି ।

 

ଧୋବୀର ସନିଆ ପ୍ରତି ଆକର୍ଷଣ ପୁଣି ପ୍ରକାଶ ପାଇଛି ଆଉଦିନେ । ଯେଉଁଦିନ ସକାଳେ ଧୋବୀ ନଈରୁ ଗାଧୋଇସାରି ଫେରୁଥିଲା ସେହିଦିନ ସନିଆକୁ ସେ ବନ୍ଧ ଉପରେ ଦେଖି ଅଟକି ଗଲା । ସନିଆ ଯେତେବେଳେ ଅଭିମାନ ମିଶା ଗଳାରେ ଗାଁ ଛାଡ଼ି ଚାଲିଯିବା କଥା କହିଛି ସେତେବେଳେ ଧୋବୀ ତାକୁ ବାରଣ କରିଛି ।

 

ତାପରେ, ମକର ସଂକ୍ରାନ୍ତି ଦିନ ସନ୍ଧ୍ୟା ପୂର୍ବର ଘଟଣା । ଧୋବୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିରରୁ ଫେରିବା ସମୟରେ ସନେଇକୁ ତାଳ ବାହୁଙ୍ଗା କାଟୁଥିବାର ଦେଖି ତାକୁ ପାଖକୁ ଡାକିଛି । କେତେ କାକୁତି ମିନତି କରି ତାକୁ ସାହାଯ୍ୟ ଗ୍ରହଣ କରିବାପାଇଁ ଅନୁରୋଧ କରିଛି । ଧୋବୀ କିନ୍ତୁ କହିଛି ସେ ସନିଆ ପାଖରେ ଧାରୁଆ-ତାର ଧାର ଶୁଝିବା ବେଳ ଆସିଛି । ପାଞ୍ଚଟି ଟଙ୍କା ଓ ପଚିଶଟି ସୁନାମୋହର ଥିବା ଗୋଟଏ ବଟୁଆ ସନିଆକୁ ଦେଇଛି । ସନିଆକୁ ପ୍ରାୟଶ୍ଚିତ୍ତ କରି ଜାତି ହେବାପାଇଁ ସେ ଅନୁରୋଧ କରିଯାଇଛି । ଧୋବୀ ଚାଲିଯିବା ପରେ ସନିଆର ମନର ଭାବନା ଲେଖକ ପ୍ରକାଶ କରିଛନ୍ତି, ‘‘ଆଖି ଆଗରେ ଭାସି ଉଠିଲା ରୂପସୀ ଧୋବୀର ଚଞ୍ଚଳ ଅଞ୍ଚଳ ପ୍ରାନ୍ତ । ପ୍ରଥମ ଯୌବନର କେତେ ହଜିଲା ସ୍ୱପ୍ନ ମନର ଚାରିପାଖେ ଖୋଜି ବୁଲିଲା । ମନର ଅତଳ ତଳରେ କେତେ କଳ୍ପନା ଉତ୍ସ ! ଚିର ରହସ୍ୟ ଘେରା ଏକ ନାରୀ ! ଅବୁଝା ତାର ହସ କାନ୍ଦ ! କଳ୍ପନାର ଅତୀତ ତାର ବ୍ୟବହାର !’’ ଏହିଠାରେ କଳାକାର କାହ୍ନୁଚରଣ ଧୋବୀ ଚରିତ୍ରର ପ୍ରକୃଷ୍ଟ ପରିଚୟ ପ୍ରଦାନ କରି ଅଛନ୍ତି ।

 

ସନେଇ ଘର ତୋଳିଲା । ଧୋବୀ ମନେ ମନେ ଭାବେ ଥରେ ଯାଇ ସନେଇର ଘର ଦେଖି ଆସନ୍ତା । ମାତ୍ର ସେ ଯାଇପାରେ ନାହିଁ । ସନେଇର ମମତା ତାକୁ ଯେତିକି ଆକୃଷ୍ଟ କରେ ତାର ଅତୀତର ତିକ୍ତ ଇତିହାସ ତାକୁ ସେତିକି ବ୍ୟଥିତ କରେ । ସେ ପଡ଼େ ପୁଣି ଦ୍ୱନ୍ଦ୍ୱରେ । ଏହିପରି ଅନେକ ଥର ସେ ନିଜର ଭାବନାକୁ ନିଜେ ବୁଝିପାରି ନାହିଁ । ସେ ବିଷୟରେ ଲେଖକ ନିଜେ ଲେଖିଛନ୍ତି, ‘‘ଧୋବୀ ଯେପରି ଏତିକି ସହିପାରେ ନାହିଁ । କିପରି ଖରାପ ଲାଗେ ତାକୁ । ସ୍ୱାମୀ ଶ୍ୱଶୁରଙ୍କର ମରଣ ବେଳର ମୁହଁ ତାର ଆଖି ଆଗରେ ଭାସିଯାଏ । ସେମାନଙ୍କର ସ୍ନେହ ମମତା, ଦିନଦିନକର କଥା ମନେ ପଡ଼େ । ଦୁଃଖର କୋହ ଉଠେ । ନିଜ ଉପରେ ନିଜର ରାଗ ହୁଏ । ନିଜକୁ ନିଜେ ଧିକାର କରେ । କାହିଁକି ସେ ସନେଇ ପରିଡ଼ାକୁ ବଞ୍ଚାଇଲା ? କାହିଁକି ସେ ତାର ସ୍ୱାମୀ ଶ୍ୱଶୁରଙ୍କର ଉପାର୍ଜିତ ସଞ୍ଚିତ ଧନରୁ ଭାଗ ନେଇ ବାଟର ଭିକାରୀ ସନେଇ ପରିଡ଼ାକୁ ଦେଲା ?’’ ଧୋବୀ ଚରିତ୍ରର ଏହିପରି ଦ୍ୱନ୍ଦ୍ୱ ଭିତରେ ଲେଖକ ଆମ ସମାଜର ଜଣେ ଅସହାୟ ବିଧବା ଯୁବତୀର ପ୍ରକୃଷ୍ଟ ରୂପ ପ୍ରକାଶ କରି ଅଛନ୍ତି ।

 

ଧୋବୀ ନିଷ୍ଠାପର ଭାବରେ ବିଧବାର ଜୀବନ ଯାପନ କରିଛି । ତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଜୀବନରେ ତାର ଯେତେବେଳେ ଦ୍ୱନ୍ଦ୍ୱ ଦେଖାଦେଇଛି ସେତେବେଳେ ସେ ଦୁର୍ଗାପୁରର ସମ୍ପତ୍ତି ବିଷୟ କାହିଁକି ବା ଭାବନ୍ତା ? ହରି ମହାନ୍ତିଙ୍କ ଉପରେ ସମ୍ପତ୍ତିର ଦାୟିତ୍ୱ ରହିଛି । ଧୋବୀ କେବଳ ଦୁଶ୍ଚିନ୍ତାରେ ପଡ଼ି ନିଜର ସ୍ୱାସ୍ଥ୍ୟ ହରାଇ ବସିଛି । ଯେଉଁଦିନ ଚିନ୍ତେଇ ସୋଇଁ ସନେଇକୁ ଡକାଇ ଆଣି ଧୋବୀ ଆଗରେ ତାକୁ ଅପମାନ ଦେଲେ ସେଦିନ ଧୋବୀ ଚିନ୍ତେଇ ସୋଇଁଙ୍କୁ ସନେଇକୁ ସାହାଯ୍ୟ କରିବା ଲାଗି କହିଥିଲା । ମାତ୍ର ଚିନ୍ତେଇ ସେଥିପ୍ରତି କର୍ଣ୍ଣପାତ କରି ନଥିଲା । ଧୋବୀ ଜାଣେ ଚିନ୍ତେଇ ସୋଇଁଙ୍କର ମନ । ତେଣୁ ଧୋବୀ ସନେଇକୁ ପୁଣି ସାହାଯ୍ୟ କରିବାକୁ ନିଜର ଶାଶୁଘରର ସୁନାହାରଟିଏ ନେଇ ଶିବରାତ୍ରୀ ଦିନ ରାତିରେ ସନେଇ ପାଖକୁ ଯାଇଛି । ସନେଇ ଧୋବୀକୁ ଅଭିମାନ ମିଶା କଥା କହିଛି । ଧୋବୀ ତାକୁ ଆଶା ଦେଇ ସେଦିନ କହିଥିଲା, ‘‘ସୁଖ ଦୁଃଖ ଆଲୁଅର ଛାଇ ପରି ଲାଗି ରହିଥାଏରେ । ମଣିଷ ପୁଅର ଭାଗ୍ୟ ପତର ତଳେ । ଧୈର୍ଯ୍ୟ ଧର, ତୋରି ବାପା ମା, ତୋରି ଭାଇ ଭଉଣୀ ପୁଣି ଏଇ ଘରେ ତୋରି କୋଳରେ ଜନ୍ମ ହେବେ, ନାଚିବେ, ଖେଳିବେ । ଏଇ ଘର ସେମାନଙ୍କର ହସଖେଳ ପାଟି ଆନନ୍ଦରେ ଫାଟି ପଡ଼ିବ-। ଯେଉଁମାନଙ୍କର ସେବା କରିପାରିଲୁ ନାହିଁ ବୋଲି ଅନୁତାପ କରୁଛୁ, ସେହିମାନଙ୍କର ସେବା ମନଇଛା କରିବୁ । ପୂର୍ବ ପୁରୁଷର ଋଣ ସୁଝାଇବୁ। ବ୍ୟସ୍ତ ହେଉଛୁ କାହିଁକି ?’’

 

ବିଧବା ଧୋବୀର ଜୀବନରେ ଯଦି ସରସତାର ସ୍ୱପ୍ନ ନଥାନ୍ତା ତେବେ ତା ତୁଣ୍ଡରୁ କଣ ଏପରି ଭାଷା କେବେହେଲେ ବାହାରି ପାରି ଥାଆନ୍ତା ? ସନେଇ ଯେତେବେଳେ ଧୋବୀଠାରୁ ସ୍ପଷ୍ଟଭାବରେ ପ୍ରଶ୍ନର ଉତ୍ତର ଆଶା କରିଛି ସେତେବେଳେ ଧୋବୀ କହିଛି, ‘‘ସନେଇଭାଇ, ତୋର ଗୋଡ଼ ଧରୁଛି, ମୋତେ କିଛି ପଚାର ନାହିଁ । ପଚାରିବାର ବେଳ ଆସିନାହିଁ । ଉତ୍ତର ଦେବାର ସାହସ ମୋର ହୋଇନାହିଁ, ତୁ ମଣିଷ ହ, ତୁ ବଡ଼ ହ । ସନେଇ ଭାଇ, ତୋତେ କିଛି ପଚାରିବାକୁ ପଡ଼ିବ ନାହିଁ, ମୋର ମଧ୍ୟ ଉତ୍ତର ଦେବାର ଆବଶ୍ୟକତା ରହିବ ନାହିଁ । ତୁ ବଡ଼ ହ, ତୋରି ଦୁଇ ପାଦରେ ଏମିତି ମୁଣ୍ଡ ଲଗାଇ ତୋ ପ୍ରଶ୍ନର ଉତ୍ତର ଦେବି ।’’ କଣ ବା ଏହାଠାରୁ ଆଉ ଅଧିକ ସନିଆ ଧୋବୀଠାରୁ ଶୁଣିଥାନ୍ତା ? ଏହି କଥା ଶୁଣି ସନିଆର ମନବେଳାରେ ଉତ୍ତେଜନାର ତରଙ୍ଗ ମଥାପିଟିଛି । ସନିଆ ପ୍ରାଣେ ପଣେ ଚେଷ୍ଟା କରିଛି ସମାଜରେ ପ୍ରତିଷ୍ଠା ଅର୍ଜ୍ଜନ କରିବାକୁ ।

 

ଯେଉଁଦିନ ସନିଆକୁ ତାର ଜମି ଫେରାଇ ଦେବାକୁ ଚିନ୍ତେଇ ସୋଇଁ ମନାକରି ତାକୁ ଅପମାନ ଦେଲେ ସେଦିନ ଧୋବୀ ନିତାନ୍ତ ବିଚଳିତ ହୋଇପଡ଼ିଥିଲା । ବାପାଙ୍କର ଏ ନିଷ୍ପତ୍ତି ବିରୁଦ୍ଧରେ ତୁଣ୍ଡ ଖୋଲି ପ୍ରତିବାଦ କରିବାର ଶକ୍ତି ତାର ନଥିଲା । ମାତ୍ର କାର୍ଯ୍ୟରେ ସେ ପ୍ରତିବାଦ କରିଛି । ଦୁର୍ଗାପୁର ସେ ଯାଇଛି ଶ୍ୱଶୁରଙ୍କର ଶ୍ରାଦ୍ଧ ଦେବାକୁ । ସେଠାରେ ରହି ସେ ଦୁର୍ଭିକ୍ଷ ପ୍ରପୀଡ଼ିତ ଦୁର୍ଭିକ୍ଷ ଫେରନ୍ତା ବ୍ୟକ୍ତିମାନଙ୍କର ତାଲିକା କରି ସମସ୍ତଙ୍କର ଜମି ଫେରାଇ ଦେଇଛି । ସନିଆର ଦୁଃଖରୁ ସେ ବୁଝିଛି ଦୁର୍ଭିକ୍ଷ ଫେରନ୍ତା ଲୋକମାନଙ୍କର ଦୁଃଖ । ଦୁର୍ଗାପୁରରେ ଥିବା ସମୟରେ ଲୋକମାନେ ଧୋବୀର ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି । ମାତ୍ର ଧୋବୀ ନିଜର ଚିନ୍ତାରେ ନିଜେ ଜଳି ପୋଡ଼ି ଦୁଃଖ ପାଇଛି । ଦୁର୍ଗାପୁରରେ ମଧୁଭୋଇ ଓ ପୁନି ସହିତ ତାର ମମତା ବନ୍ଧନ ଲକ୍ଷ୍ୟ କରିବାର କଥା । ପୁନି ସନେଇର ଭଉଣୀ । ତେଣୁ ସେ ପୂନି ଓ ମଧୁଭୋଇକୁ ସ୍ନେହକରି କେତେକ ପରିମାଣରେ ମନକୁ ଶାନ୍ତ କରିବାକୁ ଚେଷ୍ଟା କରିଛି । ବିଦେଇ ଦୁର୍ଗାପୁରରେ ଧୋବୀ ପାଖରେ ଥାଏ । ବିଦେଇକୁ ପୋଷ୍ୟପୁତ୍ର କରିବା ପୂର୍ବରୁ ବିଦେଇକୁ ଧୋବୀ ଆପଣାର କରିନେବା ପାଇଁ ଚିନ୍ତେଇ ସୋଇଁ ଯୋଜନାକରି ବିଦେଇକୁ ଦୁର୍ଗାପୁରରେ ଛାଡ଼ିଥିଲେ । ଧୋବୀ ରାମନବମୀ ଯାତ୍ରା ଦେଖିବା ପାଇଁ ବିଷ୍ଣୁପୁରକୁ ଆସୁଛି ବୋଲି ଶୁଣି ଯାତ୍ରାରେ ଅଂଶ ଗ୍ରହଣ କରିବାକୁ ଅନିଚ୍ଛୁକ ଥିବା ସନିଆ ଯେପରି ଇଚ୍ଛା ପ୍ରକାଶ କରିଥିଲା ଓ ମୁକ୍ତହସ୍ତରେ ଯନ୍ତିଳର ସମସ୍ତ ବ୍ୟୟଭାର ଗ୍ରହଣ କରିଥିଲା, ସେହିପରି ରାମନବମୀ ଯାତ୍ରା ଦେଖିବା ଆକରେ ସନିଆର ଥରଟିଏ ଦେଖା ପାଇବା ପାଇଁ ଧୋବୀ ବିଷ୍ଣୁପୁର ଆସିଥିଲା ବୋଲି ଧରି ନିଆଯାଇ ପାରେ । ଧୋବୀ ରାମନବମୀ ଯାତ୍ରା ଦେଖିବା ପରେ ପୁଣି ଦୁର୍ଗାପୁରକୁ ଫେରିଯାଇଛି । ସନିଆ ଧୋବୀକୁ ପାଇବା ପାଇଁ ଅତ୍ୟନ୍ତ ବ୍ୟକୁଳ ହୋଇ ପଡ଼ିଛି ଏବଂ ଏପରି ଏକ ଅବ୍ୟବସ୍ଥିତ ପରିସ୍ଥିତିରେ ଅଧିକ ଦିନ ନରହି କୌଣସି ଗୋଟିଏ ସମାଧାନରେ ପହୁଞ୍ଚିବା ନିମିତ୍ତ ଧୋବୀକୁ ଭେଟିବା ପାଇଁ ଦୁର୍ଗାପୁରକୁ ଯାଇଛି । ସେଦିନ ସାବିତ୍ରୀ ଅମାବାସ୍ୟା । ଧୋବୀ ବିଧବା ଯୁବତୀ । ମାତ୍ର ସେ ସାବିତ୍ରୀ ଉପବାସ କରିଛି । ତାର ମନରେ ପ୍ରଶ୍ନ ଉଠିଛି, କିଏ ତାର ସତ୍ୟବାନ ? ନିତେଇ ନା ସନେଇଁ ? ସନେଇ ଦୁର୍ଗାପୁରରେ ସାବିତ୍ରୀ ଅମାବାସ୍ୟା ରାତ୍ରିରେ ଧୋବୀ ଘରେ ଅତିଥି ହୋଇଛି । ରାତିରେ ଧୋବୀ ଆଖିକୁ ମଧ୍ୟ ନିଦ ନାହିଁ-ଠିକ୍ ସେହିପରି ସନେଇ ଆଖିକି ମଧ୍ୟ ନିଦ ନାହିଁ । ଧୋବୀ ସନେଇର ଶୋଇବା ଘରକୁ ଆସିଛି । ଧୋବୀର ମନ ଭିତରେ ଯେଉଁ ଦ୍ୱନ୍ଦ୍ୱ ଝଡ଼ ସୃଷ୍ଟି କରିଛି ସେହି ଦ୍ୱନ୍ଦ୍ୱର ପ୍ରଭାବରେ ଧୋବୀ ସନେଇକୁ କହିଛି, ‘‘ସନେଇ ଭାଇ, ତୋ ପାଖରେ ମୁଁ ଅପରାଧ କରିଛି । ମତେ କ୍ଷମା କର । ମୋର ପୋଡ଼ିଲା ଜଳିଲା ଜୀବନରେ ଆଉ ସୁଖ ଆନନ୍ଦ ନାହିଁ । ମୁଁ ବିଧବା, ସମାଜ, ଧର୍ମ, ଜାତିଆଣ, ଦୁନିଆ ଲୋକଙ୍କର ଭଲ ମନ୍ଦ କଥା, ମୋ ଚାରିପାଖେ କେତେ ପରସ୍ତକରି ଜାଲ ବେଢ଼ାଇ ରଖିଛି । ତାରି ଭିତରେ ବନ୍ଦିହୋଇ ଗୁଡ଼େଇ ତୁଡ଼େଇ ହୋଇ ମୁଁ ଛଟପଟ ହୋଇ ଦୁଃଖରେ ବେଳ କାଟୁଛି । ମୋର ବନ୍ଧନ ମୁଁ ଛିଡ଼ାଇ ପାରିବି ନାହିଁ । ତାରି ଭିତରେ ଛଟପଟ ହେଉଥିବା ସନେଇଁ ଭାଇ, ମୋତେ କେହି ଉଦ୍ଧାର କରି ପାରିବେ ନାହିଁ ।’’ ଯେଉଁ ଧୋବୀ ଶିବ ରାତ୍ରୀରେ ସନିଆର ମନ ଭିତରେ ଆଶାର ସୌଧ ତୋଳି ଦେଇଥିଲେ ସେହି ଧୋବୀ ସାବିତ୍ରୀ ଅମାବାସ୍ୟା ରାତ୍ରୀରେ ସନିଆ ମନ ଭିତରର ସେ ଆଶାର ସୌଧକୁ ଧୂଳିସାତ କରିଦେଲା । ସମାଜର କଡ଼ା ଆଖି ଧୋବୀ ତୁଣ୍ଡରେ ଏହି ଭାଷା ସୃଷ୍ଟି କରିଛି ।

 

ଏ ଘଟଣା ପରେ ଧୋବୀ ବସନ୍ତ ରୋଗରେ ପଡ଼ିଛି । ତାର ଦେହ ଓ ମନ ଉଭୟ ଭାଙ୍ଗିଯାଇଛି । ଅଶାନ୍ତ ବାୟୁମଣ୍ଡଳରେ ଧୋବୀ ରୁଦ୍ଧଶ୍ୱାସ ହୋଇଯାଇଛି । ଧୋବୀ ନାରୀତାର ନାରୀ ସୁଲଭ ଚରିତ୍ରରେ ସେ ସନେଇ ଉପରେ ରାଗି ଉଠିଛି ଯେତେବେଳେ ଶୁଣିଛି ଯେ ସନେଇର ସନ୍ତାନ କଇଁ ଗର୍ଭରୁ ଜାତ ହୋଇଥିଲା । ପହରାଜେ ଏପରି ଏକ କଥା ପ୍ରଚାର କରିଥିଲେ । ଧୋବୀ ଏକଥା ଶୁଣି ତାର ବୋଉଙ୍କର ଶୁଦ୍ଧିଘରକୁ ସନେଇକୁ ନିମନ୍ତ୍ରଣ ନକରିବାକୁ କହିଛି । ଏହା ତାର ରୁଦ୍ଧ ଅଭିମାନର ପ୍ରକାଶ । ସେ ଚାହିଁଥିଲା ସନେଇ ଉପରେ ତାର ପୂର୍ଣ୍ଣ ଅଧିକାର । ସେଠାରେ ସେ କଇଁର ଅଧିକାରକୁ ବା ସହିପାରନ୍ତା କିପରି ? ନାରୀର ଏହି ଚରିତ୍ର ଅତ୍ୟନ୍ତ ରହସ୍ୟମୟ । ଯେଉଁଦିନ କଇଁ ସହିତ ସନେଇ ତାର ପୋଖରୀ ହୁଡ଼ା ଉପରେ ବସି ପ୍ରେମାଳପ କରୁଥିଲା ସେଦିନ ଶିବ ମନ୍ଦିରକୁ ଯିବା ବାଟରେ ଧୋବୀ ତାହା ଦେଖିପାରି ସନେଇ ଉପରେ ରାଗ, ରୋଷ, ଅଭିମାନ ଓ ଘୃଣା ଯାହାକିଛି ସବୁ ଲଦି ଦେଇଛି ।

 

ନାରୀ ଚାହେଁ ତାର ଜୀବନର ପୂର୍ଣ୍ଣତା । ସେ ପୂର୍ଣ୍ଣତା କେବଳ ପତିର ସୋହାଗରେ ପର୍ଯ୍ୟବସିତ ନୁହେଁ । ସେ ଚାହେଁ ତାରି ନିଜ ରକ୍ତରେ ଗଢ଼ା ଖେଳନା କଣ୍ଢେଇ ମଣିଷ ଶିଶୁ । ଧୋବୀର ମନତଳେ ମଧ୍ୟ ଏହି ବାସନା ଦିନେ ଉଙ୍କିମାରିଥିଲା । ପୁନିର ପୁଅକୁ ଦେଖି ସେ ମଧ୍ୟ ଭାବି ବସିଛି ତାର ଗୋଟିଏ ସେହିପରି ସନ୍ତାନ ଜନ୍ମଲାଭ କରିଥାନ୍ତା, ଜୀବନ ତାର ସାର୍ଥକ ହୋଇଥାନ୍ତା । ମାତ୍ର ସେ ସାର୍ଥକତାରୁ ବଞ୍ଚିତ ।

 

ନିଜର ଅସଂପୂର୍ଣ୍ଣ ଜୀବନର ଦରପୋଡ଼ା ଇତିହାସ ଧୋବୀ ପୁନି ଆଗରେ ବଖାଣି ବସିଛି । ପୁନି ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କରିଛି । ମାତ୍ର ପୁନି ଯେତେବେଳେ ଏଥିପାଇଁ ସନେଇ ଘରେ ଯାଇ ପହୁଞ୍ଚିଛି ସେବେଳେକୁ ସନେଇ କଇଁକୁ ଗ୍ରହଣ କରି ସାରିଛି । ପୁନି ନିରାଶରେ ଫେରିଛି ।

 

ଚିନ୍ତେଇ ସୋଇଁ ଯେଉଁଦିନ ସନେଇକୁ ଡକାଇ ନିଜର ସମ୍ପତ୍ତିର ଉଇଲ ସନେଇ ହାତକୁ ବଢ଼ାଇ ଦେଇ ଧୋବୀକୁ ତା ହାତରେ ଛନ୍ଦିଦେବା କଥା ପ୍ରକାଶ କଲେ ସେଦିନ ଧୋବୀ ବାହାରେ ଥାଇ ଘର ଭିତରେ ଚିନ୍ତେଇ ସୋଇଁ ସନେଇକୁ କହୁଥିବା ସମସ୍ତ କଥା ଶୁଣି ପାରିଛି । ମାତ୍ର ଧୋବୀ ସନେଇ ଉପରେ ନିଜର ସଂପୂର୍ଣ୍ଣ ଅଧିକାର ଲୋପହେବାର ଦେଖିବା ପରେ ଆଉ ସନେଇ ପ୍ରତି ବିଶେଷ ଆସକ୍ତ ନୁହେଁ । ଚିନ୍ତେଇ ସୋଇଁଙ୍କର ପ୍ରସ୍ତାବ ଶୁଣି ଧୋବୀର ମନ କହି ଉଠିଛି, ‘‘ନା, ନା, ଅସମ୍ଭବ କଥା । ଯେଉଁ ଦୃଶ୍ୟ ସେ ଦେଖିଛି, ଜୀବନରେ ଭୁଲି ପାରିବ ନାହିଁ । ଧନ, ମାନ ଆଉ ପ୍ରତିପତ୍ତି ଲୋଭରେ ସନେଇ ପରିଡ଼ା ଚିନ୍ତେଇ ସୋଇଁଙ୍କର କଥାରେ ରାଜି ହୋଇପାରେ; କିନ୍ତୁ ଅକୃତଜ୍ଞ ଦୁଶ୍ଚରିତ୍ର ପରିଡ଼ାର ଛାତିରେ ଧୋବୀର ସ୍ଥାନ ନାହିଁ ।’’

 

ଧୋବୀ ମନେ କରିଛି ତାର ଜୀବନ ଅଭିଶପ୍ତ । ଦୁନିଆରେ ନିଜକୁ କଠିନ କରି ସମସ୍ତଙ୍କର ମାୟାମମତାକୁ ଦୂରେଇ ଦେଇ ଚଳିବା ପାଇଁ ସେ ଯେତିକି ଭାବିଛି ସେ ସେତିକି ବ୍ୟସ୍ତ ହୋଇଛି । ରକ୍ତମାଂସର ଶରୀର ଦାବୀକୁ ସେ ଉପେକ୍ଷା କରିପାରି ନାହିଁ । ତେଣୁ ସେ ବାରମ୍ୱାର ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛି ତାର ମନର ସବୁ ସରସତାକୁ ଲୋପ କରି ତାକୁ କଠିନ ପଥରରେ ପରିଣତ କରିବା ପାଇଁ । ଚିନ୍ତେଇ ସୋଇଁ ଧୋବୀ-ପାଇଁ ସନେଇଠାରୁ ଅପମାନ ପାଇଲେ ବୋଲି ଧୋବୀ ଦୁଃଖ ପ୍ରକାଶ କରିଛି । ଶେଷରେ ଧୋବୀ ବିଦେଇକୁ ପୋଷ୍ୟପୁତ୍ର କରିବ ବୋଲି ଚିନ୍ତେଇ ସୋଇଁଙ୍କୁ କହିଛି ।

 

ସନେଇ ତାର ଦରଜାରେ ଯେଉଁ କାଗଜ ଖଣ୍ଡିକ ଲେଖି ଲଟକାଇ ଦେଇ ଚାଲିଯାଇଥିଲା ସେଖଣ୍ଡିକ ଆଣି ପହରାଜେ ଚିନ୍ତେଇ ସୋଇଁଙ୍କୁ ଦେଲେ । ସେଥିରେ ଲେଖାଥିବା ବିଷୟ ଓ ସନେଇର ପଳାୟନ କଥା ଶୁଣି ଧୋବୀ ଯେ କି ମର୍ମବ୍ୟଥା ଅନୁଭବ କରିଛି ତାହା ବର୍ଣ୍ଣନାତୀତ । ସେ ଆଖିମୁଦି ନୀରବ ନିଶ୍ଚଳ ଭାବରେ ପଡ଼ିଥାଏ-ତାକୁ ଦେଖି ମନେହେଲା ସତେ ଯେପରି ସେ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଥିଲା, ‘‘ମୋତେ ପଥର କର, ମୂକ, ଅଥର୍ବ, କଠିଣ କର ଭଗବାନ, ଠିକ୍ ତୁମରି ପରି ।’’

 

ଧୋବୀର ଚରିତ୍ରର କରୁଣତା ଯେକୌଣସି ପାଠକ ପ୍ରାଣକୁ ସ୍ପର୍ଶ କରେ । ସମାଜରେ ଜଣେ ବିଧବା ଯୁବତୀ ଧୋବୀ । ବିଧବାର ଜୀବନର ଦାବୀକୁ ସମାଜ ଉପେକ୍ଷା କରିଛି, ମାତ୍ର ମନ ଉପେକ୍ଷା କରିପାରି ନାହିଁ । ସମାଜ ଓ ମନ ମଧ୍ୟରେ ଏକ ଦ୍ୱନ୍ଦ୍ୱାତ୍ମକ ଚିତ୍ରହିଁ ଧୋବୀ ଚରିତ୍ରର ବୈଶିଷ୍ଟ୍ୟ । କାହ୍ନୁଚରଣଙ୍କ ସୃଷ୍ଟିରେ ଧୋବୀ ଆମ ସମାଜ ନୀତିର ଏକ ମୌନ ପ୍ରତିବାଦ ।

 

କଇଁ:- ମାଧେଇ ରାଉତଙ୍କ ଝିଅ କଇଁ । ଧୋବୀ ସହିତ ସନେଇର ବିବାହ ପ୍ରସ୍ତାବକୁ ଯେତେବେଳେ ବନେଇ ପରିଡ଼ା ପ୍ରତ୍ୟାଖ୍ୟାନ କଲେ ସେତେବେଳେ କଇଁ ସହିତ ସନେଇର ବିବାହ କରିବା ପାଇଁ ବନେଇ ପରିଡ଼ା ଇଚ୍ଛା କରିଥିଲେ । ଦୁର୍ଭିକ୍ଷ ପୂର୍ବରୁ ବିବାହ ପ୍ରସ୍ତାବ ଏକ ପ୍ରକାର ଠିକ୍ ହୋଇଯାଇଥିଲା । ମାତ୍ର ଦୁର୍ଭିକ୍ଷର ଦାଉରେ ତାହା କାର୍ଯ୍ୟରେ ପରିଣତ ହୋଇ ପାରି ନଥିଲା । ବନେଇ ପରିଡ଼ାଙ୍କ ପରିବାର ଯେପରି ଅଜଣା ବାଟରେ ଗୋଡ଼ ବଢ଼ାଇ ଥିଲେ ମାଧେଇ ରାଉତ ସେହିପରି କଇଁ ସହିତ ଅଜଣା ବାଟକୁ ଗୋଡ଼ କାଢ଼ିଥିଲେ । କେତେ ସ୍ଥାନ ବୁଲି ଜୀବନକୁ ବଞ୍ଚାଇ ରଖିବା ପାଇଁ ବାପଝିଅ ଚେଷ୍ଟା କରିଛନ୍ତି । କଇଁ ଶେଷରେ ନିଜର ସତୀତ୍ୱର ବିନିମୟରେ ବାପ ପାଇଁ ଗୁଣ୍ଡିଏ ଭାତ ଆଣି ଥିଲା । ମାତ୍ର ସେ ଭାତ ଆଣି ବାପ ପାଖରେ ପହୁଞ୍ଚିବା ବେଳକୁ ବାପର ପ୍ରାଣବାୟୁ ଉଡ଼ିଯାଉଥିଲା । ବାପର ଶବ ପାଖରେ ବସି କଇଁ ସେହି ଭାତ ମୁଠିକ ଖାଇ ତାର ପ୍ରାଣକୁ ବଞ୍ଚାଇଥିଲା । କଇଁର ନିର୍ଯ୍ୟାତିତ ଜୀବନର କାହାଣୀ ବଡ଼ କରୁଣ । କଇଁ ଯେତେବେଳେ ତାର ପ୍ରାଣକୁ ବଞ୍ଚାଇବା ପାଇଁ ଏଣେତେଣେ ଘୂରି ବୁଲୁଥିଲା, ସେତିକିବେଳେ ତାରି ଗର୍ଭରୁ ଜନ୍ମ ହୋଇଥିଲା ଏକ ସନ୍ତାନ । ସେ ବି ଦୁର୍ଭିକ୍ଷର କରାଳ ଗ୍ରାସରେ ପଡ଼ିଲା । କଇଁ କ୍ରମେ ପରିସ୍ଥିତିର ଚାପରେ ମସ୍ତିଷ୍କର ଭାରସାମ୍ୟ ହରାଇ ବସିଲା । କଇଁ ହେଲା ବାୟାଣୀ ।

 

ଦୁର୍ଭିକ୍ଷ ପରେ କଇଁ ଫେରିଲା ବିଷ୍ଣୁପୁର । କଇଁ ବାୟାଣୀକୁ ଦେଖି କେତେ କିଏ ପରିହାସ କଲେ । କଇଁର କଥାକୁ କଦାର୍ଥ କରି ସନିଆର ଚରିତ୍ରର ନିନ୍ଦା ପ୍ରଚାରିତ ହେଲା । କଇଁ ସନିଆର ଘରେ ଆଶ୍ରୟ ପାଇଲା । ତାକୁ ଯେତେବେଳେ ପ୍ରବଳ ଜ୍ୱର ସେତେବେଳେ କଇଁ ତାର ଜୀବନର ତିକ୍ତ ଇତିହାସ ସନିଆ ଆଗରେ ପ୍ରକାଶ କରିଛି । ସବୁ ଶୁଣି ସନିଆ ତାକୁ ଆଦରରେ ଗ୍ରହଣ କରିଛି । କଇଁର ଜୀବନ ସରଳ ଏବଂ ନିଷ୍ପାପ । ସମାଜର ଚାପରେ ତାକୁ ଜୀବନରେ ବହୁତ କିଛି ବିସର୍ଜନ କରିବାକୁ ପଡ଼ିଛି । ତଥାପି କଇଁର ଜୀବନ ବ୍ୟର୍ଥ ହୋଇନାହିଁ ।

 

କଇଁ ଯେତେବେଳେ ସନିଆ ଆଗରେ ତାର ଅତୀତ ଜୀବନର ତିକ୍ତ ଇତିହାସ ବର୍ଣ୍ଣନା କରିଛି ସେତେବେଳେ ତା ମୁହଁରୁ ପ୍ରକାଶ ପାଇଛି, ‘‘ପାପ ପୂଣ୍ୟ କଣ ମୁଁ ଜାଣି ନଥିଲି, ବୁଝି ନଥିଲି, ଯାହା ମୁଁ କରୁଛି ଅପରାଧ କରୁଛି । ସେଥିପାଇଁ ପେଟର ଜ୍ୱାଳାରେ ଯିଏ ମୋତେ ଆଖି କୋଣରେ ଡାକିଥିଲା, ଆଉ ମୁଠିଏ ଭାତ ଲୋଭ ଦେଖାଇଥିଲା, କିଛି ନ ଭାବି ନବିଚାରି ଭାତର ମୂଲ୍ୟ ପାଇଁ ମୋର ଆସନା, ଦୁର୍ବଳ ଦେହ ମୁଁ ପାତି ଦେଇଥିଲି । x x x ବେଳ ଗଡ଼ିଗଲା, ଯିଏ ଦେଖିଲା ପଚାରିଲା କିଏ ମୋର ବର । ପେଟର ଶିଶୁକୁ ଚାହିଁଲି । ବୁଝିଲି ମୁଁ ଅନ୍ୟାୟ କରିଛି, ପାପ କରିଛି, ଅନୀତି କରିଛି । ବର ନଥାଇ ଶିଶୁର ମା ହେବାର ଅଧିକାର ମୋର ନାହିଁ ।’’ କଇଁ ସମୟର ସ୍ରୋତରେ କୁଟାଖିଅ ପରି ଭାସି ଯାଇଛି । ପେଟର ଜ୍ୱାଳାରେ ସେ ବାଟ ଭୁଲିଛି । ଏଥିପାଇଁ ଦାୟୀ କିଏ ? ଯିଏ ଭାତ ମୁଠିକର ଲୋଭ ଦେଖାଇ କଇଁର ବିକଳାଙ୍ଗ ଶରୀର ପ୍ରତି ଲୋଲୁପ ଦୃଷ୍ଟି ପକାଇ ତାର କୁମାରୀ ଜୀବନକୁ କ୍ଷତ ବିକ୍ଷତ କଲା ସେ ଦୋଷୀ, ନା ଯିଏ ପେଟର ଜ୍ୱାଳାକୁ ସହି ନପାରି ଯେ କୌଣସି ସର୍ତ୍ତରେ ଭାତମୁଠିକ ପାଇଁ ହାତ ପାତିଥିଲା ସେ ଦୋଷୀ ? ଏ ପ୍ରଶ୍ନର ଉତ୍ତର ଦେବ ସମୟ ଆଉ ସମାଜ ।

 

କଇଁର ଜୀବନରେ ଘଟିଯାଇଥିବା ଘଟଣା ପ୍ରତି ସେଥିପାଇଁ ସନିଆ କୌଣସି ଗୁରୁତ୍ୱ ଦେଇନାହିଁ-ତାକୁ ଘୃଣା କରିବା ପରିବର୍ତ୍ତେ କରିଛି ସ୍ନେହ । କାରଣ ପେଟର ଜ୍ୱାଳା ପାଇଁ ମଣିଷ କଣ କରିପାରେ ସେ ଅନୁଭୁତି ସନିଆର ଥିଲା । ନଅଙ୍କ ଦୁର୍ଭିକ୍ଷର କରାଳ ଝଡ଼ ପରେ କଇଁ ଯେତେବେଳେ ତାର ମନର ମଣିଷକୁ ଫେରିପାଇଛି ସେତେବେଳେ ତାର ଜୀବନରେ ପୂର୍ଣ୍ଣତା ଆସିଛି ।

 

ପୁନି:- ବନେଇ ପରିଡ଼ାଙ୍କ ଝିଅ ଆଉ ସନେଇର ଭଉଣୀ ପୁନି । ଯେତେବେଳେ ନଅଙ୍କର ଦୁର୍ଭିକ୍ଷର ଦାଉରେ ବନେଇ ପରିଡ଼ା ନିଜର ପିଲାଙ୍କୁ ଆହାର ମୁଠିଏ ଦେଇ ନପାରି ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ ସେତେବେଳେ ସେ ପୁନି ଓ କୁନିକୁ ସଙ୍ଗରେ ନେଇ ମାଧେଇ ରାଉତଙ୍କ ଘରକୁ ଯାଇଥିଲେ । ସେ ଆଶା କରିଥିଲେ ଝିଅ ଦୁହିଁଙ୍କୁ ମାଧେଇ ରାଉତଙ୍କ ଘରେ ଛାଡ଼ି ନିଜେ ଅଜଣା ବାଟର ବାଟୋଇ ହେବେ । ମାତ୍ର ପରିଣାମ ହେଲା ଭିନ୍ନ ପ୍ରକାରର । ସମସ୍ତେ ଅଜଣା ବାଟୋଇ ହେଲେ । ସନେଇ ଦୁର୍ଭିକ୍ଷ ପରେ ଗାଁକୁ ଫେରି ଆସିଲା ଓ ଶୁଣିଲା ପୁନି ଦୁର୍ଗାପୁରର ମଧୁଭୋଇ ବାଉରୀ ଘରେ ଅଛି ।

 

ମଧୁଭୋଇ ଘରେ ପୁନି ରହିବା ଘଟଣା ନିତାନ୍ତ କରୁଣାପୂର୍ଣ୍ଣ । ପୁନି ଯେତେବେଳେ ପେଟର ଜ୍ୱାଳା ସହି ନପାରି ବହୁ ସ୍ଥାନ ବୁଲିଛି ସେତେବେଳେ ସେ ଶେଷରେ ଦୁର୍ଗାପୁରରେ ଅନ୍ନଛତ୍ର ଖୋଲାଯାଇଥିବା ସଂବାଦ ଶୁଣି ଦୁର୍ଗାପୁର ଯାଇଛି । ମାତ୍ର ସେ ଦୁର୍ଗାପୁରରେ ପହଞ୍ଚିବା ବେଳକୁ ନାୟକବଂଶର ଅନ୍ନଛତ୍ର ବନ୍ଦ ହୋଇଯାଇଥିଲା । ପୁନିକୁ ହଇଜା ଧରିଲା । ନିତାନ୍ତ ଅସହାୟ ଭାବରେ ପଡ଼ିଆଟାରେ ପଡ଼ି ପୁନି ପାଣି ଟିକିଏ ପିଇବାପାଇଁ ପ୍ରଳାପ କରିବା ସମୟରେ ମଧୁଭୋଇ ତା ମୁହଁରେ ପାଣି ଦେଇଛି ଓ ତାକୁ ଆଣି ତା ଘରେ ରଖି ଚିକିତ୍ସା କରିଛି । ପୁନି କ୍ରମେ ଭଲହୋଇ ଯାଇଛି । ତା ପରେ ମଧୁଭୋଇ ତାକୁ ଘରୁ ବାହାର କରିଦେବାକୁ ନିତାନ୍ତ ନିର୍ମମ ଆଚରଣ ପ୍ରଦର୍ଶନ କରିଥିଲେହେଁ ପୁନି ତା ଘରୁ ବାହାରିଯାଇ ନାହିଁ । ଫଳରେ ପୁନି ହୋଇଛି ମଧୁଭୋଇର ସ୍ତ୍ରୀ । ପୁନି କୋଳରେ ହସି ଉଠିଛି ମଧୁଭୋଇର ସନ୍ତାନ । ପୁନିର ନାରୀଜୀବନର ସାର୍ଥକତା ମିଳିଯାଇଛି ।

 

ପୁନି ଭଲ ହୋଇଯିବା ପରେ ମଧୁଭୋଇ ଘରୁ ବାହାରି ଯାଇ ପ୍ରାୟଶ୍ଚିତ୍ତ ହୋଇ ପୁଣି ସମାଜରେ ରହିପାରିଥାଆନ୍ତା । ମାତ୍ର ତାହା ସେ କରିନାହିଁ । ତା ପାଖରେ ସମାଜ ଏକ ନିରର୍ଥକ ପ୍ରଶ୍ନ । ତାର ଜୀବନକୁ ଯେ ବଞ୍ଚାଇଲା ତା ପାଖରେ ସେ ବା ଅକୃତଜ୍ଞ ହୁଅନ୍ତା କିପରି ? ମଧୁଭୋଇର ଜୀବନ ତା ଆଗରେ ଥିଲା ଆଦରର ବସ୍ତୁ । ମଧୁଭୋଇର ପ୍ରକୃତ ମାନବିକତାର ପରିଚୟ ପାଇବା ପରେ ସେ ନିଜକୁ ମଧୁଭୋଇ ପାଖରେ ସମର୍ପଣ କରିଛି । ଦେହ ଆଉ ମନ ଯେ ସମାଜର ଅଧୀନ ନୁହେଁ ଏକଥା ପୁନି ହିଁ ପ୍ରମାଣ କରିଦେଇଛି । ମଧୁଭୋଇ ସହିତ ତାର ଦାମ୍ପତ୍ୟ ଜୀବନ ମଧୁମୟ ହୋଇ ଉଠିଛି । ମଧୁଭୋଇର ଅକୃତ୍ରିମ ସ୍ନେହ ସେ ପାଇଛି ।

 

ମନେହୁଏ, ପୁନିର ଆଦର୍ଶ କେତେକାଂଶରେ ସନେଇକୁ ପ୍ରଭାବିତ କରିଛି । ସନେଇ ଯେତେବେଳେ ପ୍ରଥମେ ପୁନିର ଖବର ପାଇଥିଲା ସେତେବେଳେ ସେ ତାକୁ ଘୃଣା କରିଥିଲା । ମାତ୍ର ଯେତେବେଳେ ସନେଇ ମନରୁ ଧୋବୀର ନିଶା ଛାଡ଼ିଗଲା ସେତେବେଳେ ସେ ପ୍ରଥମେ ଯାଇଛି ପୁନିର ଘରକୁ । ସେଠାରେ ସେ ଦେଖିଛି, ସମାଜକୁ ପାଦରେ ଦଳି ଦେଇ ପୁନି ତାର ସୁଖର ସଂସାର କରିଛି । ସମାଜକୁ ଜାବୁଡ଼ି ଧରି ସନେଇ କେବଳ ଦୁଃଖରେ ହିଁ ଜଳିପୋଡ଼ି ମରିଛି-ସେମିତି ଜଳିପୋଡ଼ି ମରିଛି ମଧ୍ୟ ଧୋବୀ । ପୁନିର ଜୀବନରେ ଆନନ୍ଦର ଅନୁଭୁତି ସନେଇକୁ ବିହ୍ୱଳ କରିଛି । ସନେଇ ତା ପରେ ବୁଝିଛି ଏ ସମାଜକୁ ନ ଛାଡ଼ିଲେ ତାର ଗତି ନାହିଁ । ତେଣୁ, ହୁଏତ ତା ପକ୍ଷରେ କଇଁକୁ ଗ୍ରହଣ କରିବା ନିତାନ୍ତ ସହଜ ହୋଇପଡ଼ିଛି ।

 

ପୁନି ଥିଲା ଜଣେ ସାଧାରଣ ନାରୀ । ନାରୀ ଜୀବନର ଭଲମନ୍ଦ, ଦୋଷ ଦୁର୍ବଳତାରୁ ସେ ମୁକ୍ତି ନୁହେଁ । ଦୁର୍ଗାପୁରର ସ୍ତ୍ରୀଲୋକମାନେ ମଧୁଭୋଇ ସହିତ ଧୋବୀକୁ କେନ୍ଦ୍ରକରି ଯେତେବେଳେ ବୃଥା ଅପବାଦ ସୃଷ୍ଟିକଲେ ସେତେବେଳେ ପୁନି କେତେକ ପରିମାଣରେ ଇର୍ଷାରେ ଜଳିଯାଇଛି । ଏପରିକି ଧୋବୀଘରୁ ଚାକିରି ଛାଡ଼ିଦେବା ପାଇଁ ମଧ୍ୟ ସେ ମଧୁଭୋଇକୁ କହିଛି । ଅତୀତର ମମତାରେ ଯେତେବେଳେ ସେ ଧୋବୀକୁ ଦେଖିଛି ସେତେବେଳେ ସେ ନିଜର ଭ୍ରମ ବୁଝିଛି । ସେଇ ଅତୀତର ମମତାରେ ସେ ଚାହିଁଥିଲା ଧୋବୀ ସହିତ ସନେଇର ମିଳନ । ସେଥିପାଇଁ ସେ ବିଷ୍ଣୁପୁର ଯାଇଥିଲା ସନେଇକୁ କହିବାକୁ । ମାତ୍ର ସେ ବିଷ୍ଣୁପୁରରେ ପହୁଞ୍ଚିବା ବେଳକୁ ସନେଇ କଇଁକୁ ଗ୍ରହଣ କରିସାରିଲାଣି ।

 

କଇଁ ନିଜେ ସମାଜକୁ ଛାଡ଼ି ଦେଇଥିଲେ ହେଁ ସେ ଚାହିଁଥିଲା ସନେଇର ବଡ଼ପଣ । ସନେଇ ସମାଜରେ ଥାଇ ଖୁସିରେ ରହୁ ବୋଲି ସେ କାମନା କରିଥିଲା । ସେଥିପାଇଁ ଯେଉଁଦିନ ସନେଇ ପୁନି ଘରେ ପହୁଞ୍ଚିଲା ସେଦିନ ସେ ତା ସହିତ ଭିନ୍ନ ଭାବରେ ବ୍ୟବହାର କରିଥିଲା । ସନେଇ ତୋରାଣି ମୁନ୍ଦେ ପିଇବାକୁ ମାଗିଲେ ହେଁ ସେ ଦେଇନଥିଲା ।

 

ଜଣେ ସାଧାରଣ ସରଳ ପ୍ରାଣ ନିଷ୍ପାପ ହୃଦୟା ଯୁବତୀ ଭାବରେ କାହ୍ନୁଚରଣ ପୁନିକୁ ଉପସ୍ଥାପିତ କରିଅଛନ୍ତି ।

 

ଧୋବୀବୋଉ:–ଧୋବୀବୋଉଙ୍କର ଚରିତ୍ରକୁ ଲେଖକ ଆମ ସମାଜ ଜୀବନର ଜଣେ ସାଧାରଣ ନାରୀ ଭାବରେ ଚିତ୍ରିତ କରିଛନ୍ତି ମାତ୍ର ସେହି ସାଧାରଣ ନାରୀ ଭିତରେ ଅସାଧାରଣ ପ୍ରକୃତି ବଳେ ବଳେ ଫୁଟି ଉଠିଛି । ଚିନ୍ତେଇ ସୋଇଁଙ୍କର ପତ୍ନୀ ସେ । ମାତ୍ର ଚିନ୍ତେଇଙ୍କର ପ୍ରକୃତିର ବିପରୀତ ପ୍ରକୃତି ତାଙ୍କର । ଚିନ୍ତେଇ ସୋଇଁ ଓ ଧୋବୀ ବୋଉଙ୍କର ଚରିତ୍ରଗତ ପାର୍ଥକ୍ୟ ଦେଖିଲେ ମନେପଡ଼େ ରାମଚନ୍ଦ୍ର ମଙ୍ଗରାଜ ଆଉ ସାଆନ୍ତାଣୀଙ୍କ କଥା । ଚିନ୍ତେଇ କେବେହେଲେ ଧୋବୀବୋଉଙ୍କର ମତାମତର ମୂଲ୍ୟ ଦେଇ ନାହାନ୍ତି । ସେ ତାଙ୍କର କଥାକୁ ସବୁବେଳେ ଅବହେଳା କରିଅଛନ୍ତି ।

 

ଧୋବୀବୋଉ ଥିଲେ କାକବନ୍ଧ୍ୟା । ତେଣୁ ତାଙ୍କ ମନର ବାସନାକୁ ସେ ନିଧେଇ ସୋଇଁଙ୍କର ସନ୍ତାନମାନଙ୍କୁ ଲାଳନ ପାଳନ କରି ପରିତୃପ୍ତ କରିଅଛନ୍ତି । ନିଧେଇଙ୍କ ପ୍ରତି ତାଙ୍କର ଅଟଳ ସ୍ନେହ । ଧୋବୀ ଯେତେବେଳେ ହାତରେ ଶଙ୍ଖାଭାଙ୍ଗି, ମୁଣ୍ଡର ସିନ୍ଦୁର ପୋଛି ଦୁର୍ଗାପୁରରୁ ଫେରିଆସିଲା ସେତେବେଳେ ଧୋବୀବୋଉ ଝିଅର ଦୁଃଖରେ ଯେ କି ଅନୁଭୁତି ଲାଭ କରିଛନ୍ତି ତାହା ବର୍ଣ୍ଣନା ବାହାରେ । ସେଥିପାଇଁ ସେ ଧୋବୀର ପୁନର୍ବିବାହ ସପକ୍ଷରେ ମତ ଦେଇ ବହୁତ ଚେଷ୍ଟା କରିଅଛନ୍ତି । ମା ବୁଝେ ଝିଅର ବେଦନା-ସେହି ବେଦନା ବୁଝି ଧୋବୀବୋଉ ଚିନ୍ତେଇ ଓ ନିଧେଇଙ୍କ ପାଖରେ କାକୁତି ମିନତି ଭରା ସ୍ୱରରେ ଅଳି କରିଥିଲେ, ‘‘ଆଜି ତମମାନଙ୍କ ମୁହଁରୁ ସ୍ଥିର ଜବାବ ମୁଁ ଶୁଣିବାକୁ ଚାହେଁ । ଧୋବୀ ସମ୍ୱନ୍ଧରେ ସନେଇକୁ ସ୍ଥିର କର । ଦୁହିଁଙ୍କ ଜୀବନକୁ ପୋଡ଼ିଜାଳି ଛାରଖାର କରନାହିଁ । ଶଶୁର ଘରର ସବୁ ସମ୍ପତ୍ତି ଧୋବୀ ବିନର୍ବୟ କରୁଛି । କାହିଁକି ? ଥରେ ଭାବି ଦେଖ । ଖାଲି ଉପରେ ଉପରେ ଭାସିଗଲେ ତ ହେବ ନାହିଁ । ’’ ଚିନ୍ତେଇ ସୋଇଁ ଭାସି ଯାଇଥିଲେ ଉପରେ ଉପରେ ମାତ୍ର ଧୋବୀ ବୋଉ ଜାଣିଛନ୍ତି ପ୍ରକୃତ ସମସ୍ୟା । ଧୋବୀର ବିଭାଘର ପାଇଁ ସେ ନିଧେଇଙ୍କଠାରୁ ପୂର୍ଣ୍ଣ ସମର୍ଥନ ଆଶା କରିଛନ୍ତି, ପାଇଛନ୍ତି ମଧ୍ୟ । ମାତ୍ର ଚିନ୍ତେଇ ସୋଇଁଙ୍କ ମତ ବିରୁଦ୍ଧରେ ପ୍ରତ୍ୟକ୍ଷ ଭାବରେ ଠିଆ ହେବାର ଶକ୍ତି ନିଧେଇଙ୍କର ନ ଥିବାରୁ ଧୋବୀବୋଉ ନିଧେଇଙ୍କୁ ତିରସ୍କାର କରିଛନ୍ତି । ଧୋବୀବୋଉ ମୃତ୍ୟୁ ଶଯ୍ୟାରେ ଧୋବୀ ସହିତ ସନେଇର ବାହାଘର କରିଦେବାପାଇଁ ସ୍ୱାମୀଙ୍କୁ ଅନୁରୋଧ କରି ଆଖି ବୁଜିଛନ୍ତି ।

 

ଧୋବୀବୋଉଙ୍କର ସ୍ନେହ ମମତା ଅତି ବେଶୀ ଥିଲା । ନିଧେଇ ସୋଇଁଙ୍କର ପିଲାମାନଙ୍କୁ ସେ ଅତ୍ୟନ୍ତ ଆପଣାର କରି ଲାଳନ ପାଳନ କରିଥିଲେ । ନିଧେଇ ଓ ତାଙ୍କ ପିଲାମାନଙ୍କ ପ୍ରତି ତାଙ୍କର ମମତା ଏତେ ପରିମାଣରେ ଥିଲା ଯେ ଯେତେବେଳେ ନିଧେଇ କହିଛନ୍ତି, ଯଦି ଚିନ୍ତେଇ ସୋଇଁ ଧୋବୀର ବାହାଘର ପାଇଁ ଅସମ୍ମତ ହୋଇ ବିଦେଇକୁ ଧୋବୀର ପୋଷ୍ୟପୁତ୍ର କରିବାକୁ ବାଧ୍ୟ କରନ୍ତି ତେବେ ସେ ପିଲାମାନଙ୍କ ନେଇ ଅନ୍ୟତ୍ର ଚାଲିଯିବେ ସେତେବେଳେ ଧୋବୀ ବୋଉ ଅତ୍ୟନ୍ତ ରାଗିଯାଇ କହିଛନ୍ତି, ପିଲାମାନଙ୍କ କଥା ମୁହଁରେ ଧରିଲେ ସେ ଘରେ ନିଆଁ ଲଗାଇ ଦେବେ । ପୁଣି ନିଧେଇ କହିଛନ୍ତି, ତାହାହେଲେ ସେ ଏକା ଏକା ଘରଛାଡ଼ି ଚାଲିଯିବେ । ନିଧେଇଙ୍କୁ ଧୋବୀବୋଉ ଉତ୍ତରରେ କହିଥିଲେ, ‘‘ନିର୍ଲ୍ଲଜ ! ଚାଲିଯିବ କୁଆଡ଼େ ? ଭାବିଛକି ରାମା ଶାମାଙ୍କ କାନ୍ଧରେ ବୁହାହୋଇ ମୁଁ ମଶାଣିକୁ ଯିବି ? ତମର କ’ଣ ଦିନେ କେବେ ମୁଁ କିଛି କରିନାହିଁ ? ସେ କଥା ହେବନାହିଁ ନିଧେଇ । ନିଜ କାନ୍ଧରେ ନେଇ ମଶାଣି ଭୂଇଁରେ ମୋତେ ପୋଡ଼ି ପାଉଁଶ କରିବ, ତା ପରେ ଯାହା ତମେ କରୁଥା ।’’ ଏହି ଉକ୍ତି ଭିତରେ ଧୋବୀବୋଉଙ୍କର ହୃଦୟ ମହତ୍ତ୍ୱ ପ୍ରକାଶ ପାଇଅଛି । ନିଧେଇ ସୋଇଁଙ୍କ ପ୍ରତି ଧୋବୀ ବୋଉଙ୍କର ମମତା ଗଭୀରତା ଅକଳନୀୟ । ନିଧେଇ ତାଙ୍କ ଆଖିରେ ଦିଅର ନୁହଁନ୍ତି, ସେ ତାଙ୍କର ଜନ୍ମକଲା ପୁଅ । ସ୍ନେହମୟୀ ମାଆ ଯେତେବେଳେ ଦେଖିଛନ୍ତି ଯେ ତାଙ୍କର ଅନ୍ତର ବ୍ୟଥା ସ୍ୱାମୀ ବା ଦିଅର କେହି ବୁଝୁନାହାନ୍ତି ସେତେବେଳେ ସେ ଅଭିମାନରେ ଭାଙ୍ଗି ପଡ଼ିଛନ୍ତି । ନିଜର ଲୁହରେ ସେ ଦୁଃଖକୁ ଭସାଇ ଦେବାକୁ ଚାହିଁଛନ୍ତି । ତେଣୁ ତାଙ୍କ ମୁହଁରୁ ବାହାରିଛି, ‘‘ନା, ଆଜିଠୁ ମୁଁ ଆଉ ଧୋବୀ ନାଆଁ ତୁଣ୍ଡରେ ଧରିବି ନାହିଁ । ଜନ୍ମସିନା କରିଥିଲି ମୁଇଁ, ପାଳିଛ ତ ତମେ ନିଧେଇ । ଯେଉଁଦିନ ସେ ମୁଣ୍ଡରୁ ସିନ୍ଦୁର ପୋଚିଛି, ସେଇଦିନୁ ସେ ମରିଛି, ସେ ମରିଛି ।’’ ଏତିକି କହି କାନ୍ଦି ଉଠିଲେ ଧୋବୀବୋଉ । ସତେ ଯେପରି ଜଗତଟା ତାଙ୍କର ବାତ୍ସଲ୍ୟ ମମତାକୁ ବୁଝିବାକୁ ଅକ୍ଷମ ।

 

ମାତୃତ୍ୱର ଅମୃତ ଉପାଦାନରେ ଗଢ଼ା ଧୋବୀବୋଉଙ୍କର ଚରିତ୍ର ସ୍ରଷ୍ଟା କାହ୍ନୁଚରଣଙ୍କ ଲେଖନୀରେ ଯେ ଯଥାର୍ଥ ରୂପେ ପରିଗ୍ରହ କରିଛି, କହିବା ବାହୁଲ୍ୟ ମାତ୍ର ।

 

ଟିମି:- ଟିମି ଶାସ୍ତି ଉପନ୍ୟାସର ଏକ ଗୌଣ ଚରିତ୍ର ହେଲେହେଁ ତା ଜୀବନର କରୁଣ କାହାଣୀ ପାଠକକୁ ବିଚଳିତ କରେ । ଭାଗ୍ୟର କ୍ରୀଡ଼ନକ ଭଳି ଟିମି ତାର ଜୀବନର ସବୁ ସରସତା ହଜେଇ ସାରିଛି । ଟିମି ତା ଜୀବନର କରୁଣ କାହାଣୀ ଧୋବୀ ଆଗରେ ବର୍ଣ୍ଣନା କରିଛି, ‘‘ମୋ ଜୀବନରେ ଶାନ୍ତି ନାହିଁ । ଖାଲି ଛଟପଟ ଡହଳ ବିକଳ ହେବାର କଥା । ଘରଦ୍ୱାର ଛାଡ଼ି ପେଟ ବିକଳରେ ସେ କୁଆଡ଼େ ଚାଲିଗଲା । ମୁଁ ଆସି ବାପ ଘରେ ପଶିଲି । ଏତେ ଲୋକ ଫେରି ଆଇଲେ ସେ ଫେରିଲା ନାହିଁ ।’’ ନ’ଅଙ୍କ ଦୁର୍ଭିକ୍ଷର ଦାଉରେ ଯେଉଁମାନେ ଗାଁ ଗଣ୍ଡା ଛାଡ଼ି ପେଟ ଚାଖଣ୍ଡକ ପାଇଁ ଅନିର୍ଦ୍ଦିଷ୍ଟ ପଥର ପଥିକ ହୋଇଥିଲେ ସେମାନେ ଦୁର୍ଭିକ୍ଷ ପରେ ଜୀବନ ଧରି କେତେକ ପରିମାଣରେ ଫେରି ଆସିଥିଲେ । ମାତ୍ର ଟିମିର ସ୍ୱାମୀ ବିଶୁନିଆ ଫେରି ନଥାଏ ବୋଲି ଟିମି ମନରେ ଅସରନ୍ତି କ୍ଷୋଭ ।

 

ବିଶୁନିଆର ହାତଧରି ଟିମି ଆଦୌ ସୁଖୀ ହୋଇ ପାରି ନଥିଲା । ବିଶୁନିଆ ଗରୀବ ବଢ଼େଇ । ମୂଲଲାଗି ଯେତିକି ରୋଜଗାର କରେ ତାର ଅଧା ଖର୍ଚ୍ଚ କରେ ମଦପିଆ ଓ ଗଞ୍ଜେଇ ଟଣାରେ । ବାକି ଅଧକ ପେଟକୁ ନିଅଣ୍ଟ । ଅଭାବ ଅନାଟନର ଦୁଃଖ ଭିତରେ ବିଶୁନିଆ ଟିମିକୁ ମାଡ଼ ଦେଇ ତାର ମନର ରାଗକୁ ଶାନ୍ତ କରେ । ଯେତେ ମାଡ଼ ଖାଇଲେବି ଟିମି ପ୍ରତି କେହି ସହାନୁଭୂତି ଦେଖାନ୍ତି ନାହିଁ । ବିଶୁନିଆର ଅତ୍ୟାଚାର ସହି ନପାରି ଟିମି ବାପଘରକୁ ପଳାଇ ଆସିଥିଲା । ବିଶୁନିଆ ତାକୁ ଫେରାଇ ନେବାପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଟିମି ଆଉ ତା ପାଖକୁ ଯାଇନାହିଁ । ତା ପରେ ବିଶୁନିଆ ହୋଇଛି ନିରୁଦ୍ଦିଷ୍ଟ । ବିଶୁନିଆର ଫେରି ଆସିବାକୁ ଟିମି ଓ ତାର ବାପା ଅପେକ୍ଷା କରିଥିଲେ । ଟିମି ବିଶୁନିଆକୁ ଫେରି ପାଇବା ପାଇଁ ଓଷାବ୍ରତ କରିଛି ବୋଲି ସମାଜ ଭାବେ । ମାତ୍ର ପ୍ରକୃତ ପକ୍ଷରେ ସମାଜ ଆଉ ମନ ଭିତରେ କେତେ ତଫାତ୍ । ଟିମିର ମନ ଯେତେବେଳେ ଜଳିପୋଡ଼ି ପାଉଁଶ ହୋଇଯାଇଛି ସେତେବେଳେ ସେ ପ୍ରକାଶ କରିଅଛି, ‘‘ଉଜାଗର ହୋଇ ବରତ କରିବି, ଠାକୁରଙ୍କ ପାଖେ ଗୁହାରି କରିବି, ସେ ଫେରିଆସୁ, ମଦ ପାଣି ପିଇ ଗଞ୍ଜେଇ ଫୁଙ୍କି ମୋ ପିଠିରେ ହାତସୁଖ ମାରୁ ? ନାଇଁଲୋ ଧୋବୀ ଲୋକେ ପଛେ ସେଇଆ ଭାବନ୍ତୁ ମୁଁ ବରତ କରୁଛି, କିଏ କୋଉଠୁ ଆସି ଆଖିରେ ଦେଖିଲା କଥା କହୁ, ବିଶୁନିଆର ମରଣ ଦେଖିଛି ।’’ ବିଶୁନିଆ ଠାରୁ ମୁକ୍ତି ପାଇବା ପାଇଁ ସତେ ଯେପରି ଟିମି ପାଗଳୀ ହୋଇ ଯାଇଛି । ବିବାହର ବନ୍ଧନ ଟିମି ପାଖରେ ଏକ ଅନୁଷ୍ଠାନର ବନ୍ଧନ-ମାତ୍ର ମନ ସହିତ ମନର ବନ୍ଧନ ନୁହେଁ ।

 

ଟିମି ପାଖରେ ବଡ଼ ପ୍ରଶ୍ନ ଦେହର ପ୍ରଶ୍ନ ଆଉ ମନର ପ୍ରଶ୍ନ । ରକ୍ତମାଂସର ଦେହଧରି ତାର ଦାବୀକୁ ଅସ୍ୱୀକାର କରିପାରିନି ଟିମି । ସମାଜକୁ ଫାଙ୍କିଦେବା ପାଇଁ ଟିମି ଚନ୍ଦରା ସାଙ୍ଗରେ ଘର ଛାଡ଼ି ପଳାଇ ଯାଇଛି । ଟିମିର ଏ କାର୍ଯ୍ୟପାଇଁ ଟିମିର ବାପାଙ୍କୁ ସମାଜରେ ପ୍ରାୟଶ୍ଚିତ କରିବାକୁ ପଡ଼ିଛି । ମାତ୍ର ଟିମି ଏ ଧରାବନ୍ଧା ସମାଜରେ ଶ୍ୱାସରୁଦ୍ଧା ହୋଇ ନିଜର ପଥ ବାଛି ନେଇଛି । ଜଣକ ସହିତ ତାର ଆନୁଷ୍ଠାନିକ ବନ୍ଧନ ହୋଇଥିଲା ବୋଲି ତାରି ପାଇଁ ଜୀବନକୁ ହନ୍ତସନ୍ତ କରିବାର ଯଥାର୍ଥ୍ୟକୁ ସେ ଅସ୍ୱୀକାର କରିଛି ।

 

ମଧୁଭୋଇ:- ମଧୁଭୋଇ ଦୁର୍ଗାପୁରର ଜିତେଇ ନାୟକଙ୍କର କୋଠିଆ ଚାକର । ଜାତିର ସେ ବାଉରୀ । ମଧୁଭୋଇ ସାଆନ୍ତଙ୍କ ଘର ଗୋରୁ ଖୋଜିବାକୁ ଯାଇଥିବା ସମୟରେ ପୁନିକୁ ପାଇଛି । ପୁନି ନଅଙ୍କ ଦୁର୍ଭିକ୍ଷର ଦାଉରେ ଚାରିଆଡ଼େ ବୁଲି ବୁଲି ଦୁର୍ଗାପୁରରେ ଅନ୍ନଛତ୍ର ଖୋଲିଥିବା ସମ୍ୱାଦ ପାଇ ଆସିଥିଲା । ସେ ଆସି ସେଠାରେ ହଇଜାରେ ଆକ୍ରାନ୍ତ ହେଇ ପଡ଼ିଆ ମଝିରେ ଚେତାଶୂନ୍ୟା ଭଳି ପଡ଼ିଥିଲା । ତା ପାଟିରୁ କେବଳ କ୍ଷୀଣସ୍ୱରରେ ଶୁଭିଥିଲା-ପାଣି, ପାଣି । ମଧୁଭୋଇ ତା ପାଖକୁ ଯାଇଛି ଓ ମଣିଷମୁଣ୍ଡ ଖପୁରି ହାଡ଼ରେ ପାଣି ଆଣି ତା ମୁହଁରେ ଦେଇଛି । ସେ ପୁନିକୁ ତା ଘରକୁ ଆଣିଛି । ତାକୁ ଭଲ କରିଛି । ତାକୁ ଗ୍ରହଣ କରିଛି ।

 

ମଧୁଭୋଇକୁ ଲେଖକ ଜଣେ ହୁଣ୍ଡାଚରିତ୍ର ଭାବରେ ସୃଷ୍ଟି କରିଅଛନ୍ତି । ଗାଁ ଲୋକମାନେ ଯେତେବେଳେ ହଇଜା ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବାକୁ ବୁଦାମୂଳେ ପଣା ହାଣ୍ଡି ଦେଇଆସନ୍ତି ମଧୁଆ ଯାଇ ତାକୁ ପିଇଦେଇ ଆସେ । ମଧୁଆ ଦିନେ ଆମ୍ୱଗଛ ଉପରେ ବସି ଘୁମେଇଁ ପଡ଼ିଥିଲା । ଗୋଟିଏ ଦନ୍ତାମାଙ୍କଡ଼ ତାକୁ ଚଟକଣା ମାରିଥିଲା । ମଧୁଆ ସେ ମାଙ୍କଡ଼ ଉପରେ ରାଗରଖି ତାକୁ ଆଉ ଦିନେ କୌଶଳ କ୍ରମେ ଧରି ନଈ ପାଣିରେ ବୁଡ଼ାଇ ତାକୁ ଶାସ୍ତି ଦେଇଥିଲା । ଭୁତ ଧରିବାକୁ ଯାଇ ରାତିରେ ମଶାଣିରେ ଜଗିବସେ ମଧୁଆ । ଏହିପରି ତାର ହୁଣ୍ଡାପଣିଆ ବିଷୟରେ ବହୁତ କଥା ଶୁଣାଯାଏ । ମଧୁଆ ପୁନିକୁ ତା ଘରକୁ ନେଇଥିଲା ଆଉ ଗୋଟିଏ ଆଶାରେ, ଯଦି ପୁନି ଭଲ ନ ହୋଇ ମରିଯାଏ ତେବେ ସେ ତାର କୁଆଁରୀ ହାଡ଼ ପାଇ ଯାଦୁବିଦ୍ୟା ଦେଖାଇବ ।

 

ପୁନି ଭଲ ହୋଇଯିବା ପରେ ମଧୁଆ ତାକୁ ବହୁତ ନିର୍ମମ ବ୍ୟବହାର କରି ଘରୁ ତଡ଼ିଦେବାକୁ ଚାହିଁଛି । ମାତ୍ର ସେ ଯେତେ ନିର୍ମମ ବ୍ୟବହାର କଲେହେଁ ପୁନି ତା ଘରୁ ଗଲା ନାହିଁ । ପୁନି ଓ ମଧୁଆ ଦୁହେଁ ଘର ସଂସାର କରି ସୁଖରେ ରହିଲେ । ପୁନି ପ୍ରତି ମଧୁଆର ପ୍ରୀତି ପରେ ଘନୀଭୂତ ହୋଇଥିଲା । ସେ ଯେଉଁଠୁ ଯାହା ପାଏ ପୁନି ପାଇଁ ନେଇଆସେ । ଧୋବୀ ଯେତେବେଳେ ତାକୁ ଖାଇବା ପାଇଁ କାକରା ପିଠା ଦେଇଛି ସେତେବେଳେ ସେ ତାକୁ କାନିରେ ବାନ୍ଧିଛି । ପୁନିକୁ ନ ଦେଇ ସେ ଏକା ବା କିପରି ଖାଇବ ? ପୁନି ପ୍ରତି ତାର ଆନ୍ତରିକତା ବିଶେଷ ଭାବରେ ଲକ୍ଷ୍ୟ କରିବାର କଥା । ମଧୁଆର ପାରିଲା ପଣ ଦେଖି ଧୋବୀ ତା ଉପରେ ବିଶେଷ ଭାବରେ ସନ୍ତୁଷ୍ଟ ଥାଏ । ପୁନି ଓ ମଧୁଆର ଦାମ୍ପତ୍ୟ ଜୀବନ ବିଷୟରେ ଲେଖକ ଲେଖିଛନ୍ତି, ‘‘ଆତ୍ମାକୁ ଚିହ୍ନିଲା ଆତ୍ମା । ପ୍ରେମ କଣ ନଜାଣି ମଧ୍ୟ ଦିହେଁ ଅନୁଭବ କରୁଥିଲେ । ଜଣକଛଡ଼ା ଆଉ ଜଣଙ୍କର ସଂସାରରେ ଆଉ କେହି ନାହିଁ । ଜଣକୁ ଛାଡ଼ି ଆଉ ଜଣେ ରହିପାରିବ ନାହିଁ । ଜଣକ ଉପରେ ନିର୍ଭର କରିବାର ଏତେ ଆନନ୍ଦ, ଏତେ ସୁଖ, ଉତ୍ତେଜନା ଅଛି ? ପୁଲକର ସ୍ନିଗ୍‌ଧ ଅଜଣା ଶିହରଣରେ ଥରି ଉଠନ୍ତି ଦିହେଁ । କେତେ ସ୍ୱପ୍ନର କଳ୍ପନାରେ ପୂରିଉଠେ ଦୁହିଁଙ୍କର ମନ । ଘର ସଂସାର, ଭବିଷ୍ୟତ ।’’

 

ସମାଜର ନାଲି ଆଖିକୁ ମଧୁଆ ଖାତିରି କରି ନାହିଁ । ସେ ତାର ମନର ଆଦର୍ଶରେ ଗଢ଼ିଛି ନିଜର ଜୀବନ, ନିଜର ସଂସାର । ସମାଜ ଯେତେବେଳେ ତାକୁ ନାଲି ଆଖି ଦେଖାଇ ଧମକ ଦେଇଛି ସେତେବେଳେ ମଧୁଆ ଛାତି ଫୁଲେଇ କହିଛି, ‘‘ଜାତିରେ ମୁଁ ଛତର ଖିଆ’’ । ଠିକ୍ ସେହିପରି ପୁନି କହିଛି ‘‘ମୁଁ ଛତରଖାଈଟା’’ । ମଧୁଭୋଇର ଆଦର୍ଶ ସମାଜର ନୁହେଁ, ହୃଦୟର ।

 

ଅନ୍ୟାନ୍ୟ ଗୌଣଚରିତ୍ର:- ଶାସ୍ତି ଉପନ୍ୟାସର କଳେବର ମଧ୍ୟରେ ଅନ୍ୟାନ୍ୟ ଗୌଣ ଚରିତ୍ରମାନଙ୍କର କଥାବସ୍ତୁକୁ ଯଥେଷ୍ଟ ଦାନ ରହିଅଛି । ଧୋବୀର ଖୁଡ଼ୀ ଅର୍ଥାତ୍ ନିଧେଇ ସୋଇଁଙ୍କର ସ୍ତ୍ରୀଙ୍କର ପ୍ରକୃତି ନିଧେଇଙ୍କ ପ୍ରକୃତିର ଅନୁରୂପ ନୁହେଁ । ନିଧେଇ ଧୋବୀକୁ ଅତ୍ୟନ୍ତ ସ୍ନେହ କରିବାଟାକୁ ସେ ପସନ୍ଦ କରନ୍ତି ନାହିଁ । ତାଙ୍କ ଚରିତ୍ରର ସ୍ୱାଭାବିକତା ରକ୍ଷିତ ହୋଇଅଛି ।

 

ସନିଆର ଘରେ ଆଶ୍ରୟ ନେଇଥିବା ରହିମ୍ ଜଣେ ମୁସଲମାନ ପିଲା । ସେ ସନିଆର ଘରେ ଆଶ୍ରୟ ନେବା ପରେ ପ୍ରଥମେ ସନିଆ ତାକୁ ଅସ୍ପୃଶ୍ୟ ଭାବରେ ସ୍ଥାନ ଦେଇଥିଲା । ମାତ୍ର ପରେ ତା ପ୍ରତି ସନିଆର ମନୋଭାବର ପରିବର୍ତ୍ତନ ହୋଇଅଛି ।

 

ଭରଥ, କାଶୀ ଆଉ ଯୋହନକକା ସମସ୍ତେ ଏକ ଆଦର୍ଶ ପରିବାର ଗଢ଼ିଥିଲେ ସନିଆର ଘରେ । ଭରଥ ଯେତେବେଳେ ପ୍ରଥମେ ସନିଆର ଘରେ ଆଶ୍ରୟ ନେବାକୁ ଆସିଥିଲା ସେତେବେଳେ ସନିଆର ମାନବିକ ଧର୍ମକୁ ପୂର୍ଣ୍ଣପ୍ରାଣରେ ସେ ଗ୍ରହଣ କରି ପାରି ନଥିଲା । ସନିଆର ଏ ପ୍ରକାର ବ୍ୟବହାରକୁ ସେ ଅନାଚାର ଭାବି ସେଠାରୁ ଚାଲିଯିବାକୁ ବସିଥିଲା । ମାତ୍ର ପରେ ତା ନିଜର ଭ୍ରମ ସେ ବୁଝିପାରିଛି-ସେ ସ୍ଥାନ ଆଉ ସେ ତ୍ୟାଗ କରିପାରି ନାହିଁ । ଯେଉଁମାନେ ସନିଆ ଘରେ ଆସି ରହିଲେ ସମସ୍ତେ ପରିଶ୍ରମ କଲେ, ଆନନ୍ଦର ସଂସାର, ସୁଖର ସଂସାର ଗଢ଼ିଲେ । ସନିଆ ଯେଉଁଦିନ କଇଁକୁ ଗ୍ରହଣ କଲା ସେଦିନ ବର୍ଣ୍ଣନାରେ ଲେଖକ ଲେଖିଛନ୍ତି,

 

‘‘ଦୁର୍ଭିକ୍ଷ ବାହୁଡ଼ା ଯୋହନ୍ କକା ଯେଉଁଠି ବସି ରହିମ୍, ଭରଥ, କାଶିଙ୍କୁ ବୁଝାଉଥିଲେ ଜୀବନ ଓ କର୍ମର ମହତ୍ତ୍ୱ, ସେଇଠି କଇଁର ହାତ ଧରି ସନେଇ ମିଳିଲା । ମନର କଥା ସମସ୍ତଙ୍କୁ କହିଲା । ଯୋହନ କକାଙ୍କର ଗୋଡ଼ ପାଖରେ ଦିହେଁ ଲଗାଇଲେ ମୁଣ୍ଡ । ବିହ୍ୱଳହୋଇ ଦୁହିଙ୍କ ମୁଣ୍ଡରେ ଦୁଇହାତ ରଖି କକା କଲ୍ୟାଣ କଲେ, ଦୀର୍ଘାୟୁ ହୁଅରେ ପିଲାଦିହେଁ ମୋର, ତମର ପ୍ରେମ ଅଟଳ ହେଉ, ଜୀବନ ସାର୍ଥକ ହେଉ । ଦିହେଁ ଉଠି ଭରଥ ସାମଲ, କାଶିବେଜଙ୍କୁ ପ୍ରଣାମ କଲେ । ସେ ଦିହେଁ ଏକ ସ୍ୱରରେ କହି ଉଠିଲେ ଦୀର୍ଘାୟୁ ହୁଅ । ଦୁହିଁଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କଲା ରହିମ୍ । ସନେଇ ରହିମ୍‌ର ଗୋଟିଏ ହାତଧରି ଗଦ୍‌ଗଦ କଣ୍ଠରେ କହିଲା; ତୁଇ ମୋର ପିଲା ରହିମ୍, ତତେ ମୁଁ ଆଶୀର୍ବାଦ କରୁଛି । ରହିମ୍‌ର ଆର ହାତ ଧରିଲା କଇଁ, ଗେହ୍ଲେଇ କହିଲା, ନାଇଁ, ନାଇଁ ସେ ମୋର ଭାଇ, ନୁହେଁ ତମର, କହ ରହିମ୍ କହ ।’’

 

ସେମାନଙ୍କର ସାମୂହିକ ଜୀବନର ଆନନ୍ଦରେ ନିଜକୁ ଭସାଇ ଦେଇଥିଲା ସନିଆ । ସନିଆ ଜୀବନର ପରିବର୍ତ୍ତନରେ ସେମାନଙ୍କ ଦାନ ଯଥେଷ୍ଟ । ସନିଆ ଚରିତ୍ର ଅପ୍ରକାଶିତ ଦିଗଗୁଡ଼ିକ ସେମାନେ ପ୍ରକାଶ କରିଛନ୍ତି । ସେମାନଙ୍କ ପାଇଁ ହିଁ ସନିଆ ଆତ୍ମକୈନ୍ଦ୍ରିକ ସୁଖକୁ ଜଳାଞ୍ଜଳି ଦେଇଅଛି-ଚିନ୍ତେଇ ସୋଇଁଙ୍କର ଦାନ ପ୍ରତ୍ୟାଖ୍ୟାନ କରିଅଛି ।

☆☆☆

 

ଶାସ୍ତିରେ ସମାଜଚିତ୍ର

 

ଶାସ୍ତି ଉପନ୍ୟାସରେ କାହ୍ନୁଚରଣ ଯେଉଁ ସମାଜଚିତ୍ର ପ୍ରଦାନ କରିଛନ୍ତି ତାହା ଅତ୍ୟନ୍ତ ବାସ୍ତବ ହୋଇଅଛି । ଆମ ସମାଜରେ କାହିଁ କେଉଁ ପୂର୍ବକାଳରୁ ଯେଉଁ ଚଳଣି, ଆଚାର, ବିଚାର, ପରମ୍ପରା ଗଡ଼ିଗଡ଼ି ଆସିଛି ତାକୁ ହିଁ ଆମେ ନିତାନ୍ତ ରକ୍ଷଣଶୀଳ ଭାବରେ ମାନି ଆସୁଅଛୁ । ଆମ ସମାଜରେ ଯଦି କେହି ସଂସ୍କାର ଆଣିବା ଉଦ୍ଦେଶ୍ୟରେ ନୂଆକଥାଟିଏ କରିବସେ ବା କହିବସେ ତାର ନିସ୍ତାର ନଥାଏ । ସମାଜପତିମାନେ ତାର ଗତିପଥକୁ ରୁଦ୍ଧ କରନ୍ତି । ଫଳରେ ସେ ସମସ୍ତଙ୍କର ଅସହଯୋଗରେ ପାତ୍ର ହୁଏ । ତେଣୁ ସେ ହୁଏତ ବାଧ୍ୟହୋଇ ସମାଜ ଛାଡ଼େ ନଚେତ୍‌ ତାର ସଂସ୍କାର ପ୍ରବୃତ୍ତିକୁ ଜଳାଞ୍ଜଳି ଦେଇ ସମାଜର ଧରାବନ୍ଧା ରୀତିନୀତି ଭିତରେ ନିଜକୁ ଭସାଇ ଦିଏ । କାହ୍ନୁଚରଣ ଆମର ପ୍ରଚଳିତ ସମାଜର ବହୁ ଦୋଷ ଦୁର୍ବଳତା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ନିଜର ସଂସ୍କାରଶୀଳ ନୋବୃତ୍ତି ଜରିଆରେ ସନିଆ ଦ୍ୱାରା ଗୋଟିଏ ନୂଆ ସମାଜ ଗଢ଼ିବାର ଆଦର୍ଶ ପ୍ରକାଶ କରିଅଛନ୍ତି । ମାତ୍ର ଏ ନୂଆ ସମାଜ ପ୍ରଚଳିତ ସମାଜର ସମକ୍ଷରେ ନିଜକୁ ପ୍ରତିଷ୍ଠିତ କରିପାରି ନାହିଁ ।

 

ନଅଙ୍କ ଦୁର୍ଭିକ୍ଷ ଦାଉରେ ଯେଉଁମାନେ ନିଜ ନିଜର ପ୍ରାଣ ବଞ୍ଚାଇବା ଆଶାରେ ଗାଁଗଣ୍ଡା, ଘରଦ୍ୱାର ଛାଡ଼ି, ଆତ୍ମୀୟ ସ୍ୱଜନମାନଙ୍କର ମମତାକୁ ଏଡ଼ିଦେଇ ଯେଝା ବାଟରେ ଆଗେଇ ଗଲେ ସେମାନେ ଯେ ସମାଜର ନୀତିକୁ ମନେରଖିଥିଲେ ଏ କଥା କେବେହେଲେ କୁହାଯାଇ ପାରିବ ନାହିଁ । ସେମାନେ ପେଟ ଚାଖଣ୍ଡକ ପାଇଁ କେତେ ଅପକର୍ମ କରି ବସିଲେ । ଏପରିକି ପେଟର କ୍ଷୁଧା ନିବାରଣ କରିବା ପାଇଁ ବହୁଲୋକ ମଣିଷର ମାଂସ ଖାଇଥିବାର ଶୁଣାଯାଇଛି । ଅନ୍ନଛତ୍ରରେ ସେମାନେ ଗଣ୍ଡିଏ ଖାଇବାକୁ ପାଇ ନିଜର ଜାତି ଗୋତ୍ର ହରାଇ ବସିଲେ । ନଅଙ୍କ ଦୁର୍ଭିକ୍ଷ ପରେ ସେମାନେ ଯେତେବେଳେ ନିଜର ଭିଟାମାଟିର ମମତାରେ ଟାଣିହୋଇ ଫେରିଆସିଲେ । ସେତେବେଳେ ସମାଜ ସେମାନଙ୍କୁ ବାସନ୍ଦ କରିଛି । ଛତରଖିଆର ପ୍ରାୟଶ୍ଚିତ ଆବଶ୍ୟକ । ପ୍ରାୟଶ୍ଚିତ ନକଲେ ହିନ୍ଦୁ ସମାଜ ସେମାନଙ୍କୁ ଗ୍ରହଣ କରି ନପାରେ ବୋଲି ପ୍ରକାଶ ପାଇଛି ।

 

ନଅଙ୍କ ଦୁର୍ଭିକ୍ଷ ଦାଉରୁ ରକ୍ଷା ପାଇ ଫେରିଥିବା କାଙ୍ଗାଳ ଯେ ପାରିଲା ସେ ପ୍ରାୟଶ୍ଚିତ କଲା, ଆଉ ଯେ ନପାରିଲ ସେ ହେଲା ବିଧର୍ମୀ । ଧର୍ମାନ୍ତର ଗ୍ରହଣ ଛଡ଼ା ତା ପକ୍ଷରେ ଆଉ କୌଣସି ସମ୍ଭାବନା ନଥିଲା । ଏହି ବିଷୟ ଫକୀର ମୋହନ ସେନାପତି ତାଙ୍କର ଆତ୍ମଜୀବନ ଚରିତରେ ଉଲ୍ଲେଖ କରିଛନ୍ତି । ସେତେବେଳେ ହିନ୍ଦୁ ସମାଜ ଯେଉଁମାନଙ୍କୁ ଛତରଖିଆ ଆଖ୍ୟା ଦେଇ ଦୂରକୁ ଠେଲିଦେଲା ସେମାନେ ଖ୍ରାଷ୍ଟିଆନ ପାଦ୍ରୀମାନଙ୍କର ଆଦରପୂର୍ଣ୍ଣ ବ୍ୟବହାରରେ ମୁଗ୍‌ଧ ହୋଇ ଧର୍ମାନ୍ତର ଗ୍ରହଣ କରି ନେଲେ । ଏହି ହିନ୍ଦୁ ଧର୍ମର, ସମାଜର ଏକ କଳଙ୍କିତ ଇତିହାସ ।

 

ବିଷ୍ଣୁପୁରକୁ ଫେରିଛି ସନିଆ । ଦୁର୍ଭିକ୍ଷ ଦାଉରୁ ନିଜକୁ ବଞ୍ଚାଇବାପାଇଁ ଯେଉଁ ଯେଉଁ ଅପକର୍ମଗୁଡ଼ିକ ସେ କରିଥିଲା ସବୁଗୁଡ଼ିକୁ ମୁକ୍ତ କଣ୍ଠରେ ସେ ସ୍ୱୀକାର କଲା । ମାତ୍ର ଏସବୁ ଶୁଣି ତାକୁ ସହାନୁଭୂତି ମିଶା କଥା ପଦେ କେହି କହିଲେ ନାହିଁ । ବରଂ ସେତେବେଳର ସମାଜରେ ଥିବା ତାରି ଅତି ଆପଣାର ଲୋକମାନେ ତାକୁ ଘୃଣାକରି ଦୂରେଇ ବସାଇଛନ୍ତି । ଛତରଖିଆର ପ୍ରାୟଶ୍ଚିତ ପାଇଁ କେତେ ପନ୍ଥା ବାହାରିଛି । କାହ୍ନୁଚରଣଙ୍କ ଭାଷାରେ, ‘‘ପ୍ରହରାଜେ କେତେ ଶ୍ଳୋକ ପଢ଼ି, ଅର୍ଥକରି ବ୍ୟବସ୍ଥା ଦେଲେ-ହୋମ ହେବ, ପଞ୍ଚଗବ୍ୟ ହେବ । ଶୁଦ୍ଧି, ପ୍ରାୟଶ୍ଚିତ୍ତ, ବ୍ରାହ୍ମଣ ଭୋଜନ, ଇଷ୍ଟଦେବ ଗୋପୀନାଥଙ୍କର ମାର୍ଜଣା ଓ ଅଷ୍ଟପ୍ରହରୀ । ଗ୍ରାମଦେବତୀ ଓ ମହାଦେବ ପୂଜା । ଏତେ କାମ କଲେ ଯାଇଁ ଦୋଷ ଖଣ୍ଡିବ । ସନିଆ ସମାଜରେ ପଶିବ, ଜାତିରେ ଚଳିବ । ନୋହିଲେ ସେ ପତିତ, ଅସ୍ପୃଶ୍ୟ । କାହାରି ପିଣ୍ଡାକୁ ଉଠିପାରିବ ନାହିଁ । କାହାର ବାସନ କୁସନରେ ଖାଇ ପାରିବ ନାହିଁ । କୂଅ ଛୁଇଁବ ନାହିଁ । ତାକୁ ଛୁଇଥଁଲେ ଲୋକେ ଛୁଆଁ ହେବେ । ଲୁଗା ଧୋଇବେ । ତାର ମୁହଁ ଚାହିଁଲେ ଅମଙ୍ଗଳ ହେବ । ସେ ଦେବ ମନ୍ଦିରରେ ପଶିପାରିବ ନାହିଁ । ମଣିଷ ହେଲେ ମଧ୍ୟ ତାକୁ ପ୍ରେତ ବୋଲି ଗଣିବାକୁ ହେବ ।’’

 

ଉନ୍ନବିଂଶ ଉତାବ୍ଦୀର ଏଇ ସମାଜ ନୀତି ଯେ କି ନିର୍ମମ ଭାବରେ ଲୋକମାନଙ୍କୁ ଆଘାତ କରିଥିଲା ତାହା ସହଜରେ ଅନୁମାନ କରାଯାଇ ପାରେ । ଗାଁର ପୁରୋହିତରୂପୀ ମୁନାଫାଖୋର କାଣ୍ଡଜ୍ଞାନଶୂନ୍ୟ ବ୍ୟକ୍ତିମାନଙ୍କର ଧର୍ମଶାସ୍ତ୍ରରେ ଥିବା ଶ୍ଳୋକରେ ସବୁ କଥା ଅଛି । ସେଇ ଶ୍ଳୋକର ମହିଁମାରେ ସେମାନେ ସମାଜର ଚାଳକରୂପେ ଯଥେଚ୍ଛାଚାର କରିଅଛନ୍ତି । ସମାଜର ନୀତି ନାମରେ ସେମାନେ ହିନ୍ଦୁ ସମାଜରେ ଭରିଦେଇଛନ୍ତି ବ୍ୟଭିଚାର । ଏହି ଶ୍ରେଣୀର ପୁରୋହିତମାନଙ୍କ ବିଷୟରେ ଲେଖକ ଲେଖିଛନ୍ତି, ‘‘ଦେହର ମାଲିକ ଯେଉଁ ପୁରୋହିତ, ଜୀବନ ସେପାରି ଆତ୍ମାର ବାଟ ଯେଉଁ ବ୍ରାହ୍ମଣ ଫିଟାଏ, ସ୍ୱର୍ଗ କି ନରକର ସିଡ଼ି ରହିଛି ଯାହା ହାତରେ, ଭଗବାନଙ୍କ ଧର୍ମ କଲ୍ୟାଣ ଗନ୍ତାଘରର ଚାବି ଯେଉଁମାନଙ୍କ ହାତରେ, ଯୁଗ ଯୁଗ ଧରି ଆତ୍ମାର ଉନ୍ନତି ପାଇଁ ଯେଉଁ ଆଇନ ଗଢ଼ା ହୋଇଛି, ସେ ସବୁ ବ୍ୟବହାର କରିବାର ଅଧିକାର ଯାହାର ହାତରେ ଅଛି, ବିନାକରରେ ତାର ମନ ତୁଟିଲା ନାହିଁ, ଆଇନ ଖୋଲିଲା ନାହିଁ ।’’ ହିନ୍ଦୁସମାଜରେ ସମାଜ ରୂପକ ନାବକୁ ଚଳାଉଥିବା ପୁରୋହିତର ଏହାହିଁ ଯଥାର୍ଥ ରୂପ । ପୁରୋହିତର ଉପଦେଶକୁ ଯେ ସମସ୍ତେ ସେ ସମୟରେ ମାନିନେଲେ, ତାହା ନୁହେଁ । ଯେଉଁମାନେ ସଙ୍ଗତିଶୂନ୍ୟ ସେମାନେ ହିନ୍ଦୁ ସମାଜକୁ ପରିହାସ କରି ପୁଣି ଅଛବ ହୋଇ ରହିଲେ । ଏହାର ପ୍ରକୃଷ୍ଟ ଉଦାହରଣ ପୁନି । ପୁନି ମଧୁଭୋଇର ବାହୁଛାୟା ତଳେ ଆଶ୍ରୟ ନେଇଛି । ପୁନି କେବଳ ଗୋଟିଏ ନୁହେଁ । ଓଡ଼ିଶାର ଅସଂଖ୍ୟ ଲୋକଙ୍କ ଭିତରେ ଏହିପରି କେତେକ ପୁନି ଧର୍ମକୁ, ସମାଜକୁ ଫାଙ୍କି ଦେଲେ । ସେଥିପାଇଁ କାହ୍ନୁଚରଣ ଲେଖିଛନ୍ତି, ‘‘ଶୃଙ୍ଖଳା ନାହିଁ ସମାଜରେ । ଯେତେବେଳେ ଧର୍ମ-ସମାଜ ଛଡ଼ା ସ୍ତ୍ରୀ ପୁରୁଷ ଏକାଠି ହେଲେ, ମିଳନର ଆକାଂକ୍ଷା ବଢ଼ିଲା । ସୃଜନ ପ୍ରେରଣାରେ ହାତଗଢ଼ା ଠାକୁର, ମନଗଢ଼ା ଧର୍ମ ନୀତି ଶିକ୍ଷା ପଛେଇ ରହିଲା । ଯାହାର ଯେଉଁଠି ମନ ମିଳିଲା ସେ ରହିଲା ତାହାରି ପାଖରେ । ଦରମଲା ସମାଜ ପାଟିକରି ଉଠିଲା, ଅଜାତି, ଅଛୁଆଁ, ପତିତ, ଛତରଖିଆ ।’’ ଉନବିଂଶ ଶତାବ୍ଦୀର ଏଇ ସମାଜକୁ ଲେଖକ ‘‘ଦରମଲା ସମାଜ’’ ବୋଲି ଅଭିହିତ କରିଅଛନ୍ତି ।

 

ଏହି ‘‘ଦରମଲା ସମାଜ’’ର ପ୍ରକୃଷ୍ଟରୂପ କାହ୍ନୁଚରଣ ପ୍ରକାଶ କରିଛନ୍ତି ପହରାଜଙ୍କ ସମ୍ପର୍କରେ ପରିଚୟ ଦେବା ସମୟରେ । ପରିଦଳେଇର ଭାଉଜର ନଳୀଗୋଡ଼ ଘାଆରେ ମାଛି ବସିଗଲା—ସେଇଟା ହେଲା ମାଛିଆପାତକ ଦୋଷ । ସେଥିପାଇଁ ପ୍ରାୟଶ୍ଚିତ କରିବାକୁ ହେଲେ ଖର୍ଚ୍ଚ ହେବା ପନ୍ଦର ଟଙ୍କା । ବିନିକଣ୍ଡିର ପଘାରେ ଗୋରୁ ମରିବାଠାରୁ ବଳି ଆଉ ପାପ ନାହିଁ । ଏଥିପାଇଁ ବଡ଼ ଧରଣର ପ୍ରାୟଶ୍ଚିତ୍ତ ଲୋଡ଼ା । ସେ ପ୍ରାୟଶ୍ଚିତ୍ତ ତାଲିକା କରିବା ସମୟସାପେକ୍ଷ । ସେବା ବେହେରାର ସ୍ତ୍ରୀ ବାଡ଼ିଟିଏ ପକାଇ ଦେବାରୁ ରୋଗଣା ବିରାଡ଼ିଟିଏ ମରିଗଲା । ସେଥିପାଇଁ ପ୍ରାୟଶ୍ଚିତ୍ତ ଦରକାର । ବିରାଡ଼ିର ସମାନ ଓଜନର ଲୁଣ ବ୍ରାହ୍ମଣକୁ ଦାନ କରିବାକୁ ହେବ । ଏହିପରି ଭାବରେ ଊନବିଂଶ ଶତାଦ୍ଦୀର ‘‘ଦରମଲା ସମାଜର’’ ପୁରୋହିତ ସମାଜକୁ ଧରି ରଖିବାକୁ କେତେ ନିୟମ ବାଢ଼ିଛନ୍ତି । ମାତ୍ର ପହରାଜଙ୍କର ନାତୁଣୀ, ବାଲ୍ୟବିଧା ପାର୍ବତୀ ତାଙ୍କ ଘରର ଚାକର ଶିବଘୋଷ ସହିତ ଯେଉଁ ପ୍ରକାର ପାପକାର୍ଯ୍ୟରେ ଲିପ୍ତ ତାର ହିସାବ ପହରାଜଙ୍କ ଭଳି ପୁରୋହିତ ରଖିପାରିଛନ୍ତି ତ ?

 

ମନର ଭୋକକୁ ମନରେ ମାରି ଏ ସମାଜରେ ବିଧବା ଯୁବତୀ ଲୋକଦେଖାଣିଆ ଭାବରେ ଯେପରି ଧର୍ମାଚରଣ କରେ ତାକୁ ସମାଜ ପ୍ରଶଂସା କରେ । ତାର ସ୍ୱର୍ଗର ପଥ ପରିଷ୍କାର ବୋଲି ସମାଜ ଘୋଷଣା କରେ । ଧୋବୀ ବିଷୟରେ ଲେଖକ ଏହିପରି କେତେକ ବିଷୟରେ ଉଲ୍ଲେଖ କରିଅଛନ୍ତି । ସୋମବାର, ଏକାଦଶୀ, ବହୁବ୍ରତ ପାଇଁ ଧୋବୀକୁ ବର୍ଷକରେ ଛଅମାସ ଉପବାସ କରିବାକୁ ପଡ଼େ । ପୁଣ୍ୟ ଅର୍ଜ୍ଜନ କରିବାପାଇଁ ପହାରାଜଙ୍କ ମୁହଁରୁ ଧୋବୀ ଅଧିକାଂଶ ଦିନ ପୁରାଣ ଶୁଣେ । କେବେ କେବେ ଭଲ ଦିନ ବାରରେ ହୋମହୁଏ । ବ୍ରାହ୍ମଣ ଭୋଜନ ମଧ୍ୟ ହୁଏ-। ବାହାରକୁ ବାହାରିଲେ ଧୋବୀ ଲୁଗା ବଦଳେ । ଅଛବ ଜାତିର କୌଣସି ଲୋକର ଛାଇ ପଡ଼ିଲେ ଧୋବୀ ସ୍ନାନ କରେ । ଏହିପରି ଭାବରେ ଏ ସମାଜରେ ବିଧବା ତା ଜୀବନ ଅତିବାହିତ କରେ-। ସମାଜ ଯେତେବେଳେ ନାଲି ଆଖି ଦେଖାଇ ବିଧବାକୁ ଏହି ପ୍ରକାର ଜୀବନ ଅତିବାହିତ କରିବାଲାଗି ନିର୍ଦ୍ଦେଶ ଦିଏ ସେତେବେଳେ କଣ ବିଧବା ତାର ଅନ୍ତଃକରଣରେ ଏହାର ଆବଶ୍ୟକତା ଉପଲବଧି କରେ ? କେବଳ ସେ ଲୋକଦେଖାଣିଆ ଭାବରେ ସବୁ କରେ-। ଟିମି ବିଧବା ନୁହେଁ । ମାତ୍ର ସେ ବାରବ୍ରତ ତେର ଉପବାସ କରେ । ସମାଜ ବୁଝେ ତାର ହଜିଲା ସ୍ୱାମୀକୁ ଫେରି ପାଇବା ପାଇଁ ସେ ଏହା କରୁଛି । ମାତ୍ର ଟିମିର ମନର କଥା ଏହା ନୁହେଁ-। ସ୍ୱାମୀର ଅତ୍ୟାଚାରରେ ସେ ଏତେଦୂର ନିର୍ଯାତିତା ହୋଇଥିଲେ ଯେ ତାର ସ୍ୱାମୀର ପ୍ରତ୍ୟାବର୍ତ୍ତନକୁ ସେ ଅପେକ୍ଷା କରି ନଥିଲା । ତେଣୁ ସେ ଧୋବୀ ଆଗରେ ନିଜର ମନର କଥା ଖୋଲି କହିବାବେଳେ ସତ୍ୟ ପ୍ରକାଶ ପାଇଛି । ସେ କହିଛି, ‘‘ଉଜାଗର ହୋଇ ବରତ କରିବି, ଠାକୁରଙ୍କ ପାଖେ ଗୁହାରି କରିବି, ସେ ଫେରି ଆସୁ x x x ନାଇଁଲୋ ଧୋବୀ, ଲୋକ ପଛେ ସେଇଆ ଭାବନ୍ତୁ ମୁଁ ବରତ କରୁଛି, କିଏ କୋଉଠୁ ଆସି ଦେଖିଲା କଥା କହୁ, ନିଷୁନିଆର ମରଣ ଦେଖିଛି ।’’ ତେଣୁ ସମାଜର କଥା, ମଣିଷ ମନର କଥା ନୁହେଁ । ସମାଜ କେବଳ ବାହାର ଦେଖାଣିଆ । ତା ଦେହରେ ମଣିଷ ମନର କୌଣସି ସ୍ୱାକ୍ଷର ନାହିଁ ।

 

ମଣିଷର ମନର କଥାକୁ ସମାଜ କେବେହେଲେ ଶୁଣିନାହିଁ । ଯେଉଁ ସ୍ଥାନରେ ସମାଜ ଦେଖେ ମଣିଷ ରକ୍ଷଣଶୀଳତାକୁ ଛାଡ଼ି ମନକୁ ଅଧିକ ଯୋର ଦେଉଛି ସେଠାରେ ସଜମାଛରେ ପୋକ ପଡ଼େ । ଧୋବୀର ମଧୁଭୋଇ ପ୍ରତି ସ୍ନେହ ମମତାକୁ ସମାଜ ଭଲ ଆଖିରେ ଦେଖେନାହିଁ । ସରଳା ନିଷ୍ପାପ ହୃଦୟା ଧୋବୀର ସ୍ନେହ ମମତାର ନିନ୍ଦାଗାନ କରିବାକୁ ଏଇ ସମାଜ ପଛେଇ ଯାଇ ନାହିଁ ।

 

ରକ୍ତ ମାଂସର ଶରୀର ଧରି, କାମନା ବାସନା ଉତ୍ତେଜନା ଭିତରେ ଧୋବୀ ଭଲ ପାଇଥିଲା ସନିଆକୁ । ସମାଜ ତାକୁ ବିଧବା କହେ । ମାତ୍ର ତାର ମନ ଗହନରେ ସେ କେବେହେଲେ ଏ କଥା ଗୁରୁତ୍ୱ ଦେଇନାହିଁ । ତଥାପି ସମାଜର ବେଷ୍ଟନୀ ମଧ୍ୟରେ ତାର ମାନସିକ ଦ୍ୱନ୍ଦ୍ୱ ତା ଜୀବନରେ ଭରି ଦେଇଛି ଅସଂଖ୍ୟ ଅସଫଳ ପ୍ରଶ୍ନବାଚୀ । ସେ ପ୍ରଶ୍ନବାଚୀ ଅସମାହିତ । ତେଣୁ ଧୋବୀର ଜୀବନ ଯେ କି ମର୍ମନ୍ତୁଦ ବ୍ୟଥାରେ ଭରି ଉଠିଥିଲେ ତାହା ଧୋବୀର କଥାରେ ହିଁ ଲେଖକ ପ୍ରକାଶ କରିଅଛନ୍ତି, ‘‘ମୋର ପୋଡ଼ିଲା ଜଳିଲା ଜୀବନରେ ଆଉ ସୁଖ ଆନନ୍ଦ ନାହିଁ । ମୁଁ ବିଧାବ, ସମାଜ, ଧର୍ମ, ଜାତିଆଣ, ଦୁନିଆଁ ଲୋକଙ୍କର ଭଲମନ୍ଦ କଥା, ମୋ ଚାରିପାଖେ କେତେ ପରସ୍ତକରି ଜାଲ ବେଢ଼ାଇ ରଖିଛି । ତାର ଭିତରେ ବନ୍ଦୀହୋଇ, ଗୁଡ଼େଇ ତୁଡ଼େଇ ହୋଇ ମୁଁ ଛଟପଟ ହୋଇ ଦୁଃଖରେ ବେଳ କାଟୁଛି । ମୋର ବନ୍ଧନ ମୁଁ ଛିଣ୍ଡାଇ ପାରିବି ନାହିଁ । ତାରି ଭିତରେ ଛଟପଟ ହେଉଥିବା ସନେଇ ଭାଇ, ମୋତେ କେହି ଉଦ୍ଧାର କରି ପାରିବେ ନାହିଁ ।’’ ଧୋବୀର ଜୀବନକୁ ଏପରି ଜାଳିପୋଡ଼ି ଧ୍ୱଂସ କରିଦେଲା କିଏ ? ଏ ସମାଜର ଅନ୍ଧନୀତି ବିଷୟରେ ଧୋବୀ ଯାହା କହିଛି, ତାହାହିଁ ଯଥେଷ୍ଟ । ସମାଜର ଆବରଣ ଯେ ଏକ କୃତ୍ରିମତା ତାହା ସନିଆ ମଧ୍ୟ ପ୍ରକାଶ କରିଅଛି ।

 

ସନିଆର ମୋହ ଭାଙ୍ଗିଯିବା ପରେ ସେ ସ୍ୱପ୍ନ ଦେଖିଛି ଆଗାମୀ ଦିନର ଏକ ଉଜ୍ଜ୍ୱଳ ସମାଜର ଛବି । ନୂତନ ଆଦର୍ଶରେ ତାର ହୃଦୟରେ ଭରି ଉଠିଛି ଜଗତକୁ ଭଲ ପାଇବା ନିଶା । ସେହି ନିଶା ତାକୁ ବିଭୋର କରିଛି । ଏ ନିଶାର ମହତ୍ତ୍ୱ ବୁଝିପାରି ନାହାନ୍ତି ସେକାଳର ସମାଜପତି । ଯେ କେହି ହେଉନା କାହିଁକି ସେ ଯେବେ ସମାଜନୀତିର ଅବମାନନା କଲା ତେବେ ତା ପାଇଁ ରହିଛି ଦଣ୍ଡ । ସେଥିପାଇଁ ପହରାଜେ କହିଛନ୍ତି, ‘‘ସମାଜ ଭିତରେ ରହି ଅନୀତି ଅନ୍ୟାୟ କରି ଯଦି ଆମରି ଭିତରୁ ଜଣେ ଚଳେ ସମାଜର ଅବସ୍ଥା କ’ଣ ହେବ ସୋଇଁଏ ? ତାକୁ ଯଦି ସାମାଜିକ ଦଣ୍ଡ ଦିଆ ନଯାଏ, ତେବେ ସମାଜର ଉଚ୍ଛୃଙ୍ଖଳ ଟୋକାଟୋକୀଙ୍କର ଅବସ୍ଥା କଣ ହେବ ? ଆମର ସମାଜ, ଧର୍ମ, ସଂସ୍କୃତି, ଆଦିକାଳର ସଭ୍ୟତା ଉପରେ ଗୋଡ଼ ପକାଇ, ଗର୍ବରେ ଛାତି ଫୁଲାଇ ଚାଲିବ ସନେଇ, ଆଉ ଆମେ ବଲବଲ କରି ଚାହିଁରହିବା ?’’ ଏ ସମାଜରେ ଯେ ନୂଆଭାବର ପ୍ରଚାର କଲା ସେ ଉଚ୍ଛୃଙ୍ଖଳ । ସୁତରାଂ ସମାଜର ଦୋଷ ଦୁର୍ବଳତାକୁ ଟିକିନିଖି ଭାବରେ ଦେଖିବାର ପ୍ରୟାସ ଲେଖକଙ୍କର ସଫଳ ହୋଇଅଛି । ଲେଖକ ସନିଆର ମନ ଭିତରେ ଆଦର୍ଶର ଆଲୋକ ଝରାଇ ଯେଉଁ ନୂଆ ସମାଜର ପରିକଳ୍ପନା କରିଛନ୍ତ ତାହା ତାଙ୍କର ସଂସ୍କାରମୂଳକ ମନୋବୃତ୍ତିର ଯଥାର୍ଥ ପରିଚୟ ଦେଇଅଛି । ମାତ୍ର ଲେଖକ ପ୍ରଦର୍ଶନ କରିଛନ୍ତି ଯେ ଆମର ସମାଜ ନୂଆ ଆଦର୍ଶକୁ ବୁଝିବାପାଇଁ ମନ ଆଉ ହୃଦୟ ସେତେବେଳ ପର୍ଯ୍ୟନ୍ତ ପାଇନଥିଲା ।

☆☆☆

 

ଶାସ୍ତିରେ ଲେଖକଙ୍କର ସଂସ୍କାର ପ୍ରୟାସ

 

ଶାସ୍ତିରେ କଳେବର ମଧ୍ୟରେ ଊନବିଂଶ ଶତାବ୍ଦୀର ସମାଜର ପ୍ରକୃଷ୍ଟରୂପ ପ୍ରକାଶ ପାଇଅଛି । ଲେଖକ ଅତ୍ୟନ୍ତ ସତର୍କତା ସହିତ ସମାଜର ଦୋଷ ଦୁର୍ବଳତାକୁ ଟିକିନିଖି ଭାବରେ ଦେଖି ତାହାକୁ ଅତ୍ୟନ୍ତ ସାହାସର ସହିତ ସମାଲୋଚନା କରିଅଛନ୍ତି । କାହ୍ନୁଚରଣ ଜଣେ ପ୍ରକୃଷ୍ଟ କଳାକାର । କଳାର ବିଚାରରେ ସେ ଦେଖିପାରିଛନ୍ତି ମଣିଷ ହୃଦୟର ରୂପ, ଶୁଣି ପାରିଛନ୍ତି ମଣିଷ ମନର ବ୍ୟଥା ଓ ନିର୍ଯ୍ୟାତନାର କାହାଣୀ । କାମନା ବାସନାର ଜଗତରେ, ରକ୍ତମାଂସର ଶରୀର ନିବୃତ୍ତିମାର୍ଗ ମଣିଷର କାମ୍ୟ ନୁହେଁ । ପ୍ରବୃତ୍ତି ପଥରେ ପରିଚାଳିତ ମଣିଷ, ଏଇ ସମାଜର ମଣିଷ । ମଣିଷର ଜୀବନକୁ ସରଳ, ସଂଯତ କରିବା ପାଇଁ ସମାଜର କର୍ତ୍ତୃତ୍ୱ । ମାତ୍ର ସମାଜ ଯେବେ ତାର ଲକ୍ଷ୍ୟ ଭୁଲିଯାଇ ନିତାନ୍ତ ରକ୍ଷଣଶୀଳ ମନୋବୃତ୍ତି ଦେଖାଇ ସମୟ ସ୍ରୋତର ପ୍ରଭାବକୁ ଅସ୍ୱୀକାର କରେ ତେବେ ସେ ସମାଜ ତିଷ୍ଠି ରହିପାରିବା ଅସମ୍ଭବ । ସମାଜର ମନୋବୃତ୍ତି ଲାଗି ତାର ଅଙ୍ଗ ସୌଷ୍ଠବ କ୍ଷତବିକ୍ଷତ ହୋଇ ପଡ଼ିଛି ଊନବିଂଶ ଶତାବ୍ଦୀରେ । ତେଣୁ ଔପନ୍ୟାସିକ କାହ୍ନୁଚରଣ ଊନବିଂଶ ଶତାବ୍ଦୀର ସେହି ସମାଜକୁ ‘‘ଦରମଲା ସମାଜ’’ ନାମରେ ଅଭିହିତ କରିଅଛନ୍ତି । କେବଳ ମୁହଁରେ ସମାଜନୀତିକୁ ବାରମ୍ୱାର ଉଚ୍ଚାରଣ କରି ସମାଜର ବଡ଼ପଣ୍ଡାମାନେ ଯଥାର୍ଥରେ ଅନ୍ୟାୟ ଓ ଅତ୍ୟାଚାରରେ ଲିପ୍ତ ରହନ୍ତି । ସମାଜ ନାମରେ ସେମାନେ ଅନ୍ୟକୁ ଉପଦେଶ ଦିଅନ୍ତି, ମାତ୍ର ନିଜ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବ ରହନ୍ତି । ସମାଜପତିମାନଙ୍କର ଏପ୍ରକାର କାର୍ଯ୍ୟକଳାପକୁ କାହ୍ନୁଚରଣଙ୍କର ଲେଖନୀ ଆଦୌ ସମର୍ଥନ କରିପାରି ନାହିଁ ।

 

ଶାସ୍ତି ଉପନ୍ୟାସର କଥାବସ୍ତୁର ଘଟଣାକାଳ ଊନବିଂଶ ଶତାବ୍ଦୀ ଏବଂ ଏହାର ସୃଷ୍ଟି ବିଂଶଶତାବ୍ଦୀରେ । ଆହୁରି ସୂକ୍ଷ୍ମ ଭାବରେ ଦେଖିଲେ, ଶାସ୍ତି ଉପନ୍ୟାସର କଥାବସ୍ତୁର ଘଟଣାକାଳ ୧୮୬୯-୭୦ ସାଲର ପରବର୍ତ୍ତୀ ଓ ଶାସ୍ତିର ରଚନାକାଳ ୧୯୪୫ ସାଲ । ଶାସ୍ତିର ପ୍ରକାଶକାଳ ୧୯୪୬ ସାଲ । ୧୮୬୯-୭୦ ସାଲର ପରବର୍ତ୍ତୀକାଳର ସାମାଜିକ ଚିତ୍ର ଶାସ୍ତିରେ ପ୍ରତିଫଳିତ ହେବା ସଙ୍ଗେ ସଙ୍ଗେ ୧୯୪୫ ସାଲ ବେଳକୁ ସମାଜ ସଂସ୍କାର ଉଦ୍ଦେଶ୍ୟରେ ଏ ଦେଶର ଯେଉଁସବୁ ବୈପ୍ଳବିକ ଚିନ୍ତାଧାରା ପ୍ରକାଶ ପାଇଥିଲା ସେସବୁର ଆଦର୍ଶରେ ପରିକଳ୍ପିତ ଏକ ନୂତନ ସମାଜର ରୂପ ମଧ୍ୟ ପ୍ରକାଶଲାଭ କରିଅଛି । ସମାଜର ଚିତ୍ର ଯେପରି ଭାବରେ ଏଥିରେ ପ୍ରତିଫଳିତ ହେଉନା କାହିଁକି ଲେଖକଙ୍କର ଦୁଇଗୋଟି ମୁଖ୍ୟ ସଂସ୍କାରମୂଳକ ପ୍ରତିକ୍ରିୟା ଏଥିରେ ପ୍ରକାଶ ପାଇଅଛି । ସେ ଦୁଇଗୋଟି ହେଲେ ଯଥାକ୍ରମେ ବିଧବା ବିବାହ ଓ ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସମାଜ ଗଠନ ।

 

ବିଧବା ବିବାହକୁ ରକ୍ଷଣଶୀଳ ମନୋବୃତ୍ତିର ଲୋକମାନେ ଏକ ଅସଂଯତ ସାମାଜିକ ବ୍ୟଭିଚାରର ଆଖ୍ୟା ଦେଇ ଥାଆନ୍ତି । ତେଣୁ ଅନେକ ସମୟରେ ପ୍ରଶ୍ନ ଉଠେ, କାହ୍ନୁଚରଣ ଧୋବୀର ମନ ଭିତରେ ପ୍ରେମ ପ୍ରତିକ୍ରିୟା ସୃଷ୍ଟିକରି ସମାଜନୀତିର ବିରୁଦ୍ଧାଚରଣ କରିଅଛନ୍ତି । ଧୋବୀ ବିଧବା ହୋଇଥିବାରୁ ଭଲ ପାଇବା ତା ପକ୍ଷରେ ଏକ ଅସାମାଜିକ କାର୍ଯ୍ୟ । ଯେଉଁମାନେ ସମାଜ କଣ, ସାହିତ୍ୟ କଣ, ଏକଥା ଭଲଭାବରେ ଜାଣନ୍ତି ନାହିଁ ସେମାନେ ହିଁ ଏ ପ୍ରକାର ମତବାଦ ପୋଷଣ କରିଥାଆନ୍ତି । କେଉଁ ଅଜ୍ଞାତ-କାଳର ସମାଜ ନୀତିରେ ବିଧବା ବିବାହକୁ ବାରଣ କରାଗଲା ସେ କଥାର ହିସାବ କେହି ରଖିନାହିଁ । ମାତ୍ର ସାମାଜିକ ପରମ୍ପରାରେ ତାହା ଚଳିଆସିଲା-। ସଭ୍ୟତାର ସ୍ରୋତରେ ମନୁଷ୍ୟମନରେ ବାରମ୍ୱାର ଏହି ପ୍ରଶ୍ନ ଉଠିଲା । ବିଧବା ଯୁବତୀମାନଙ୍କର ପୁନର୍ବିବାହ ବାରଣ କରି ସମାଜ ସେମାନଙ୍କୁ ପ୍ରକୃତ ପକ୍ଷରେ ସ୍ଖଳନର ପଥରେ ଚଳାଇବାକୁ ବାଧ୍ୟ କରିଛି । କେତେ ଯୁବତୀ ଏହିପରି ବାରଙ୍ଗନାରେ ପରିଣତ ହୋଇଛନ୍ତି । ସେମାନଙ୍କର ଜୀବନକୁ ଯେପରି ଭାବରେ ହତାଦର କରାଯାଇଛି ତାହା ମାନବିକତା ପ୍ରତି ଅସମ୍ମାନ । ତେଣୁ ଭାରତରେ ବହୁ ସ୍ଥାନରେ ସଂସ୍କାରମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ବିଧବା ପ୍ରଚଳନ କରାଗଲା-। ଏଥିପାଇଁ ରକ୍ଷଣଶୀଳ ସମାଜ କମ୍ ବାଧା ଦେଇନାହିଁ । ବିଧବା ପ୍ରତି କ୍ରମେ ଶିକ୍ଷିତ ଶ୍ରେଣୀର ଦୃଷ୍ଟି ପଡ଼ିଛି ।

 

ଓଡ଼ିଶାରେ ସଂସ୍କାରମୂଳକ କାର୍ଯ୍ୟ ପ୍ରତି ଅଧିକ ପରିମାଣରେ ଜନସାଧାରଣ ଆକୃଷ୍ଟ ହେବାର ଦେଖାଯାଇ ନାହିଁ । ଓଡ଼ିଶାରେ ବିଧବା ବିବାହ ପ୍ରଥା ଚଳାଇବା ପାଇଁ ଅଣ୍ଟାଭିଡ଼ି ବାହାରିଥିଲେ ସ୍ୱର୍ଗତ ବୈରାଗୀ ଚରଣ ମିଶ୍ର । ସେ ଜଣେ ନିର୍ଭୀକ ସମାଜସେବୀ ଥିଲେ । ତାଙ୍କର ସଂସ୍କାରମୂଳକ କାର୍ଯ୍ୟପାଇଁ ତାଙ୍କୁ ଜୀବନରେ ବହୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିଥିଲା । ମାତ୍ର ସେସବୁକୁ ସେ ଜୀବନର ଭୂଷଣ ରୂପେ ଗ୍ରହଣ କରିଥିଲେ । ୧୯୩୦ ସାଲରେ ସେ କଟକରେ ନାରୀମଙ୍ଗଳ ସମିତି ସ୍ଥାପନ କରି ବିଧବା ବିବାହ କରାଇବା ସଙ୍ଗେ ସଙ୍ଗେ ବାଲ୍ୟବିବାହକୁ ବିରୁଦ୍ଧାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

 

କାହ୍ନୁଚରଣ ସ୍ୱର୍ଗତ ବୈରାଗୀ ଚରଣ ମିଶ୍ରଙ୍କର ସଂସ୍ପର୍ଶରେ ଆସି ତାଙ୍କରି ଆଦର୍ଶରେ ଯଥେଷ୍ଟ ଭାବରେ ଅନୁପ୍ରାଣିତ ହୋଇ ଅଛନ୍ତି । ତେଣୁ କାହ୍ନୁଚରଣ ତାଙ୍କର କେତେକ ଉପନ୍ୟାସରେ ବିଧବା ବିବାହ ବିଷୟରେ ଲେଖନୀ ଚାଳନା କରିଅଛନ୍ତି । କେବଳ ଶାସ୍ତି ନୁହେଁ, ନିଷ୍ପତ୍ତି, ତୁଣ୍ଡବାଇଦ ଓଧ ଅଭିନେତ୍ରୀ ପ୍ରଭୃତି ତାଙ୍କର ଉପନ୍ୟାସମାନଙ୍କରେ ସେ ବିଧବା ବିବାହ ସପକ୍ଷରେ ଲେଖନୀ ଚାଳନା କରିଅଛନ୍ତି । ନିଷ୍ପତ୍ତି ଉପନ୍ୟାସ କେବଳ ବିଧବା ବିବାହକୁ କେନ୍ଦ୍ରକରି ଉଦ୍ଦେଶ୍ୟମୂଳକ ଭାବରେ ରଚିତ ହୋଇଅଛି । ନିଷ୍ପତ୍ତି ଉପନ୍ୟାସର ରଚନାକାଳ ୧୯୩୨ ସାଲ ଓ ପ୍ରକାଶକାଳ ୧୯୩୩ ସାଲ । ନାରୀମଙ୍ଗଳ ସମିତିର ସ୍ଥାପନ କାଳ ୧୯୩୦ ସାଲ ଅକ୍‌ଟୋବର ମାସ । ଏ ବିଷୟରେ ସେ ସମୟରେ ସହକାରରେ ‘‘ନାରୀମଙ୍ଗଳ ସମିତି ଓ ବିବାହ ସଂସ୍କାର’’ ନାମକ ଆଲୋଚନା ପ୍ରକାଶ ପାଇଥିଲା, ‘‘୧୯୩୦ ମସିହା ଅକ୍‌ଟୋବର ମାସରେ ଏହି ସମିତି ଜନ୍ମଲାଭ କରି ଲୋକ-ଲୋଚନରେ ପତିତ ହୋଇଥିଲା ସତ୍ୟ; କିନ୍ତୁ ତାହାର ବହୁବର୍ଷ ପୂର୍ବରୁ ହିନ୍ଦୁସମାଜରେ ନାନା ଅନ୍ୟାୟ, ଅନୀତି ଓ ନିପୀଡ଼ନ ପ୍ରତ୍ୟକ୍ଷ କରି ଏବଂ ନିଜର ପାରିବାରିକ ଜୀବନରେ ସେ ସମସ୍ତ ଅନୁଭବ କରି ବୈରାଗୀବାବୁଙ୍କର ସଂସ୍କାରପ୍ରିୟ ହୃଦୟ ବିଦ୍ରୋହ ହୋଇ ଉଠିଥିଲା । ନିଜର ପାରିବାରିକ ଜୀବନରେ ପ୍ରଥମେ ସଂସ୍କାର ସୂତ୍ରପାତ କରି ଶେଷରେ ଦେଶର ସଂସ୍କାର ଉଦ୍ୟମ ଚଳାଇବା ପାଇଁ ସେ ୧୯୩୦ରେ ନାରୀମଙ୍ଗଳ ସମିତିର ପ୍ରତିଷ୍ଠା କଲେ । ସମିତି ତାର ଏହି ସମାନ ତିନୋଟି ବର୍ଷର କ୍ଷୁଦ୍ରଜୀବନକାଳ ମଧ୍ୟରେ କଥାରେ ଅଧିକଦୂର ଅଗ୍ରସର ହୋଇ ନ ଥିଲେହେଁ କାର୍ଯ୍ୟରେ ଯେତେଦୂର ଗତି କରିଅଛି ତାହା ପ୍ରକୃତରେ ପ୍ରଶଂସନୀୟ ।’’

 

୧୯୩୩ ସାଲରେ ନାରୀମଙ୍ଗଳ ସମିତି ବିଷୟରେ ଏହି ମନ୍ତବ୍ୟରୁ ଜଣାଯାଏ, ସେତେବେଳେ ନାରୀମଙ୍ଗଳ ସମିତି ତାର କାର୍ଯ୍ୟଦ୍ୱାରା ଓଡ଼ିଶାର ଶିକ୍ଷିତ ବ୍ୟକ୍ତିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ତେଣୁ ଔପନ୍ୟାସିକ କାହ୍ନୁଚରଣ ସ୍ୱର୍ଗତ ବୈରାଗୀ ଚରଣ ମିଶ୍ରଙ୍କର ଏହି ଅନୁଷ୍ଠାନର ସଂସ୍ପର୍ଶରେ ଆସିବା ନିତାନ୍ତ ସ୍ୱାଭାବିକ । ସେ ବିଷୟରେ ମଧ୍ୟ ସ୍ୱର୍ଗତ ମିଶ୍ର ତାଙ୍କର ଆତ୍ମଜୀବନ ଚରିତ, ‘‘ସ୍ୱଭାବନିୟତ ଜୀବନଯୁଦ୍ଧ’’ରେ ଲେଖିଛନ୍ତି, ‘‘ଏହି ଘଟଣା ଦେଖି ଉପନ୍ୟାସ ଲେଖକ ଶ୍ରୀ କାହ୍ନୁଚରଣ ମହାନ୍ତି ନିଷ୍ପତ୍ତି ନାମକ ଖଣ୍ଡେ ଉପନ୍ୟାସ ବହିରେ ଏହି ଘଟଣା ଉଲ୍ଲେଖ କରି ବହିଟିକୁ ନାରୀମଙ୍ଗଳ ସମିତିକୁ ଉତ୍ସର୍ଗ କଲେ ।’’ ପ୍ରକୃତରେ ନାରୀମଙ୍ଗଳ ସମିତିର ପ୍ରଥମ ବିଧବାବିବାହ ବିଷୟରେ ସ୍ୱର୍ଗତ ମିଶ୍ର ତାଙ୍କ ଆତ୍ମଜୀବନ ଚରିତରେ ଯାହା ବର୍ଣ୍ଣନା କରିଅଛନ୍ତି ନିଷ୍ପତ୍ତି ଉପନ୍ୟାସରେ ସେହିପରି ବର୍ଣ୍ଣନା ପରୋକ୍ଷ ଭାବରେ ପ୍ରକାଶ ପାଇଅଛି । ନିଷ୍ପତ୍ତି ଉପନ୍ୟାସରେ କାହ୍ନୁଚରଣ ହାରାମଣିକୁ ନେଇ ନାରୀମଙ୍ଗଳ ସମିତିରେ ରଖାଇଛନ୍ତି ଓ ବୈରାଗୀ ଚରଣ ମିଶ୍ରଙ୍କୁ ରାଧାଗୋବିନ୍ଦ ମିଶ୍ର ରୂପେ ଚିତ୍ରଣ କରିଅଛନ୍ତି । ରାଧାଗୋବିନ୍ଦଙ୍କର କଥା କହିବାର ଭଙ୍ଗୀ, ଆଚରଣ ସବୁଥିରେ ସ୍ୱର୍ଗତ ବୈରାଗୀ ଚରଣ ମିଶ୍ରଙ୍କର ସ୍ୱଭାବର ପ୍ରକାଶ ହୋଇଅଛି । ତେଣୁ ଲେଖକ ସ୍ୱର୍ଗତ ବୈରାଗୀ ଚରଣ ମିଶ୍ରଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ଏକଥା ନିଃସନ୍ଦେହରେ କୁହାଯାଇପାରେ । ନିଷ୍ପତ୍ତି ଉପନ୍ୟାସରେ ହାରାମଣି ଜଣେ ବାଲ୍ୟବିଧବା ଓ ବ୍ରଜକିଶୋର ଜଣେ ସଂସ୍କାରପ୍ରିୟ ଶିକ୍ଷିତ ଯୁବକ । ଏ ଦୁହିଁଙ୍କର ବିବାହ ଅନୁଷ୍ଠିତ ହୋଇଅଛି । ମାତ୍ର ଶାସ୍ତି ଉପନ୍ୟାସରେ ତାହା ହୋଇପାରେ ନାହିଁ । ସମାଜର ଚକ୍ରାନ୍ତରେ ଧୋବୀ ଓ ସନିଆଙ୍କର ବିବାହ ସମ୍ଭବ ହୋଇପାରି ନାହିଁ ।

 

ଲେଖକ ବିଧବା ଯୁବତୀର ମନର କଥା ତାଙ୍କ ଉପନ୍ୟାସରେ ବହୁ ସ୍ଥଳରେ ପ୍ରକାଶ କରିଅଛନ୍ତି । ଧୋବୀ ବିଧବା ହେବାପରେ ତାର ଜୀବନର ସବୁ ସରାଗ ଧୂଳିରେ ମିଶିଯାଇଛି । ସେ ବିଷୟରେ ଲେଖକ ଲେଖିଛନ୍ତି, ‘‘ଧୋବୀ ଦୁଇମାସ କାଳ ବିଛଣାରୁ ଉଠିଲା ନାହିଁ, ଖିଆପିଆ ଛାଡ଼ି କାନ୍ଦି କାନ୍ଦି ତାର ବେଳ କଟିଲା । ମା ଆସି ବୁଝାଇ କହନ୍ତି, କଣ ହେଲାକି ତୋର ଧୋବୀ ? ଉଠ ମା, ଉଠ । ମଣିଷ କଣ ରାତିରେ ସପନ ଦେଖେ ନାହିଁ ? ତୋର ସଂସାର ସେମିତି ଗୋଟାଏ ସପନ । ତୁ ମୋର ପିଲାଝିଅ । କାଲି ପୁଣି ଭଲଜାଗା ଦେଖି ନିମିତ୍ୟ କରିବି । ଉଠ । ଧୋବୀ ବେଶୀ ବେଶୀ କାନ୍ଦେ ।’’ ଅତୀତର ଜ୍ୱାଳା ଯନ୍ତ୍ରଣାକୁ ଭୁଲିବା ପାଇଁ ମଣିଷ ମନକୁ ପ୍ରବୋଧ ଦିଏ । ତେଣୁ ସେଇ ଅଭୁଲା ଅତୀତକୁ ସ୍ୱପ୍ନ ବୋଲି ସେ ଆଖ୍ୟାୟିତ କରେ । ଧୋବୀ ଜୀବନର ଅତୀତ ଠିକ୍ ସେମିତି ଗୋଟିଏ ରାତିର ସ୍ୱପ୍ନ ଭଳି ମନେ ହେବାର କଥା । ଧୋବୀ ଜୀବନରେ ଦୁଃଖ ବୁଝିଛନ୍ତି ତାର ମା ।

 

କାଙ୍ଗାଳ ସନିଆ ମନରେ ଧୋବୀ ଯେଉଁ ଆଶାର ଜୁଆର କଲା ସେଥିପାଇଁ ଦାୟୀ କିଏ-? ଧୋବୀ ମନେ ମନେ ବହୁତ ଭାବିଛି । ନିଜର ଦେହକୁ ସେ ସନିଆଠାରୁ ଦୂରେଇ ରଖିଲେହେଁ ମନକୁ ବହୁ ଚେଷ୍ଟା କରି ମଧ୍ୟ ଦୂରେଇ ରଖି ପାରିନାହିଁ । ଏହି ମନର ସମ୍ପର୍କ ସମାଜର ବାଧା ମାନେ ନାହିଁ । ମନ ଉପରେ ଆୟତ୍ତ କାହାର ନାହିଁ । ତେଣୁ ଧୋବୀର ଜୀବନ ବହୁ ଭାବରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି । ପ୍ରଚଳିତ ସାମାଜିକ ରୀତି ବିରୁଦ୍ଧରେ ସେ ହସ୍ତ ଉତ୍ତୋଳନ କରିବାକୁ ବାହାରିଛି ମାତ୍ର ପାରି ନାହିଁ । ଏହିପରି ଏକ ଅବ୍ୟବସ୍ଥିତ ଚିତ୍ତରେ, ‘‘ବିଦ୍ରୋହ କରିବାକୁ ଧୋବୀର ମନ ଝଗଡ଼ି ଉଠିଲା । ସବୁ ପୁରୁଣା ସଂସ୍କାରକୁ ଗୋଡ଼ରେ ଦଳି ଆଗକୁ ଚାଲିବାକୁ ତାର ଇଚ୍ଛା ହେଲା । କିନ୍ତୁ ଏହି ଜଟିଳ ହିନ୍ଦୁସମାଜରେ, ଅତି ଜଟିଳ ସାମାଜିକ ନିୟମ ଓ ପ୍ରଥାର ବନ୍ଧନୀ ଭିତରେ ସବୁ ବିଦ୍ରୋହ ଛପିଯିବ, ଉତ୍ତେଜନାର ନିଆଁ ଆପେ ଆପେ ଲିଭିଯିବ । ପୁରୁଣା ରକ୍ଷଣଶୀଳତା ପୁଣି ତାର କାୟା ମେଲାଇ ବସିବ ।’’

 

ହିନ୍ଦୁ ସମାଜର ରକ୍ଷଣଶୀଳତା ବିରୁଦ୍ଧରେ ଔପନ୍ୟାସିକ ତୀବ୍ର ସମାଲୋଚନା କରିଅଛନ୍ତି-। ସମାଜ ଏପରି ଏକ ଅନୁଷ୍ଠାନରେ ପରିଣତ ହୋଇଛି ଯାହାର ସଂସ୍କାର ଏକାନ୍ତ ଆବଶ୍ୟକ-। ଅତୀତର ମଣିଷ ଗଢ଼ିଥିଲା ଅତୀତର ସମାଜ । ଆଉ ଆଜିର ମଣିଷ ଗଢ଼ିବ ଆଜିର ସମାଜ-। ଲେଖଙ୍କର ଏହି ମତବାଦ ଶିକ୍ଷାପ୍ରଦ ହୋଇଅଛି । ବିଧବା ବିବାହ ସପକ୍ଷରେ କାହ୍ନୁଚରଣ ଲେଖନୀ ଚାଳନା କରି ମଧ୍ୟ ବିଧବା ବିବାହକୁ ପ୍ରତିଷ୍ଠିତ କରାଇ ପାରିନାହାନ୍ତି । ସେଥିରେ ବାଧା ଦେଇଛି ସେଇ ପୁରୁଣାକାଳରୁ ଗଡ଼ି ଗଡ଼ି ଆସିଥିବା ସମାଜର ନୀତି ।

 

ଲେଖଙ୍କର ଦ୍ୱିତୀୟ ସଂସ୍କାରବାଦୀ ମତ ହେଉଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ ସାର୍ବଜନୀନ ସମାଜ ପ୍ରତିଷ୍ଠା । ଏ ବିଷୟରେ ଲେଖଙ୍କର ମତ, ‘‘ମଣିଷ ରକ୍ତ ସବୁଠି ସମାନ, ସବୁବେଳେ ନିର୍ମଳ । କର୍ମ ଗଢ଼ିଲା ବିଭାଗ । ସେହି ବିଭାଗରୁ ହେଲା ଜାତ, ଗୋଟାଏ ଫାଙ୍କା ନାଁ, ସ୍ୱାର୍ଥପରତା । ସେହି ଜାତିରୁ ଗଢ଼ିଉଠିଲା ସଂସ୍କୃତି, ସଭ୍ୟତା, ଯାହାକୁ ମାପିବାର ତଉଲିବାର ଯନ୍ତ୍ର ନାହିଁ । ଯିଏ ନିଜର ଭାବନାରେ ତଉଲେ ସେ କରେ ନିଜକୁ ବଡ଼ । ମୁଁ ଆଚାର୍ଯ୍ୟ, ମୁଁ ସୂର୍ଯ୍ୟବଂଶୀ, ମୁଁ କୁବେର ପୁତ୍ର, ମୁଁ ଯଦୁବଂଶୀ ।’’ ମାନବ ସମାଜ ଆଗରେ ଲେଖଙ୍କର ଏହି ତତ୍ତ୍ୱ ପ୍ରକାଶ ଏକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ବୋଲି କୁହାଯାଇ ପାରେ । ଲେଖକ ଧରିନେଇଛନ୍ତି, ଏ ଜଗତରେ ମଣିଷର ଜାତି ଗୋଟିଏ । ଜଗତରେ ବିଭିନ୍ନ ବାଦର ସ୍ଥିତି ନାହିଁ—ଗୋଟିଏ ମାତ୍ର ବାଦ ଅଛି, ତାହା ହେଉଛି ମାନବବାଦ । ବିଶ୍ୱମାନବର ଅନ୍ତରର କଥା ଲେଖକଙ୍କୁ ମୁଗ୍‌ଧ କରିଛି । ସେ ଏ ସମାଜର ବିଭେଦକୁ ତୁଚ୍ଛ ମନେ କରିଅଛନ୍ତି । ସେଥିପାଇଁ ତାଙ୍କ ଲେଖନୀରେ ସମାଜ ପତିତା କଇଁ, ଛତରଖାଇ ପୁନି ଆତ୍ମ ପ୍ରକାଶ କରିଛନ୍ତି ନାରୀତ୍ୱର ଚରମ ସାର୍ଥକତା ଭିତରେ । କଇଁକୁ ପତିତା କଲା କିଏ ? ଏଇ ସମାଜର ମଣିଷ, ଯେ କି ଦେହରୁ କ୍ଷୁଧା ମେଣ୍ଟାଇବାକୁ କଇଁକୁ ଭାତ ମୁଠିକର ପ୍ରଲୋଭନ ଦେଖାଇ ଜୀର୍ଣ୍ଣଶୀର୍ଣ୍ଣ ଅପରିଚ୍ଛିନ୍ନ ଶରୀରକୁ ଉପଭୋଗ କରିଛି । କଇଁର ଗର୍ଭରେ ଅବୈଧ ସନ୍ତାନ ଦିବାଲୋକ ଦେଖିବା ପାଇଁ ଚିତ୍କାର କରିଛି । ସେ ଦିବାଲୋକ ଦେଖିଛି । ମାତ୍ର ସେ ବଞ୍ଚି ପାରିନି ? କାହାର ସନ୍ତାନ ସେ ? କଇଁର ଏହି ପତନ ପାଇଁ ଦାୟୀ କିଏ ? ଯାହାର ସନ୍ତାନ କଇଁର ଗର୍ଭକୋଷରୁ ଜନ୍ମ ନେଇଥିଲା ସେ ହୁଏତ କଇଁକୁ ଦେଖି ପରିହାସ କରିଥିବ । କାରଣ ସେ ଜଣେ ସମାଜର ମଣିଷ । ଦୋଷ ଯେ କଲା ସେ ରହିଲା ସମାଜରେ ଆଉ ଯାହାର ଦୋଷ ନାହିଁ ସେ ହେଲା ପତିତ ।

 

ଠିକ୍ ସେମିତି ପୁନିର ଇତିହାସ । ହଇଜାରେ ଆକ୍ରାନ୍ତ ପୁନି ଯେତେବେଳେ ପାଣି ପାଇଁ ବିକଳ ଆର୍ତ୍ତନାଦ କରୁଥିଲା ସେତେବେଳେ ତା ମୁହଁରେ ପାଣି ଟୋପାଏ ଦେବାପାଇଁ କେଉଁ ସମାଜପ୍ରତି ଆଗେଇ ଆସିଥିଲା ମଧୁଭୋଇ, ଜାତିରେ ବାଉରୀ, ମଣିଷ ମୁଣ୍ଡ ଖପୁରି ହାଡ଼ରେ ପାଣି ଆଣି ଦେଲା ପୁନି ମୁହଁରେ । ତାପରେ ତାକୁ ନେଇ ସେବା ଶୁଶ୍ରୂଷା କରି ବଞ୍ଚାଇଛି ମଧୁଭୋଇ । ବାଉରୀଘରେ ଆଶ୍ରୟ ପାଇବାରୁ ପୁନି ହୋଇଛି ଛତରଖାଇ । ମାତ୍ର ସମାଜ ତାକୁ ଏ ଦଶାରୁ ରକ୍ଷା କରିବା ପାଇଁ କରିଛି କଣ ? ଛତର ଖାଇ ବୋଲି ସମାଜ ତାକୁ ଅପବାଦ ଦେଇଛି ମାତ୍ର ପୁନି ପକ୍ଷରେ ଛତରଖାଇ ହେବାହିଁ ଗୌରବର କଥା । ସମାଜର ଅନ୍ଧ ବିଚାର ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ।

 

ନଅଙ୍କ ଦୁର୍ଭିକ୍ଷ କେତେକ ପରିମାଣରେ ଏଦେଶ ଲୋକଙ୍କର ଆଖି ଫିଟାଇବାକୁ ସମର୍ଥ ହୋଇଛି । ଏହି ନଅଙ୍କ ଦୁର୍ଭିକ୍ଷ ସନିଆକୁ ଦେଇଥିଲା ଶିକ୍ଷା, ‘‘ଜାତିଆଣକୁ ସେ ମାନେ ନାହିଁ-। ସର୍ବଗ୍ରାସୀ ଦୁର୍ଭିକ୍ଷ ତାକୁ ଶିଖାଇଛି, ଧର୍ମ ଗୋଟାଏ ଫାଙ୍କା ନାଁ, ଜାତି ପ୍ରହେଳିକା, ଲୋକଭୁଲାଣ ମାୟା, ସ୍ୱାର୍ଥପରତା ।’’ ସମାଜର ବଡ଼ପଣ୍ଡାମାନେ ସ୍ୱାର୍ଥ ପାଇଁ ସମାଜର ନିୟମ ଗଢ଼ିଛନ୍ତି । ଭିତରେ ଯାହା ଥାଉନା କାହିଁକି ଏମାନେ ସମାଜପତିର ମୁଖା ପିନ୍ଧି ମାନବିକତାର ଅବମାନନା କରନ୍ତି-। ଏମାନେ ସ୍ୱାର୍ଥର ଅଧୀନ—ସମାଜର ଅଧୀନ । କେବଳ ଚିନ୍ତେଇ ସୋଇଁ ବା ରାମପ୍ରହରାଜ ଏପ୍ରକାର ମୁଖା ପିନ୍ଧି ନାହାନ୍ତି । ଅବସ୍ଥା ଚକ୍ରରେ ପଡ଼ି ସ୍ୱାର୍ଥର ଅଧୀନ ହୋଇ ସନିଆ ମଧ୍ୟ ଏ ମୁଖା ଦିନେ ପିନ୍ଧିଥିଲା । ଯେଉଁଦିନ ସନିଆ ଶୁଣିଲା ପୁନି ମଧୁଭୋଇ ବାଉରୀର ଆଶ୍ରିତା ସେଦିନ ସେ ମନେ ମନେ ପୁନିକୁ କେତେ ଅଭିଶାପ ଦେଇଥିଲା । ସେ କହିଥିଲା, ପୁନି ବରଂ ମରିଯାଇଥିଲେ ଭଲ ହୋଇ ଥାଆନ୍ତା । ସେ ଏପରି ଭାବିବାର କାରଣ, ଧୋବୀକୁ ପାଇବାପାଇଁ ସେତେବେଳେ ତା ଆଗରେ ଥିଲା ସ୍ୱାର୍ଥ–ସେହି ସ୍ୱାର୍ଥପାଇଁ ସେ ଚାହିଁଥିଲା ସମାଜର ବନ୍ଧନ । ମାତ୍ର ଯେତେବେଳେ ସେ ଧୋବୀଠାରୁ ନିରାଶ ହୋଇଛି ସେତେବେଳେ ସେ ନିଜେ ନିଜର ଭ୍ରମ ବୁଝିପାରିଛି । ସେ ଧୋବୀ ଆଗରେ ପ୍ରକାଶ କରିଛି ଯେ ତାରି ପାଇଁ ସେ ସମାଜର ଅଧୀନତା ସ୍ୱୀକାର କରି ହୋଇଥିଲା ପରାଧୀନ । ତାର ସେ ପରାଧୀନତା ଦୂରହୋଇଯାଇଛି । ଯେଉଁ ପୁନିକୁ ସେଦିନ ସେ ଅଭିଶାପ ଦେଇଥିଲା ସେହି ପୁନିର ଆଦର୍ଶ ତାକୁ ଆନନ୍ଦରେ ବିଭୋର କରିଛି । ସେ ଯାଇଛି ପୁନିକୁ ଦେଖିବାକୁ । ପୁନି ତାକୁ ସେଠାରେ ବସାଇ ଦେବାକୁ ଇଚ୍ଛା କରିନାହିଁ-। କାରଣ ପୁନି ଚାହିଁଥିଲା ତାର ଭାଇ ସମାଜ ଭିତରେ ରହୁ । ମାତ୍ର ସନିଆ ସେତେବେଳେ ନୂତନ ଜୀବନର ସ୍ପନ୍ଦନ ଅନୁଭବ କରିଛି । ମଣିଷ ଜୀବନ ବିଷୟରେ କଣ ବା ସେ ପୁନିକୁ ବୁଝାଇଥାଆନ୍ତା-। ସନିଆ ସେଠାରେ ଭାବିଛି, ‘‘ସମାଜ ଓ ଧର୍ମର ବଡ଼ପାଟି ଶୁଣି, ଅତ୍ୟାଚାର ସହ ନିଜକୁ ଯେ ପତିତ ମଣିଛି, ଦେବଶିଶୁପରି ଶିଶୁକୁ ଯେ ସମାଜର କଳଙ୍କ ମଣିଛି, ତା ସଙ୍ଗେ ତର୍କ କରି ଲାଭ କଣ ? ସ୍ୱର୍ଗ ନରକର ସପନ ଯିଏ ଦେଖୁଛି, ଦେବତାର ଭୂତ ଚଢ଼ିଛି ଯାହା ମୁଣ୍ଡରେ, ସେଇ ପୁନିର ଆଖି ଆଗରେ ଆଲୁଅ ଧରିଲେ ସେ ହେବ ଜଳକା ।’’

 

ଯାହାର ଦୃଷ୍ଟିଶକ୍ତି କମ ସେ ଉଜ୍ଜ୍ୱଳ ଆଲୋକରେ ଜଳକା ହୁଏ । ମାତ୍ର ଯାହାର ଦୃଷ୍ଟି ଶକ୍ତି ତୀକ୍ଷ୍ଣ ସେ ଉଜ୍ଜ୍ୱଳ ଆଲୋକରେ ବହୁତ କିଛି ଅଧିକ ଦେଖିପାରେ । ସେମିତି ବହୁତ କିଛି ଦେଖିଥିଲା ସନିଆ । ରହିମ୍‌କୁ ତା ସଙ୍ଗରେ ଗୋଟିଏ ଥାଳିରେ ଖାଇବାକୁ ଜିଦ୍‌ଧରି କହିଛି ସନିଆ, ‘‘ଆରେ, ମୁଁ ବାଇଆ ଥିଲିରେ, ରହିମ୍, ଭଲ ହେଇଛି । ଏଇ ଛାତିତଳେ ଯିଏ ଯେଉଁଠୁ ଆସି ଆଶ୍ରା ନେବେ, ସମସ୍ତେ ଖାଇବେ ଏକାଠି । ଏ ଘରେ ସଭିଙ୍କର । ଏଠି ଜାତିଭେଦ, ଧର୍ମଭେଦ, ବର୍ଣ୍ଣଭେଦ ରହିବ ନାହିଁ । x x x x ଏଇ କୁଡ଼ିଆ ତଳେ ନୂଆ ଦୁନିଆଁ ଗଢ଼ିବା ଆମେ ରହିମ୍ । ନୂଆ ସମାଜ ଗଢ଼ିବା, ମଣିଷ ସମାଜ ।’’

 

ସନିଆ ଦେଖିଛି ‘‘ମଣିଷ ସମାଜ’’ର ସ୍ୱପ୍ନ । ସେ ସମାଜରେ ସ୍ୱାର୍ଥପରତା ଲେଶ ନାହିଁ । ସେ ସମାଜରେ ଅଛି କେବଳ ସରସ ସୁନ୍ଦର ଜୀବନର ମଧୁରତା । ସେଇ ଆଦର୍ଶରେ ସେ ନିର୍ବିକାର ଚିତ୍ତରେ ତାରି ଘରେ ଆଶ୍ରୟ ଦେଇଛି ଭାରତ, ରହିମ୍ ସନାତନ, କଇଁ ସମସ୍ତଙ୍କୁ । ପୁଣି ସେଇ ଆଦର୍ଶରେ ସେ ଗ୍ରହଣ କରିଛି କଇଁକୁ । ଜୀବନର ସବୁ ସରସତା ଯେପରି ତାରି ହାତ ମୁଠାରେ ସେ ପାଇଛି ।

 

ଆନନ୍ଦର ଅସରନ୍ତି କଲ୍ଲୋଳ ଭିତରେ ସନିଆ ଯେତେବେଳେ ଭାସିଛି ସେତିକିବେଳେ ଚିନ୍ତେଇ ସୋଇଁ ତାକୁ ଡାକିଛନ୍ତି, ପୁଣି ସମାଜ ଭିତରକୁ ଆସିବାକୁ ତାକୁ ଅନୁରୋଧ କରିଛନ୍ତି—ଧୋବୀକୁ ତାରି ହାତରେ ଟେକିଦେଇ ତାଙ୍କର ଅର୍ଦ୍ଧେକ ସମ୍ପତ୍ତି ତା ନାଁରେ ଉଇଲ କରି ତା ହାତକୁ କାଗଜପତ୍ର ବଢ଼ାଇ ଦେଇଛନ୍ତି । ମାତ୍ର ଥରେ ଯାହା ଆଖିଆଗରେ ଆଲୋକର ରଶ୍ମି ଦେଖାଦେଇଛି ସେ ପୁଣି ଜାଣି ଜାଣି ଅନ୍ଧକାରକୁ ବା ଯାଆନ୍ତା କିପରି ? ସେ ଜାଣି ପାରିଛି, ଏ ସମାଜ ତାକୁ ପୁଣି ଗ୍ରାସ କରିବାକୁ ଆସୁଛି । ତେଣୁ ସେ ସବୁ ଜିନିଷର ପ୍ରଲୋଭନକୁ ଏଡ଼ି ତାରି ଗଠିତ ପରିବାରକୁ ନେଇ ସ୍ଥାନାନ୍ତର ଯାତ୍ରା କରିଅଛି । ଯେଉଁ ଧୋବୀକୁ ପାଇବା ପାଇଁ ଦୀର୍ଘକାଳ ଧରି ସନିଆ ପାଗଳ ହୋଇଥିଲା ଧୋବୀର ପ୍ରଲୋଭନକୁ ସେ ପାଦରେ ଦଳି ଦେଇଛି । ନୂଆ ହୃଦୟର ନୂଆ ସ୍ପନ୍ଦନରେ ସେ ଘରଛାଡ଼ିଛି । ତା ଆଗରେ ବିଶ୍ୱମାନବର ଆଦର୍ଶ । ଲେଖକଙ୍କର ଭାଷାରେ, ‘‘ସେତେବେଳେ ପାହାନ୍ତିଆ ତାରା ପୂର୍ବ ଆକାଶରେ ମଥା ଉପରେ ଦାଉ ଦାଉ ହୋଇ ଜଳୁଥାଏ । ଯେଉଁଦିନ ଆମର ଏଇ ନୂଆ ପୃଥିବୀ ଆକାଶ ମଝିକି ଖସି ଆସିଲା, ଯେଉଁଦିନ ପୁଣି ସୃଷ୍ଟି ହେଲା ପାଣି, ମାଟି, ଉଦ୍ଭିଦ, ଜୀବଜଗତ, ପୁଣି ଉତ୍‌ପାତିଆ ମଣିଷଜାତି ସେଦିନ ମଧ୍ୟ ସେ ଠିକ୍ ଏମିତି ଜଳୁଥାଏ, ସବୁ ସେ ଦେଖିଛି, ପୁଣି ଆଉ କେତେ ଦେଖିବ । ଦୁନିଆଁର ଉଠୁପଡ଼, ଭଲମନ୍ଦ, ଶେଷକୁ ଯେତେବେଳେ ଆମର ଅତିପ୍ରିୟ ଟିକି ପୃଥିବୀଟି କେନ୍ଦ୍ରଚ୍ୟୁତ ହୋଇ ଖସିଯିବ ଶୂନେ ଶୂନେ ଅଜଣା କାହିଁ କୁଆଡ଼େ, ସୃଷ୍ଟି ଧ୍ୱଂସ ହେବ । ଟିକି ପୃଥିବୀଟି ପୁଣି ଜଳି ଉଠିବ ହେବ କେବଳ ଆଲୁଅର ଶିଖା । କାଲି ପାହାନ୍ତିଆ ତାରା ହୁଏତ ସେଦିନ ବି ସେ ହସୁଥିବ ଏମିତି ।’’

 

ସୃଷ୍ଟିର ଉଜ୍ଜ୍ୱଳ ଆଲୋକରେ ଉଦ୍‌ଭାସିତ ହୋଇଉଠିଛି ସନିଆର ହୃଦୟ । ଏ ହୃଦୟର ପରାଜୟ ନାହିଁ । ସନିଆର ଆଦର୍ଶ ସମଗ୍ର ସମାଜ ପ୍ରତି ଏକ ସାର୍ଥକ ଉପଦେଶ ।

 

ତଥାପି ସନିଆ ତିଷ୍ଠି ରହି ପାରିନାହିଁ । ସେ ଭାବିଛି ଅଜଣା ଗାଁର ଅପନ୍ତରାରେ ସେ ତାର ନୂଆ ଆଦର୍ଶକୁ ବଜାୟ ରଖି ପାରିବ । ମାତ୍ର ନିଜ ଗାଁର କୃତ୍ରିମ ସମାଜରେ ତାର ସ୍ଥିତି ଅସମ୍ଭବ । ସେଇଥିପାଇଁ ସମସ୍ତଙ୍କୁ ସଙ୍ଗରେ ସେ ନେଇ ଅନିର୍ଦ୍ଦିଷ୍ଟ ପଥରେ ପଥିକ ହୋଇଛି । ପେଟ ଚାଖଣ୍ଡକ ପାଇଁ ଏମିତି ଦିନେ ସନିଆ ବାହାରି ପଡ଼ିଥିଲା ନିଜ ବାପ ସାଙ୍ଗରେ ଅଜଣା ବାଟକୁ । ସମସ୍ତଙ୍କୁ ହରାଇ ଏକା ଫେରିଥିଲା ଗାଁକୁ, ସମାଜକୁ । ସେ ବେଳ ଯାଇଛି । ମାତ୍ର ପୁଣିଥରେ ସେ ତାର ନୂଆଗଠିତ ପରିବାରକୁ ନେଇ ଅଜଣା ବାଟକୁ ଗୋଡ଼କାଢ଼ିଛି । ତାର ଏ ଯାତ୍ରା ସମାଜରୁ ବିଦାୟ ଯାତ୍ରା । ଏ ଯାତ୍ରାରେ ଆଗକୁ ପାଦ ବଢ଼ାଇବା ବେଳେ ଆଉ ତା ମନରେ ଆଶା ନାହିଁ ପୁଣି ଥରେ ଫେରି ଆସିବା ପାଇଁ ।

 

ସନିଆ ମନ ଭିତରେ ମାନବିକତା ର ମହାମନ୍ତ୍ର ଜଗାଇ ଲେଖକ ତାକୁ ସମାଜରୁ ଦୂରକୁ ନେଇଯାଇଛନ୍ତି । କାରଣ, ଲେଖକ ଅନୁଭବ କରିଛନ୍ତି ଏ ସମାଜରେ ତାର ସ୍ଥାନ ନାହିଁ । ଯୁଗ ଯୁଗ ଧରି ଗଡ଼ିଆସିଥିବା ସମାଜ ହଠାତ୍ ଏପରି ପରିବର୍ତ୍ତିତ ହେବାର କଥା ନୁହେଁ । ଏ ଦରମଲା ସମାଜ ଏମିତି ଘୁସୁରି ଘୁସୁରି ଚାଲିବ । ଯେଉଁମାନେ ଏ ମସାଜକୁ ଅସ୍ୱୀକାର କରିବେ ସେମାନେ ଏ ସମାଜରୁ ଦୂରେଇ ଯିବେ । ନିଜ ଆଦର୍ଶରେ ସେମାନେ ନିଜକୁ ଆଲୋକିତ କରିବେ-। ଯେଉଁମାନେ ଏ ସମାଜରେ ରହିବେ ସେମାନେ ମନର ଭାଷାକୁ ପ୍ରକାଶ କରିପାରିବେ ନାହିଁ, ଦେହର କ୍ଷୁଧାକୁ ଶାନ୍ତ କରି ପାରିବେ ନାହିଁ । ତେଣୁ ସେମାନେ ଆଖିରୁ ଲୁହଗଡ଼ାଇ ଉଚ୍ଚାରଣ କରିବେ, ‘‘ମୋତେ ପଥର କର, ମୂକ, ଅର୍ଥବ, କଠିଣ କର ଭଗବାନ, ଠିକ୍ ତୁମରି ପରି-।’’

 

କାହ୍ନୁଚରଣଙ୍କର ସଂସ୍କାରବାଦିତା ପ୍ରତି ଦୃଷ୍ଟିଦେଲେ ତାଙ୍କର ଜୀବନାଦର୍ଶ ସହଜରେ ଉପଲବ୍‌ଧ ହୁଏ । ତାଙ୍କର ଲେଖନୀ ଓଡ଼ିଆ ସାହିତ୍ୟରେ ଏକ ଅଭୂତପୂର୍ବ ଚେତନା ସୃଷ୍ଟି କରିଅଛି-। ତାଙ୍କର ଉପନ୍ୟାସଗୁଡ଼ିକରେ ସେ ପ୍ରଚଳିତ ସଂସ୍ଥା, ସମାଜ ବା ଧର୍ମନୀତିର ବିଶ୍ଳେଷଣ କରି ତହିଁରେ ଥିବା ସାରାସାର ଭେଦ ପ୍ରଦର୍ଶନ କରିଅଛନ୍ତି । ଭାଷାର ଯାଦୁକରୀ ଶକ୍ତି ଏଥିପାଇଁ ତାଙ୍କୁ ଯଥେଷ୍ଟ ଭାବରେ ସାହାଯ୍ୟ କରିଅଛି ।

☆☆☆

 

Unknown

ଶାସ୍ତିରେ ପ୍ରେମଚିତ୍ର

 

ଶାସ୍ତି ଉପନ୍ୟାସରେ ଲେଖକ ଅତ୍ୟନ୍ତ ଦକ୍ଷତାର ସହିତ ପ୍ରେମ ଚିତ୍ର ପ୍ରଦାନ କରିଅଛନ୍ତି-। ଏହି ପ୍ରେମଚିତ୍ର ମୁଖ୍ୟତଃ ତିନିଗୋଟି ବିଭିନ୍ନ ସ୍ତରରେ ବର୍ଣ୍ଣିତ । ଧୋବୀ ଓ ସନିଆ ମଧ୍ୟରେ ପ୍ରେମର ଚିତ୍ର ଯେପରି ଭାବରେ ପ୍ରକାଶ ପାଇଅଛି, ପୁନି ଓ ମଧୁ ଭୋଇ ମଧ୍ୟରେ ପ୍ରେମର ଚିତ୍ର ସେପରି ଭାବରେ ପ୍ରକାଶ ପାଇନାହିଁ । ପୁଣି, କଇଁ ଜୀବନରେ ସନିଆ ସହିତ ଯେପରି ପ୍ରେମଚିତ୍ର ପ୍ରକାଶ ପାଇଅଛି ତାହା ମଧ୍ୟ ଭିନ୍ନ ଧରଣର ।

 

ଧୋବୀ ଓ ସନିଆ ମଧ୍ୟରେ ପିଲାଦିନର ଧୂଳିଖେଳଠାରୁ ପରସ୍ପରକୁ ଭଲପାଇବା ଆରମ୍ଭ ହୋଇଥିଲା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କର ଭଲପାଇବା ବଢ଼ିଚାଲିଛି । ଧୋବୀ ସହିତ ସନିଆର ବିବାହ ପ୍ରସ୍ତାବ ନେଇ ଯେଉଁଦିନ ରାମ ପହରାଜେ ବନେଇ ପରିଡ଼ାଙ୍କ ପାଖକୁ ଯାଇଥିଲେ ସେଦିନ ସେ ନିରାଶ ହୋଇ ଫେରିଲେ । ତାପରେ ସନିଆ ଧୋବୀ ଆଗରେ ଏକଥା କହିଛି । ଧୋବୀ ସେତେବେଳେ ଏ ବିଷୟରେ ଗୁରୁତ୍ୱ ହୃଦୟଙ୍ଗମ କରିବା ବୟସକୁ ଆସିନଥିଲା । ତା ପରେ ଆସିଛି ନଅଙ୍କ ଦୁର୍ଭିକ୍ଷ । ନଅଙ୍କ ଦୁର୍ଭିକ୍ଷ ଦାଉରେ ଯେଉଁଦିନ ବନେଇ ପରିଡ଼ା ଘରଦ୍ୱାର ଛାଡ଼ି ବାହାରି ପଡ଼ିଲେ ସେଦିନ ସେ କେତେ ଆଶା କରି ଯାଇଥିଲେ ଚିନ୍ତେଇ ସୋଇଁଙ୍କ ଘରକୁ ସେଠାରୁ ନିରାଶ ହୋଇ ଯେତେବେଳେ ବନେଇ ପରିଡ଼ା ନିଜର ପିଲାମାନଙ୍କୁ ଧରି ଫେରି ଯାଉଥିଲେ ସେତେବେଳେ ଅତି ଆକୁଳ ହୋଇ ଝରକା ବାଟ ଦେଇ ଚାହିଁଥିଲା ଧୋବୀ । ଆଖିରୁ ତାର ଝରିପଡ଼ିଥିଲା ଅଶ୍ରୁଧାର । ସନିଆ ସେଦିନ ଦେଖି ପାରିଥିଲା ଧୋବୀର ଏ ଆକୁଳ ଭାବ । ସେ ମନେ କରିଥିଲା ସତେ ଯେପରି ଧୋବୀ କଣ କହିବ କହିବ ହୋଇ କିଛି କହି ପାରିନାହିଁ । ସନିଆ ଚାଲିଗଲା ଅନିର୍ଦ୍ଦିଷ୍ଟ ପଥରେ । ଘରେ ରହିଗଲା ଧୋବୀ । ଧୋବୀର ମନ ଭିତରେ କେବଳ ସନିଆର ପ୍ରତିମୂର୍ତ୍ତି ।

 

ନଅଙ୍କ ଦୁର୍ଭିକ୍ଷର ଦାଉରେ ଯେତେବେଳେ କେତେ କାଙ୍ଗାଳ ବାଟଘାଟରେ ପଡ଼ି ପ୍ରାଣ ହରାଉଥିଲେ ସେତିକିବେଳେ ଚିନ୍ତେଇ ସୋଇଁଙ୍କର ଅଲୀଅଳୀ କନ୍ୟା ଧୋବୀ ହେଲା ଶୁଭ ପରାୟଣ ଦୁର୍ଗାପୁରର ଜିତେଇ ନାୟକଙ୍କ ପୁତ୍ର ନିତେଇ ନାୟକଙ୍କ ସହିତ । ବିବାହ ବେଦୀରେ ଧୋବୀର ହାତକୁ ନିତେଇ ନାୟକଙ୍କ ହାତ ସହିତ ଛନ୍ଦି ଦିଆଗଲା । ସେତିକିବେଳେ ଧୋବୀ କାନରେ ପଡ଼ିଲା ଚିନ୍ତେଇ ସୋଇଁଙ୍କର ତୋଷାମୋଦୀର ଭାଷା—‘‘କାହିଁ ଲକ୍ଷପତି ଜିତେଇ ନାୟକ, ଆଉ କାହିଁ କାଙ୍ଗାଳ ବନେଇ ପରିଡ଼ା । ଏହି କଥାରେ ଧୋବୀର ମନଗହନରେ ସୃଷ୍ଟି ହୋଇଥିଲା ଝଡ଼ । ଅତୀତର ସବୁ କଥା ଧୋବୀର ସ୍ମୃତିରେ ଚେଇଁ ଉଠିଲା । ଧୋବୀର ଆଖିରୁ ସେଦିନ ଝରିଥିଲା ଲୁହ । ଧୋବୀର ମନ ଅବସ୍ଥା ବୁଝିବାଭଳି ଗୋଟିଏ ଲୋକ କେହି ସେଠାରେ ନଥିଲା । ଧୋବୀର ଅବସ୍ଥା ଦେଖି ଚିନ୍ତେଇ ସୋଇଁ ବାରିକକୁ ଧମକ ଦେଇ ପଙ୍ଖାଧରି ବିଞ୍ଚିବାକୁ କହିଲେ । ଲେଖଙ୍କର ଭାଷାରେ ‘‘ବାପ ବୁଝିଲେ ଦେହର କଥା । ମନର କଥା କେହି ବୁଝିଲେ ନାହିଁ-।’’

 

ଧୋବୀ ମନରେ ଜାଗି ରହିଲା କେବଳ ସନିଆର ସ୍ମୃତି । ସେହି ସୃତିରେ ସେ ପାଗଳୀ ପ୍ରାୟ ହୋଇଗଲା । ଯେଉଁଠି ସେ ଦୁର୍ଭିକ୍ଷଗ୍ରସ୍ତ କାଙ୍ଗାଳଟିଏ ଦେଖିଲା ସେଠାରେ ତାର ଆଖିରୁ ଝରିଲା ଲୁହ କେବଳ ସନିଆର ସ୍ମୃତିରେ । ଭାତଥାଳୀ ପାଖରେ ବସିଲେ ଧୋବୀ ଆଖିରୁ ବି ଝରିଲା ଲୁହ । ମନରେ ତାର ଆକୁଳତା । ହୁଏତ ଏଇ ଭାତ ମୁଠିକ ପାଇଁ ତାର ଅତି ଆଦରର, ଅତି ଆପଣାର ସନିଆ ଭାଇ କାହିଁ କେଉଁ ଅପନ୍ତରାରେ ବୁଲି ବୁଲି ହାତ ପତେଇଥିବ । ଧୋବୀର ଆକୁଳତା ଦେଖି ଶ୍ୱଶୁର ସ୍ୱାମୀ ବିଚଳିତ ହେଲେ । ସେମାନେ ଭାବିଲେ କାଙ୍ଗାଳଙ୍କ ପାଇଁ ଧୋବୀର ମନସ୍ତାପ । ଧୋବୀକୁ ସନ୍ତୁଷ୍ଟ କରିବା ପାଇଁ ଜିତେଇ ଓ ନିତେଇ ଯେଉଁ ବାଟ ଧରିଲେ ସେହି ବାଟରେ ସେମାନେ ପ୍ରାଣ ହରାଇଲେ ।

 

ମାତ୍ର କେତୋଟି ମାସ ପରେ ଷୋଳବର୍ଷ ବୟସରେ ବୈଧବ୍ୟ ବରଣ କରି ଦୁର୍ଗାପୁର ଫେରିଲେ ଧୋବୀ । ଦୁର୍ଗାପୁରରେ ସେ ଯେତେବେଳେ ତାର ହୀନିମାନୀ ଜୀବନକୁ ତିଳ ତିଳ କରି ନିଃଶେଷ କରୁଥିଲା ସେତିକିବେଳେ ତା କାନରେ ବାଜିଛି ସନିଆର ଫେରିଆସିବା ଖବର । ପୁଣି ଅତୀତ ତାର ଚେଇଁ ଉଠିଛି । ସନିଆକୁ ନେଇ ଅତୀତରେ ସେ ଯେଉଁ ସ୍ୱପ୍ନ ଦେଖିଥିଲା, ସେ ସ୍ୱପ୍ନ ପୁଣିଥରେ ତାର ମନଭିତରେ ଉଙ୍କିମାରିଲା । ନିଜ ହାତରେ ସନିଆକୁ ଖୁଆଇ, ନିଜ ଧନରେ ତାକୁ ସମାଜରେ ମିଶାଇ ତା ମନରେ ପୁଣି ଅତୀତର ସ୍ୱପ୍ନକୁ ଜଗାଇ ଦେଲା । ଧୋବୀର ଏହିସବୁ କାର୍ଯ୍ୟ କେବଳ ତାର ଭଲପାଇବାର ମୋହ, ଜୀବନକୁ ରଙ୍ଗେଇବାର ନିଶା ପାଇଁ ଉଦ୍ଦିଷ୍ଟ ।

 

ସନିଆ ସହିତ ମିଳିତ ହେବାର କାମନା ଧୋବୀ ମନରେ ଏପରି ଭାବରେ ସ୍ଥାନ ପାଇଥିଲା ଯେ ସେ ଶିବରାତ୍ରିରେ ସନିଆ ପାଖରେ ନିଜର ସ୍ୱୀକାରୋକ୍ତି ସ୍ପଷ୍ଟଭାବରେ ପ୍ରକାଶ କରିଥିଲା । ଧୋବୀ ମନରେ ଏଥିପାଇଁ ବାରମ୍ୱାର ଦ୍ୱନ୍ଦ୍ୱର ସୃଷ୍ଟି ହୋଇଅଛି । ଏହି ଦ୍ୱନ୍ଦ୍ୱର ଆଲୋଡ଼ନା ଧୋବୀ ସମାଜ ପାଖରେ ନିଜର ପରାଜୟ ସ୍ୱୀକାର କରିଛି । ସନିଆ ବହୁଦିନ ଧରି ଧୋବୀକୁ ତାର ଧ୍ରୁବତାରା କରି ଚାହିଁରହିଛି । ସନିଆ ଧୋବୀଠାରୁ ନୈରାଶ୍ୟଜନକ ଉତ୍ତର ପାଇବାପରେ ତାର ଜୀବନରେ ଆସିଛି ପରିବର୍ତ୍ତନ । ଦୁହେଁ ସବୁବେଳେ ଭଲପାଇଛନ୍ତି ହୃଦୟରେ-। ତାଙ୍କ ପାଖରେ ଦେହଜ ପ୍ରେମର କ୍ଷୁଧା ପରାଜିତ ହୋଇଛି । ସନିଆର ଦେହ ଖୋଜିଛି ଧୋବୀକୁ, ଧୋବୀର ଦେହ ମଧ୍ୟ ଖୋଜିଛି ସନିଆକୁ ମାତ୍ର ଦୁହେଁଯାକ କେବେହେଲେ ଦେହର କ୍ଷୁଧା ମେଣ୍ଟାଇବା ପାଇଁ ନିଜ ନିଜର ହାର୍ଦ୍ଦିକ ପ୍ରେମର ମହତ୍ତ୍ୱ ନଷ୍ଟ କରିନାହାନ୍ତି ।

 

ସନିଆର ଆଖିରେ ପ୍ରେମର ଆକର୍ଷଣ କମ୍ ନୁହେଁ । ସେ ଧୋବୀଠାରୁ ନିରାଶ ହୋଇ କଇଁକୁ ଗ୍ରହଣ କରିନେଇଛି । କଇଁକୁ ଗ୍ରହଣ କରିନେବା ପରେ ତାର ପ୍ରେମର ପୂର୍ଣ୍ଣତା ସେ ଉପଲବ୍‌ଧି କରିଛି । ଚିନ୍ତେଇ ସୋଇଁଙ୍କର ଶେଷ ପ୍ରସ୍ତାବକୁ ଅସ୍ୱୀକାର କରିବା ଦ୍ୱାରା ସେ ନିଜର ଅନ୍ତରର ପ୍ରେମର ପରାକାଷ୍ଠା ପ୍ରଦର୍ଶନ କରିଅଛି ।

 

କଇଁ ଦୁର୍ଭିକ୍ଷରୁ ଫେରିବା ପରେ ତାର ଜୀବନର ଅତୀତ ଇତିହାସ ଘଟଣାକ୍ରମେ ସନିଆ ଆଗରେ କହିଦେଇଛି । ସବୁ ଶୁଣିଛି ସନିଆ । ତଥାପି ସେ କଇଁକୁ ଆଦରରେ ଗ୍ରହଣ କରିଅଛି । କଇଁର ମନର ବଳ ସେ ବୁଝିପାରିଛି । ବାପକୁ ବଞ୍ଚାଇବା ପାଇଁ ମୁଠିଏ ଭାତର ଲୋଭରେ ସେ ତାର ଜୀବନର ସବୁକିଛି ହରାଇ ବସିଛି । ଲୁଚିଛପି ଏଇ ସମାଜର ମଣିଷ ଯେଉଁ ବ୍ୟଭିଚାର କରେ ତାର ଫଳକୁ କଇଁ ଗର୍ଭରେ ଧାରଣ କରିଛି । ଜନ୍ମ ଦେଇଛି । ସମାଜ ଆଖିରେ ସେ ପତିତା ହୋଇପାରେ । ମାତ୍ର ସନିଆ ଆଖିରେ ସେ ପତିତା ନୁହେଁ । କଇଁର ଜୀବନକୁ ଯେ ଏପରି ଭାବରେ ପତନର ପଥକୁ ଠେଲିଦେଲା ସେଥିପାଇଁ ସେ ସିନା ଦାୟୀ, ମାତ୍ର କଇଁ ସେଥିପାଇଁ ଦାୟୀ ହେବ କାହିଁକି ? ସନିଆକୁ ଫେରିପାଇ କଇଁ ତାର ଜୀବନର ସବୁକିଛି ଫେରି ପାଇଛି ।

 

ପୁନିକୁ ବାଟରୁ ଗୋଟାଇନେଇ ମଧୁଭୋଇ ତାର ସେବା ଶୁଶ୍ରୂଷା କରି ତାକୁ ଆରୋଗ୍ୟ କରିବା ପରେ ତାକୁ ଘରୁ ବାହାର କରିଦେବା ଉଦ୍ଦେଶ୍ୟରେ ତା ପ୍ରତି ନିତାନ୍ତ ନିର୍ମମ ବ୍ୟବହାର କରିଛି । ମାତ୍ର ପୁନି ମଧୁଭୋଇର ଘରଛାଡ଼ି ଯିବାପାଇଁ ଉଚିତ ମନେକରି ନାହିଁ । ମଧୁଭୋଇର ଅନ୍ତରକୁ ସେ ଭଲକରି ଚିହ୍ନି ପାରିଛି । ମଧୁଭୋଇ ତାକୁ ଯୋଗକରି ଘରୁ ତଡ଼ିଦେବା ସମୟରେ ଲେଖକ ଲେଖିଛନ୍ତି, ‘‘ମଧୁଆ ତାର ଦୁଇହାତ ଧରି ଟାଣି ଆଣିଲା । ମୁକୁଳା ଦେହରେ ଫୁଙ୍ଗୁଳା ଦେହକୁ କୁଣ୍ଢାଇ ଧରି ଘର ଭିତରୁ ବାହାରି ଆସୁଥିଲା । ଦେହର ପରଶରେ ଗୋଡ଼ଦୁଇଟା ଥରି ଥରି ଉଠିଲା । ଗୋଡ଼ବାଜି ରୁଖା ଉପରୁ ଡିବିରି ଖସି ପଡ଼ି ଆଲୁଅ ନିଭିଗଲା । ହୁଣ୍ଡା ମଧୁଆର ପଥର ଛାତି ତରଳିଲା । ସେ ଦ୍ୱାରବନ୍ଧ ଡେଇଁ ପାରିଲା ନାହିଁ । ଘର ବାହାରେ ନିଘଞ୍ଚ ଅନ୍ଧାର । ନିର୍ଜନ ରାତି ।’’

 

ଫଳରେ ପୁନି ଆଉ ମଧୁଭୋଇ ଘରୁ ବାହାରିଗଲା ନାହିଁ । ପୁନି ପାଇଲା ମଧୁ ଭୋଇର ଅନ୍ତରରେ ସ୍ଥାନ । ସେ କଥା ଲେଖକ ଅତ୍ୟନ୍ତ ଚମତ୍କାର ଭାବରେ ପ୍ରକାଶ କରିଅଛନ୍ତି, ‘‘ଆତ୍ମାକୁ ଚିହ୍ନିଲା ଆତ୍ମା । ପ୍ରେମ କ’ଣ ନଜାଣି ମଧ୍ୟ ଦିହେଁ ଅନୁଭବ କରୁଥିଲେ । ଜଣକଛଡ଼ା ଆର ଜଣଙ୍କର ସଂସାର ଆଉ କେହି ନାହିଁ । ଜଣକୁ ଛାଡ଼ି ଆଉ ଜଣେ ରହିପାରିବ ନାହିଁ । ଜଣକ ଉପରେ ନିର୍ଭର କରିବାର ଏତେ ଆନନ୍ଦ, ଏତେ ସୁଖ, ଉତ୍ତେଜନା ଅଛି ? କେତେ ସ୍ୱପ୍ନର କଳ୍ପନାରେ ପୂରିଉଠେ ଦୁହିଁଙ୍କର ମନ । ଘରସଂସାର, ଭବିଷ୍ୟତ ।’’

 

ଲେଖକ ତାଙ୍କର ଉପନ୍ୟାସମାନଙ୍କରେ ପ୍ରେମର ଚିତ୍ର ଅଙ୍କନ କରିବାରେ ସିଦ୍ଧହସ୍ତତାର ପ୍ରମାଣ ଦେଇଅଛନ୍ତି । ପ୍ରେମର ଚିତ୍ରରେ ତାଙ୍କର ମନୋସ୍ତାତ୍ତ୍ୱିକ କ୍ରିୟା ପ୍ରତିକ୍ରିୟା ପ୍ରକାଶ ତାଙ୍କର ଅନ୍ୟଏକ ବିଶେଷତ୍ୱ । ଶାସ୍ତି ଉପନ୍ୟାସରେ ସେ ପ୍ରେମଚିତ୍ର ମଧ୍ୟରେ ମନସ୍ତାତ୍ତ୍ୱିକ କ୍ରିୟା ଓ ପ୍ରତିକ୍ରିୟା ଅତ୍ୟନ୍ତ ଦକ୍ଷତା ସହିତ ପ୍ରକାଶ କରିଅଛନ୍ତି । ତାଙ୍କର ଭାଷାର ସୌଷ୍ଠବ ଏଥିପାଇଁ ଅତ୍ୟନ୍ତ ମନୋରମ ହୋଇଥାଏ । ତାଙ୍କର ଦକ୍ଷତା ଏ କ୍ଷେତ୍ରରେ ସ୍ୱୀକାର କରିବାର କଥା ।

☆☆☆

 

ଶାସ୍ତିରେ ବର୍ଣ୍ଣନା-ବିଳାସ

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଲେଖକମାନଙ୍କର ବର୍ଣ୍ଣନା ବିଳାସର ସ୍ୱାତନ୍ତ୍ର୍ୟ ବହୁସ୍ଥଳରେ ପରିଦୃଷ୍ଟ ହୋଇଥାଏ । ବର୍ଣ୍ଣନା-ବିଳାସର ସ୍ୱାତନ୍ତ୍ର୍ୟ ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ମୁଖ୍ୟତଃ ଫକୀର ମୋହନଙ୍କଠାରୁ ପରିଦୃଷ୍ଟ ହୋଇଅଛି । ଫକୀର ମୋହନ ତାଙ୍କର ସ୍ୱକୀୟ ଶୈଳୀରେ ସ୍ୱତନ୍ତ୍ର । ତାଙ୍କର ଏହି ପ୍ରଭାବ ବହୁ ଔପନ୍ୟାସିକଙ୍କ ଉପରେ ଯେ ପଡ଼ିଅଛି, ଏକଥା ମୁକ୍ତ କଣ୍ଠରେ ସ୍ୱୀକାର କରିବାର କଥା । କାହ୍ନୁଚରଣ ୧୯୪୦ ସାଲ ପର୍ଯ୍ୟନ୍ତ ଯେଉଁ ଉପନ୍ୟାସଗୁଡ଼ିକ ରଚନା କରିଅଛନ୍ତି ସେଗୁଡ଼ିକରୁ ଅଧିକାଂଶ ଫକୀର ମୋହନଙ୍କର ଶୈଳୀର ପ୍ରଭାବ ସ୍ପଷ୍ଟଭାବରେ ଅନୁଭୂତ ହୋଇଥାଏ । ମାତ୍ର କ୍ରମେ କାହ୍ନୁଚରଣ ନିଜର ଏକ ସ୍ୱତନ୍ତ୍ର ଶୈଳୀ ସୃଷ୍ଟି କରିବାର ସମର୍ଥ ହୋଇଅଛନ୍ତି । ଏହି ଶୈଳୀ ଓଡ଼ିଶାର ଅଗଣିତ ପାଠକ ପାଠିକାଙ୍କର ଉପଭୋଗ୍ୟ ହୋଇଅଛି ।

 

ଉପନ୍ୟାସର ଆରମ୍ଭରେ ଲେଖକ ସନିଆର ଫେରିବାଦିନର ସକାଳର କଥା ବର୍ଣ୍ଣନା କରିଅଛନ୍ତି । କଥାବସ୍ତୁର ଉପସ୍ଥାପନ ଏଠାରେ ନାଟକୀୟ ରୀତିରେ ହୋଇଅଛି । ସନିଆକୁ ନିଜ ଗାଁକୁ ଫେରାଇ ଆଣିବାଠାରୁ ଲେଖକ ଅତୀତକୁ ଫେରିଛନ୍ତି । ଏହି ବର୍ଣ୍ଣନା ଅତ୍ୟନ୍ତ ପୁଷ୍ଖଳ ହୋଇଅଛି । ବର୍ଣ୍ଣନାର ଶୈଳୀରେ ଯେ କୌଣସି ପାଠକ ମୁଗ୍‌ଧ ହୋଇଯିବାର କଥା । କାହ୍ନୁଚରଣଙ୍କର ଭାଷାର କୋମଳତାହିଁ ତାଙ୍କର ବିଶେଷତ୍ୱ । ତାଙ୍କର ଭାଷା ଓ ବର୍ଣ୍ଣନାଶୈଳୀ ଏପରି ହୃଦୟଗ୍ରାହୀ ଯେ ଓଡ଼ିଶାର ପାଠକ-ପାଠିକାମାନେ ଏହାଦ୍ୱାରା ଅତ୍ୟନ୍ତ ମୁଗ୍‌ଧ ହୋଇଥାଆନ୍ତି । ବର୍ଣ୍ଣନାର ପରିସର ମଧ୍ୟରେ ସେ ଅଯଥାରେ ଦାର୍ଶନିକ ମତବାଦର ଅବତାରଣ କରି ପାଠକର ମନକୁ ଭାରାକ୍ରାନ୍ତ କରନ୍ତି ନାହିଁ । ଉପନ୍ୟାସ ପାଠର ଆନନ୍ଦ ତାଙ୍କର ଉପନ୍ୟାସ ପାଠର ଆନନ୍ଦ ତାଙ୍କର ଉପନ୍ୟାସରୁ ଯଥାର୍ଥରେ ମିଳିଥାଏ ।

 

ଚରିତ୍ର ଚିତ୍ରଣ ସମୟରେ ବା କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାର ବର୍ଣ୍ଣନା ସମୟରେ ଫକୀର ମୋହନ ତାଙ୍କ ଉପନ୍ୟାସରେ ନିଜେ ନିଜେ କେତେକ ପ୍ରଥା ପ୍ରକାଶ କରିଥାଆନ୍ତି । ଏହି ପ୍ରକାର ଭଙ୍ଗୀ ଫକୀର ମୋହନଙ୍କ ସମୟରୁ ଗଡ଼ିଆସିଥିଲେହେଁ କାହ୍ନୁଚରଣ ଏପ୍ରକାର ରୀତିକୁ ପ୍ରଶ୍ରୟଦେବାକୁ ଉଚିତ ମନେ କରି ନାହାନ୍ତି । ଏ ପ୍ରକାର ରୀତି ଯେ କାହ୍ନୁଚରଣ ଗ୍ରହଣ କରି ନାହାନ୍ତି, ତାହା ନୁହେଁ । କାହ୍ନୁଚରଣ ଉପନ୍ୟାସ ରଚନା କରିବାର ପ୍ରାଥମିକ ଅବସ୍ଥାରେ ଏହି ରୀତିକୁ ଗ୍ରହଣ କରି କ୍ରମେ କ୍ରମେ ନିଜ ଶୈଳୀର ପରିବର୍ତ୍ତନ କରିବା ସମୟରେ ସେ ରୀତିକୁ ପରିହାର କରି ଅଛନ୍ତି । ଚରିତ୍ର ବିଷୟରେ କୌଣସି ମତାମତ ଦେବାର ଆବଶ୍ୟକ ହେଲେ ସେ ଜଣେ ଦକ୍ଷ ନାଟ୍ୟକାର ଭଳି ପରଦାର ଅନ୍ତରାଳରେ ରହି ଚରିତ୍ର ବା ଘଟଣାଦ୍ୱାରା ତାହା ପ୍ରକାଶ କରିଥାଆନ୍ତି । ଉପନ୍ୟାସର କଳେବର ମଧ୍ୟରେ ହାସ୍ୟରସ ସୃଷ୍ଟି କରିବାଦ୍ୱାରା କଥାବସ୍ତୁର ଗୁରୁତ୍ୱ ଅନେକ ସମୟରେ ରକ୍ଷିତ ହୋଇପାରେ ନାହିଁ । ତେଣୁ ଫକୀର ମୋହନଙ୍କ ଭଳି ହାସ୍ୟରସର ପସରା ସେ ଉପନ୍ୟାସରେ ମେଲିଦେଇ ନାହାନ୍ତି ।

 

କାହ୍ନୁଚରଣ ଉପନ୍ୟାସ ରଚନା କରିବାରେ ନିଜର ଶୈଳୀ ସୃଷ୍ଟିକରି କେତେକ ବିଶିଷ୍ଟତା ପ୍ରଦର୍ଶନ କରିଅଛନ୍ତି । ଉପନ୍ୟାସର ଯେଉଁଠାରେ ସେ କଥାବସ୍ତୁର ଗୋଟିଏ ଭାଗ ଶେଷ କରନ୍ତି ତାର ପରବର୍ତ୍ତୀ ଭାଗର ଆରମ୍ଭରେ ସେହି ଅବସ୍ଥା ସୃଷ୍ଟି କରନ୍ତି । ଏପରିକି ଗୋଟିଏ ଭାଗର ଶେଷରେ ଯେଉଁଧାଡ଼ି ଲେଖାଯାଇଥାଏ, ପରବର୍ତ୍ତିଭାଗର ଆରମ୍ଭରେ ସେହି ଧାଡ଼ିର ଉଲ୍ଲେଖ ଦେଖିବାକୁ ମିଳେ । ଏପରି ଉଦାହରଣ ଶାସ୍ତି ଉପନ୍ୟାସରେ ଅନେକ ସ୍ଥଳରେ ଅଛି । ସାବିତ୍ରୀ ଅମାବାସ୍ୟା ଦିନ ସନ୍ଧ୍ୟାର ବର୍ଣ୍ଣନାରେ ବିଷ୍ଣୁପୁରରେ ଚିନ୍ତେଇ ସୋଇଁ ଧୋବୀ ବୋଉଙ୍କ ଉପରେ ରାଗି ଘର ଭିତରୁ ବାହାରକୁ ବାହାରି ପଡ଼ିବା ବିଷୟରେ ଦିଆଯାଇଅଛି । ଲେଖକ ଲେଖିଛନ୍ତି ‘‘କିଟି କିଟି ଅନ୍ଧାର ଆକାଶରେ ଚମକି ଉଠିଲା ବିଜୁଳି । ସଞ୍ଜ ପହରର ନିସ୍ତବ୍‌ଧତା ଭାଙ୍ଗି ଗର୍ଜିଉଠିଲା ଅଶନୀ !’’ କଥାବସ୍ତୁର ପରବର୍ତ୍ତୀ ଭାଗରେ ବିଷ୍ଣୁପୁରରେ ଥିବା ଧୋବୀର ବିଷୟ ସ୍ଥାନ ପାଇଅଛି । ବିଧବା ଧୋବୀର ଜୀବନରେ ସାବିତ୍ରୀ ବ୍ରତ ପାଳନ କରିବା ଏକ ସାମାଜିକ ବ୍ୟତିକ୍ରମ-। ସେଥିପାଇଁ ଲେଖକ ସାବିତ୍ରୀ ଅମାବାସ୍ୟାର ସନ୍ଧ୍ୟାର ବର୍ଣ୍ଣନାକୁ ଅତ୍ୟନ୍ତ ମନୋରମ ଭାବରେ କଥାବସ୍ତୁର ପରବର୍ତ୍ତୀ ଭାଗରେ ପ୍ରକାଶ କରି କଥାବସ୍ତୁ ପୂର୍ବଭାଗ ସହିତ ସଂହତି ରକ୍ଷା କରିଛନ୍ତି-। ଏହି ବର୍ଣ୍ଣନାରେ ସେ ଲେଖିଛନ୍ତି, ‘‘ସେଦିନ ବିତ ଏମିତି ଅନ୍ଧାର ଦୁନିଆଁ ସାରା ଘେରି ରହିଥିଲା-। ଏମିତି ବର୍ଷା ଏମିତି ବିଜୁଳି ଘଡ଼ଘଡ଼ି । ସତୀର କୋଳରେ ସ୍ୱାମୀର ମଲାଦେହ ।’’

 

ସରଳ ଓ ପ୍ରାଞ୍ଜଳ ବର୍ଣ୍ଣନାରେ ଭାଷାର ଯାଦୁକରୀ ଶକ୍ତି ବଳରେ କାହ୍ନୁଚରଣ ଓଡିଆ ଉପନ୍ୟାସ ପାଠକମାନଙ୍କ ହୃଦୟରେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଆସନ ଅଧିକାର କରି ବସିଅଛନ୍ତି । ପ୍ରକୃତ ବର୍ଣ୍ଣନାରେ କାହ୍ନୁଚରଣଙ୍କର ସ୍ୱାତନ୍ତ୍ର୍ୟ କେବଳ ଶାସ୍ତି ଉପନ୍ୟାସରେ ନୁହେଁ ତାଙ୍କର ସମସ୍ତ ଉପନ୍ୟାସରେ ସ୍ୱୀକୃତ ଲାଭ କରିଅଛି । ଅତ୍ୟାଧୁନିକ କାଳରେ ଯେଉଁମାନେ ଉପନ୍ୟାସ ରଚନାରେ ଲିପ୍ତ ସେମାନଙ୍କ ମଧ୍ୟରେ କାହ୍ନୁଚରଣଙ୍କର ବର୍ଣ୍ଣନା ଶୈଳୀହିଁ ବିଶେଷ ଭାବରେ ପ୍ରାଧାନ୍ୟ ଲାଭ କରିଥିବାର ଦେଖାଯାଇଅଛି । ତାଙ୍କର ସୃଷ୍ଟି ସମ୍ପଦ ଶିଳ୍ପ-ସୌନ୍ଦର୍ଯ୍ୟ ଏକାନ୍ତ ଅନବଦ୍ୟ ହୋଇଅଛି । ଓଡ଼ିଆ ଔପନ୍ୟାସିକ ଭାବରେ ସୁଖ୍ୟାତି ଅର୍ଜ୍ଜନ କରିଥିବା ଗୋପୀନାଥ ମହାନ୍ତି କାହ୍ନୁଚରଣଙ୍କର ଅନୁଜ । ତାଙ୍କ ଉପନ୍ୟାସମାନଙ୍କର ବର୍ଣ୍ଣନାଶୈଳୀ ସ୍ୱାତନ୍ତ୍ର୍ୟ ରହିଛି । ସେ ବର୍ଣ୍ଣନାଶୈଳୀ ମଧ୍ୟରେ ଅନେକ ସମୟରେ ଦର୍ଶନତତ୍ତ୍ୱକୁ ଗର୍ଭିତ କରି ତାଙ୍କର ଉଚ୍ଚ ଚିନ୍ତାଧାରାର ପରିଚୟ ଦେଇଅଛନ୍ତି । ଏଥିପାଇଁ ବହୁ ସମୟରେ ତାଙ୍କର ଉପନ୍ୟାସ ହୋଇ ପଡ଼ିଛି ବୁଦ୍ଧିଜୀବୀ ଶ୍ରେଣୀର ପଠନଯୋଗ୍ୟ । ମାତ୍ର କାହ୍ନୁଚରଣଙ୍କ ସହଜ, ସାବଲୀଳ ବର୍ଣ୍ଣନାଶୈଳୀ ସାର୍ବଜନୀନ ହୋଇ ପଡ଼ିଅଛି । ଏ ଯୁଗରେ ଉପନ୍ୟାସ ରଚନା କ୍ଷେତ୍ରରେ ରାଜକିଶୋର ପଟ୍ଟନାୟକ, ନିତ୍ୟାନନ୍ଦ ମହାପାତ୍ର, ବସନ୍ତକୁମାରୀ ପଟ୍ଟନାୟକ କାଳନ୍ଦୀ ଚରଣ ପାଣିଗ୍ରାହୀ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ମିଶ୍ର, ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଭୁତି ପଟ୍ଟନାୟକ ପ୍ରମୁଖ ଔପନ୍ୟାସିକଗଣ ଯେପରି ଭାବରେ କୃତିତ୍ୱ ଅର୍ଜନ କରିଅଛନ୍ତି ତାହା ବିଶେଷ ଉଲ୍ଲେଖଯୋଗ୍ୟ । ଏମାନଙ୍କର ରଚନାରେ ସ୍ୱକୀୟ ବର୍ଣ୍ଣନା ଶୈଳୀ ପରିଦୃଷ୍ଟ ହୋଇଥାଏ । ଓଡ଼ିଆ ଉପନ୍ୟାସ ସାହିତ୍ୟର ସମୃଦ୍ଧି ପାଇଁ ଏମାନଙ୍କର ଦାନ ଅବିସ୍ମରଣୀୟ ।

 

ଶାସ୍ତି ଉପନ୍ୟାସର ଗଠନ ପରିପାଟୀ କାହ୍ନୁଚରଣଙ୍କୁ ଏକ ସାର୍ଥକ ଶିଳ୍ପୀର ଆସନ ପ୍ରଦାନ କରିଅଛି । ଉପନ୍ୟାସ ରଚନା କରିବା ସମୟରେ ତାଙ୍କର କଥାବସ୍ତୁଗତ ଯୋଜନାକୁ ବିଶେଷ ଭାବରେ ଲକ୍ଷ୍ୟ କରିବାର କଥା । ଶାସ୍ତି ଉପନ୍ୟାସର କଥାବସ୍ତୁଗତ ପରିଣତି କାହ୍ନୁଚରଣ ଉପନ୍ୟାସର ଆରମ୍ଭରହିଁ ସୂଚିତ କରିଅଛନ୍ତି । ଏହି ସୂଚନାକୁ ସେ ଏପରି ସତର୍କତାର ସହିତ ଦେଇ ଅଛନ୍ତି ଯାହାକି ସାଧାରଣ ପାଠକର ଚକ୍ଷୁରେ ସହଜରେ ପଡ଼ି ପାରେ ନାହିଁ । ଦୁର୍ଭିକ୍ଷ ପରେ ନିଜର ଗାଁ ମାଟିକୁ ସନିଆ ଫେରି ଆସିଲା । ଗାଁ ଲୋକଙ୍କର ବ୍ୟବହାର ଦେଖି ସେ ହତାଶ ହେଲା । ତାପରେ ଧୋବୀ ତାର ପ୍ରାଣରେ ଜଗାଇଲା ଆଶା । ସେହି ଆଶାର ପରିଣତି ଯେ ବ୍ୟର୍ଥତା ଏକଥା ଲେଖକ ସୂଚାଇ ଦେଇଛନ୍ତି ପ୍ରଥମରୁ ।

 

ସନିଆର ଧୋବୀ ସହିତ ବାହାଘର ପ୍ରସ୍ତାବ ନେଇ ପହରାଜେ ବନେଇ ପରିଡ଼ାଙ୍କ ପାଖକୁ ଆସି ନିରାଶ ହୋଇ ଫେରିଗଲେ । ସନିଆ ଏ କଥାରେ ବଡ଼ ବ୍ୟଥିତ ହୋଇଥିଲେ । ସେ ଏକଥା ଦିନେ ସକାଳେ ଖୁଦୁରୀକୁଣୀ ଓଷାପାଇଁ ପିଲାମାନେ କଇଁଫୁଲ ତୋଳିବା ସମୟରେ ଧୋବୀ ଆଗରେ ପ୍ରକାଶ କରିଥିଲା । ‘‘ତାପରେ ହସି ହସି ଧୋବୀ ଉତ୍ତର ଦେଲା ଯାଉନୁ କଇଁ ଫୁଲ ତୋଳିବୁ । ସନେଇ ଧୋବୀର ହାତ ଧରିବାକୁ ହାତ ବଢ଼େଇଥିଲା, ଆଉ ଧୋବୀ ମୁହଁ ମୋଡ଼ି ତା ପାଖରୁ ସତୃଷ୍ଣ ଦୃଷ୍ଟି ବଢ଼ାଇଛି, ସେ ଫେରି ପାଇଛି ଫଣ ଫଣ ମୁହଁ, ଓଠ ମୋଡ଼ା, ଆଖିତରଟା-। ଯେତେଥର ଅନାହୁତ କଇଁ ଦେଖାଦେଇଛି, ଅଣ୍ଡରିଚଣ୍ଡୀ କଇଁ, ମୁଣ୍ଡ ଉପରକୁ ଲୁଗା ଆଣିଛି, ପାଞ୍ଚଣବାଡ଼ି ହାତରୁ ଖସାଇ, ଆଡ଼ ହୋଇ ଠିଆ ହୋଇଛି । କଣେଇଁ କଣେଇଁ ଚାହିଁ ମୁଡ଼ିକି ହସା ଦେଇଛି । ସନେଇ ଅପେକ୍ଷା କରି ଚାହିଁ ନାହିଁ । ଫେରି ଫେରି ଚାହିଁ ନାହିଁ ।’’

 

ଏହିଠାରେହିଁ ଲେଖକ ଶାସ୍ତି ଉପନ୍ୟାସର ପରିଣତି ଓ ସନିଆ ଧୋବୀଙ୍କର ଜୀବନର ଭବିଷ୍ୟତର ସୂଚନା ପ୍ରଦାନ କରିଅଛନ୍ତି । ସନିଆ ଯେତେବେଳେ ଅତି ଦୁଃଖରେ ଧୋବୀ ଆଗରେ ନିଜ ମନ କଥା ପ୍ରକାଶ କରିଛି ସେତେବେଳେ ଧୋବୀ ହସି ହସି ତା କଥାର ଉତ୍ତର ଦେଇଛି । ସନିଆର ମନ ଦୁଃଖକୁ ସେ ହସରେ ଉଡ଼ାଇ ଦେଇଛି । ଧୋବୀ ତାକୁ କଇଁ ଫୁଲ ତୋଳିବାକୁ ଯିବାପାଇଁ କହିଛି । ଏହାର ଅର୍ଥକୁ ଦୁଇ ପ୍ରକାରରେ ଗ୍ରହଣ କରାଯାଇ ପାରେ । ଖୁଦୁରୁକୁଣୀ ଓଷାପାଇଁ ପିଲାମାନେ ଯେତେବେଳେ କଇଁଫୁଲ ତୋଳିଛନ୍ତି ସେତେବେଳେ ସେ ସନିଆକୁ କଇଁ ଫୁଲ ତୋଳିବାକୁ କହିଛି । ଅର୍ଥାତ ଧୋବୀ ସନିଆକୁ କହିଛି, ‘‘ସନିଆ ତୁ କେବଳ ମୋର ପିଲାଖେଳର ସାଥୀ-ଜୀବନର ସାଥୀ ହେବାର ପ୍ରଶ୍ନ ଏଠି କାହିଁ ?’’ ପୁଣି; ବନେଇ ପରିଡ଼ା ଯେତେବେଳେ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ସେତେବେଳେ ଧୋବୀର ସନିଆ ଉପରେହିଁ ଅଭିମାନ କରିବାର କଥା । ବାପର କଥାକୁ ଯେବେ ମଥାପାତି ସହିନେବାର କଥା ତେବେ ସନିଆ ତାହା ହିଁ କରୁ । ତେଣୁ ଧୋବୀର ଉତ୍ତର ‘ଯାଉନୁ କଇଁଫୁଲ ତୋଳିବୁ’ର ଅର୍ଥ ‘‘ତୋ ପାଇଁ ଯେଉଁ ଫୁଲ କଇଁ ରୂପରେ ଫୁଟିଛି ତାକୁଇ ତୁ ତୋଳି ନେ ।’’ ମାଧେଇ ରାଉତଙ୍କ ଝିଅ କଇଁ, ଦ୍ୱିତୀୟ ଅର୍ଥରେ କଇଁ ଫୁଲ । ଉପନ୍ୟାସର ପରିଣତିରେ ତାହାହିଁ ଘଟଛି । ଧୋବୀର ଏପରି କଥା ଶୁଣିବା ସତ୍ତ୍ୱେ ସନିଆ ତାର ହାତ ଧରିବାକୁ ଯେତେବେଳେ ହାତ ବଢ଼ାଇଛି ସେତେବେଳେ ସେ ମୁହଁ ମୋଡ଼ି ତା ପାଖରୁ ଛୁଟି ପାଇଛି । ଉପନ୍ୟାସର ପରିଣତିରେ, ସନିଆ ଯେତେବେଳେ ଧୋବୀକୁ ପାଇବା ଆଶାରେ ପାଗଳ ହୋଇ ଦୁର୍ଗାପୁର ଯାଇଥିଲା ସେଠାରେ ଧୋବୀ ତାକୁ ଯେଉଁକଥା କହିଥିଲା ତାହା ଏହି ବର୍ଣ୍ଣନାର ଅନୁରୂପ । ପରିଣାମରେ, କଇଁ ପାଇଁ ସନିଆ ଅପେକ୍ଷା ନକରି ଅପେକ୍ଷା କରିଥିଲା ଧୋବୀ ପାଇଁ-ମାତ୍ର ଧୋବୀଠାରୁ ନିରାଶ ହେବା ପରେ ସେ ପାଇଛି କଇଁକୁ । ଯାହା ଅବାସ୍ତବ ତାକୁ କେବଳ କଳ୍ପନାରେ ଉପଭୋଗ କରାଯାଇ ପାରେ । ମାତ୍ର ତାକୁ ବାସ୍ତବ ଜୀବନରେ ଖୋଜି ବସିଲେ ନିରାଶ ହେବାକୁ ପଡ଼େ । ପୁଣି, ଏମିତି ନିରାଶ ନହେଲେ, ମଣିଷର ଦୃଷ୍ଟି ବାସ୍ତବ ଆଡ଼କୁ ଫେରି ପାରେନା । ତେଣୁ ସନିଆ ପକ୍ଷରେ ଧୋବୀ ଥିଲା କଳ୍ପନାର ସାଥୀ-କଇଁ ତାର ବାସ୍ତବ ଜୀବନର ସାଥୀ । ଧୋବୀଠାରୁ ନିରାଶସୂଚକ ବାଣୀ ଶୁଣି ନ ଥିଲେ ସନିଆ କଇଁକୁ ତାର ଜୀବନର ସାଥୀରୂପେ ଗ୍ରହଣ କରିନେଇଥାଆନ୍ତା କିପରି ?

 

ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଲେଖକ ନିଜର ପାରଦର୍ଶିତା ପ୍ରଦର୍ଶନ କରିଅଛନ୍ତି । ଧୋବୀର ମନସ୍ତାତ୍ତ୍ୱିକ ଚିତ୍ର ଲେଖକ ଅତ୍ୟନ୍ତ ଦକ୍ଷତାର ସହିତ ପ୍ରଦାନ କରିଅଛନ୍ତି । ଧୋବୀ ଆଖିରେ ଗୋଟିଏ ପାଖରେ ସନିଆ ଆଉ ଗୋଟିଏ ପାଖରେ ସମାଜ । ସମାଜର ବନ୍ଧନୀ ନିଜକୁ ଆବଦ୍ଧ କରି ଶେଷରେ ସନିଆ ମୋହକୁ ତ୍ୟାଗ କରିଛି । ସମାଜରେ ବିଧବା ଯୁବତୀର ମନର ଅବସ୍ଥା କି ଆକାର ଧାରଣ କରେ ତାହା ଲେଖକ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ପ୍ରକାଶ କରିଅଛନ୍ତି । ମନ ଆଉ ସମାଜ-ଦୁଇଟା ଅଲଗା କଥା । ସମାଜରେ ରହିବାକୁ ହେଲେ ମଣିଷ ମନର ଆବେଗ ଛାଡ଼ିବାକୁ ପଡ଼ିବ । ତଥାପି ମଣିଷ ମନ ଭିତରେ ଦ୍ୱନ୍ଦ୍ୱ ଉଠେ-କେଉଁ ଗୋଟିକ ବଡ଼ ? ସେମିତି ଦ୍ୱନ୍ଦ୍ୱ ଉଠିଥିଲା ଧୋବୀ ମନରେ ବହୁବାର । ସାବିତ୍ରୀ ଅମାବାସ୍ୟାଦିନ ବିଧବା ଧୋବୀ ଉପବାସ କରିଛି । ତା ମନରେ ପ୍ରଶ୍ନ ଆସିଛି ଦ୍ୱନ୍ଦ୍ୱ-‘‘କିଏ ତାର ସତ୍ୟବାନ ? ଯିଏ ମରଣ ସଙ୍ଗେ ଲଢ଼ି ଲଢ଼ି ସର୍ବସ୍ୱ ହରାଇ କଙ୍ଗାଳ କଙ୍ଗାଳ ହୋଇ ଗାଁ ମଶାଣିରେ ମିଶିଯିବାକୁ ଫେରି ଆସିଥିଲା । ଯାହାର ତୁଣ୍ଡରେ ଆହାର ଦେଇ ପିଣ୍ଡରେ ପାଣି ଦେଲା, ସଂସାରରେ ଠିଆହୋଇ ଯାହାକୁ ଆଶା ବାନ୍ଧିବାର ପ୍ରେରଣା ଦେଲା, ସେଇ ସନେଇ ପରିଡ଼ା, କି, ଯିଏ ବିବାହୀତା ପତ୍ନୀର ମନରକ୍ଷା କରିବାକୁ କାଙ୍ଗାଳର ସେବା କରି ହସି ହସି ଜୀବନ ଦେଲା, ସେଇ ନିତେଇ ନାୟକ । କିଏ ତାର ସତ୍ୟବାନ ? ଧୋବୀ ଜାଣେ ନାହିଁ ପ୍ରଶ୍ନର ଉତ୍ତର ।’’ ମନରେ ସେ ଯାହାକୁ ଦେବତାର ଆସନ ଦେଇଛି ତାକୁ ହାତ ପାଖରେ ପାଇ ମଧ୍ୟ ସେ ପାଇପାରି ନାହିଁ । ଏହାହିଁ ମଣିଷ ଗଢ଼ା ସମାଜ ଆଉ ମଣିଷର ମନ ମଧ୍ୟରେ ସଘଂର୍ଷର କାରଣ । ଏହି ସଘଂର୍ଷର ପ୍ରକୃଷ୍ଟ ରୂପ ଲେଖକ ପ୍ରଦାନ କରିଅଛନ୍ତି ।

 

ଦୁର୍ଭିକ୍ଷ ଦାଉରୁ ରକ୍ଷା ପାଇ ସନିଆ ଆସିଥିଲା ନିଜ ଗାଁକୁ । ମନଭିତରେ ତାର ସବୁ ଆଶା ମଉଳି ପଡ଼ିଲା ଗାଁଆ ବାଲାଙ୍କର ବ୍ୟବହାରରେ । ମନ ଭିତରେ ତାର ଅନ୍ଧକାରର ଜମାଟ । ଏହି ଅନ୍ଧକାରକୁ ଦୂର କରିବାକୁ ଚେଷ୍ଟା କରିଥିଲା ଧୋବୀ । ଜହ୍ନ ରାତିର ଆଲୁଅରେ ଧୋବୀ ସନିଆ ପାଖରେ ପହୁଞ୍ଚି ତାକୁ ନିଜ ହାତରେ ଖୁଆଇ ପିଆଇ ତାରି ମନ ଭିତରେ ଜହ୍ନର ଆଲୁଅ ଖେଳାଇ ଦେଇଥିଲା । ତଥାପି ସନିଆ ସମାଜନୀତି ଭିତରେ ଉବୁଟୁବୁ ହୋଇ ଭିତରେ ଆଉ ବାହାରେ ଘନ ଅନ୍ଧକାର ଦେଖିଛି । ଶିବରାତ୍ରିରେ ଧୋବୀ ପୁଣି ଆସିଛି ତା ପାଖକୁ । ଶିବରାତ୍ରିରେ ମହାଦୀପର ଆଲୋକରେ ଧୋବୀ ସନିଆର ଅନ୍ତରକୁ ଆଶାର ଆଲୋକରେ ଉଦ୍‌ଭାସିତ କରିଛି । ଶିବରାତ୍ରିଠାରୁ ସାବିତ୍ରୀ ଅମାବାସ୍ୟା-ସମୟରେ ଏଇ ବ୍ୟବଧାନ ଭିତରେ ସନିଆର ଅନ୍ତର ପୁଣି ଅନ୍ଧକାରରେ ଭରିଯାଇଛି । ସାବିତ୍ରୀ ଅମାବାସ୍ୟାର ମେଘମେଦୁର ଅନ୍ଧକାର ରାତ୍ରିରେ ଧୋବୀ ନିକଟରେ ଉପସ୍ଥିତ ହୋଇ ସନିଆ ତାର ମନ ଭିତରେ ଜମାଟ ବାନ୍ଧିଥିବା ସବୁତକ ଅନ୍ଧକାରକୁ ନିଃଶେଷ କରିଦେଇଛି । ଅମାବାସ୍ୟାର ଅନ୍ଧକାର ପରେ ନୀଳଆକାଶରେ ବଙ୍କିମଚନ୍ଦ୍ର ଯେପରି ତାର ଆଗମନ ଜଣାଇ କ୍ରମେ ନିଜକୁ ବର୍ଦ୍ଧିତ କରେ ସେହିପରି ସାବିତ୍ରୀ ଅମାବାସ୍ୟାର ଅନ୍ଧକାରରେ ସନିଆ ନିଜର ଅନ୍ତରର ଅନ୍ଧକାରକୁ ଦୂରକରି ଅନ୍ତର ଭିତରେ ଆଲୋକର ସରୁ ରେଖାଟିଏ ଦେଖିବାକୁ ପାଇଲା । ତା ପରେ ପାଞ୍ଚଦିନ ଏଣେ ତେଣେ ବୁଲି ସେ ଘରକୁ ଫେରିବା ବେଳକୁ ଆକାଶରେ ପଞ୍ଚମୀର ଜହ୍ନ-ଅନ୍ତର ଭିତରେ ତାର ସେଇ ଜହ୍ନର ଆଲୋକ । ଲେଖକଙ୍କ ଭାଷାରେ, ‘‘ଦୂରରେ ସନେଇକୁ ଦେଖି ରହିମ୍ ଅସ୍ଥିର ହୋଇ ଆସିଲା ତା ପାଖରୁ । ପଞ୍ଚମୀ ଜହ୍ନର ମୃଦୁମନ୍ଦ ହସିଲା ଆଲୁଅରେ ଉଜଳି ଉଠୁଥାଏ ସନେଇର ମୁହଁ । ଥିରି ପବନର ମଳୟ କୋମଳ ପରଶରେ ଉଲସି ଉଠୁଥାଏ ଦେହ, ନୂଆ ସଂକଳ୍ପର ପୁଲକ-ଉନ୍ମାଦନାରେ ଜୁଆର ଉଠୁଥାଏ ମନରେ ।’’ ଲେଖକଙ୍କର ବର୍ଣ୍ଣନା ଶୈଳୀରେ ଏପରି ବର୍ଣ୍ଣନା ନିତାନ୍ତ ପ୍ରଶଂସନୀୟ । ପ୍ରାକୃତିକ ପରିବେଶ ସହିତ ମନୁଷ୍ୟ ଅନ୍ତରର ଅବସ୍ଥାକୁ ସମାନ୍ତର ଭାବରେ ବର୍ଣ୍ଣନା କରିବାର ରୀତି କାବ୍ୟ ସାହିତ୍ୟରୁ ଗଡ଼ି ଗଡ଼ି ଆସି ଆଜି ଉପନ୍ୟାସର ଚରମ ସାର୍ଥକତା ଲାଭ କରିଅଛି ।

 

ଉଚ୍ଚକୁଳଭିମାନ, ବୃଥା ଅହମିକାର ପରାଜୟ ଏ ଜଗତରେ ପ୍ରତି କ୍ଷେତ୍ରରେ ଓ ପ୍ରତିମୁହୂର୍ତ୍ତରେ ଲାଗି ରହିଛି । ମଣିଷ ସେ କଥା ବୁଝିପାରି ନାହିଁ । ସେ କଥା ବୁଝିପାରି ନଥିଲେ ବନେଇ ପରିଡ଼ା, ପୁଣି ସେ କଥା ବୁଝିପାରି ନ ଥିଲେ ଚିନ୍ତେଇ ସୋଇଁ । ଯେଉଁ ବନେଇ ପରିଡ଼ା ଉଚ୍ଚକୁଳାଭିମାନରେ ଅନ୍ଧ ହୋଇଥିଲେ ସେଇ ‘‘ବନେଇ ପରିଡ଼ାଙ୍କ ଭାଗ୍ୟରେ ଥିଲା ପର ଗାଁର ଅପନ୍ତରା ମଶାଣି ।’’ ତାଙ୍କରି ଝିଅ ପୁନି ହେଲା ମଧୁଭୋଇର ସାଥୀ । ତାଙ୍କରି ପୁଅ ସନିଆ ହେଲା ପତିତା କଇଁର ସାଥୀ । ତେଣୁ ଲେଖକଙ୍କ ଭାଷାରେ ‘‘ସନିଆର ଧାରଣା ହିଁ ସତ୍ୟ ।’’ ତାର ଧାରଣା, ‘‘ଦୁଇଟା ତ ଜାତି, ସ୍ତ୍ରୀ ଆଉ ପୁରୁଷ । ଗୋଟିକ ବିନା ଆରଟି ଅପୂର୍ଣ୍ଣ ଅଜାତ । ସୃଷ୍ଟି ଖୋଜେ ନର ଓ ନାରୀ । ମଣିଷ ଗଢ଼ା ଜାତି ଧର୍ମ କି ଦେଶ ଭେଦରେ ସୃଷ୍ଟି ଅଟକି ରହେନାହିଁ ।’’

 

ବୃଥା ଅହମିକା କରିଥିଲେ ଚିନ୍ତେଇ ସୋଇଁ । ଧନର ଗର୍ବରେ ସେ ନିଜକୁ ବଡ଼ ବୋଲି ପ୍ରତିଷ୍ଠିତ କରିବାକୁ ଚାହିଁଥିଲେ ସେ । ମାତ୍ର ତାଙ୍କର ଶେଷରେ ହୃଧବୋଧ ହେଲା, ଧନ ବଡ଼ନୁହେଁ, ବଡ଼ ମନ । ସେଥିପାଇଁ କାହ୍ନୁଚରଣ ଲେଖିଛନ୍ତି, ‘‘ଚିନ୍ତେଇ ସୋଇଁ ଧନର ଭଣ୍ଡାର ବଢ଼ାଇଥିଲେ । ରାଜ୍ୟ ବିସ୍ତାର କରିଥିଲେ । କାହା ପାଇଁ ? ସେତେବେଳେ ତ ଏ ପ୍ରଶ୍ନ ତାଙ୍କର ମନରେ ଉଠିନଥିଲା । ସାରା ଜୀବନର ଅର୍ଜିତ ସମସ୍ତ ଧନ ସମ୍ପତ୍ତି ପୁଣି ନିଜର ଗର୍ବ ଅଭିମାନର ବିନିମୟରେ ଧୋବୀ ପାଇଁ ସୁଖ ଆନନ୍ଦ କିଣି ପାରିଲେ ନାହିଁତ । ଯେଉଁ କଙ୍ଗାଳ କଙ୍କାଳ ସନେଇ ଦରମରା ହୋଇ ଫେରି ଆସିଥିଲା, ମାଗିଥିଲା ଜୀବନ ଭିକ୍ଷା, ଯିଏ ମରଣର ହାତମୁଠା ଭିତରେ ଛଟପଟ ହେଉଥିଲା, ସେଇ ସନେଇ ତାଙ୍କର ଧନ ସମ୍ପତ୍ତିକୁ ଗୋଡ଼ରେ ଆଡ଼େଇ ଦେଇ, ତାଙ୍କର ଆତ୍ମ ଗୌରବ ଉପରେ ପାଦ ପକାଇ ଚାଲିଗଲା ।’’ ଲେଖକ ଏହି ନୀତିଗୁଡ଼ିକ ନିଜର ସରଳ ଭାଷାରେ ଅତ୍ୟନ୍ତ ମନୋରମ ଭାବରେ ପ୍ରକାଶ କରିଅଛନ୍ତି । ସାମାଜିକ ଚଳଣି ଯେଉଁଠି ଅନ୍ଧବିଶ୍ୱାସର ଅନୁସରଣ କରିଛି କାହ୍ନୁଚରଣଙ୍କ ଲେଖନୀ ସେଠାରେ ଅତି ସରଳ ଭାବରେ ତାହାର ସମାଲୋଚନା କରିଅଛି ।

 

ଏହିପରି ଭାବରେ ଶାସ୍ତି ଉପନ୍ୟାସରରେ କାହ୍ନୁଚରଣଙ୍କର ବର୍ଣ୍ଣନାର ସୌନ୍ଦର୍ଯ୍ୟ ପ୍ରମାଣିତ ହୋଇଅଛି । ତାଙ୍କର ବର୍ଣ୍ଣନାଶୈଳୀରେ ଚମତ୍କାରିତା ଯୋଗୁ ତାଙ୍କ ଉପନ୍ୟାସ ଗୁଡ଼ିକ ବିଶେଷ ଭାବରେ ଜନପ୍ରିୟ ହୋଇଅଛି । କେତେକ ଆଲୋଚକ ମତ ପ୍ରଦାନ କରନ୍ତି ଯେ କାହ୍ନୁଚଣଙ୍କର ଉପନ୍ୟାସଗୁଡ଼ିକରେ ଗୋଟିଏ ଗୋଟିଏ ବଳିଷ୍ଠ କଥାବସ୍ତୁର ପ୍ରକାଶ ହୋଇଥିବାରୁ ସେଗୁଡ଼ିକ ବିଶେଷ ଭାବରେ ଜନପ୍ରିୟତା ଲାଭ କରିଥାଆନ୍ତି । ଏହି ପ୍ରକାର ମତରେ ସତ୍ୟତା ଅଛି-। ମାତ୍ର, କେବଳ ତାଙ୍କ ଉପନ୍ୟାସର କଥାବସ୍ତୁ ତାଙ୍କ ଉପନ୍ୟାସଗୁଡ଼ିକର ଜନପ୍ରିୟତାର କାରଣ ନୁହେଁ । ବଳିଷ୍ଠ କଥାବସ୍ତୁର ପ୍ରକାଶ ଲାଗି କାହ୍ନୁଚରଣ ତାଙ୍କର ଯେଉଁ ସ୍ୱତନ୍ତ୍ର ବର୍ଣ୍ଣନା ଶୈଳୀ ସୃଷ୍ଟି କରିଅଛନ୍ତି ତାହା ବହୁ ପରିମାଣରେ ଦାୟୀ ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଔପନ୍ୟାସିକ କାହ୍ନୁଚରଣଙ୍କର ସ୍ୱତନ୍ତ୍ର ଶୈଳୀର ପରିଚୟ ବିଶେଷ ଭାବରେ ମିଳିଛି ‘କା’ ଉପନ୍ୟାରେ । ‘କା’ ଉପନ୍ୟାସର ଭାଷାଶୈଳୀ ପାଠକର ହୃଦୟକୁ ରସସିକ୍ତ କରି ଉପନ୍ୟାସ ପଠନର ଯଥାର୍ଥ୍ୟ ପ୍ରମାଣିତ କରିଥାଏ । ଶାସ୍ତିର ଭାଷାଶୈଳୀ ମଧ୍ୟରେ ବର୍ଣ୍ଣନା ବିଳାସର ଯେଉଁ ଅପୂର୍ବ ପ୍ରକାଶ ଘଟିଅଛି ତାହା ଏକାନ୍ତ ଅନବଦ୍ୟ ।

☆☆☆

 

‘‘ଶାସ୍ତି’’- ଏକ ସୁଚିନ୍ତିତ ନାମକରଣ

 

ବନେଇ ପରିଡ଼ା ତାଙ୍କ ପୁଅର ନାମ ଦେଲେ ସନେଇ—ଚିନ୍ତେଇ ସୋଇଁ ଝିଅର ନାମ ଦେଲେ ଧୋବୀ-—ମାଧେଇ ରାଉତ ତାଙ୍କ ଝିଅର ନାମ ଦେଲେ କଇଁ । କାହ୍ନୁଚରଣ ତାଙ୍କର ମାନସ-ସନ୍ତାନର ନାମ ଦେଲେ ‘‘ଶାସ୍ତି’’ । ବନେଇ ପରିଡ଼ା ଚିନ୍ତେଇ ସୋଇଁ ଆଉ ମାଧେଇ ରାଉତ ନିଜ ନିଜ ସନ୍ତାନମାନଙ୍କର ରୂପରାଗର ପରିଚୟ ସାଇବା ପୂର୍ବରୁ ସେମାନଙ୍କର ନାମକରଣ କରିଥିଲେ । ମାତ୍ର ସ୍ରଷ୍ଟା କାହ୍ନୁଚରଣ ନିଜ ମାନସ- ସନ୍ତାନର ରୂପ ଗୁଣ ଅନୁସାରେ ନାମକରଣ କରିଛନ୍ତି । ଏହିଠାରେ ସନ୍ତାନ ଓ ମାନସ ସନ୍ତାନର ନାମକରଣ ପାର୍ଥକ୍ୟ ଉପଲବଧି ହୁଏ । ସ୍ରଷ୍ଟା ତାର ମନ ଅନୁସାରେ ସୃଷ୍ଟି ସମ୍ପଦକୁ ନାମିତ କରି ନ ଥାଏ । ସୃଷ୍ଟି ସମ୍ପଦର ଯଥାଯଥ ଉପାଦନ ଉପରେ ତାର ନାମକରଣ ନିର୍ଭରଶୀଳ । ପୁଣି, ନାମକରଣର ଯର୍ଥାର୍ଥ୍ୟ ସୃଷ୍ଟି ସମ୍ପଦର ଉପାଦନରୁ ହିଁ ପ୍ରତିପାଦିତ ହୁଏ ।

 

ଓଡ଼ିଶା ଉପନ୍ୟାସର ସାହିତ୍ୟର ସୃଷ୍ଟି ଓ ବିକାଶ ପଥରେ ନାମକରଣର ରୀତି ଉପରେ ଦୃଷ୍ଟି ଦେଲେ ଜଣାଯାଏ, ଯେ ଫକୀର ମୋହନଙ୍କ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ସାହିତ୍ୟର ଆଦିମକାଳରେ ଯେଉଁସବୁ ଉପନ୍ୟାସ ସୃଷ୍ଟି ହୋଇଥିଲା ସେଗୁଡ଼ିକର ନାମକରଣ ଉପନ୍ୟାସର ନାୟକ ନାୟିକାଙ୍କର ନାମ ଅନୁସାରେ ହୋଇଥିଲା । ପଦ୍ମାମାଳୀ ଉପନ୍ୟାସର ନାମକରଣ ନାୟିକା ପଦ୍ମମାଳୀର ନାମ ଅନୁସାରେ ହୋଇଥିଲା । ସେହିପରି ମଧ୍ୟ ବିବାସିନୀ । ଭୀମାଭୂୟାଁ ଉପନ୍ୟାସର ନାମକରଣରେ ଏହି ରୀତି ଫକୀର ମୋହନଙ୍କ ପର୍ଯ୍ୟନ୍ତ ଗଡ଼ିଆସିବାର ଲକ୍ଷ୍ୟ କରାଯାଏ । ମାତ୍ର ଫକୀର ମୋହନଙ୍କର ଛ ମାଣ ଆଠଗୁଣ୍ଠ ଓଡ଼ିଆ ଉପନ୍ୟାସର ନାମକରଣ କ୍ଷେତ୍ରରେ ଏକ ବ୍ୟତିକ୍ରମର ସୂଚନା ପ୍ରଦାନ କରିଥିଲା । ଏଥିରେ ଥିବା କୌଣସି ଚରିତ୍ରର ନାମକୁ ପ୍ରାଧାନ୍ୟ ଦିଆଯାଇ ନାହିଁ । ଯେଉଁ ଛ ମାଣ ଆଠ ଗୁଣ୍ଠୁ ଜମିକୁ କେନ୍ଦ୍ରକରି ଉପନ୍ୟାସର କଥାବସ୍ତୁ ପରିକଳ୍ପିତ ସେହି ଜମିର ନାମ ଅନୁସାରେ ଉପନ୍ୟାସର ନାମକରଣ ହୋଇଅଛି । ଫକୀର ମୋହନଙ୍କଠାରୁ ଏହି ରୀତି ଦେଖା ଦେଇଥିଲେ ହେଁ ତାଙ୍କ ସମୟଠାରୁ ଯେ ପୂର୍ବରୁ ରୀତି ଏକାବେଳେ ଲୁଚିଗଲା, ତାହା ନୁହେଁ । ଫକୀର ମୋହନଙ୍କର ଲଛମାର ନାମକରଣ ଏହାର ପ୍ରମାଣ । ଉପନ୍ୟାସିକମାନେ କ୍ରମେ ନାମକରଣରେ ସ୍ୱାତନ୍ତ୍ର୍ୟ ପ୍ରକାଶ କରିବାକୁ ଚେଷ୍ଟା କରିଅଛନ୍ତି ।

 

କାହ୍ନୁଚରଣଙ୍କର ଉପନ୍ୟାସଗୁଡ଼ିକର ନାମକରଣ ଅତ୍ୟନ୍ତ ଆକର୍ଷଣୀୟ । ତାଙ୍କର ରୁଚି ବିଶେଷ କଳା ନୈପୁଣ୍ୟର ପରିଚାୟକ । ଶାସ୍ତି ଉପନ୍ୟାସର ନାମକରଣ ଏତେଦୂର ଯଥାର୍ଥ ହୋଇଅଛି ଯେ, ମନେହୁଏ କାହ୍ନୁଚରଣ ଏହାର ନାମ ‘‘ଶାସ୍ତି’’ ନ ଦେଇ ଅନ୍ୟ କୌଣସି ନାମ ଦେଇଥିଲେ ‘‘ଶାସ୍ତିର’’ ଶିଳ୍ପସୌନ୍ଦର୍ଯ୍ୟ ଏପରି ଭାବରେ ପ୍ରକାଶ ପାଇଥାନ୍ତା ।

 

ଶାସ୍ତି ଉପନ୍ୟାସରେ କିଏ ଦେଇଛି ଶାସ୍ତି ଆଉ କିଏ ପାଇଛି ଶାସ୍ତି—ଏତିକି କଥା କେବଳ ତାର ନାମକରଣର ଯାଥାର୍ଥ୍ୟ ପାଇଁ ଆବଶ୍ୟକ । ହା-ଅନ୍ନ ଉପନ୍ୟାସରେ କାହ୍ନୁଚରଣ ଏ ଜାତିର ହା- ଅନ୍ନ ଚିତ୍କାରରେ ବ୍ୟଥିତ ହୋଇ ପଡ଼ିଛନ୍ତି । ଶାସ୍ତି ଉପନ୍ୟାସର କଥାବସ୍ତୁ ହା-ଅନ୍ନ ଉପନ୍ୟାସର ପରବର୍ତ୍ତୀ ଅଶଂ ରୂପେ ଗ୍ରହଣ କରାଯାଇ ପାରେ । ହା-ଅନ୍ନ ହା-ଅନ୍ନ ବୋଲି ଏ ଜାତି ଯେତେବେଳେ ଚିତ୍କାର କରି ଗାଁ ଗଣ୍ଡା ଛାଡ଼ି ପେଟବିକଳରେ ଏଠି ସେଠି ହାତ ପତେଇ ବୁଲିଛି, ତଥାପି ତାର ପ୍ରାଣକୁ ବଞ୍ଚାଇ ନପାରି ଅଜଣା ଗାଁରେ ଅପନ୍ତରା ଭୂଇଁରେ ପଡ଼ି ଛଟପଟ ହୋଇ ଆଖି ବୁଜିଛି ସେତେବେଳେ ତାର ଅବସ୍ଥାକୁ କଣ ବୋଲି କୁହାଯିବ? ଏହାହିଁ ଏକ ଜାତି ପ୍ରତି ଶାସ୍ତି-। ପୁଣି, ଯେଉଁମାନେ ବହୁ କଷ୍ଟରେ ହାଡ଼ ଦି’ଖଣ୍ଡ ଧରି ପ୍ରାଣଟାକୁ ମିଞ୍ଜି ମିଞ୍ଜି ଜଳୁଥିବା ଦୀପର ଆଲୁଅ ପରି ଧରି ରଖିଥିଲେ ସେମାନେ ଭୋଗ କରିଛନ୍ତି ଶାସ୍ତି । ନଅଙ୍କ ଦୁର୍ଭିକ୍ଷ ପରେ ସେମାନେ ସେତେବେଳେ ନିଜର ଗାଁ ଭୂଇଁକୁ ଫେରିଆସିଲେ ସେତେବେଳେ ସେମାନେ ସମାଜଠାରୁ ଆପଣାର ପ୍ରିୟ ଲୋକଙ୍କଠାରୁ ଓ ଚିହ୍ନା ଅଚିହ୍ନା ସମସ୍ତଙ୍କଠାରୁ ପାଇଲେ ଶାସ୍ତି । ଏହିପରି ଭାବରେ ଏ ଜାତି ଶାସ୍ତି ପାଇଥିଲେ ୧୮୬୮ ସାଲଠାରୁ ୧୮୭୧ ସାଲରେ ମଧ୍ୟ ଏ ଶାସ୍ତିର ପରିସମାପ୍ତି ଘଟିନାହିଁ । ସମାଜପତିର ନାଲି ଆଖି ସର୍ବହରା କାଙ୍ଗାଳକୁ ବହୁଦିନ ପର୍ଯ୍ୟନ୍ତ ଶାସ୍ତି ଦେଇଛି-

 

ଏଇ ସମାଜରେ ଥିଲାବାଲା ବଡ଼ପଣ୍ଡାମାନେ ସର୍ବହରା କାଙ୍ଗାଳକୁ ଶାସ୍ତି ଦେଇଛନ୍ତି, ପୁଣି ସମୟର ଗତିରେ ନିଜେ ଶାସ୍ତି ପାଇଛନ୍ତି । ଶାସ୍ତି ଉପନ୍ୟାସରେ ଏହାକୁ ବହିର୍ଜଗତର ଶାସ୍ତି ରୂପେ ଗ୍ରହଣ କରି ନିଆଯାଇ ପାରେ । ପୁଣି ଅନ୍ତର୍ଜଗତର ଶାସ୍ତି ବିଷୟରେ ଚିନ୍ତାଧାରା ଶାସ୍ତି ଉପନ୍ୟାସରେ ଏହାର ପ୍ରାଧାନ୍ୟ ଉପଲବ୍‌ଧି ହୋଇଥାଏ । ଏହି ଦୃଷ୍ଟିରୁ କୁହାଯାଇପାରେ, ଶାସ୍ତି ଉପନ୍ୟାସର କୌଣସିଟି ଚରିତ୍ର ଶାସ୍ତି ପାଇନାହିଁ ବୋଲି ଗ୍ରହଣ କରାଯାଇ ନ ପାରେ । ଚିନ୍ତେଇ ସୋଇଁଙ୍କଠାରୁ ଆରମ୍ଭ କରି ରହୀମ୍‌ ପର୍ଯ୍ୟନ୍ତ ସମସ୍ତେ ପାଇଛନ୍ତି ଶାସ୍ତି । ଏ ଶାସ୍ତି କିନ୍ତୁ ଚରିତ୍ର-ଭେଦରେ ପରିମାଣସୂଚକ ହୋଇଅଛି । ନାୟିକା ଧୋବୀ ହିଁ ତାର ଶରୀର ଓ ମନ ଉଭୟ କ୍ଷେତ୍ରରେ ପାଇଛି ଚରମ ଶାସ୍ତି ।

 

ଧନର ଗର୍ବ କରିଥିଲେ ଚିନ୍ତେଇ ସୋଇଁ । ସେଇ ଗର୍ବର ସେ ତଉଲିଥିଲେ ଦୁନିଆକୁ । ସେଥିପାଇଁ ସେ ନିଜର ସାନଭାଇ, ସ୍ତ୍ରୀ, କନ୍ୟା କାହାରି କଥା ବା ଅବସ୍ଥା ପ୍ରତି ଭୂକ୍ଷେପ କରି ନ ଥିଲେ । ସେଇ ଧନର ଗର୍ବରେ ସେ ଚାହିଁଥିଲେ ବନେଇ ପରିଡ଼ାଙ୍କୁ ଶାସ୍ତି ଦେବାପାଇଁ । ସେଇ ଧନର ଗର୍ବରେ ସେ ଉପହାସ କରିଥିଲେ ସନିଆକୁ । ଧୋବିବୋଉଙ୍କର ଅନୁରୋଧକୁ ସେ ନାଲି ଆଖି ଦେଖାଇ ଚାପି ଦେଇଥିଲେ । ମାତ୍ର ସମୟର ସ୍ରୋତରେ ସେ ତାଙ୍କର ମତ ପରିବର୍ତ୍ତନ କରି ଯେତେବେଳେ ଧୋବୀର ଜୀବନ ପାଇଁ ଚିନ୍ତିତ ହୋଇ ନିଜର ମୃତା ପତ୍ନୀଙ୍କୁ ଦେଇଥିବା କଥା ରକ୍ଷା କରିବାକୁ ବାହାରିଥିଲେ ସେତେବେଳେକୁ ଅବସ୍ଥା ଆଉ ତାଙ୍କର ଆୟତ୍ତରେ ନ ଥିଲା । ନିଜ ସମ୍ପତ୍ତିର ଅର୍ଦ୍ଧେକ ସନିଆ ନାମରେ ଉଇଲ କରି ତା ହାତକୁ ଉଇଲ୍‌ କାଗଜ ଟେକିଦେଇ ଯେତେବେଳେ ତାଙ୍କର ମନର କଥା ସେ ପ୍ରକାଶ କଲେ ସେତେବେଳେ ସନିଆ ତାଙ୍କର ଦାନକୁ ଗ୍ରହଣ କରିନାହିଁ । ଧୋବୀର ଶାରୀରିକ ଓ ମାନସିକ ଅବସ୍ଥା ଦେଖି ଚିନ୍ତେଇ ଯେଉଁ ଚିନ୍ତା ଅଗ୍ନିରେ ସନ୍ତାପିତ ହେଉଥିଲେ ସେହି ଚିନ୍ତା ଅଗ୍ନିକୁ ପ୍ରଜ୍ୱଳିତ କରିଦେଲା ସନିଆ । ସେ ଚିନ୍ତା ଅଗ୍ନିର ସିଖାରେ ଜଳିବାକୁ ଲାଗିଲେ । ଏହା ହିଁ ତାଙ୍କ ପକ୍ଷରେ ଯର୍ଥାଥରେ ଶାସ୍ତି । ଏହାଠାରେ ଆଉ କି ଅଧିକ ଶାସ୍ତି ଚିନ୍ତେଇ ସୋଇଁ ପାଇଥାଆନ୍ତେ ? ସନେଇକୁ ଯେ ଦେବାକୁ ଚାହିଁଥିଲେ ଶାସ୍ତି ମାତ୍ର ପରିଣାମରେ ସେ ନିଜେ ପାଇଲେ ଶାସ୍ତି ।

 

ବାତ୍ସଲ୍ୟ ମମତାରେ ଅନ୍ଧ ହୋଇଥିଲେ ନିଧେଇ ସୋଇଁ । ପିଲାଟିଦିନରୁ ଧୋବୀକୁ ସେ କାଖେଇ କୋଳେଇ ବଡ଼ କରିଥିଲା । ଧୋବୀର ବୈଧବ୍ୟ ତାଙ୍କୁ ଅତିମାତ୍ରାରେ ବ୍ୟଥିତ କରିଥିଲା-। ସେ ବହୁତ ଚେଷ୍ଟା କରିଥିଲେ ଧୋବୀର ଜୀବନକୁ ପୁଣି ଥରେ ନୂଆ କରି ଗଢ଼ିବା ପାଇଁ-। ମାତ୍ର ତାଙ୍କର ସବୁଚେଷ୍ଟା ବ୍ୟର୍ଥ ହୋଇଛି । ନିଧେଇ ସୋଇଁ ତାଙ୍କ କଥାକୁ ଉଡ଼େଇ ଦେଇଛନ୍ତି-। ଧୋବୀ ଜୀବନର ଅପୂର୍ଣ୍ଣତାରେ, କରୁଣ ପରିବେଶରେ ଯଦି କେହି ସର୍ବାଧିକ ବ୍ୟଥିତ ହୋଇଥିବେ ସେ ହେଉଛନ୍ତି ନିଧେଇ ସୋଇଁ । ତାଙ୍କ ଜୀବନରେ ଏହାହିଁ ତାଙ୍କ ପାଇଁ ଶାସ୍ତି ।

 

ସେମିତି ବାତ୍ସଲ୍ୟ ମମତାରେ ଅନ୍ଧ ହୋଇଥିଲେ ଧୋବୀ ବୋଉ । ଧୋବୀର ବୈଧବ୍ୟ ତାଙ୍କୁ ଏକାବେଳେ ଅସହ୍ୟ ହୋଇପଡ଼ିଛି । ସେ ବହୁତ ଚେଷ୍ଟା କରିଛନ୍ତି ତାଙ୍କର ଅବୁଝା ସ୍ୱାମୀକୁ ବୁଝାଇବା ପାଇଁ । ଅବୁଝା ଚିନ୍ତେଇ ସୋଇଁ ଯେତେ ବୁଝାଇଲେ ମଧ୍ୟ ବୁଝି ନାହାନ୍ତି । ସେଥିପାଇଁ ଅଭିମାନ କରିଛନ୍ତି ସେ ନିଧେଇ ସୋଇଁଙ୍କ ଉପରେ । ଝିଅର ଦୁର୍ଦ୍ଦଶାକୁ ଘୁଞ୍ଚାଇବା ପାଇଁ ସେ ପ୍ରିତ ମୁହୂର୍ତ୍ତରେ ଅସ୍ତବ୍ୟସ୍ତ ହେଇ ପଡ଼ିଛନ୍ତି । ଶେଷରେ ତାଙ୍କର ଅନ୍ତିମକାଳରେ ସେ ଅନୁରୋଧ କରିଯାଇଛନ୍ତି ଚିନ୍ତେଇ ସୋଇଁଙ୍କୁ ଧୋବୀର ହାତ ସନିଆର ହାତ ସହିତ ଛନ୍ଦି ଦେବାପାଇଁ । ଧୋବୀ ବୋଉ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଭାଗ୍ୟ ଓ ଭଗବାନଙ୍କର ଶାସ୍ତିକୁ ଅସ୍ୱୀକାର କରିପାରି ନାହାନ୍ତି ।

 

ସନିଆ ଭଳି ପୁଅ ଆଉ ନିଜର ସଂସାରର ଐଶ୍ୱର୍ଯ୍ୟରେ ଜଗତରେ ନିଜର ଭାଗ୍ୟବାନ ମନେ କରିଥିଲେ ବନେଇ ପରିଡ଼ା । ଉଚ୍ଚକୁଳ ଅଭିମାନରେ ସେ ଅନ୍ଧହୋଇ ଯାଇଥିଲେ । ଏଇ ଅଭିମାନ ଫଳରେ ସେ ଭାବିପାରି ନ ଥିଲେ ସନିଆର ଅନ୍ତରର ଭାଷା । ପହରାଜେ ଯେତେବେଳେ ଧୋବୀ ସହିତ ସନିଆର ବିବାହ ପ୍ରସ୍ତାବ ନେଇ ବନେଇ ପରିଡ଼ାଙ୍କର ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା, ସେତେବେଳେ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା । ମାତ୍ର ଅଜଣା ଦେବତାର ଇଙ୍ଗିତ ଭିନ୍ନ ପ୍ରକାର । ବନେଇ ପରିଡ଼ାଙ୍କ ଆଭିଜାତ୍ୟକୁ ଉପହାସ କଲା ନ ଅଙ୍କ ଦୂର୍ଭିକ୍ଷ । ନିଜର ଉଚ୍ଚକୂଳାଭିମାନ ଦେଖାଇ ଯେଉଁ ଚିନ୍ତେଇ ସୋଇଁଙ୍କ ସହିତ ବନ୍ଧୁ ବାନ୍ଧିବକୁ ବନେଇ ପରିଡ଼ା ପ୍ରତ୍ୟାଖ୍ୟାନ କରିଥିଲେ ତାଙ୍କର ଦୂଆରେ ନିଜର ପିଲାମାନଙ୍କୁ ଧରି ପ୍ରାଣ ବଞ୍ଚାଇବା ପାଇଁ ବନେଇ ପରିଡ଼ା ହାତ ପାତିଥିଲେ । ମାତ୍ର ତାଙ୍କର ଆବେଦନ ନିବେଦନକୁ ପ୍ରତ୍ୟାଖାନ କଲେ ଚିନ୍ତେଇ ସୋଇଁ । ବନେଇ ପରିଡ଼ା ହେଲେ ଅନିର୍ଦ୍ଦିଷ୍ଟ ପଥର ଯାତ୍ରୀ । ତାଙ୍କ କପାଳରେ ଥିଲା ପର ଗାଁର ମଶାଣି । ଆଉ କଣ ବା ଅଧିକ ଶାସ୍ତି ସେ ପାଇଥାନ୍ତେ ?

 

ଧୋବୀ ଭଳି ବୋହୁ ପାଇଥିଲେ ଜିତେଇ ନାୟକ, ଧୋବୀ ଭଳି ପତ୍ନୀ ପାଇଥିଲେ ନିତେଇ ନାୟକ । ଧୋବୀର ଆଖିରେ ଲୁହ ଦେଖି ବାପ ପୁଅ ଦୁହେଁ ଦୁର୍ଭିକ୍ଷ ପ୍ରପୀଡ଼ିତ କାଙ୍ଗାଳମାନଙ୍କର ସେବା କଲେ । ସେଇ ସେବାରେ ସେମାନେ ହେଲେ ପରପାରିରେ ଯାତ୍ରୀ । ଭାଗ୍ୟ ଓ ଭଗବାନଙ୍କର ଶାସ୍ତି ଏଇ ବାପ ପୁଅ ଦୁହିଁଙ୍କୁ ଭୋଗିବାକୁ ପଡ଼ିଛି ।

 

କଇଁ ଆଉ ପୁନି, ନଅଙ୍କ ଦୁର୍ଭିକ୍ଷର ଦାଉରେ ପାଇଛନ୍ତି ଅଶେଷ ଶାସ୍ତି । ପେଟର ଜ୍ୱାଳାରେ ଅସ୍ଥିର ହୋଇ କଇଁ ବୁଲୁଛି କେତେ ଅଜଣା ଗଆଁରେ । ବାପର ଜୀବନକୁ ବଞ୍ଚାଇବାକୁ ଯାଇ ଭାତ ମୁଠିକର ପ୍ରଲୋଭନରେ ସେ ହରାଇ ବସିଛି ତାର ନାରୀଜୀବନର ସର୍ବସ୍ୱ-ଜନ୍ମଦେଇଛି ଏକ ଜାରଜ ସନ୍ତାନ । ଦୁର୍ଭିକ୍ଷର ଏଇ ଶାସ୍ତି ଫଳରେ ସେ ହରାଇ ବସିଛି ତାର ଚିତ୍ତବୃତ୍ତି । ସନିଆର ବାକ୍‌ଦତ୍ତା କଇଁ ହୋଇଛି କଇଁବାୟାଣୀ । ଆଉ ପୁନି, ସେ ସେହିପରି ହଇଜାରେ ଆକ୍ରାନ୍ତ ହୋଇ ବାଟରେ ପଡ଼ିଥିବାବେଳେ ମଧୁଭୋଇର ଦୃଷ୍ଟିରେ ପଡ଼ିଛି । ଉଇକୁଳାଭିମାନୀ ବନେଇ ପରିଡ଼ାଙ୍କର ଝିଅ ପୁନି ହୋଇଛି ବାଉରି ଘରେ ଆଶ୍ରିତା । ଏହାହିଁ ତା ପକ୍ଷରେ ଶାସ୍ତି ।

 

ସନିଆ ଦୁର୍ଭିକ୍ଷ ଦାଉରୁ ନିଜକୁ ବଞ୍ଚାଇ ଫେରିଛି ବିଷ୍ଣୁପୁର । ଦୁର୍ଭିକ୍ଷତାକୁ ଯେତିକି ଶାସ୍ତି ଦେଇଥିଲେ ତାଠାରୁ ଅଧିକ ଶାସ୍ତି ଦେଲେ ବିଷ୍ଣୁପୁରର ଗ୍ରାମବାସୀ । ସମାଜ ଆଖିରେ ସେ ପତିତା-। ପ୍ରାୟଶ୍ଚିତ୍ତ ନକଲେ ତାର ସମାଜରେ ସ୍ଥାନ ନାହିଁ । ସନିଆ ସମାଜପତିର ନିର୍ଦ୍ଦେଶକୁ ମାନି ନେଇଛି ଅନ୍ୟ ଏକ ପ୍ରଲୋଭନରେ । ସମାଜ ଦେଇଛି ତାକୁ ଶାସ୍ତି । ତାପରେ ସନିଆ ଚିନ୍ତେଇ ସୋଇଁଙ୍କର ଦ୍ୱାରସ୍ଥ ହୋଇଛି । ସୋଇଁଏ ମଧ୍ୟ ସେତେବେଳେ ତାର ଆଭିଜାତ୍ୟ ଆଉ ମନୁଷ୍ୟତାକୁ ଆକ୍ଷେପ କରିଛନ୍ତି ଶାସ୍ତି ଦେବାର ପ୍ରବଳ ଇଚ୍ଛାରେ । ଧୋବୀକୁ ଆଗରେ ରଖି ସନିଆ ନିଜକୁ ପ୍ରତିଷ୍ଠିତ କରିଛି । ଧୋବୀକୁ ନେଇ କଳ୍ପନାର ଜାଲରେ ଆପେ ଆପେ ଛନ୍ଦି ହୋଇଛି ଜାଗର ରାତିର ଆଶା ଓ ଉନ୍ମାଦନା ସାବିତ୍ରୀ ଅମାବାସ୍ୟା ରାତିରେ; ମିଳେଇ ଯାଇଛି । ସନିଆର ମନଭିତରୁ ଧୋବୀର କଳ୍ପନାକୁ ପୋଛି ଦେଇ ସେ ପାଇଛି ଶାସ୍ତି । ସେଇ ଶାସ୍ତିର ଫଳରେ ସମାଜ ଯେଉଁମାନଙ୍କୁ ଶାସ୍ତି ଦେଇଥିଲା, ଅର୍ଥାତ ରହିମ୍, ଭରଥ, ଜୋହନ, କାଶୀ ପ୍ରଭୃତିଙ୍କୁ ସେ ଉଦ୍ଧାର କରିଛି । କଇଁକୁ ସେ ଗ୍ରହଣ କରିଛି । କଇଁକୁ ଗ୍ରହଣ କରି ମନେ ମନେ ଶାସ୍ତି ଦେଇଛି ଧୋବୀକୁ ମାତ୍ର ପରିଣାମରେ ସନିଆ ସମସ୍ତଙ୍କୁ ଶାସ୍ତି ଦେଇଛି ଓ ନିଜର ନୂଆ ଜୀବନର ଶାସ୍ତି ରୂପେ ଗାଁ ଛାଡ଼ି ଯାଇଛି ।

 

ପିଲାଟିଦିନରୁ ଧୋବୀ ଚାହିଁଥିଲେ ସନିଆକୁ । ମାତ୍ର ନିୟତିର ବିଚିତ୍ର ଗତିରେ ତାହା ହୋଇପାରିଲା ନାହିଁ । ସନିଆକୁ ନଅଙ୍କ ଦୁର୍ଭିକ୍ଷ ଶାସ୍ତି ଦେଇଥିଲା ପେଟଚାଖଣ୍ଡକ ପୋଷିବା ପାଇଁ-। ମାତ୍ର ଧୋବୀକୁ ନଅଙ୍କ ଦୁର୍ଭିକ୍ଷ ଶାସ୍ତି ଦେଲା ଗୋଟିଏ ଜୀବନପାଇଁ ଅସରନ୍ତି ଶାସ୍ତି । ନଅଙ୍କ ଦୁର୍ଭିକ୍ଷ ପୋଛିଦେଲା ଧୋବୀ କପାଳର ସିନ୍ଦୁର ଗାର । ଅନାଥିନୀ ବିଧବା ଧୋବୀର ଜୀବନକୁ ଜାଳିପୋଡ଼ି ଦେଇ ନଅଙ୍କ ଦୁର୍ଭିକ୍ଷ ତାକୁ ଯେଉଁ ଶାସ୍ତି ଦେଲା ସେ ଶାସ୍ତିକୁ ବାଧ୍ୟ ହୋଇ ଧୋବୀ ସହିଲା । ନଅଙ୍କ ଦୁର୍ଭିକ୍ଷର ଏହି ଶାସ୍ତି ବିରୁଦ୍ଧରେ ହାତ ଉଠାଇ ଧୋବୀ ପୁଣି ଭଲପାଇ ବସିଲା କାଙ୍ଗାଳ ସନିଆକୁ । ତାରି ସାହାଯ୍ୟରେ ସନିଆ ହେଲା ସମାଜର ମଣିଷ । ଧୋବୀ ଆଗରେ ସମାଜ ଆଉ ସନିଆ । କେଉଁଟି ତାର ଗ୍ରହଣୀୟ ? ଏଇ ଦ୍ୱନ୍ଦ୍ୱରେ ଧୋବୀ ଜଳି ଜଳି ନିଜେ ନିଃଶେଷିତ ହୋଇଛି । ଏହି ମାନସିକ ଦ୍ୱନ୍ଦ୍ୱର ଦୋଳନରେ ଧୋବୀ କ’ଣ କମ୍ ଶାସ୍ତି ଭୋଗ କରିଛି ? ଶିବଚତ୍ତୁର୍ଦ୍ଦଶୀ ରାତିରେ ସନିଆର ହୃଦୟ ଭିତରେ ଧୋବୀ ଯେଉଁ ଦୀପର ଶିକ୍ଷାଟତିଏ ଜାଳି ଦେଇଥିଲା, ସମୟେ ସମୟେ ସେଇ ଦୀପର ସଳିତାକୁ ତେଜି ଦେଇଥିଲା, ମାତ୍ର ସାବିତ୍ରୀ ଅମାବାସ୍ୟା ରାତିରେ ସେହି ଦୀପକୁ ଫୁଙ୍କି ନିଭେଇ ଦେଇଥିଲା ଧୋବୀ କେବଳ ମାନସିକ ଦ୍ୱନ୍ଦ୍ୱରେ ପଡ଼ି । ଏହି ଦ୍ୱନ୍ଦ୍ୱର ଦୋଳନ ଓ ପରିଣାମ ଧୋବୀ ପକ୍ଷରେ କମ୍ ଶାସ୍ତି ନୁହେଁ-। ଚିନ୍ତେଇ ସୋଇଁଙ୍କର ପ୍ରସ୍ତାବ ଓ ଦାନକୁ ପ୍ରତ୍ୟାଖ୍ୟାନ କରି ସନିଆ ଯେତେବେଳେ ଚାଲିଯାଇଛି ସେତେବେଳେ ଧୋବୀର ଧର୍ଯ୍ୟ ଆଉ ରହନ୍ତା କିପରି ? କାହ୍ନୁଚରଣଙ୍କ ଭାଷାରେ, ‘‘ସେ ଠାକୁର ଘର କବାଟ ଧରି ମୁହୂର୍ତ୍ତେ ଠିଆହେଲା । ଆଖିପତା ମୁଦି ହୋଇ ଆସୁଥାଏ । ରାଧାମାଧବଙ୍କ ଉଦ୍ଦେଶ୍ୟରେ କବାଟରେ ମୁଣ୍ଡ ଲଗାଇ ମନେ ମନେ ଅଳିକଲା, ଆଉ କେତେଦିନ ପ୍ରଭୁ, କେତେଦିନ କଷ୍ଟ ଦେଉଥିବ ? ଅପରାଧର ଶାସ୍ତି କଣ ଶେଷ ହୋଇନାହିଁ ।’’ ଧୋବୀ ଜାଣିପାରିଛି ସେ ଶାସ୍ତି ଭୋଗ କରୁଛି କଣ ବା ତାର ଅପରାଧ ? ସେ ନିଜେ ତାର ଅପରାଧ ବୁଝିପାରିଛି-। ଦୁର୍ଭିକ୍ଷ ଫେରନ୍ତା କାଙ୍ଗାଳ ସନିଆକୁ ସମାଜରେ ଠିଆ କରାଇ ତାର ଆଶାରେ ସେ ଆଶାନ୍ୱିତ ହେବା ହିଁ ତାର ଅପରାଧ । ସେହି ଅପରାଧ ଶାସ୍ତି ତା ପକ୍ଷରେ ଅସହ୍ୟ ହୋଇଛି । ବହିର୍ଗତର ଶାସ୍ତି ଅପେକ୍ଷା ଅନ୍ତର୍ଜଗତର ଶାସ୍ତି ହିଁ ଧୋବୀ ପକ୍ଷରେ ଚରମ ଶାସ୍ତି ।

 

ଏହି ଉପନ୍ୟାସରେ କାହ୍ନୁଚରଣ ତାଙ୍କ ଲେଖନିରୁ ଯେଉଁ ଚରିତ୍ରମାନଙ୍କୁ ସୃଷ୍ଟି କରିଛନ୍ତି ସେମାନେ ଯଥାର୍ଥରେ ଶାସ୍ତି ପାଇଛନ୍ତି । ମାତ୍ର ଏଠାରେ ଆମର ଗୋଟିଏ କଥା ବିଚାର କରିବାର ଅଛି । ଉପନ୍ୟାସର ସମସ୍ତ ଚରିତ୍ର ଯେଉଁ ଶାସ୍ତି ଭୋଗିଛନ୍ତି ସେ ଶାସ୍ତି ସେମାନଙ୍କୁ ଦେଇଛି କିଏ ? ଆଲୋଚକମାନେ ମତ ଦିଅନ୍ତି ଯେ, ସେ ଶାସ୍ତି ଦେଇଛି ସମାଜ । ମାତ୍ର ଏ ମତ ସଂପୂର୍ଣ୍ଣ ଯୁକ୍ତିଯୁକ୍ତ ନୁହେଁ । ପ୍ରକୃତ ପକ୍ଷରେ ଶାସ୍ତି ଉପନ୍ୟାସର ସମସ୍ତ ଚରିତ୍ରକୁ ଶାସ୍ତି ଦେଇଛି ନଅଙ୍କ ଦୁର୍ଭିକ୍ଷ । ନଅଙ୍କ ଦୁର୍ଭିକ୍ଷ ନପଡ଼ିଥିଲେ ଶାସ୍ତିଭଳି ଉପନ୍ୟାସର ପରିକଳ୍ପନା ମଧ୍ୟ ଲେଖକଙ୍କ ପକ୍ଷରେ କଠିନ ହୋଇଥାନ୍ତା । ନଅଙ୍କ ଦୁର୍ଭିକ୍ଷ ନେଇଗଲା ଏ ଦେଶର ଐଶ୍ୱର୍ଯ୍ୟ, ବିଭବ, କଳ୍ପନା, ସ୍ୱପ୍ନ ସବୁକିଛି ଆଉ ଦେଇଗଲା ଏଜାତିକୁ ଚରମ ଶାସ୍ତି । ତେଣୁ ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ, ଏହି ଉପନାସ ପାଇଁ ‘‘ଶାସ୍ତି’’ ଏକ ସୁଚିନ୍ତିତ ନାମକରଣ ।

☆☆☆

 

‘‘ଶାସ୍ତି’’-ଓଡ଼ିଆ ଉପନ୍ୟାସ ଜଗତର ଏକ ଅବିସ୍ମରଣୀୟ ସୃଷ୍ଟି

 

ଓଡ଼ିଆ ଉପନ୍ୟାସ ସାହିତ୍ୟ ସୃଷ୍ଟିର ସତାବନ ବର୍ଷ ପରେ ଶାସ୍ତିର ଜନ୍ମ । ଓଡ଼ିଆ ଉପନ୍ୟାସ ସାହିତ୍ୟ ୧୮୮୮ ସାଲରେ ସୃଷ୍ଟି ହେବା ପରେ ଉତ୍ତରୋତ୍ତର ଉନ୍ନତି ପଥରେ ଅଗ୍ରସର ହୋଇ ଅର୍ଦ୍ଧ ଶତାବ୍ଦୀର ଅଗ୍ରଗତିର ଫଳ ସ୍ୱରୂପ ଶାସ୍ତି ଭଳି ଉପନ୍ୟାସକୁ ପାଠକମାନଙ୍କ ହାତକୁ ଟେକି ଦେଇଛି । ତେଣୁ ଶାସ୍ତି ଉପନ୍ୟାସରେ ଏହି ଅର୍ଦ୍ଧଶତାବ୍ଦୀର ସାଧନାର ସଙ୍କେତ ସ୍ପଷ୍ଟଭାବେ ମିଳି ପାରିଅଛି ।

 

ବିଶ୍ୱସାହିତ୍ୟରେ ଇତିହାସରେ ଉପନ୍ୟାସ ଏକ ଉଲ୍ଲେଖ ଯୋଗ୍ୟ ଅଧ୍ୟାୟ ସୃଷ୍ଟି କରିଅଛି । କାବ୍ୟରେ, କବିତାରେ ଯାହା କବି ପ୍ରକାଶ କରିବାକୁ ପଛେଇ ଯାଇଛି ତାହାକୁ ହର୍ଷୋତ୍‌ଫୁଲ୍ଲ ବଦନରେ ଔପନ୍ୟାସିକ ରୂପଦାନ କରିଅଛି । ତେଣୁ ଯେଉଁ ସମସ୍ୟାଗୁଡ଼ିକ ଦେଶ ଓ ଜାତିର ପ୍ରତିବନ୍ଧକରୂପେ ଦେଖାଦେଇଛି ସେହି ସମସ୍ୟାଗୁଡ଼ିକର ରୂପାୟନ କରି ସମାଧାନ ଲାଗି ପରୋକ୍ଷ ଭାବରେ ପଥ ପ୍ରଦର୍ଶନ କରିବାରେ ଔପନ୍ୟାସିକ ଅତ୍ୟନ୍ତ ତତ୍ପର ହୋଇ ପଡ଼ିଛି । ଖାଲି ଗପଟିଏ ଶୁଣାଇବା ଔପନ୍ୟାସିକ କାର୍ଯ୍ୟ ନୁହେଁ । ତେଣୁ ଔପନ୍ୟାସିକର କର୍ତ୍ତବ୍ୟ ଯେ ଏକାନ୍ତ ଦାୟିତ୍ୱ ପୂର୍ଣ୍ଣ ଏକଥା ଭୁଲିଗଲେ ଚଳିବ ନାହିଁ । ଦେଶ ଓ ଜାତିକୁ ଯେଉଁ ଔପନ୍ୟାସିକ ଉପଯୁକ୍ତ ପଥ ପ୍ରଦର୍ଶନ କରିବାରେ ଯେତିକି ସମର୍ଥ ସେତିକି ପରିମାଣରେ ସିଦ୍ଧହସ୍ତ ।

 

ଊନବିଂଶ ଶତାବ୍ଦୀରେ ଓଡ଼ିଆ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇ ପଡ଼ିଅଛି । ନଅଙ୍କ ଦୁର୍ଭିକ୍ଷ ଏ ଜାତିର ପଞ୍ଜରା ହାଡ଼କୁ ଦୋହଲାଇ ଦେଇଅଛି । ନଅଙ୍କ ଦୁର୍ଭିକ୍ଷର ଧ୍ୱଂସଲୀଳା ପରେ ଏଦେଶ ଓ ଜାତି ଆଗରେ ଯେଉଁ ସମସ୍ୟା ମୁଣ୍ଡଟେକି ଉଠିଥିଲା ସେହି ସମସ୍ୟାକୁ କାହ୍ନୁଚରଣ ତାଙ୍କର ଅମର ଲେଖନୀରେ ରୂପାୟିତ କରିଛନ୍ତି । ଅତୀତର ସମାଜ ଭାଙ୍ଗିଯାଇଛି । ସେ ପୁଣି ସମାଜପତିର ଆଦେଶ ପାଳନ କରି ପ୍ରାୟଶ୍ଚିତ୍ତ ପୁରୁଣା ହୋଇ ସମାଜ ଭିତରକୁ ଫେରିଯିବ, ନା ଆଉ ଗୋଟାଏ ନୂଆ ସମାଜ ଗଢ଼ିବ ? ଏ ପ୍ରଶ୍ନର ଉତ୍ତର ସେ ଖୋଜି ମଧ୍ୟ ପାଇନାହିଁ । ସ୍ୱାର୍ଥର ବାଧ୍ୟବାଧକତାରେ କେତେ ଦୁର୍ଭିକ୍ଷ ଫେରନ୍ତା କାଙ୍ଗାଳ ପ୍ରାୟଶ୍ଚିତ୍ତ କରି ଧରାବନ୍ଧା ରୀତିର ସମାଜ ଭିତରକୁ ଫେରିଗଲେ । ମାତ୍ର ଯେଉଁମାନେ ପୂର୍ବରୁ ସମାଜର ନାଲିଆଖିକୁ ନ ଡରି ସମାଜଛଡ଼ା ହୋଇଥିଲେ ସେମାନେ ସମାଜ ପତିର ଆଖିରେ ଛତରଖିଆ ଭାବରେ ପରିଚିତ ହୋଇ ନିଜର ଭିନ୍ନ ସମାଜ ଗଢ଼ିଲେ । ସେ ସମୟରେ ସମାଜର ମଧ୍ୟ ଶକ୍ତି କମିଯାଇଥିଲା । ସେଥିପାଇଁ ଲେଖକ ସେ କାଳର ସମାଜକୁ ଆକ୍ଷେପ କରି ଦରମଲା ସମାଜ ବୋଲି ଅନେକ ସ୍ଥଳରେ ଲେଖିଛନ୍ତ ।

 

ଏହି ଦରମଲା ସମାଜକୁ ଯେଉଁମାନେ ଫେରିଯାଇଥିଲେ ସେମାନେ ମଧ୍ୟ ସ୍ୱସ୍ତିରେ ନିଶ୍ୱାସ ମାରିପାରି ନାହାନ୍ତି । ଯେତେବେଳେ ଗୋଟି ଗୋଟି ହୋଇ ସେମାନଙ୍କର ଭାଇ, ବନ୍ଧୁ, କୁଟୁମ୍ୱ ଫେରି ଆସିଛନ୍ତି, ସମସ୍ତଙ୍କର ପ୍ରାୟଶ୍ଚିତ୍ତ କରିବା ସମ୍ଭବପର ହୋଇ ନାହିଁ । ସ୍ୱାର୍ଥର ନିଶା ଯେତେବେଳେ ଦୁର୍ଭିକ୍ଷ ଫେରନ୍ତା କାଙ୍ଗାଳ ମନରୁ ଛାଡ଼ି ଯାଉଛି, ସେତେବେଳ ତାର ମନ ଆଉ ପୁରୁଣା ସମାଜ ଭିତରେ ବାନ୍ଧିହୋଇ ରହିବାକୁ ଚାହିଁ ନାହିଁ । ତା ଆଗରେ ଦେଖାଦେଇଛି ନୂତନ ଜୀବନର ସ୍ୱପ୍ନ, ନୂତନ ସମାଜର ସ୍ୱପ୍ନ । ସେ ନୂତନ ସମାଜ ରକ୍ଷଣଶୀଳ ସମାଜପତିର ସମାଜ ନୁହେଁ, ସେ ସମାଜ ମଣିଷର ସମାଜ । ଏହି ନୂତନ ଆଦର୍ଶ ସନିଆର ପ୍ରାଣକୁ ଦିନେ ଛୁଇଁଥିଲା । ସେ ଆଦର୍ଶ ପରିକଳ୍ପନାରେ ସେ ଯେ କେବଳ ବିଭୋର ହୋଇଥିଲା ତାହା ନୁହେଁ, ତାହାକୁ କାର୍ଯ୍ୟରେ ପରିଣତ କରିଥିଲା । ତାର ହଜିଲା ମଣିଷପଣିଆ ସେ ଫେରିପାଇଥିଲା । ସେଥିପାଇଁ ସେ ଚିନ୍ତେଇଁ ସୋଇଁଙ୍କର ଦାନକୁ ଗ୍ରହଣ କରି ପୁଣି ଅମଣିଷ ହେବାକୁ ପସନ୍ଦ କରି ନଥିଲା । ସେ ବରଂ ଦରମଲା ସମାଜକୁ ଛାଡ଼ିଛି ମାତ୍ର ମଣିଷ ପଣିଆକୁ ଛାଡ଼ିନାହିଁ ।

 

ଊନବିଂଶ ଶତାବ୍ଦୀରେ ଓଡ଼ିଆ ଜାତି ଯେତେବେଳେ ଜାଗରଣ ପଥର ପଥିକ ହେଇଛି ସେତେବେଳେ ତାର ମଣିଷ ପଣିଆ ଯେ ଚେଇଁଉଠିଛି ଏକଥା ଲେଖକ ସଫଳତାର ସହିତ ଚିତ୍ରଣ କରିଛନ୍ତି । ସମାଜ ସମାଜ ବୋଲି ଚିତ୍କାର କରି ଏଜାତି ପାଇଛି କ’ଣ ? ସମାଜକୁ ଛାଡ଼ି ପୁଣି ଏ ଜାତି ପାଇଛି କ’ଣ ? ଏଇ ସମାଜନୀତିର ଚେର ଏପରି ମାଡ଼ିଯାଇଛି ଯେ ଏଥିରେ ନୂଆମନର, ନୂଆ ହୃଦୟର ଆଉ ନୂଆ ସ୍ୱପ୍ନର କଳ୍ପନା ନାହିଁ । ଏଥିରେ ଅଛି କେବଳ ପଥର ନିର୍ଜୀବତା । ସେଥିପାଇଁ ଧୋବୀ ପାଇପାରିନାହିଁ ତାର ମନର ମଣିଷକୁ । ତାର ପରିଣତି ଦେଖାଇ ଦେଇଛି ତାକୁ ପଥର ପରି ମୁକ, ଅର୍ଥବ ଆଉ ନିର୍ଜୀବ କରିବାର ପ୍ରାର୍ଥନାରେ ।

 

ମନୁଷ୍ୟ ଜୀବନ ସହିତ ଯେଉଁ ସ୍ରଷ୍ଟା ଯେତିକି ଘନିଷ୍ଠ ଭାବରେ ପରିଚିତ ସେ ସ୍ରଷ୍ଟାର ସୃଷ୍ଟି ସେତିକି ପ୍ରାଣପ୍ରାଚୁର୍ଯ୍ୟରେ ଭରି ଉଠେ । ଆମରି ନିତିଦିନିଆ ଜୀବନରେ, ସମାଜର, ସଂସ୍କାରର ବହୁବିଧ ଚରିତ୍ର ନେଇ ଚଳପ୍ରଚଳ ହେଉଥିବା ମଣିଷକୁ ଭଲରୂପେ ଚିହ୍ନିଛନ୍ତି କାହ୍ନୁଚରଣ-। ଏ ଜାତିର ସାହିତ୍ୟରେ ଦିନେ ଜଣେ ଫକୀରମୋହନ ଚିହ୍ନିଥିଲେ ରାମଚନ୍ଦ୍ର ମଙ୍ଗରାଜ, ଶାରିଆ, ଭଗିଆ, ଚମ୍ପା, ଚିତ୍ରକଳା, ନାକଫୋଡ଼ିଆ ମା, ନଟବର. ରାଜୀବଲୋଚନ ପ୍ରଭୃତି ବହୁବିଧ ଚରିତ୍ରର ସାମାଜିକ ଜୀବମାନଙ୍କୁ । ଫକୀରମୋହନଙ୍କ ପରେ ଏମାନଙ୍କୁ ଚିହ୍ନିବାର ଚେଷ୍ଟା ଔପନ୍ୟାସିକମାନଙ୍କ ମଧ୍ୟରେ ଅବ୍ୟାହତ ରହିଛି । ସମୟର ପରିବର୍ତ୍ତନରେ ରାମଚନ୍ଦ୍ର ମଙ୍ଗରାଜ ହୁଏତ ନଟବର ନଟବର ଦାସରେ ପରିଣତ ହୋଇଥିଲେ । ମାତ୍ର ସମୟର ଗତି ତ ସେତିକିରେ ସ୍ଥିର ହୋଇନାହିଁ । ୧୮୯୭ ସାଲରେ ସମାଜକୁ ଆବୋରି ବସିଥିବା ରାମଚନ୍ଦ୍ର ଅଠଚାଳିଶ ବର୍ଷ ପରେ ତାଙ୍କୁ ଲୋକେ ଚିହ୍ନିଛନ୍ତି ଚିନ୍ତେଇ ସୋଇଁ ରୂପରେ । ୧୮୯୬ ସାଲଠାରୁ ୧୯୪୫ ସାଲ ଭିତରେ ବାହାର ଦେଖାଣିଆ ସମାଜ ଯେତିକି ବଦଳିଛି, ରାମଚନ୍ଦ୍ର ମଙ୍ଗରାଜ ସେତିକି ବଦଳି ଚିନ୍ତେଇ ସୋଇଁ ଭାବରେ ଦେଖା ଦେଇଅଛନ୍ତି । ସମାଜର ମଣିଷକୁ ଚିହ୍ନିବାର ଶକ୍ତି କାହ୍ନୁଚରଣଙ୍କର କିପରି ରହିଛି ତାହା ଏଥିରୁ ସହଜରେ ଜଣାଯାଏ । ତେଣୁ ତାଙ୍କ ଲେଖନୀରୁ ଜନ୍ମ ନେଇଥିବା ଚିନ୍ତେଇ ସୋଇଁ, ନିଧେଇ ସୋଇଁ, ରାମ ପ୍ରହରାଜ, ହରି ମହାନ୍ତି, ବନେଇ ପରିଡ଼ା, କଇଁ, ଧୋବୀ, ପୁନି, ଟିମି, ଚନ୍ଦରା, ରହିମ୍, ଜୋହନ, ଭରଥ କାଶୀ-ସମସ୍ତେ ଆମର ଅତି ପରିଚିତ-

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ କାହ୍ନୁଚରଣଙ୍କର ସ୍ୱକୀୟ ଶୈଳୀର ସ୍ୱାତନ୍ତ୍ର୍ୟହିଁ ଶାସ୍ତି ଉପନ୍ୟାସକୁ ସୁଖପାଠ୍ୟ କରିଅଛି । ତାଙ୍କର ବର୍ଣ୍ଣନା ଶୈଳୀ ଏପରି ମନୋରମ ଯେ ପାଠକ ପୁସ୍ତକଟିକୁ ପାଠକରିବା ସମୟରେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟଚ୍ୟୁତ ହୋଇ ନଥାଏ । ଶାସ୍ତି ଉପନ୍ୟାସରେ ଲେଖକ ଯେପରି ଭାବରେ ପ୍ରେମଚିତ୍ର ପ୍ରଦାନ କରିଅଛନ୍ତି ତାହା ତାଙ୍କ ସୃଷ୍ଟି କୌଶଳର ଯଥାର୍ଥ ପରିଚୟ । ଏହି ସୃଷ୍ଟି କୌଶଳର ଯଥାର୍ଥ ପରିଚୟ ଦେବାକୁ କାହ୍ନୁଚରଣଙ୍କର ସମକକ୍ଷ ସ୍ରଷ୍ଟା ଏ ପର୍ଯ୍ୟନ୍ତ ଦୃଷ୍ଟି ପଥାରୂଢ଼ ହୋଇ ନାହାନ୍ତି କହିଲେ ଚଳେ । ଆଧୁନିକତାର ଆଳରେ ଆଧୁନିକକାଳର ଔପନ୍ୟାସିକମାନେ ବିଷୟବସ୍ତୁ ଗ୍ରହଣରେ ଅତିମାତ୍ରାରେ ଅନୁଶୀଳନ ପ୍ରବୃତ୍ତି ପ୍ରକାଶ କରିବା ଫଳରେ କେତେକ ସ୍ଥଳରେ ଉପନ୍ୟାସ ପାଠର ସ୍ୱଚ୍ଛନ୍ଦ ଗତିରେ ବାଧା ଦେଖାଦେଉଅଛି । ଆଧୁନିକ ଜଗତର କୌଣସି ସମସ୍ୟାକୁ ଉପନ୍ୟାସରେ ଉପସ୍ଥାପିତ କରିବାକୁ ହେଲେ ଲେଖକଙ୍କର ସିଦ୍ଧହସ୍ତତା ଥିବା ଏକାନ୍ତ ଅପରିହାର୍ଯ୍ୟ ।

 

ବିଧବା ବିବାହ ଭଳି ଏକ ସାମାଜିକ ଲେଖକ ଶାସ୍ତିର କଳେବର ମଧ୍ୟରେ ଅତ୍ୟନ୍ତ ଦକ୍ଷତାର ସହିତ ଉପସ୍ଥାପିତ କରିଅଛନ୍ତି । ବିଧବା ବିବାହର ଯଥାର୍ଥ୍ୟ ଏ ଦେଶରେ ଶିକ୍ଷିତ ବ୍ୟକ୍ତମାନେ ଊନବିଂଶ ଶତାବ୍ଦୀରେ ଉପଲବ୍‌ଧ କଲେହେଁ ସେ ସମୟର ରକ୍ଷଣଶୀଳ ସମାଜରେ ତାହା କିପରି ସମ୍ଭବପର ହୋଇ ପାରିନାହିଁ ସେ କଥା ଲେଖକ ଶାସ୍ତି ଉପନ୍ୟାସରେ ପ୍ରମାଣ କରି ଦେଖାଇ ଦେଇଛନ୍ତି । ସମାଜ, ଜାତି ଧର୍ମ ଓ ବର୍ଣ୍ଣ କିପରି ଫାଙ୍କା ଆବାଜ୍ ସେ ବିଷୟ ଲେଖକ ପ୍ରକାଶ କରିଛନ୍ତି ଓ ପ୍ରମାଣିତ କରିଛନ୍ତି । ଏଇ ସମାଜର ନାଲିଆଖିକୁ ଡରି ଧୋବୀ ଓ ସନିଆ କିପରି ଭାବରେ ଦ୍ୱନ୍ଦ ଭିତରେ ପଡ଼ି ଦୋହଲିଛନ୍ତି ତାହା ଅତ୍ୟନ୍ତ ନିପୁଣତାର ସହିତ ଲେଖକ ବର୍ଣ୍ଣନା କରିଅଛନ୍ତି ।

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧ କରିବାପାଇଁ ଯେଉଁମାନେ ଲେଖନୀ ଚାଳନ କରି ଯଶସ୍ୱୀ ହୋଇଅଛନ୍ତି ସେମାନଙ୍କ ମଧ୍ୟରେ କାହ୍ନୁଚରଣ ଏକ ସ୍ୱତନ୍ତ୍ର ସମ୍ମାନର ଯୋଗ୍ୟ । ଓଡ଼ିଆ ଉପନ୍ୟାସ ଜଗତରେ ଯେଉଁ ଉପନ୍ୟାସଗୁଡ଼ିକ ଓଡ଼ିଆ ପାଠକର ଚିତ୍ତବୃତ୍ତିରେ ଚାଞ୍ଚଲ୍ୟ ସୃଷ୍ଟି କରିଅଛନ୍ତି ସେମାନଙ୍କ ମଧ୍ୟରେ ଶାସ୍ତିର ସ୍ଥାନ ଅଦ୍ୱିତୀୟ ବୋଲି କୁହାଯାଇ ପାରେ । ଓଡ଼ିଆ ଉପନ୍ୟାସ ସାହିତ୍ୟର ସ୍ରଷ୍ଟାଗଣ ଜାତିର ବହୁବିଧ ସମସ୍ୟାକୁ ସେମାନଙ୍କର ସୃଷ୍ଟିରେ ସ୍ଥାନଦେଇ ଜାତିକୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେବାରେ ସହାୟକ ହୋଇଅଛନ୍ତି । ଓଡ଼ିଆ ଉପନ୍ୟାସ ସାହିତ୍ୟ ଯେଉଁମାନଙ୍କ ଲେଖନୀ ଚାଳନା ଫଳରେ ରୁଦ୍ଧିମନ୍ତ ହୋଇଅଛି ସେମାନଙ୍କ ବିଷୟରେ କେତେକ କଥା ଏଠାରେ ଆଲୋଚନା ପ୍ରସଙ୍ଗରେ ପ୍ରକାଶ କରାଯାଇପାରେ ।

କାହ୍ନୁଚରଣଙ୍କ ଅନୁଜ ଗୋପୀନାଥ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ସ୍ୱକୀୟ ଶୈଳୀ ଓ ଦର୍ଶନର ଉପସ୍ଥାପନ ଫଳରେ ନିଜକୁ ପ୍ରତିଷ୍ଠିତ କରାଇଅଛନ୍ତି । ଓଡ଼ିଶାର ଅବହେଳିତ ଆଦିବାସୀ ଜୀବନକୁ କେନ୍ଦ୍ରକରି ସେ ଲେଖିଛନ୍ତି ପରଜା ଓ ଅମୃତର ସନ୍ତାନ ଭଳି ଅମୂଲ୍ୟ ଉପନ୍ୟାସ । ସରଳ ନିଷ୍ପାପ କନ୍ଧ, ପରଜା ଅରଣ୍ୟର ଅନ୍ଧକାରରେ ତାର ଜୀବନ ଅତିବାହିତ କରେ । ତାର ସରଳତାର ସୁଯୋଗ ନିଏ ସଭ୍ୟଜଗତର ସଭ୍ୟମଣିଷ । ଏହି ଦୁଇଟି ଉପନ୍ୟାସରେ ଗୋପୀନାଥ କନ୍ଧ ପରଜା ଜାତିର ଅନ୍ତରକୁ ସମସ୍ତଙ୍କ ଆଗରେ ଖୋଲି ଥୋଇ ଦେଇଅଛନ୍ତି । ଅମୃତର ସନ୍ତାନ ପାଇଁ ସେ ଭାରତୀୟ ସାହିତ୍ୟ ଏକାଡ଼େମୀର ପୁରସ୍କାର ଲାଭ କରିଅଛନ୍ତି । ଓଡ଼ିଆ ସାହିତ୍ୟକୁ ଏହି ଉପନ୍ୟାସ ଦୁଇଟି ତାଙ୍କର ସ୍ୱତନ୍ତ୍ର ଦାନ । ମଣିଷର ମନ ଭିତରର କଥାକୁ ପ୍ରକାଶ କରିବାକୁ ସେ ଲେଖିଛନ୍ତି ଦାନାପାଣି, ହରିଜନ ଭଳି କେତେକ ଉପନ୍ୟାସ । ଶରତବାବୁଙ୍କ ଗଳି ତାଙ୍କର ଏକ ନୂତନ ପରୀକ୍ଷା । ଗୋପୀନାଥଙ୍କର ଲେଖନୀ ଏଇ ଅଳ୍ପ ସମୟ ପୂର୍ବରୁ ଜନ୍ମଦେଇଛି ମାଟିମଟାଳ । ମାଟିମଟାଳର ବର୍ଣ୍ଣନାଶୈଳୀ ହିଁ ତାଙ୍କର ସ୍ୱାତନ୍ତ୍ର୍ୟର ପରିଚାୟକ । ଗୋପୀନାଥଙ୍କର ଲେଖନୀ ପ୍ରଚଳିତ ସଂସ୍ଥା, ସାମାଜିକ ରୀତିନୀତି ଭିତରେ ଅନୁସନ୍ଧାନ କରିଛି ମାନବିକତା ।

ମାନବିକତାର ଅମର ନିଦର୍ଶନ ଏ ଦେଶର ପାଠକ ପାଠିକାଙ୍କ ଆଗରେ ଥୋଇଛନ୍ତି କାଳିନ୍ଦୀ ଚରଣ ତାଙ୍କର ମାଟିର ମଣିଷରେ । ସଭ୍ୟଜଗତର ଶିକ୍ଷିତ ମଣିଷର ବାବୁ ପଣିଆରେ ସେ ମୁଗ୍‌ଧ ହୋଇନାହାନ୍ତି । ଯେଉଁମାନେ ଧରିତ୍ରୀର ବକ୍ଷଚିରି ଦେଶବାସୀଙ୍କୁ ଯୋଗାନ୍ତି ଆହାର ସେଇମାନଙ୍କର ଜୀବନର ଭଲମନ୍ଦ, ସୁଖଦୁଃଖକୁ ସେ ଅତ୍ୟନ୍ତ ଦକ୍ଷତାର ସହିତ ଚିତ୍ରିତ କରିଛନ୍ତି । ମାଟିର ମଣିଷ ହିଁ କାଳିନ୍ଦୀଚରଣଙ୍କର ଔପନ୍ୟାସିକ ପ୍ରତିଭାର ପ୍ରକୃଷ୍ଟ ପରିଚାୟକ । ମାଟିର ମଣିଷ ଉପନ୍ୟାସର ଲୋକପ୍ରିୟତା ତାଙ୍କୁ ଲୁହାର ମଣିଷ ଲେଖିବାକୁ ପ୍ରେରଣା ଦେଇଥିଲା । ମାତ୍ର ଲୁହାର ମଣିଷ ମାଟିର ମଣିଷ ଭଳି ନିଜକୁ ଓଡ଼ିଆ ପାଠକ ନିକଟରେ ପରିଚିତ କରାଇପାରିନାହିଁ । ତାଙ୍କ ଲେଖନୀ ପୁଣି ଜନ୍ମ ଦେଇଛି ମୁକ୍ତାଗଡ଼ର କ୍ଷୁଧା ଆଉ ଅମରଚିତା । ଏହି ଉପନ୍ୟାସ ଦୁଇଟି ମଧ୍ୟ ମାଟିର ମଣିଷ ତୁଳନାରେ ହୀନପ୍ରଭା ।

ବହୁ ଉପନ୍ୟାସର ସ୍ରଷ୍ଟା କମଳାକାନ୍ତ । ମାତ୍ର ବୋଉ ଉପନ୍ୟାସ ପାଇଁ ତାଙ୍କର କୃତିତ୍ୱ ଉଲ୍ଲେଖଯୋଗ୍ୟ । ବୋଉ ଉପନ୍ୟାସ ଦ୍ୱାରା ସେ ଓଡ଼ିଶାର ପାଠକ ପାଠିକାଙ୍କର ହୃଦୟରେ ଆସନ ପାତି ବସିଛନ୍ତି ।

 

ଓଡ଼ିଆ ଉପନ୍ୟାସ ଜଗତର ଅନ୍ୟ ଏକ ବିଖ୍ୟାତ ସ୍ରଷ୍ଟା ରାଜକିଶୋର ପଟ୍ଟନାୟକ । ଦୀର୍ଘକାଳ ଧରି ତାଙ୍କର ଲେଖନୀ ଅବିରାମ ଗତିରେ ଚାଲିବା ଫଳରେ ଓଡ଼ିଆ ସାହିତ୍ୟ ବହୁସଂଖ୍ୟାର ଉପନ୍ୟାସ ତାଙ୍କଠାରୁ ପାଇଅଛି । ତାଙ୍କର ଶିଳ୍ପ ସୌନ୍ଦର୍ଯ୍ୟ ବିଶେଷ ଉଲ୍ଲେଖଯୋଗ୍ୟ-। ମଣିଷ ଜୀବନର ଅସୁମାରି ଘଟଣା ଓ ସମସ୍ୟାକୁ ସେ ତାଙ୍କର ଉପନ୍ୟାସମାନଙ୍କରେ ଅତ୍ୟନ୍ତ ଦକ୍ଷତାର ସହିତ ଚିତ୍ରିତ କରିଅଛନ୍ତି । ସିନ୍ଦୂରଗାର ବା ପଞ୍ଜୁରୀ ପକ୍ଷୀରେ ଦେଖା ଦେଇଥିବା ରାଜକିଶୋରଙ୍କ ଔପନ୍ୟାସିକ ପ୍ରତିଭା ଚଲାବାଟରେ ପହୁଞ୍ଚିବା ସମୟରେ ଏକ ଅଭିନବ ଶୈଳୀ ସୃଷ୍ଟି କରି ବସିଛି ।

 

ଅସ୍ଥି ଚର୍ମ ଭିତରେ ମଣିଷର ମନ ବୋଲି ଯେଉଁ ଜିନିଷଟି ଅଛି ତାହାର ପ୍ରକୃଷ୍ଟ ପରିଚୟ ଦେବାକୁ ଯେଉଁ ନିତ୍ୟାନନ୍ଦ ସୃଷ୍ଟି କରିଥିଲେ ଜୀଅନ୍ତା ମଣିଷ ସେହି ନିତ୍ୟାନନ୍ଦ ପୁଣି ସୃଷ୍ଟି କରିଛନ୍ତି ଭଙ୍ଗାହାଡ଼, ହିଡ଼ମାଟି ଭଳି ଉପନ୍ୟାସ । କୁହାଯାଏ, ଜୀଅନ୍ତା ମଣିଷ ନିତ୍ୟାନନ୍ଦଙ୍କର ସ୍ରଷ୍ଟା ଜୀବନର ଏକ ଅଭ୍ରାନ୍ତ ପରିଚୟର ସ୍ୱାକ୍ଷର ବହନ କରିଅଛି । ଭଙ୍ଗାହାଡ଼ ଆଉ ହିଡ଼ମାଟି ଏ ଦେଶ ଜନତାର ନିତିଦିନିଆ ଜୀବନର କଥା । ଏଇ ଦୁଇଟି ଉପନ୍ୟାସରେ ନିତ୍ୟାନନ୍ଦଙ୍କର ସମାଜ ସଚେତନ ଦୃଷ୍ଟିକୋଣ ପ୍ରକାଶଲାଭ କରିଅଛି ।

 

ବୟସରେ ବୃଦ୍ଧ ହୋଇ ଯେ ନିଜକୁ ଯୁବକର ସତେଜତାରେ ପ୍ରକାଶ କରୁଥିଲେ ସେଇ ଗୋଦାବରୀଶ ମହାପାତ୍ରଙ୍କର ଲେଖନୀରୁ ଜନ୍ମ ନେଇଛି କେତେକ ଉପନ୍ୟାସ । ତାଙ୍କର ସ୍ୱଭାବ ସୁଲଭ ରୀତି ତାଙ୍କର ଉପନ୍ୟାସମାନଙ୍କରେ କେତେକ ସ୍ଥଳରେ ଉପନ୍ୟାସକୁ ଉପାଦେୟ କରିବାର ଉପାଦାନ ଯୋଗାଇଅଛି ସତ, ମାତ୍ର ତାଙ୍କ ଲେଖନୀର ଭାଷାକୁ ଖାଲି ପଢ଼ିଯିବାର ନୁହେଁ, ତାକୁ ପ୍ରାଣଦେଇ ଅନୁଭବ କରିବାର କଥା ।

 

ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମାଙ୍କର ଲେଖନୀ ଯେତେଗୁଡ଼ିଏ ଉପନ୍ୟାସ ସୃଷ୍ଟି କରିଛି ସେଥି ମଧ୍ୟରୁ ଭୂମିକାହିଁ ତାଙ୍କର ଔପନ୍ୟାସିକ ଜୀବନର ଯଥାର୍ଥ ଭୂମିକା ପ୍ରଦାନ କରିଅଛି । ଆମରି ଗାଁ ଗହଳର ଅଶିକ୍ଷିତ ମଣିଷର ମନରେ ଆଦର୍ଶର ରୂପାୟନ କିପରି ଭାବରେ ସମ୍ଭବ ହୋଇପାରେ ତାହା ସେ ଭୂମିକା ଉପନ୍ୟାସରେ ଅତ୍ୟନ୍ତ ଦକ୍ଷତାର ସହିତ ପ୍ରତିପାଦନ କରିଅଛନ୍ତି । ତାଙ୍କର ଅପରାହ୍‌ଣର ଆକାଶ ତାଙ୍କ ଔପନ୍ୟାସିକ ପ୍ରତିଭାର ଅନ୍ୟ ଏକ ପରିଚୟ ।

 

କୃଷ୍ଣପ୍ରସାଦ ମିଶ୍ରଙ୍କର ଉପନ୍ୟାସଗୁଡ଼ିକ ମଧ୍ୟରୁ ମୃଗତୃଷ୍ଣା ଓ ସିଂହକଟୀ ବିଶେଷ ଉଲ୍ଲେଖଯୋଗ୍ୟ । କୃଷ୍ଣପ୍ରସାଦଙ୍କ ଲେଖନୀ ଏକ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ପ୍ରଦାନ କରିଅଛି ।

 

ଅମଡ଼ାବାଟ ଉପନ୍ୟାସର ଲେଖିକା ବସନ୍ତ କୁମାରୀଙ୍କର ଔପନ୍ୟାସିକ ପ୍ରତିଭା ସୁବିଦିତ । ଆମରି ସମାଜର ନିତିଦିନିଆ ଜୀବନକୁ କେନ୍ଦ୍ରକରି ସେ ଯେପରି ଭାବରେ ଅମଡ଼ାବାଟକୁ ରଚନା କରିଅଛନ୍ତି ତାହା ତାଙ୍କର ବିଶେଷତ୍ୱ ।

 

ନରକିନ୍ନର ଓ ଶତାବ୍ଦୀର ନଚିକେତା ସୃଷ୍ଟି କରି ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଯଶସ୍ୱୀ ହୋଇଅଛନ୍ତି । ଏହି ଦୁଇଟି ଉପନ୍ୟାସରେ ତାଙ୍କର ବିଶ୍ଳେଷଣାତ୍ମକ ଦୃଷ୍ଟିକୋଣର ପରିଚୟ ମିଳିଅଛି ।

 

ଅଧୁନାତନ କାଳରେ ବହୁ ଉପନ୍ୟାସର ସ୍ରଷ୍ଟା ବିଭୂତି ପଟ୍ଟନାୟକଙ୍କର ଓଡ଼ିଆ ସାହିତ୍ୟକୁ ଯେ ଯଥେଷ୍ଟ ଦାନ ରହିଛି, ଏହା ସ୍ୱୀକାର କରିବାର କଥା । ତାଙ୍କର ଔପନ୍ୟାସିକ ପ୍ରତିଭାର ପରିଚୟ ଦେଇଛି ନାୟିକାର ନାମ ଶ୍ରାବଣୀ, ଚପଳାଛନ୍ଦା ବଧୂ ନିରୁପମା । ସମୟର ଗତିରେ ତାଙ୍କର ଅନୁଭୂତିର ପରିପକ୍ୱତା ଯେ ତାଙ୍କୁ ଓଡ଼ିଆ ସାହିତ୍ୟରେ ଜଣେ ବିଖ୍ୟାତ ଔପନ୍ୟାସିକର ଆସନ ପ୍ରଦାନ କରିବ, ଏ କଥା ଆଶା କରାଯାଇପାରେ ।

 

ଓଡ଼ିଆ ସାହିତ୍ୟରେ ବହୁ ଔପନ୍ୟାସିକ ସେମାନଙ୍କର ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧିର ପଥରେ ପରିଚାଳିତ କରୁଅଛନ୍ତି । ସେମାନଙ୍କ ମଧ୍ୟରେ ଔପନ୍ୟାସିକ କାହ୍ନୁଚରଣ ଏକ ସ୍ୱତନ୍ତ୍ର ଆସନର ଯୋଗ୍ୟ । ତାଙ୍କର ସୃଷ୍ଟି ସଂପଦର ସାର୍ଥକତା ଅଧୁନାତନ କାଳରେ ପ୍ରମାଣିତ ହୋଇ ସାରିଅଛି ।

 

ଓଡ଼ିଆ ଉପନ୍ୟାସଗୁଡ଼ିକ ସମୟର ପରିବର୍ତ୍ତନ ସହିତ ତାଳରଖି କେତେକ ନୂଆ ରୂପରେ ଆତ୍ମପ୍ରକାଶ କରୁଅଛି । ଏହି ନୂଆରୂପ ପୁରୁଣାରେ ପରିଣତ ହୋଇ ଯାଉଅଛି ମଧ୍ୟ । ନୂଆ ନୂଆ ରୂପର ସୃଷ୍ଟି ନୂଆ ନୂଆ ପରୀକ୍ଷାର ସୂଚକ । ପୁରୁଣା ଆଉ ନୂଆ ଭେଦରେ କେତେ ଉପନ୍ୟାସ ପୁରୁଣା ହୋଇଯାଉଛି । ମାତ୍ର ଶାସ୍ତିର ସୃଷ୍ଟି ସଂପଦରେ ଏପରି ପ୍ରାଣପ୍ରାଚୁର୍ଯ୍ୟ ଭରିରହିଛି ଯେ ତାହା ଏବେ ବି ତାର ନୂତନତ୍ୱକୁ ବଜାୟ ରଖିଅଛି । ତେଣୁ କୁହାଯାଏ ଶାସ୍ତି ଓଡ଼ିଆ ଉପନ୍ୟାସର ସାହିତ୍ୟ ଜଗତରେ ଏକ ଅବିସ୍ମରଣୀୟ ସୃଷ୍ଟି ।

Image